ଆମେ ସମସ୍ତେ ଭୋବନିସରିଆ, ଆମେ ସମସ୍ତେ ବାହାରିଆ: ଏକାମ୍ର ନଗରୀ ଭୁବନେଶ୍ୱର ର ଏକ ନୂଆ ଚିତ୍ରାୟାନ

Published: Dec 6, 2018, 7:06 pm IST

ଶୈଲେନ ରାଉତରାୟ

ଫଟୋ- ଜେମସ ଏମ ଫ୍ରିମ୍ୟାନ

ଯେତେବେଳେ ଭୁବନେଶ୍ୱର ଆର୍ଟ ଟ୍ରେଲ୍‌ରେ ଶିଳ୍ପୀ ରାମହରି ଜେନା ଓ ରମାକାନ୍ତ ସାମନ୍ତରାୟ ସହ ମିଶି କାମ କରିବା ପାଇଁ ନିମନ୍ତ୍ରଣ ଆସିଲା, ସେତେବେଳେ ଆମେ ସମସ୍ତେ ଏହାକୁ ନିଜକୁ ଓ ନିଜ ସହରକୁ ଜାଣିବା ଓ ବୁଝିବା ପାଇଁ ଏକ ସୁଯୋଗ ଭାବରେ ଗ୍ରହଣ କଲୁ । ଆମେ ତିନିହେଁ ଭୁବନେଶ୍ୱରରେ ଅତି କମ୍‌ରେ ତିରିଶ ବର୍ଷରୁ ଉର୍ଦ୍ଧ କାଳ ହେଲା ରହି ଆସୁଛୁ । ତାହା ମଧ୍ୟରୁ ଅନେକ ସମୟ ପୁରୁଣା ଭୁବନେଶ୍ୱର ଓ ତାହାର ଆଖପାଖର ଅଞ୍ଚଳରେ । ଆର୍ଟ ଟ୍ରେଲରେ କାମ କରିବାର ସୁଯୋଗ ମିଳିବା ପରେ ତିନି ଜଣ ମିଶି ଆମେ ଏଇ ଜାଗାକୁ ନେଇ କିଛି ଖୋଜାଖୋଜି ଆରମ୍ଭ କଲୁ । ଆମକୁ ଅନେକ କିଛି ଏହି ପ୍ରକ୍ରିୟାରୁ ଜାଣିବାକୁ ମିଳିଲା । ସହରଟି ହଜାର ହଜାର ବରଷର ପୁରୁଣା ଜେଗା । ଧିରେ ଧିରେ ଆମକୁ ଦୁଶିବାକୁ ଆରମ୍ଭ କଲେ ନାନାଦି ଦୃଶ୍ୟ, ଆମେ ଶୁଣିବାକୁ ପାଇଲୁ କେତେ ଘଟଣା, ଗପ ଓ ଲୋକକଥା । ସେ ସବୁକୁ ଯଥାଯୋଗ୍ୟ ଜାଗା ଦେବା ପାଇଁ ଯୋଜନା କଲୁ ଯେ, ଗୋଟେ ପ୍ରୋଜେକ୍ଟ ରୁମ୍ କରିବୁ । ହେଲେ ଆର୍ଟ ଟ୍ରେଲ୍ କାମ ପାଇଁ ଗବେଷଣାର ପ୍ରକ୍ରିୟା ସାରିବା ବେଳକୁ, ଏତେ ଗୁଡ଼ାଏ ତଥ୍ୟ ଓ ଜିନିଷପତ୍ର ଯୋଗାଡ଼ କରି ପକାଇଲୁ ଯେ, ଗୋଟେ ପାଞ୍ଚ-ଛଅ ଶହ ବର୍ଗ ଫୁଟର ଛୋଟ ବଖରା ଭିତରେ ସେ ସବୁକୁ ପ୍ରଦର୍ଶିତ କରାଯାଇ ପାରି ନ ଥାଆନ୍ତା । ଏଣୁ ନିଷ୍ପତ୍ତି ନେଲୁ, ଆହରିତ ମାଲମତାକୁ ସମ୍ପାଦିତ କରି ତାହା ମଧ୍ୟରୁ ଅଳ୍ପ କିଛି ମାତ୍ର ଆମେ ପ୍ରଦର୍ଶିତ କରିବୁ ।

