Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ମନ୍ଦିରର ପୁନଃ ନିର୍ମାଣ ଏବଂ ମୂଲ୍ୟବୋଧର ପ୍ରତିଷ୍ଠା’: ରାମମନ୍ଦିର ଭୂମିପୂଜା ପୂର୍ବରୁ ଓଡିଆରେ ଲେଖିଲେ ଉପରାଷ୍ଟ୍ରପତି
ବିଶେଷ ଖବର

‘ମନ୍ଦିରର ପୁନଃ ନିର୍ମାଣ ଏବଂ ମୂଲ୍ୟବୋଧର ପ୍ରତିଷ୍ଠା’: ରାମମନ୍ଦିର ଭୂମିପୂଜା ପୂର୍ବରୁ ଓଡିଆରେ ଲେଖିଲେ ଉପରାଷ୍ଟ୍ରପତି

August 2, 2020No Comments5 Mins Read
Share Facebook Twitter LinkedIn Email WhatsApp Copy Link

( ଆସନ୍ତା ୫ ତାରିଖରେ ରାମ ଜନ୍ମଭୂମି ଅଯୋଧ୍ୟାରେ ଭୂମିପୂଜା ଉତ୍ସବ ଅନୁଷ୍ଠିତ ହେବ। ତା ପୂର୍ବରୁ ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ତାଙ୍କ ଫେସବୁକରେ ବିଭିନ୍ନ ଭାଷାର ପ୍ରଭୃ ଶ୍ରୀରାମଙ୍କ ଉପରେ ଲେଖା ପ୍ରକାଶ କରିଛନ୍ତି। ସେ ଓଡିଆରେ ଲେଖିଥିବା ପ୍ରବନ୍ଧର ଅବିକଳ ନକଲ ତଳେ ଦିଆଗଲା।)

ଏମ. ଭେଙ୍କୟା ନାଇଡୁ, ଉପରାଷ୍ଟ୍ରପତି

ଆଉ କେଇଦିନ ପରେ ଆମେ ଅଯୋଧ୍ୟାରେ ଏକ ଐତିହାସିକ ଘଟଣା ଦେଖିବାକୁ ପାଇବା । ଏଭଳି ଏକ ଘଟଣା ଆମ ମଧ୍ୟରୁ ଅଧିକାଂଶଙ୍କୁ ଆମ ଐତିହ୍ୟର ଏକ ମହାନ ସାଂସ୍କୃତିକ ଅଧ୍ୟାୟ ସହ ଯୋଡିବାର ଅବକାଶ ଦିଏ। ଏହି ଘଟଣା ଆମକୁ ରାମାୟଣର ପୁନଃ ସ୍ମରଣ କରାଏ। ଏହି ଶାଶ୍ୱତ ମହାନ ଗ୍ରନ୍ଥ ରାମାୟଣ ପ୍ରାୟ ଦୁଇ ହଜାର ବର୍ଷ ପୂର୍ବେ ଲେଖା ଯାଇଥିଲା। ଏହା ଆମ ସାମୂହିକ ଚେତନାର ଏକ ଅଂଶ ପାଲଟି ଯାଇଛି। ଅଯୋଧ୍ୟାରେ ଯେଉଁ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି ଆମେ ସେଥିରେ ନିଜକୁ ଗୌରବାନ୍ୱିତ ଏବଂ ଅଭିମନ୍ତ୍ରିତ ମନେ କରୁଛୁ। ସେଠାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଏହି ମନ୍ଦିର ଜଣେ ମର‌୍ୟ୍ୟାଦାବନ୍ତ, ଅଦ୍ୱିତୀୟ, ଈଶ୍ୱର ରୂପେ ପୂଜିତ ଏବଂ ସମ୍ମାନିତ ବ୍ୟକ୍ତିତ୍ୱ ପ୍ରଭୁ ଶ୍ରୀରାମଙ୍କ ପାଇଁ ନିର୍ମିତ ହେବ।

