Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୁଇଟି କବିତା ପଢିଲେ ମୋଦୀ, ଜାଣନ୍ତୁ ଏଥର ମନ କି ବାତ ରେ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ବିଶେଷ ଖବର

ଦୁଇଟି କବିତା ପଢିଲେ ମୋଦୀ, ଜାଣନ୍ତୁ ଏଥର ମନ କି ବାତ ରେ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

June 28, 2020No Comments6 Mins Read
Share Facebook Twitter LinkedIn Email WhatsApp Copy Link
ଦୁଇଟି କବିତା ପଢିଲେ ମୋଦୀ, ଜାଣନ୍ତୁ ଏଥର ମନ କି ବାତ ରେ କଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ମୋର ପ୍ରିୟ ଦେଶବାସୀଗଣ, ନମସ୍କାର। ୨୦୨୦ ମସିହାରେ “ମନ କି ବାତ” ଏହାର ଅଧା ପଥ ଅତିକ୍ରମ କରିସାରିଛି । ଏହି ସମୟ ମଧ୍ୟରେ ଆମେ ଅନେକ ବିଷୟ ଉପରେ ଆଲୋଚନା କରିଛୁ। ଏବେ ଯେଉଁ ବିଶ୍ୱବ୍ୟାପୀ ମହାମାରୀ ଆସିଛି, ମାନବ ଜାତି ପାଇଁ ଯେଉଁ ସଙ୍କଟ ସୃଷ୍ଟି ହୋଇଛି, ତା’ଉପରେ କିଛି ଅଧିକ ଆଲୋଚନା ହୋଇଥିବା ସ୍ୱାଭାବିକ।

କିନ୍ତୁ ଆଜିକାଲି ମୁଁ ଦେଖୁଛି ଗୋଟିଏ କଥାକୁ ନେଇ ଲୋକଙ୍କ ମଧ୍ୟରେ ନିରନ୍ତର ଚର୍ଚ୍ଚା ହେଉଛି ଯେ ଏ ବର୍ଷଟି କେବେ ସରିବ!! କେହି କାହାକୁ ଫୋନ କଲେ ମଧ୍ୟ କଥାବାର୍ତା ଏଇଥିରୁ ହିଁ ଆରମ୍ଭ ହେଉଛି ଯେ, ଏ ବର୍ଷଟା ଜଲ୍‌ଦି ବିତୁନି କାହିଁକି? କେହି ଲେଖୁଛି, ବନ୍ଧୁମାନଙ୍କ ସହ କଥା ହେଉଛି, ତ କହୁଛି, ଏ ବର୍ଷଟି ଭଲ ନୁହେଁ, କିଏ କହୁଛି ୨୦୨୦ ବର୍ଷଟି ଶୁଭ ନୁହେଁ। ବାସ୍‌, ଲୋକ କେବଳ ଏତିକି ଚାହୁଁଛନ୍ତି ଯେ ଏ ବର୍ଷଟି ଯେମିତି ହେଉ ଶୀଘ୍ର ସରିଯାଉ।

ବନ୍ଧୁଗଣ, ବେଳେବେଳେ ମୁଁ ଭାବେ ଯେ, ଏମିତି କାହିଁକି ହେଉଛି। ହୁଏତ ଏଭଳି କଥାବାର୍ତାର କିଛି କାରଣ ମଧ୍ୟ ଥାଇପାରେ। ୬-୭ ମାସ ଆଗରୁ ଆମେ ବି କ’ଣ ଜାଣିଥିଲୁ ଯେ, କରୋନା ଭଳି ବିପତ୍ତି ଆସିବ ଆଉ ତା’ ବିରୁଦ୍ଧରେ ଏ ସଂଗ୍ରାମ ଏତେ ଦୀର୍ଘଦିନ ଧରି ଚାଲିବ? ଏହି ବିପତ୍ତି ତ ଚାଲିଛି। ତା’ଉପରେ ପୁଣି ଦିନକୁ ଦିନ ଦେଶ ଆଗରେ ନୂଆ ନୂଆ ସମସ୍ୟା ସୃଷ୍ଟି ହୋଇଚାଲିଛି। ଏହି କିଛିଦିନ ତଳେ, ଦେଶର ପୂର୍ବ ଉପକୂଳରେ ଅମ୍ଫନ ବାତ୍ୟା ଆସିଲା। ସେପଟେ ପଶ୍ଚିମ ଉପକୂଳରେ ନିଃସର୍ଗ ବାତ୍ୟା ଆସିଲା।