ଭୁବନେଶ୍ୱର ଆର୍ଟ ଟ୍ରେଲ୍‌ରେ ଆମ କାମଟିର ଶୀର୍ଷକ ‘ଆଉଟ୍‌ସାଇଡର୍ସ୍’ ବୋଲି ରଖା ଯାଇଛି । ଆମେ ସାଧାରଣତଃ ଯେବେ ସହରଟିଏ ବିଷୟରେ ଭାବୁ, ସେବେ ମୂର୍ତ୍ତ ଭାବରେ ତାହାର ରାସ୍ତାଘାଟ, କୋଠାବାଡି, ଉଦ୍ୟାନ ଆଦି ସହରର ମୂଳ ଉପାଦାନ ବୋଲି ଗଣୁ । ଏସବୁ ବ୍ୟତୀତ ସହରଟିର ନିର୍ଦ୍ଦିଷ୍ଟ କୌଣସି ଗୁରୁତ୍ୱ ଅଛି ବୋଲି ଆମେ ଭାବୁନା । ୧୯୭୪ ମସିହାରେ ‘ହାର୍ଭିଲ୍ ପ୍ରେସ୍‌’ ଛାପିଥିବା ବହୁଚର୍ଚ୍ଚିତ ଅଣ-ଗଳ୍ପ ବହି ‘ସଫ୍‌ଟ୍ ସିଟି’ରେ ପ୍ରିୟ ଆଙ୍ଗ୍ଲୋ-ଆମେରିକୀୟ ଲେଖକ ଜନାଥନ୍ ରାବାନ୍, ଆମେ ସହରଗୁଡ଼ିକୁ ଦେଖିବା ପାଇଁ ଯୋଡ଼ିଏ ସମ୍ଭାବ୍ୟ ବାଟ ବିଷୟରେ ଆଲୋଚନା କରନ୍ତି । ସେ କହନ୍ତି, ଯଦି ଆମେ ସହରଗୁଡ଼ିକୁ ସ୍ମୃତିର ବିଭାବମାନ ଦେଇ ବୁଝିବାକୁ ଚେଷ୍ଟା କରିବା, ତେବେ ବୁଝାମଣାର ଦୁଇଟି ଦିଗ ଓ ଆଙ୍ଗିକ ସମ୍ଭବ – ପ୍ରଥମଟି ହେଲା ହେଲା ସହରର ସ୍ମୃତି ଓ ଦ୍ୱିତୀୟଟି ସ୍ମୃତିର ସହର । ଅବଶ୍ୟ ତାଙ୍କ ଲେଖାରେ ସେ ‘ସ୍ମୃତି’ ଶବ୍ଦଟିର ବ୍ୟବହାର କରୁ ନାହାନ୍ତି । ସେ କହୁଛନ୍ତି, ‘ସିଟି ଅଫ୍ ଦ ମାଇଣ୍ଡ’ (ମନର ସହର) ଏବଂ ‘ମାଇଣ୍ଡ ଅଫ୍ ଦ ସିଟି’ (ସହରର ମନ) ବିଷୟରେ । ସହରର ଯୋଜନା, ସ୍ଥାପତ୍ୟ ଓ ସର୍ବସାଧାରଣଙ୍କ ନିମନ୍ତେ ନୀତି ଇତ୍ୟାଦି ବିଷୟରେ ଆଲୋଚନା ‘ସହରର ସ୍ମୃତି’ ବା ‘ସହରର ମନ’ କୁ ଦର୍ଶାଏ । ଆଉ ଗପ, କବିତା, ଉପନ୍ୟାସ, ସିନେମା, କମିକ୍ ବହି, ଟିଭି ଧାରାବାହିକ, ନାଟକ, ଗୀତ, ସ୍ମୃତିଚାରଣ ଇତ୍ୟାଦିରେ ଥିବା ସହର ସମ୍ବନ୍ଧୀୟ ଚିତ୍ର, ଆଲୋଚନା ଓ ବିଚାର ଗୁଡ଼ିକ ହେଲା ‘ସ୍ମୃତିର ସହର’ ବା ‘ମନର ସହର’ ।