ରାମଙ୍କ ଜୀବନ ମୂଲ୍ୟବୋଧ ଓ ମର‌୍ୟ୍ୟାଦାର ଏକ ସମ୍ମିଳିତ ପ୍ରଦର୍ଶନ। ଏହି ମୂଲ୍ୟବୋଧ ଏକ ଦାୟିତ୍ୱବାନ, ନ୍ୟାୟୋଚିତ, ସାମାଜିକ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ଏହା ଅବଶ୍ୟ ଏକ ସ୍ୱତଃସ୍ଫୂର୍ତ୍ତ ଉତ୍ସବ ପାଳନର କ୍ଷଣ । କାରଣ ଆମେ ଅତୀତର ଗୌରବକୁ ପୁନର୍ଜୀବିତ କରୁଛୁ ଏବଂ ଈପ୍‌ସିତ ମୂଲ୍ୟବୋଧର ପୁନଃ ସ୍ଥାପନ କରିବାକୁ ଯାଉଛୁ।

ବାସ୍ତବରେ ଆମେ ଯଦି ରାମାୟଣର ସାରମର୍ମ ବୁଝିପାରିବା ତେବେ ଜାଣିପାରିବା ଯେ ଏହା ସେହି କ୍ଷଣ ଯାହା ଏକ ସାମାଜିକ, ଆଧ୍ୟାତ୍ମିକ ପୁନଃଜାଗରଣ ପାଇଁ ଆମକୁ ଅନୁପ୍ରାଣିତ କରୁଛି। ଆମେ ମଧ୍ୟ ଆହୁରି ଅନୁଭବ କରିପାରିବା ଯେ ଏହା ଅନୁପମ ଭାରତୀୟ ଧର୍ମ ଓ ଉତ୍ତମ ବ୍ୟବହାରର କାହାଣୀ କହୁଥିବା ଏକ ଗ୍ରନ୍ଥ। ରାମାୟଣର ଦର୍ଶନ ସାର୍ବଜନୀନ। ଏହା ମଧ୍ୟ ଦକ୍ଷିଣପୂର୍ବ ଏସିଆର ସଂସ୍କୃତି ଉପରେ ଏକ ପ୍ରକାଣ୍ଡ ପ୍ରଭାବ ପକାଇଛି।

ବେଦ ଓ ସଂସ୍କୃତ ବିଦ୍ୱାନ ଆର୍ଥର ଆନ୍ଥୋନି ମ୍ୟାକ୍ ଡୋନେଲଙ୍କ ଅନୁସାରେ ଭାରତୀୟ ଧାର୍ମିକ ଗ୍ରନ୍ଥରେ ରାମଙ୍କ ବିଚାରର ଯେଉଁ ଉଲ୍ଲେଖ ରହିଛି ତାହା ମୂଳତଃ ପନ୍ଥ ନିରପେକ୍ଷ। ଏହି ବିଚାର ହଜାର ହଜାର ବର୍ଷ ଧରି ଲୋକଙ୍କ ଜୀବନ ଓ କାର‌୍ୟ୍ୟକୁ ପ୍ରଭାବିତ କରିଆସିଛି।
ଅନେକ କବି, ନାଟ୍ୟକାର, ନୃତ୍ୟଶିଳ୍ପୀ, ସଂଗୀତଜ୍ଞ ଏବଂ କଳାକାରଙ୍କ ଭାବନା ରାମାୟଣ ଦ୍ୱାରା ପ୍ରଭାବିତ। କେବଳ ଭାରତ ନୁହେଁ ଦକ୍ଷିଣପୂର୍ବ ଏସିଆର ଜାଭା, ବାଲି, ମାଳୟ, ବର୍ମା, ଥାଇଲାଣ୍ଡ, କାମ୍ବୋଡିଆ ଓ ଲାଓସ୍ ଆଦି ବିଭିନ୍ନ ଦେଶର କଳାକାର, ସଂଗୀତଜ୍ଞ, ନାଟ୍ୟକାର, କବି, ଜନତା ଓ ଭାବୁକଙ୍କ ଦ୍ୱାରା ରାମାୟଣ ଏବେ ମଧ୍ୟ ବେଶ୍ ଆଦୃତ।