ଅନେକ ରାଜ୍ୟରେ ଆମର ଚାଷୀ ଭାଇଭଉଣୀମାନେ ପଙ୍ଗପାଳ ଦଳର ଆକ୍ରମଣକୁ ନେଇ ବିବ୍ରତ ଅଛନ୍ତି। ଆଉ ପୁଣି ଦେଶର ଅନେକ ଅଂଚଳରେ ଛୋଟ ଛୋଟ ଭୂମିକମ୍ପ ଥମିବାର ନାଁ ଧରୁନି। ଆଉ ଏସବୁ ଭିତରେ ଆମର କିଛି ପଡ଼ୋଶୀଙ୍କ ଦ୍ୱାରା ଯାହା ଚାଲିଛି, ଦେଶ ସେସବୁ ସମସ୍ୟାକୁ ମଧ୍ୟ ସାମନା କରୁଛି। ବାସ୍ତବରେ, ଏକାଥରକେ ଏତେ ଗୁଡ଼ିଏ ସମସ୍ୟା! ଏଭଳି ସଂକଟ କ୍ୱଚିତ ଦେଖିବାକୁ ମିଳେ। ପରିସ୍ଥିତି ଏଭଳି ହୋଇଛି ଯେ, କିଛି ଛୋଟ ଛୋଟ ଘଟଣା ଘଟିଲେ ମଧ୍ୟ ଲୋକେ ସେଗୁଡ଼ିକୁ ଏହାସହିତ ଯୋଡ଼ି କରି ଦେଖୁଛନ୍ତି ।

ବନ୍ଧୁଗଣ, କଠିନ ପରିସ୍ଥିତି ଆସେ, ବିପତ୍ତି ଆସେ, କିନ୍ତୁ ପ୍ରଶ୍ନ ହେଲା ଯେ, କ’ଣ ଏଇ ବିପତିଗୁଡ଼ିକ କାରଣରୁ ଆମେ ୨୦୨୦ ବର୍ଷଟିକୁ ଅଶୁଭ ବୋଲି ଧରିନେବା? ପ୍ରଥମ ୬ ମାସ ଯେମିତି କଟିଲା ତା’ଯୋଗୁଁ କ’ଣ ମାନିନେବା ଯେ, ଏ ସମ୍ପୂର୍ଣ୍ଣ ବର୍ଷଟି ଏମିତି ଖରାପ, ଏଭଳି ଭାବିବା କ’ଣ ଉଚିତ ହେବ? ନା – ମୋର ପ୍ରିୟ ଦେଶବାସୀଗଣ, ମୋଟେ ନୁହେଁ କୌଣସି ବର୍ଷ ମଧ୍ୟରେ ଗୋଟିଏ ସମସ୍ୟା ଆସୁ କିମ୍ବା ପଚାଶଟି ସମସ୍ୟା ଆସୁ ସଂଖ୍ୟା କମ୍‌-ବେଶୀ ହେଲେ ସେ ବର୍ଷଟି ଅଶୁଭ ହୋଇଯାଏନି।