ଭୁବନେଶ୍ୱର ଭଳି ଗୋଟିଏ ଏକା ଧାରାରେ ଅତି-ପ୍ରାଚୀନ, ହେଲେ ଅତି-ଆଧୁନିକ ସହର ବିଷୟରେ ଆମର ଅନୁଭୂତି ଓ ବୁଝାମଣାର ଅସୁବିଧା ଏଇ ହେତୁ, କାରଣ ଏଇ ସହରଟି ବିଷୟରେ ଆମେ ସଚେତନ ଭାବରେ କଳ୍ପନା କରି ନାହୁଁ । ଯେହେତୁ ସହରଟି ଆମ ମାନସଜଗତ ଓ କଳ୍ପଲୋକର ଅଂଶ ନୁହେଁ, ଏଣୁ ଆମେ ଏହାକୁ ନେଇ ଯଥେଚ୍ଚାଚାର କରି ପାରୁଛୁ । କଳ୍ପନାରେ ଦେଖା ନ ଯାଇ ଥିବା ଛବିଟି ଚିରିଗଲେ ଫାଟି ଗଲେ ଆମକୁ ବାଧିବ ବା କାହିଁକି ? ଭୁବନେଶ୍ୱରର ରାସ୍ତା କଡ଼ର ହଜାର ହଜାର ସଙ୍ଖ୍ୟାରେ ବୁଢ଼ା ଗଛ କଟି  ରାସ୍ତା ଚଉଡ଼ା ହେଲେ (ବେଆଇନ୍ ପାର୍କିଂ ଓ ଭୁଲ ପଟେ ଗାଡ଼ି ଚଳାଇବା ନିମନ୍ତେ ଜେଗା ତିଆରିବା ପାଇଁ), ଆମ ମନ ଖରାପ ବା ହେବ କାହିଁକି ? ଆମ ସହରକୁ ନେଇ ଆମେ ଏଇ ଯେଉଁ ବିସ୍ମୃତି ଭିତରେ ଗତି କରୁଛୁ,  ‘ଆଉଟ୍‌ସାଇଡର୍ସ୍’ର କାମ ହେଲା ତାହାକୁ ପୁଣି ଥରେ ସ୍ମୃତିର ପରିଧି ଭିତରକୁ ଆଣିବା । ଯେଉଁମାନେ ଭୁବନେଶ୍ୱରର ଅତୀତ ବିଷୟରେ, ଏଇ ସହରଟିକୁ ଗଢ଼ିବାର ପ୍ରକ୍ରିୟାରେ ଭୂମିକା ଥିବା ଓ ସହରକୁ ବୁଝିବା ପାଇଁ ସୂତ୍ର ଯୋଗାଇ ଦେଇ ଥିବା ମଣିଷଙ୍କ ବିଷୟରେ ଜାଣିବାକୁ ଚାହିଁବେ, ସେମାନେ ଏହି କାମଟିରୁ ବୋଧ ହୁଏ କିଛି ଖିଅ ପାଇ ପାରିବେ ।

ସଚେତନ ଭାବରେ ‘ଆଉଟ୍‌ସାଇଡର୍ସ୍’ରେ ବିଭିନ୍ନ ପ୍ରକାରର ବସ୍ତୁ ଓ ମାଧ୍ୟମ ଯଥା, ଲୁହା, ବାଉଁଶ, ମାଟିପାତ୍ର, ରଙ୍ଗ, କାଗଜ, ଚିତ୍ର, ଆଲୋକଚିତ୍ର, ସ୍ମୃତି, ଧ୍ୱନି, ଦୃଶ୍ୟ, ମାଟି, ଗୋବର, ଇତ୍ୟାଦିର ବ୍ୟବହାର ହେଉଛି । ମଣିଷର ଯେତେ ପ୍ରକାରର ଜ୍ଞାନେନ୍ଦ୍ରିୟ ଅଛି (ଘ୍ରାଣ ସମେତ), ପ୍ରାୟ ସବୁଟି ପାଇଁ ଖୋରାକ ଯୋଗାଇବାକୁ ଆମେ ଚେଷ୍ଟା କରିଛୁ । କାମଟି ଅଛି ବିନ୍ଦୁସାଗରର ପୂର୍ବ ତଟରେ ଅବସ୍ଥିତ ‘ତରଙ୍ଗ’ କ୍ଲବ୍ ଘରର ପ୍ରଥମ ମହଲାର ହଲ୍‌ରେ ।