ଥାଇଲାଣ୍ଡ ଭଳି ଦେଶରେ ରାଜାମାନଙ୍କୁ ରାମଙ୍କ ନାମରେ ନାମିତ କରାଯାଇଛି। ଚତୁର୍ଦ୍ଦଶ ଶତାବ୍ଦୀରେ ସେ ଦେଶର ରାଜଧାନୀର ନାମ ଥିଲା ଅୟୋଧୟା ବା ଅଯୋଧ୍ୟା। ଥାଇଲାଣ୍ଡରେ ବିଭିନ୍ନ ପ୍ରକାରର ରାମାୟଣ ଲୋକପ୍ରିୟ। ସେଥିମଧ୍ୟରୁ ରାମକିଏନ ଅନ୍ୟତମ। ସେହିଭଳି କାମ୍ବୋଡିଆରେ ରିମ୍‌କେର୍ ରାମାୟଣର ଆଉ ଏକ ଅତି ଲୋକପ୍ରିୟ ସଂସ୍କରଣ। ଇଣ୍ଡୋନେସିଆରେ ଜାଭାର କାକାବିନ୍ ରାମାୟଣ ଓ ବାଲି ଦ୍ୱୀପର ରାମକବ୍‌କା ବେଶ୍ ଲୋକପ୍ରିୟ। ଲାଓ ଭାଷାର ଲାକ୍ ଫ୍ର ଲାମ୍ ରାମାୟଣର ଆଉ ଏକ ପାଠାନ୍ତର।

ମାଲୟେସିଆରେ ହିକାୟତ ସେରି ରାମ, ମ୍ୟାଁମାରରେ ୟାମ ଯଥ୍‌ଦ, ଫିଲିପାଇନ୍‌ସରେ ମହାରଦିଆ ଲୱଣ, ନେପାଳରେ ଭାନୁଭକ୍ତ ରାମାୟଣ ଆଦି ବିଭିନ୍ନ ଲୋକପ୍ରିୟ ରାମାୟଣ ରହିଛି । ଚୀନରେ ରାମଙ୍କ ଉପରେ ଲିଖିତ ଜାତକ ଷ୍ଟୋରି ଲିଉ ଡୁ ଜି ଜିଂ ଏବଂ ଜାପାନରେ ଲିଖିତ ଧର୍ମଗ୍ରନ୍ଥ ହୋବୁଟ୍ ସୁସୁ ଏବଂ ସାମ୍ବୋ-ଏକୋଟୋବା ଆଦି ରାମାୟଣର ଗୋଟିଏ ଗୋଟିଏ ଚମତ୍କାର ରାମ କଥା ବା ରାମାୟଣ ସଂସ୍କରଣ ।

ରାମାୟଣକୁ ଆଲେକ୍‌ଜାଣ୍ଡାର ବାରାନିକଭ୍ ରୁଷ ଭାଷାରେ ଅନୁବାଦ କରିଥିଲେ। ଗେନାଡି ପେକ୍‌ନିକଭ ନାମକ ଜଣେ ଥିଏଟର ବ୍ୟକ୍ତିତ୍ୱ ଏହାକୁ ଏକ ନାଟ୍ୟରୂପ ଦେଇ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ। ଅଙ୍ଗକ୍‌ର ୱଟ୍‌ର ମନ୍ଦିରରେ ରାମାୟଣର କଥାବସ୍ତୁ ସବୁ ଚମତ୍କାର ଭାବେ ଅଙ୍କିତ ହୋଇଛି। ଇଣ୍ଡୋନେସିଆର ପ୍ରମ୍ବନନ୍ ମନ୍ଦିରରେ ପ୍ରସିଦ୍ଧ ରାମାୟଣ ନୃତ୍ୟରୁ ରାମାୟଣ ଓ ରାମଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ଏବଂ ଭକ୍ତିର ପରିଚୟ ମିଳେ। ମୋଟା ମୋଟି କହିଲେ ରାମାୟଣର ପ୍ରଭାବ ଧାର୍ମିକ ଓ ଭୌଗୋଳିକ ସୀମା ସରହଦ ଡେଇଁ ସମଗ୍ର ବିଶ୍ୱର ସଂସ୍କୃତିକୁ ପ୍ରଭାବିତ କରିଛି।