ଭାରତର ଇତିହାସ ହିଁ ଏଭଳି ବିପତି ଏବଂ ଆହ୍ୱାନଗୁଡ଼ିକ ଉପରେ ବିଜୟଲାଭ କରି ଆହୁରି ଶକ୍ତିଶାଳୀ ହେବାର ରହିଛି। ଶହ ଶହ ବର୍ଷଧରି ବିଭିନ୍ନ ଆକ୍ରମଣକାରୀମାନେ ଭାରତ ଉପରେ ଆକ୍ରମଣ କରିଛନ୍ତି, ଦେଶକୁ ବିପଦରେ ପକାଇଛନ୍ତି, ଲୋକେ ଭାବୁଥିଲେ ଯେ, ଭାରତର ମୂଳଭିତ୍ତି ନଷ୍ଟ ହୋଇଯିବ। ଭାରତର ସଂସ୍କୃତି ହିଁ ଲୋପ ପାଇଯିବ। କିନ୍ତୁ ଏସବୁ ବିପତ୍ତି ଯୋଗୁଁ ଭାରତ ଆହୁରି ଭବ୍ୟ ହୋଇ ପ୍ରଗତିଶୀଳ ହୋଇଛି।

ବନ୍ଧୁଗଣ, ଆମର ଏଠି କୁହାଯାଇଛି ଯେ – ସୃଜନ ଶାଶ୍ୱତ, ସୃଜନ ନିରନ୍ତର। ଗୋଟିଏ ଗୀତର କିଛି ଧାଡ଼ି ମୋର ମନେପଡ଼ୁଛି।

“କଳ କଳ ହୋଇ ଯାଉଛି ବହି, କହୁଛି କ’ଣ ଏ ଗଙ୍ଗାର ଧାରା?
ଯୁଗ ଯୁଗ ଧରି ଆସିଛି ବହି, ଆମରି ଏ ପୂଣ୍ୟପ୍ରବାହ ପରା।”

ସେହି ଗୀତରେ ଆଗକୁ ଅଛି –

“ପାରିବାକି ରୋକି ତାକୁ, ଯିବା ଲୋକ ତ ଚାଲିଯିବେ
ଗୋଡ଼ିପଥର ଅସ୍ତିତ୍ୱ କ’ଣ ଯେ, ସେମାନେ ପୁଣି ବାଧା ଦେବେ?”

ଏକ ପକ୍ଷରେ ଯେଉଁଠି ଭାରତ ଆଗରେ ବଡ଼ ବଡ଼ ସମସ୍ୟାମାନ ଦେଖାଦେଇଛି, ଅପରପକ୍ଷରେ ସେ ବାଧାଗୁଡ଼ିକୁ ଦୂରକରି ଅନେକ ନୂତନ କାର୍ଯ୍ୟ ବି ହୋଇଛି। ନୂତନ ସାହିତ୍ୟ ସୃଷ୍ଟି ହୋଇଛି। ନୂତନ ଗବେଷଣା, ନୂଆ ସିଦ୍ଧାନ୍ତ ସୃଷ୍ଟି ହୋଇଛି। ସଙ୍କଟଜନକ ପରିସ୍ଥିତି ମଧ୍ୟରେ ବି ପ୍ରତ୍ୟେକ କ୍ଷେତ୍ରରେ ସୃଜନ ପ୍ରକ୍ରିୟା ଅବ୍ୟାହତ ରହିଛି ଏବଂ ଆମ ସଂସ୍କୃତି ପୁଷ୍ପିତ-ପଲ୍ଲବିତ ହୋଇଚାଲିଛି। ଦେଶ ଆଗକୁ ଆଗକୁ ବଢ଼ିଚାଲିଛି। ଭାରତ ସର୍ବଦା ସମସ୍ୟାକୁ ସଫଳତାର ସୋପାନରେ ପରିବର୍ତ୍ତିତ କରିଛି। ଏହି ଚିନ୍ତାଧାରା ସହ, ଆମକୁ ଆଜି ମଧ୍ୟ ସମସ୍ୟା ମଧ୍ୟରେ ଆଗକୁ ବଢ଼ିବାର ଅଛି।