ବଡ଼ ଆୟତକ୍ଷେତ୍ରାକାର ବଖରାଟିର କଳା ରଙ୍ଗର ପରଦା ଟେକି ଆପଣ ଏଇ ଜାଗାଟି ଭିତରେ ପ୍ରବେଶ କଲା କ୍ଷଣି ଦୁଶିବ ଏକ ଗୋଲାକାର, ମାଟିଆସିଆ ରଙ୍ଗର, ଗୋବରଲିପା ଢାଞ୍ଚା, ଯାହା ଘୂର୍ଣ୍ଣନ-ଉଦ୍ୟତ, ଆଠ ଫୁଟ ଉଚ୍ଚ ଓ ଦଶ ଫୁଟ ବ୍ୟାସ ଆକାରର ଚାରୋଟି ଅର୍ଦ୍ଧାବୃତ୍ତାକାର ଖଣ୍ଡକୁ ନେଇ ତିଆରି  । ଆବର୍ତ୍ତର ଏକ ସରଳିକରଣ ରୂପ ଏଇଟି । ଆବର୍ତ୍ତଟି ସମୟର ଗତିଶୀଳତାର ସୂଚକ ହୋଇଥିବା ବେଳେ, ବୃତ୍ତଟି ଚକ୍ରକ୍ଷେତ୍ର (ଭୁବନେଶ୍ୱରର ଅନ୍ୟତମ ନାମ)ର ମନ୍ଦିର ଓ ତହିଁର ବେଢ଼ା କୁ ପ୍ରାରୂପିତ କରୁଛି । ଘର ଭିତରେ ପ୍ରବେଶ କରିବା ପରେପରେ, ପୁନଶ୍ଚ ଏକ ଗୋଲାକାର ଢାଞ୍ଚା ଭିତରେ ପଶି ପରିଦର୍ଶକ ଏକପ୍ରକାର ନୀରବତା ଓ ଧ୍ୟାନସ୍ଥ ଅନୁଭବ କରିବା ଏହାର ଉପଲକ୍ଷ୍ୟ । ଯେତେବେଳେ ଦର୍ଶକ ଜଣେ ଢାଞ୍ଚାଟିର ଚାରି ପାଖରେ ପରିକ୍ରମା କରନ୍ତି କିମ୍ବା ଉନ୍ମୁକ୍ତ ଚାରି ଗୋଟି ଦୁଆରରୁ ଯେ କୈାଣସି ଗୋଟିକ ଦେଇ ଢାଞ୍ଚା ଭିତରେ ପଶି ପ୍ରଦକ୍ଷିଣା କରନ୍ତି, ସେତେବେଳେ ସେ ସ୍ୱତଃ ଆମ କାମଟିର ଅଂଶ ପାଲଟି ଯାଆନ୍ତି । ଏହି ସ୍ଥିର ଆବର୍ତ୍ତ ଭିତରେ, କୃତ୍ରିମ ଗୋଟିଏ ବାଲୁବନ୍ତ ଅଛି; ଆଉ ତାହା ମଧ୍ୟରେ ରହିଛି, କ୍ଷୁଦ୍ର ଚଉରାଘେରା, ପାଣି-ଭର୍ତ୍ତି ଏକ ଛୋଟ ମାଟି ହାଣ୍ଡି ।