ଉଲ୍ଲେଖନୀୟ ଯେ ବୌଦ୍ଧଧର୍ମ, ଜୈନଧର୍ମ ଓ ଶିଖଧର୍ମ ଭଳି ବିଭିନ୍ନ ଧର୍ମ ଓ ସଂପ୍ରଦାୟରେ ରାମାୟଣର ପ୍ରଭାବ ନାନା ରୂପରେ ରହିଛି। ଏହି ମହାନ୍ ଧର୍ମଗ୍ରନ୍ଥ ବିଭିନ୍ନ ଧର୍ମ, ସଂପ୍ରଦାୟ, ଭାଷା, ଅଞ୍ଚଳ ଓ ବିଶ୍ୱାସରେ ସ୍ଥାନ ପାଇବା ଏବଂ ପ୍ରଦର୍ଶିତ ହେବା ପ୍ରମାଣ କରୁଛି ଯେ ଏହାର ଏକ ସାର୍ବଜନୀନ ଆବେଦନ ଓ ପ୍ରଭାବ ରହିଛି । ସେଥିପାଇଁ ଏହା ସମସ୍ତଙ୍କୁ ଆକର୍ଷିତ କରିଛି। ମୁନି ନାରଦଙ୍କ କଥା ଏହି ପରିପ୍ରେକ୍ଷୀରେ ବେଶ୍ ପ୍ରାସଙ୍ଗିକ ମନେ ହୁଏ। ସେ କହିଥିଲେ ଯେ ପର‌୍ୟ୍ୟନ୍ତ ପାହାଡ ପର୍ବତ ମୁଣ୍ଡ ଟେକିଥିବେ ଏବଂ ଜଗତରେ ନଦନଦୀମାନ ପ୍ରବାହିତ ହେଉଥିବେ ସେ ପର‌୍ୟ୍ୟନ୍ତ ରାମ ଲୋକଙ୍କୁ ଅନୁପ୍ରାଣିତ କରିଚାଲିଥିବେ।

ଏହି ମହାନ ଗ୍ରନ୍ଥ ରାମାୟଣର ବିଶେଷତ୍ୱ ହେଲା ଏହା ଅତି ସୁନ୍ଦରଭାବରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଏ । ସେଥିରେ ମୂଲ୍ୟବୋଧ ଓ ଜୀବନଧାରଣର କଥା ଥାଏ । ରାମ, ସୀତା ଏବଂ ଲକ୍ଷ୍ମଣ ଭାରତର ଉତ୍ତର ଭାଗ ଅଯୋଧ୍ୟାରୁ ଯେତେବେଳେ ଦକ୍ଷିଣରେ ଥିବା ଲଙ୍କାକୁ ଗଲେ ସେମାନଙ୍କର ଏହି ଦୀର୍ଘ ଯାତ୍ରାର କାହାଣୀ ଏବଂ ତା’ ସହିତ ଯୋଡି ହୋଇଥିବା ଅନ୍ତର୍ନିହିତ ବାର୍ତ୍ତା ରାମାୟଣରେ ବଡ ଚମତ୍କାର ଭାବରେ ବର୍ଣ୍ଣିତ ହୋଇଛି।

ରାମାୟଣରେ କବି ବାଲ୍ମିକୀ ମୁନି ନାରଦଙ୍କୁ ପ୍ରଶ୍ନ କରୁଛନ୍ତି ଏମିତି କେହି ନିରପରାଧ, ଅଭ୍ରାନ୍ତ ରୁଚିର ପୁରୁଷ ଅଛନ୍ତି ଯିଏ କି, ବିଦ୍ୱାନ, ଦକ୍ଷ, ମନୋହର ଏବଂ ସବୁ ଜୀବଙ୍କ କଲ୍ୟାଣ ପାଇଁ ଚିନ୍ତା କରୁଥିବେ ? ନାରଦ ତାଙ୍କ ଉତ୍ତରରେ କହୁଛନ୍ତି ଯଦିଓ ଏ ସମସ୍ତ ଗୁଣର ଅଧିକାରୀ ହେବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ, ତଥାପି ଏମିତି ଜଣେ ପୁରୁଷ ଅଛନ୍ତି ଯାହାଙ୍କ ପାଖରେ ଏ ସମସ୍ତର ସମାହାର ଦେଖିବାକୁ ମିଳେ ଏବଂ ସେହି ପୁରୁଷ ଜଣକ ହେଉଛନ୍ତି ରାମ।