ଆପଣମାନେ ମଧ୍ୟ ଏହି ଚିନ୍ତାଧାରାକୁ ନେଇ ଆଗକୁ ବଢ଼ିବେ। ୧୩୦ କୋଟି ଦେଶବାସୀ ଆଗକୁ ବଢ଼ିବେ। ତା’ହେଲେ ଏହି ବର୍ଷ ହିଁ ଦେଶ ପାଇଁ ଉତ୍କର୍ଷ ସ୍ଥାପନ କରିବାର ବର୍ଷ ଭାବରେ ପ୍ରମାଣିତ ହେବ। ଏହି ବର୍ଷରେ ହିଁ ଦେଶ ନୂତନ ଲକ୍ଷ୍ୟପ୍ରାପ୍ତ କରିବ, ଉନ୍ନତିର ନୂତନ ଶିଖରକୁ ସ୍ପର୍ଶ କରିବ। ୧୩୦ କୋଟି ଦେଶବାସୀଙ୍କ ଶକ୍ତି ଉପରେ, ଆପଣ ସମସ୍ତଙ୍କ ଉପରେ, ଏହି ଦେଶର ମହାନ ପରମ୍ପରା ଉପରେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି।

ମୋର ପ୍ରିୟ ଦେଶବାସୀଗଣ, ସମସ୍ୟା ଯେତେ ବଡ଼ ହେଉ ପଛେ ଭାରତର ସଂସ୍କାର, ନିଃସ୍ୱାର୍ଥ ସେବା ପାଇଁ ପ୍ରେରଣା ଯୋଗାଇଥାଏ। କଠିନ ପରିସ୍ଥିତିରେ ଭାରତ ଯେଉଁଭଳି ବିଶ୍ୱବାସୀଙ୍କୁ ସହାୟତା ଯୋଗାଇଲା ତାହା ଆଜି ଶାନ୍ତି ଏବଂ ପ୍ରଗତିରେ ଭାରତର ଭୂମିକାକୁ ଆହୁରି ସୁଦୃଢ଼ କରିଛି।

ଏଭଳି ସମୟରେ ସାରା ପୃଥିବୀ ଭାରତର ବିଶ୍ୱ-ବନ୍ଧୁତ୍ୱ ଭାବକୁ ମଧ୍ୟ ଅନୁଭବ କଲା। ତା’ସହିତ ନିଜର ସାର୍ବଭୌମତ୍ୱ ଏବଂ ସୀମା ସୁରକ୍ଷା କରିବାରେ ଭାରତର ଶକ୍ତି ଏବଂ ସଂକଳ୍ପବଦ୍ଧତାକୁ ମଧ୍ୟ ବିଶ୍ୱ ଦେଖିଲା। ଲଦ୍ଦାଖରେ ଭାରତର ଭୂମି ଉପରେ କୁଦୃଷ୍ଟି ନିକ୍ଷେପକାରୀଙ୍କୁ କଡ଼ା ଜବାବ ମିଳିଲା। ଭାରତ ବନ୍ଧୁତା ରକ୍ଷା କରିବା ଜାଣେ, କିନ୍ତୁ ଆଖିରେ ଆଖି ମିଶେଇ ଉଚିତ ଜବାବ ଦେବା ବି ଜାଣେ । ଆମର ବୀର ସୈନିକମାନେ ଦେଖାଇ ଦେଇଛନ୍ତି ଯେ ସେମାନେ ଭାରତମାତାର ଗୌରବକୁ କଦାପି କ୍ଷୁର୍ଣ୍ଣ ହେବାକୁ ଦେବେନାହିଁ।