ପୁରୁଣା ଭୁବନେଶ୍ୱରର ପାବନ ଭୂଗୋଳରେ ଦେବୀପାଦହରା, ପାପନାଶିନୀ, ମରିଚି, କୋଟିତୀର୍ଥ ଆଦି ଆଠଟି ଜଳାଶୟର ମହତ୍ୱ ଅନେକ, ଯହିଁରେ ସବୁଠାରୁ ବେଶି  ଗୁରୁତ୍ୱପୂର୍ଣ୍ଣ ହେଲା ସପ୍ତମ ବା ଅଷ୍ଟମ ଖ୍ରୀଷ୍ଟାବ୍ଦରେ ତିଆରି ପ୍ରାଚୀନ ବିନ୍ଦୁସାଗର, ଯାହା ଲିଙ୍ଗରାଜ ମନ୍ଦିରର ଉତ୍ତର ଦିଗରେ ପାଖାପାଖି ଆଠ ହେକ୍ଟର ଭୂମି ଉପରେ ବିସ୍ତୃତ ।  ଆଜି ଆମେ ଯେବେ ଭୁବନେଶ୍ୱର ବିଷୟରେ ଚିନ୍ତାଭାବନା କରୁ, ସେତେବେଳେ ଆମେ ଜଳଜାଗାଗୁଡ଼ିକ କଥା ଅତି ସୁବିଧାଜନକ ଭାବରେ ଭୁଲି ଯାଉ । ଆମର ପାଶୋର ଯାଏ ଜାତୀୟ ରାଜପଥର ଉତ୍ତର ପଟେ ବାଣୀବିହାର ଛକ ଠାରୁ ଜୟଦେବ ବିହାର ବର୍ଯ୍ୟନ୍ତ ଲମ୍ବି ଥିବା ପୋଖରୀଟି, ଯାହା ଏବେ ବିଶ୍ୱବିଦ୍ୟାଳୟ ଭିତରେ ଗଡ଼ିଆଟିଏ ବନି ସାରିଚି । ଆମେ ଭୁଲି ଯାଉ ଡମଣା ଛକରୁ ଶୈଳଶ୍ରୀ ବିହାର ମଝିରେ ରାସ୍ତାର ଦୁଇ ପାଖରେ ଥିବା ବଡ଼ ଜଳାଜମି, ଯାହାର ଭୂତ ଏବେ ବର୍ଷା ଦିନେ ଧସେଇ ପସୁଚି ଚନ୍ଦ୍ରଶେଖରପୁରର ନାନାଦି ଘରେ  ବନ୍ୟାର ରୂପ ନେଇ । ଆମେ ଏକାମ୍ର କ୍ଷେତ୍ରର ସବୁ ଆମ୍ବ ତୋଟାକୁ ହାଣି ପଦା କରିବା ପାଇଁ ରାଣ ଖାଇଚୁ; ଶପଥ ନେଇଚୁ, ନଈ ଓ ପୋଖରୀର ସମାଧି ଉପରେ ତୋଳିବୁ ଆମ ଉଚ୍ଚାକାଂକ୍ଷାର ଉଆସ । ସତେ ଯେମିତି ଆଧୁନିକତା କହିଲେ ବୁଝାଏ କାଚ ଓ କଙ୍କ୍ରିଟର ହୃଦୟହୀନତାକୁ ।

ଆମ ସହରକୁ ନେଇ ଏଇ ହୃଦୟହୀନତା ଓ ବିସ୍ମୃତି ର ସଂସ୍କୃତି ବିପକ୍ଷରେ ଏକ ଛୋଟ ପ୍ରତିବାଦ ହେଲା ‘ଆଉଟ୍‌ସାଇଡର୍ସ୍’ । ଏଇ କାମଟିରେ ଆମେ ଆମ ସହର ବିଷୟରେ କିଛି ସ୍ମୃତି ଓ କଥନିକା ବି ତିଆରି କରୁଛୁ । ଏଇ କଥନିକାଗୁଡ଼ିକୁ ଆମେ କେବଳ ଶବ୍ଦରେ ତିଆରି କରି ନାହୁଁ; ଏଥି ନିମନ୍ତେ ଚିତ୍ର ମଧ୍ୟ ବ୍ୟବହାର କରିଛୁ ‘ଆଉଟ୍‌ସାଇଡର୍ସ୍’ରେ । ଉନବିଂଶ ଶତାବ୍ଦୀ ଓ ବିଂଶ ଶତାବ୍ଦୀର କିଛି ଚିତ୍ର (ଆଲୋକଚିତ୍ର ଓ ଲିଥୋଗ୍ରାଫ)କୁ ନେଇଛୁ, ଆଉ ତାହା ପାଖରେ ରଖିଛୁ ସେହି ଜାଗାର ବର୍ତ୍ତମାନର, ୨୦୧୮ ମସିହାର, ଚିତ୍ରମାନ । କାରଣ ଅତୀତ ଓ ବର୍ତ୍ତମାନ ଉପରେ ଆମର ଦୁଇଟି ପାଦ ନ ରହିଲେ, ଭବିଷ୍ୟତ ଆଡ଼କୁ ଯିବା ଅସମ୍ଭବ । ହେଲେ ଏଇ ଭବିଷ୍ୟତଟି କିଛି ଅଲଙ୍ଘ୍ୟ ପ୍ରାରବ୍ଧ ନୁହେଁ । କାହିଁକିନା ଆମ ସହରର ଭବିଷ୍ୟତର କୈାଣସି ଦୃଶ୍ୟମାନ ଅନ୍ତିମ ବିନ୍ଦୁ ନାହିଁ; ଭୁବନେଶ୍ୱର କେବେ ସିଙ୍ଗାପୁର ହେବ ନାହିଁ, ହେବା ଦରକାର ମଧ୍ୟ ନୁହେଁ । ଏଣୁ ଆମ କାମଟି ଅତୀତ ଭିତର ଦେଇ, ବର୍ତ୍ତମାନରୁ ଭବିଷ୍ୟତ ପାଖରେ ପହଞ୍ଚିବାର ଏକ ଅଣ ଓସାରିଆ ଚଲାବାଟ; ଗୋଟିଏ ଜାଗାରୁ ଅନ୍ୟ ଜାଗାରେ ପହଞ୍ଚିବାର ପ୍ରକ୍ରିୟା ନୁହେଁ, ସେଇ ବାଟଟିକୁ ତିଆରି କରିବାର ଏକ ଉଦ୍ୟମ ।