ଅନେକ ଗୁଣାବଳୀ ଓ ବିଶେଷତ୍ୱ ମଧ୍ୟରେ ରାମ ସର୍ବୋତ୍ତମ ଏବଂ ସେ ସବୁ ଜୀବଙ୍କୁ ସୁରକ୍ଷିତ କରିବା ପାଇଁ ଅଙ୍ଗୀକାରବଦ୍ଧ ତଥା ଧର୍ମରକ୍ଷାକାରୀ (ରକ୍ଷିତ ଜୀବ ଲୋକସ୍ୟ ଧର୍ମସ୍ୟ ପରି ରକ୍ଷିତ)। ବାସ୍ତବରେ ରାମାୟଣର ଶେଷ ଆଡକୁ ଏକ ଚରିତ୍ର ରାମଙ୍କୁ ‘ରାମୋ ବିଗ୍ରହବାନ୍ ଧର୍ମଃ’ ଭାବେ ବର୍ଣ୍ଣନା କରିଛନ୍ତି ଯାହାର ଅର୍ଥ ରାମ ହେଉଛନ୍ତି ଧର୍ମର ଅବତାର ବା ଉତ୍ତମ ଆଚରଣ, ସତ୍ୟ ଏବଂ ନ୍ୟାୟର ପ୍ରତୀକ। ଜଣେ ମଣିଷ ଯେଉଁସବୁ ଉତ୍ତମ ଗୁଣର ଅଧିକାରୀ ହେବା ଆଶାକରେ ରାମ ସେସବୁ ଗୁଣର ସମାହାର।

ରାମାୟଣ ସେହିସବୁ ଉତ୍ତମ ଗୁଣର କାହାଣୀ ଓ ଉଦାହରଣ ଉପସ୍ଥାପନ କରେ। ରାମାୟଣର କାହାଣୀ ଆଗକୁ ବଢିବା ସହିତ ରାମ ଯେତେବେଳେ ଦେଶର ବିଭିନ୍ନ ପ୍ରାନ୍ତ ଭ୍ରମଣ କରୁଛନ୍ତି ସେତେବେଳେ ଆମେ ତାଙ୍କର ସତ୍ୟାନୁରାଗ, ଶାନ୍ତି, ସହଯୋଗିତା, କରୁଣା, ନ୍ୟାୟ, ସମାବେଶୀତା, ଅନୁରକ୍ତି, ଭକ୍ତି, ତ୍ୟାଗ ଏବଂ ସମବେଦନାର ଚମତ୍କାର ଗୁଣମାନ ଦେଖିବାକୁ ପାଉ । ଏସବୁ ଗୁଣ ସାର୍ବଜନୀନ, ଶାଶ୍ୱତ ଏବଂ ସ୍ଥାନ ଓ ସମୟୋତ୍ତୀର୍ଣ୍ଣ। ସେଥିପାଇଁ ଆଜି ମଧ୍ୟ ରାମାୟଣ ଏକ ଦିଗ୍‌ଦର୍ଶକ ଭାବେ ଆମ ପାଇଁ ପ୍ରାସଙ୍ଗିକ ହୋଇ ରହିଛି।

ରାମରାଜ୍ୟକୁ ଏକ ଉପମା ଭାବେ ଗାନ୍ଧିଜୀ ବ୍ୟବହାର କରିଥିଲେ। ସୁଶାସନକୁ ସେ ରାମରାଜ୍ୟ ସହିତ ତୁଳନା କରିଥିଲେ ଏବଂ ଏଥିରେ ଏକ ସୁଶାସିତ ରାଜ୍ୟ କିପରି କାମ କରିବା ଉଚିତ ତାହା ଦର୍ଶାଇଥିଲେ। ୧୯୨୯ରେ ୟଙ୍ଗ୍ ଇଣ୍ଡିଆ ପାଇଁ ଲେଖିଥିବା ଏକ ଲେଖାରେ ଗାନ୍ଧିଜୀ ଉଲ୍ଲେଖ କରିଥିଲେ, ‘ମୋ କଳ୍ପନାର ରାମ ଏ ପୃଥିବୀରେ କେବେ ଥିଲେ କି ନାହିଁ ମୁଁ ଜାଣିନି। ତେବେ ପ୍ରାଚୀନ ରାମରାଜ୍ୟର ଆଦର୍ଶ ନିଃସନ୍ଦେହରେ ଏକ ବାସ୍ତବ ଗଣତନ୍ତ୍ର; ଯେଉଁଥିରେ ସାଧାରଣ ନାଗରିକ ସ୍ୱଳ୍ପ ବ୍ୟୟରେ ତୁରନ୍ତ ନ୍ୟାୟ ପାଇବା ପାଇଁ ହକ୍‌ଦାର ହୋଇପାରିବ’। ରାମରାଜ୍ୟରେ ଏକ ଶ୍ୱାନ ମଧ୍ୟ ରାଜାଙ୍କଠାରୁ ନ୍ୟାୟ ପାଇଥିବା କବି ବର୍ଣ୍ଣନା କରିଛନ୍ତି।