ବନ୍ଧୁଗଣ, ଲଦ୍ଦାଖରେ ଆମର ଯେଉଁ ବୀର ଯବାନମାନେ ଶହୀଦ ହୋଇଛନ୍ତି ସେମାନଙ୍କ ବୀରତ୍ୱକୁ ସାରା ଦେଶ ପ୍ରଣାମ କରୁଛି, ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସମସ୍ତ ଦେଶ ସେମାନଙ୍କ ନିକଟରେ କୃତଜ୍ଞ। ସେମାନଙ୍କ ଆଗରେ ନତମସ୍ତକ। ଏହି ବନ୍ଧୁମାନଙ୍କ ପରିବାର ଭଳି ପ୍ରତ୍ୟେକ ଭାରତୀୟ ଏମାନଙ୍କୁ ହରାଇବାର ପୀଡ଼ାକୁ ମଧ୍ୟ ଅନୁଭବ କରୁଛି। ନିଜର ବୀର-ସୁପୁତ୍ରଙ୍କ ବଳିଦାନକୁ ନେଇ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଯେଉଁ ଗୌରବ ଭାବନା ରହିଛି, ଦେଶ ପାଇଁ ଯେଉଁ ଉତ୍ସାହ ରହିଛି – ତାହାହିଁ ତ ଦେଶର ଶକ୍ତି।

ଆପଣମାନେ ଲକ୍ଷ୍ୟ କରିଥିବେ ଯେଉଁମାନଙ୍କ ପୁତ୍ର ଶହୀଦ ହୋଇଛନ୍ତି, ସେହି ପିତା-ମାତା, ନିଜର ଅନ୍ୟ ପୁଅମାନଙ୍କୁ ଘରର ଅନ୍ୟ ପିଲାମାନଙ୍କୁ ମଧ୍ୟ ସେନାବାହିନୀକୁ ପଠାଇବା ପାଇଁ ଇଚ୍ଛାପ୍ରକାଶ କରୁଛନ୍ତି । ବିହାରର ବାସିନ୍ଦା ଶହୀଦ କୁନ୍ଦନ କୁମାରଙ୍କ ପିତାଙ୍କ କଥା ତ କାନରେ ପ୍ରତିଧ୍ୱନିତ ହେଉଛି। ସେ କହୁଥିଲେ, ନିଜର ନାତିକୁ ବି ଦେଶର ସୁରକ୍ଷା ପାଇଁ ସେନାବାହିନୀକୁ ପଠାଇବେ। ସମସ୍ତ ଶହୀଦ ପରିବାରରେ ଏଭଳି ସାହସ ଭରିରହିଛି । ବାସ୍ତବରେ, ଏହି ପରିବାରଗୁଡ଼ିକର ତ୍ୟାଗ ପୂଜନୀୟ।

ଭାରତମାତାର ସୁରକ୍ଷାର ଯେଉଁ ସଂକଳ୍ପକୁ ନେଇ ଆମର ଯବାନମାନେ ବଳିଦାନ ଦେଇଛନ୍ତି, ସେହି ସଂକଳ୍ପକୁ ଆମକୁ ମଧ୍ୟ ଜୀବନର ଲକ୍ଷ୍ୟ ରୂପେ ଗ୍ରହଣ କରିବାକୁ ହେବ। ପ୍ରତ୍ୟେକ ଦେଶବାସୀକୁ ଗ୍ରହଣ କରିବାକୁ ହେବ। ଆମର ସମସ୍ତ ପ୍ରଚେଷ୍ଟା ଏହି ଦିଗରେ ହେବା ଦରକାର। ଯାହାଦ୍ୱାରା ନିଜର ସୀମାକୁ ସୁରକ୍ଷିତ କରିବାରେ ଦେଶର ଶକ୍ତି ବୃଦ୍ଧିହେବ, ଦେଶ ଆହୁରି ଅଧିକ ସକ୍ଷମ ହେବ, ଆତ୍ମନିର୍ଭର ହେବ। ତାହାହେବ ଆମ ଶହୀଦମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ଆସାମରୁ ରଜନୀ ଜୀ ମୋତେ ଲେଖିଛନ୍ତି ଲଦାଖର ପୂର୍ବଭାଗରେ ଯାହାକିଛି ଘଟିଲା ତାକୁଦେଖି ସେ ଗୋଟିଏ ସଂକଳ୍ପ ଗ୍ରହଣ କରିଛନ୍ତି – ସେ ସଂକଳ୍ପଟି ହେଲା ଯେ, ସେ କେବଳ ସ୍ଥାନୀୟ ଜିନିଷ ହିଁ କିଣିବେ।