ଏଇ ବାଟ ଚାଲୁ ଚାଲୁ ଆମେ ଭେଟିଲୁ ପଣ୍ଡିତ ରାଜେନ୍ଦ୍ରଲାଲ ମିତ୍ର (୧୮୨୨-୧୮୯୧) ଙ୍କୁ । ଓଡ଼ିଶାରେ ଆମେ ଆଜି ତାଙ୍କୁ ଜାଣୁ କେବଳ ଓଡ଼ିଆ ଭାଷା ଓ ଲୋକଙ୍କ ବିଷୟରେ ବକାବକି କରିଥିବା ଜଣେ ବଙ୍ଗାଳୀ ବାବୁ ଭାବରେ । ହେଲେ ସେ ଥିଲେ ଉନବିଂଶ ଶତାବ୍ଦୀର ଭାରତୀୟ ନବଜାଗରଣର ଜଣେ ମହାମାନବ; ଦେଶରେ ଆଧୁନିକ ଇତିହାସ ଚର୍ଚ୍ଚା, ପ୍ରତ୍ନତତ୍ତ୍ୱ ତଥା ଫଟୋଗ୍ରାଫିର ମୂଳଦୁଆ ପକାଇଥିବା, ଜଣେ ବହୁଭାଷୀ ଲେଖକ । ୧୮୭୫ ଓ ୧୮୮୦ ମସିହାରେ ଦୁଇଟି ଭାଗରେ ପ୍ରକାଶ ପାଇଥିବା ତାଙ୍କର ‘’ଆଣ୍ଟିକ୍ୱିଟିଜ୍ ଅଫ୍ ଓଡ଼ିଶା’ ବହିଟି ପ୍ରଥମ ଥର ପାଇଁ ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ଐତିହର ବଡ଼ ଆକାରରେ ପଞ୍ଜିକରଣ କଲା । ଏଥିରେ ଏକ ପ୍ରମୁଖ ଭାଗ ଗ୍ରହଣ କରିଥିଲା, ଭୁବନେଶ୍ୱର ମନ୍ଦିରଗୁଡ଼ିକର ଫଟୋ ତଥା ଲିଥୋଗ୍ରାଫ ଗୁଡ଼ିକ । ଆଜି ଆମର ବଢ଼ୁଥିବା ବଙ୍ଗାଳୀ ବିଦ୍ୱେଷ ସମୟରେ, ଏଇ ଭଦ୍ରଲୋକ ଜଣଙ୍କର ଭୁବନେଶ୍ୱର ଐତିହକୁ ସ୍ମୃତିସିଦ୍ଧ କରିବାର ଉଦ୍ୟମକୁ, ଆମେ ‘ଆଉଟ୍‌ସାଇଡର୍ସ୍’ରେ ସଶ୍ରଦ୍ଧ ମନେ ପକାଇବାକୁ ଚେଷ୍ଟା କରିଛୁ ।