ଲୋକକୈନ୍ଦ୍ରିକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଏହା ହେଉଛି ଆଦର୍ଶ। ଯେଉଁଠି ସମବେଦନା, ସମବେଶୀତା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ନାଗରିକଙ୍କୁ ଉତ୍ତମ ଜୀବନ ପାଇଁ ସୁବିଧା ସୁଯୋଗ ଯୋଗାଣ ଆଦିର ମୂଲ୍ୟବୋଧ ନିହିତ। ବାସ୍ତବ ଗଣତାନ୍ତ୍ରିକ ଲକ୍ଷ୍ୟ ଓ ମୂଲ୍ୟବୋଧ ହାସଲ କରିବା ପାଇଁ ଏଗୁଡିକୁ ଆଦର୍ଶଭାବେ ଆଖିଆଗରେ ରଖି ଗଣତାନ୍ତ୍ରିକ ଉପାୟରେ ରାଷ୍ଟ୍ରୀୟସ୍ତରରେ ଉଦ୍ୟମ ଅବ୍ୟାହତ ରହିଛି। ଏହା ଆମକୁ ଆମର ରାଜନୈତିକ, ନ୍ୟାୟିକ ଓ ପ୍ରଶାସନିକ ବ୍ୟବସ୍ଥାର ସୁଦୃଢ଼ୀକରଣରେ ସହାୟକ ହେବା ସହ ଆଗକୁ ବଢାଇବ।

ଏହି ଶୁଭ କ୍ଷଣରେ ଆମେ ଯେତେବେଳେ ରାମଙ୍କ ପାଇଁ ନୂଆ ମନ୍ଦିର ନିର୍ମାଣ କରୁଛୁ ସେତେବେଳେ ରାମାୟଣର ସାର୍ବଜନୀନ ବାର୍ତ୍ତା ବୁଝି ତାହାର ପ୍ରଚାର କରିବାର ଆବଶ୍ୟକତା ରହିଛି। ଏହି ମହାନ ଭାରତୀୟ ଗ୍ରନ୍ଥ ଏହାର ପ୍ରତିଷ୍ଠିତ ମୂଲ୍ୟବୋଧ ଦ୍ୱାରା ଆମ ଜୀବନକୁ ଋଦ୍ଧିମନ୍ତ କରିଛି।

VicePresidentof India VP On Ram Mandir ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ
Share. Facebook Twitter LinkedIn Email WhatsApp Copy Link

Related Posts

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025
Latest News

ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ତୃତୀୟ ଦିନରେ ମଧ୍ୟ ଚାଲିପାରିଲା ନାହିଁ ରାଜ୍ୟସଭା ଓ ଲୋକସଭା, ଜାଣନ୍ତୁ କଣ ଘଟିଲା

July 23, 2025

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉଦ୍ଧବ ଠାକରେ, ପୁଣି କଲେ ପ୍ରଶଂସା: ଏହା ଉପରେ କଂଗ୍ରେସ ନେତା ଦେଲେ ବଡ଼ ପ୍ରତିକ୍ରିୟା

July 23, 2025

୫ ବର୍ଷ ପରେ ଭାରତର ବଡ଼ ନିଷ୍ପତ୍ତି: ଆସନ୍ତାକାଲିଠାରୁ ଚୀନ୍ ନାଗରିକଙ୍କୁ ଭିସା ଦେବେ ସରକାର

July 23, 2025

ମା’ ତାରିଣୀ ପୀଠ, ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

July 23, 2025

ବେଟିଂ ଆପ୍ସ ମାମଲା: ଇଡିରେ ହାଜର ହେବା ପାଇଁ ସମୟ ମାଗିଲେ ରାଣା ଦଗ୍ଗୁବତୀ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.