କେବଳ ସେତିକି ନୁହେଁ ଲୋକାଲ ପାଇଁ ଭୋକାଲ ମଧ୍ୟ ହେବେ। ଦେଶର କୋଣ-ଅନୁକୋଣରୁ ଏହିଭଳି ବାର୍ତାମାନ ମୋ ପାଖକୁ ଆସିବାରେ ଲାଗିଛି। ବହୁତ ଲୋକ ମୋତେ ଚିଠିଲେଖି ଜଣାଉଛନ୍ତି ଯେ, ସେମାନେ ଏହି କାମ ଆରମ୍ଭ କରିଦେଲେଣି । ସେହିଭଳି ତାମିଲନାଡୁର ମଦୁରାଇରୁ ମୋହନ ରାମମୂର୍ତିଜୀ ଲେଖିଛନ୍ତି ଯେ, ସେ ଭାରତକୁ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବା ଦେଖିବାକୁ ଚାହୁଁଛନ୍ତି।

ବନ୍ଧୁଗଣ, ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ଆମ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର କେତେକ ଦେଶଠାରୁ ଅଗ୍ରଣୀ ଥିଲା। ଆମ ଦେଶରେ ଅନେକ ଗୋଳାବାରୁଦ କାରଖାନା ଥିଲା। ସେତେବେଳେ ଆମଠାରୁ ପଛରେ ଥିବା ଅନେକ ଦେଶ ଆଜି ଆମଠାରୁ ବହୁ ଆଗରେ। ସ୍ୱାଧୀନତା ପ୍ରାପ୍ତି ପରେ ପ୍ରତିରକ୍ଷା କ୍ଷେତ୍ରରେ ଆମର ଯାହା ପ୍ରୟାସ କରିବା ଉଚିତ ଥିଲା, ଆମର ପୂର୍ବ ଅନୁଭୂତିରୁ ଯାହା ଲାଭ ଉଠାଇବାର ଥିଲା, ଆମେ ସେ ଲାଭ ଉଠାଇପାରିନାହୁଁ। କିନ୍ତୁ ଆଜି ପ୍ରତିରକ୍ଷା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଭାରତ ଅନବରତ ପ୍ରଚେଷ୍ଟା ଜାରି ରଖିଛି। ଭାରତ ଆତ୍ମନିର୍ଭରତା ଦିଗକୁ ପାଦ ବଢ଼ାଉଛି ।

ବନ୍ଧୁଗଣ, କୌଣସି ଅଭିଯାନ, ଜନଭାଗିଦାରିତା ବିନା ସମ୍ପୂର୍ଣ୍ଣ ହୋଇପାରେନା, ସଫଳ ହୋଇପାରେନା। ତେଣୁ ଆତ୍ମନିର୍ଭର ଭାରତ ଦିଗରେ ଜଣେ ନାଗରିକ ହିସାବରେ ଆମ ସମସ୍ତଙ୍କ ସଂକଳ୍ପ, ସମର୍ପଣ ଏବଂ ସହଯୋଗ ନିହାତି ଆବଶ୍ୟକ ଏବଂ ଅନିବାର୍ଯ୍ୟ। ଆପଣ ଯଦି ଲୋକାଲ ଜିନିଷ କିଣିବେ, ଲୋକାଲ ପାଇଁ ଭୋକାଲ ହେବେ ତେବେ ଜାଣନ୍ତୁ ଯେ, ଆପଣ ଦେଶକୁ ମଜବୁତ କରିବାରେ ନିଜର ଭୂମିକା ନିର୍ବାହ କରୁଛନ୍ତି। ଏହା ମଧ୍ୟ ଏକ ପ୍ରକାର ଦେଶସେବା।