ଏହା ସହିତ ‘ଆଉଟ୍‌ସାଇଡର୍ସ୍’ରେ ଆମେ ମନେ ପକାଉ ୧୯୦୩ରେ ଆମେରିକୀୟ ନୃତତ୍ତ୍ୱବିଦ୍ କୋରା ଦୁବଏସ୍‌‌ଙ୍କୁ । ଆମେରିକୀୟ ନୃତତ୍ତ୍ୱର ନିର୍ମାତା ଫ୍ରାଞ୍ଜ୍ ବୋଆସ୍ ଓ ରବର୍ଟ୍ ଲୋୱି ଆଦିଙ୍କ ଦ୍ୱାରା ପ୍ରଶିକ୍ଷିତ କୋରା ୧୯୫୪ ମସିହାରେ ଆମେରିକାର ହାର୍ଭାଡ଼ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାୟୀ କାର୍ଯ୍ୟାବଧି (ଟେନିଓର୍) ପ୍ରାପ୍ତ ମହିଳା ପ୍ରାଧ୍ୟାପକ ଭାବରେ ଯୋଗ ଦିଅନ୍ତି । ସେ ୧୯୬୧ ମସିହାରୁ ୧୯୭୩ ମସିହା ମଧ୍ୟରେ ହାର୍ଭାଡ଼ ବିଶ୍ୱବିଦ୍ୟାଳୟରେ ଭୁବନେଶ୍ୱର ଉପରେ ଏକ ବଡ଼ ଆକାରର ପ୍ରକଳ୍ପର ନିର୍ଦ୍ଦେଶନା ମଧ୍ୟ ଦିଅନ୍ତି, ଯାହାର ଲକ୍ଷ୍ୟ ହେଲା ପରମ୍ପରା ଓ ଆଧୁନିକତା ମଧ୍ୟରେ ଦୋଦୁଲ୍ୟମାନ ସେ ସମୟର ଭୁବନେଶ୍ୱରକୁ ଅଧ୍ୟୟନ କରି ସେଥିରୁ ଆଧୁନିକୀକରଣର ଏକ ନୂଆ ବୁଝାମଣା ତିଆରିବା । ଏହି ପ୍ରକଳ୍ପରେ ଆଠ ଜଣ ବିଦେଶୀ ତଥା ତିନି ଜଣ ଭାରତୀୟ ଛାତ୍ର କାମ କରି ପିଏଚ୍‌ଡି ଡିଗ୍ରୀ ପାଆନ୍ତି । ତାହା ସହ ସର୍ବମୋଟ ଅଶି ଜଣ ଲୋକ ପ୍ରଶିକ୍ଷିତ ହୁଅନ୍ତି । ପ୍ରାୟତଃ ଛାତ୍ର ଡିଗ୍ରୀ ପାଇ ସାରିଲା ପରେ ଭୁବନେଶ୍ୱରରେ ନିଜେ  କରିଥିବା ଗବେଷଣାକୁ ଭିତ୍ତି କରି ଖଣ୍ଡିଏ ଖଣ୍ଡିଏ ବହି ମଧ୍ୟ ଲେଖନ୍ତି । ବହିଗୁଡ଼ିକର ବିଷୟର ଦାଏରା ପ୍ରଶସ୍ତ – ଭୁବନେଶ୍ୱର ଶିକ୍ଷା ତଥା ପିଲା ପାଳିବା ର ପରମ୍ପରାଠୁ, ଭାରତୀୟ ପ୍ରଶାସନିକ ସେବାର ଅଫିସରମାନଙ୍କର ଜୀବନଚର୍ଯ୍ୟା ଠାରୁ ନେଇ ପୁରୁଣା ଭୁବନେଶ୍ୱରର ମଠସଂସ୍କୃତି ପର୍ଯ୍ୟନ୍ତ ।