ଆପଣ ଯେକୌଣସି ବୃତିରେ ଥାଆନ୍ତୁ ନା କାହିଁକି, ପ୍ରତ୍ୟେକ ଜାଗାରେ ଦେଶସେବା ପାଇଁ ବହୁତ ସୁଯୋଗ ରହିଥାଏ। ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯାହାକିଛି କରାଯାଏ ତାହାହିଁ ଦେଶସେବା। ଆପଣଙ୍କର ଏହି ସେବା, ଦେଶକୁ କୌଣସି ନା କୌଣସି ଭାବରେ ସୁଦୃଢ଼ ମଧ୍ୟ କରେ, ଆଉ ଏକଥା ମଧ୍ୟ ଆମକୁ ମନେରଖିବାକୁ ହେବ ଯେ, ଆମ ଦେଶ ଯେତେ ସୁଦୃଢ଼ ହେବ, ବିଶ୍ୱରେ ଶାନ୍ତିର ସମ୍ଭାବନା ମଧ୍ୟ ସେତେ ବହୁତ ହେବ। ଆମର ଏଠି କୁହାଯାଇଛି –

“ବିଦ୍ୟା ବିବାଦାୟ ଧନଂ ମଦାୟ, ଶକ୍ତିଃ ପରେଷାଂ ପରିପୀଡ଼ନାୟ।
ଖଳସ୍ୟ ସାଧୋଃ ବିପରୀତମ୍ ଏତତ୍‌, ଜ୍ଞାନାୟ ଦାନାୟ ଚ ରକ୍ଷଣାୟ।”

ଅର୍ଥାତ୍ ମନୁଷ୍ୟର ସ୍ୱଭାବ ଯଦି ଖଳ ହୋଇଥିବ, ତା’ହେଲେ ସେ ବିଦ୍ୟାର ପ୍ରୟୋଗ ବିବାଦ ପାଇଁ, ଧନର ପ୍ରୟୋଗ ଅହଙ୍କାର ପାଇଁ ଏବଂ ଶକ୍ତିର ପ୍ରୟୋଗ ଅନ୍ୟମାନଙ୍କୁ କଷ୍ଟ ଦେବାପାଇଁ କରିବ। କିନ୍ତୁ ସଜ୍ଜନର ବିଦ୍ୟା – ଜ୍ଞାନ ପାଇଁ, ଧନ – ସହାୟତା ପାଇଁ ଏବଂ ଶକ୍ତି – ରକ୍ଷାକରିବା ପାଇଁ ପ୍ରୟୋଗ ହୋଇଥାଏ।

ଭାରତ ସର୍ବଦା ନିଜ ଶକ୍ତିକୁ ଏହି ଚିନ୍ତାଧାରା ସହ ପ୍ରୟୋଗ କରିଛି। ଭାରତର ସ୍ୱାଭିମାନ ଏବଂ ସାର୍ବଭୌମତ୍ୱର ରକ୍ଷା ହେଉଛି ଭାରତର ସଂକଳ୍ପ । ଭାରତର ଲକ୍ଷ୍ୟ ହେଉଛି ଆତ୍ମ-ନିର୍ଭର ଭାରତ। ଭାରତର ପରମ୍ପରା ହେଉଛି ବିଶ୍ୱାସ ଏବଂ ମିତ୍ରତା। ଭାରତର ଭାବନା ହେଉଛି ବନ୍ଧୁତା। ଏହି ଆଦର୍ଶଗୁଡ଼ିକ ସହ ଆମେ ଆଗକୁ ବଢ଼ିଚାଲିବା।

Maan ki baat
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଦିଲ୍ଲୀରେ କହିଲେ……

August 3, 2025
Latest News

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ମଙ୍ଗଳବାର ରାଶିଫଳ

August 5, 2025

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.