ଭାରତୀୟ ଛାତ୍ରମାନଙ୍କ ମଧ୍ୟରେ ଥିଲେ ହରୀଶଚନ୍ଦ୍ର ଦାସ, ଯେ ପରେ ଓଡ଼ିଶା ରାଜ୍ୟ ସଙ୍ଗ୍ରହାଳାୟର ସୁପରିଟେଣ୍ଡେଣ୍ଟ ଭାବରେ କାମ କରନ୍ତି । ବିଦେଶୀ ଛାତ୍ରମାନଙ୍କ ମଧ୍ୟରେ ଏଠାରେ ଆମେ କେବଳ ଜେମ୍ସ୍ ଫ୍ରିମାନଙ୍କର ନାମ ଉଲ୍ଲେଖ କରିବୁ, ଯେ ଦୁବଏସ୍‌ଙ୍କ ଅଧୀନରେ ପିଏଚ‌ଡ଼ି କରନ୍ତି ନୂଆ ଭୁବନେଶ୍ୱର ରାଜଧାନୀ ଭାବରେ ତିଆରି ହେଲା ପରେ ପୁରୁଣା ଭୁବନେଶ୍ୱରର କପିଳେଶ୍ୱର ଗାଁରେ ଘଟିଥିବା ଆର୍ଥ-ସାମାଜିକ ପରିବର୍ତ୍ତନ ଉପରେ । ଏହି କାମର ଫଳଶୃତି ଘଟେ ‘ସ୍କାର୍ସିଟି ଆଣ୍ଡ୍ ଅପର୍ଚ୍ୟୁନିଟି ଇନ୍ ଆନ୍ ଇଣ୍ଡିଆନ୍ ଭିଲେଜ୍’  (‘ଏକ ଭାରତୀୟ ଗ୍ରାମରେ ତିରୋଟ ଓ ସୁଯୋଗ’) ଶୀର୍ଷକରେ ୧୯୭୭ ମସିହାରେ ପ୍ରକାଶିତ ଏକ ପୁସ୍ତକରେ । ହେଲେ ଆଜି ଆମେ ପ୍ରଫେସର ଫ୍ରିମାନଙ୍କୁ ଜାଣୁ ୧୯୭୯ ମସିହାରେ ଛପା ହୋଇ ଥିବା ‘ଅନ୍‌ଟଟେବଲ୍; ଆନ୍ ଇଣ୍ଡିଆନ୍ ଲାଇଫ୍ ହିଷ୍ଟ୍ରି’ ଶୀର୍ଷକର ବହିଟି ପାଇଁ । ଏହି ବହିଟିରେ ଆମେ ପାଉ ‘ମୁଳି’ ନାମକ କପିଳେଶ୍ୱରର ଏକ ବାଉରି ଜାତିର ଲୋକଙ୍କର ଆତ୍ମକଥନ, ଯାହା ଏକା ସାଙ୍ଗରେ ୧୯୪୦ରୁ ନେଇ ୧୯୭୦ ଦଶକ ପର୍ଯ୍ୟନ୍ତ ପୁରୁଣା ଭୁବନେଶ୍ୱରର ଏକ ଅଞ୍ଚଳର ସାମାଜିକ ଇତିହାସ ମଧ୍ୟ । ଏ ସବୁ କାମର ମୂଳଦୁଆ ପଡ଼ିଥିଲା କୋରା ଦୁବଏସ୍‌ଙ୍କର ପ୍ରକଳ୍ପର ଆନୁକୁଲ୍ୟରେ ।

ଭୁବନେଶ୍ୱର ଆର୍ଟ ଟ୍ରେଲ୍‌ରେ ରାମହରି ଜେନା ଓ ରମାକାନ୍ତ ସାମନ୍ତରାୟଙ୍କର ସହାୟକ ଭାବରେ କାମ ଆରମ୍ଭ କଲା ପର୍ଯ୍ୟନ୍ତ ମୋର ଧାରଣା ଥିଲା ଯେ, ମୋ ସହର ବିଷୟରେ ରବି କାଲିଆ ଙ୍କର ‘ଭୁବନେଶ୍ୱର: ଫ୍ରମ୍ ଏ ଟେମ୍ପଲ୍ ଟାଉନ୍ ଟୁ ଏ କ୍ୟାପିଟାଲ୍ ସିଟି’ ଓ ‘ଅନ୍‌ଟଟେବଲ୍; ଆନ୍ ଇଣ୍ଡିଆନ୍ ଲାଇଫ୍ ହିଷ୍ଟ୍ରି’ ଛଡ଼ା ଆଉ କିଛି ବିଶେଷ ବଡ଼ ଆକାରରେ କାମ ହୋଇ ନାହିଁ । ହେଲେ ଯେବେ ଆର୍ଟ୍ ଟ୍ରେଲ୍ କାମ ପାଇଁ ଜେମ୍ସ ଫ୍ରିମାନ‌୍‌ଙ୍କର କାମ ସହିତ ଅଧିକ ପ୍ରଗାଢ଼ ଭାବରେ ସମ୍ପୃକ୍ତ ହେବାର ସୁଯୋଗ ଆସିଲା, ସେବେ ହିଁ ଆମର ନଜର ପଡ଼େ କୋରା ଦୁବଏସ୍‌ଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ଉପରେ ହୋଇଥିବା ‘ହାର୍ଭାଡ଼-ଭୁବନେଶ୍ୱର’ ପ୍ରକଳ୍ପ ଉପରେ । ହଠାତ୍ ଲାଗେ, ଯେପରି କି ଆମେ ଗୋଟେ କାନ୍ଥ ଉପରେ ନଜର ବିଛାଇ ବସିଥିଲୁ ଅନେକ କାଳ ପର୍ଯ୍ୟନ୍ତ, ଆଉ ଠିକ୍ ସେଇଠି ଖୋଲିଗଲା ଏକ ଫରଚା ଦରଜା, ନିଜ ସହରକୁ ଆଉ ନିଜକୁ ଚିହ୍ନିବା ପାଇଁ ଏକ ବାଟକୁ ଇଙ୍ଗିତ କରି ।

 

Related posts