ଭୁବନେଶ୍ବର: ଆଜି ଜାମ୍ମୁକାଶ୍ମୀରରେ ପ୍ରଧାନମନ୍ତ୍ରୀ ରାଜ୍ୟର ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ସେ ଏମ ଷ୍ଟାଡିୟମରେ ଆୟୋଜିତ ଏକ ବିଶାଳ ଜନସମାବେଶକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଯେ, ଏହା ହେଉଛି ନୂଆ ଭାରତ, ଯିଏ ଘରେ ପଶି ମାରିଥାଏ। ୨୦୧୬ର ସର୍ଜିକାଲ ଷ୍ଟ୍ରାଇକକୁ ମନେ ପକାଇ ମୋଦି ପାକିସ୍ଥାନକୁ ଧମକ ଦେଇଥିଲେ।
ସେ କହିଥିଲେ ଯେ, ଜମ୍ମୁକାଶ୍ମୀର ଲୋକେ ଶାନ୍ତି ଚାହାଁନ୍ତି। ହେଲେ ଏହି ରାଜ୍ୟକୁ ତିନିଟି ଦଳ ଅଶାନ୍ତି ସୃଷ୍ଟି କରିବାରେ ଲାଗିଛି। ସେହି ତିନିଟି ଦଳ ହେଲା କଂଗ୍ରେସ, ଏନସି ଏବଂ ପିଡିପି। ପ୍ରକୃତରେ ଏମାନେ ଏହି ରାଜ୍ୟର ସମୃଦ୍ଧି ଚାହାଁନ୍ତି ନାହିଁ, ଏମାନେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ହେଉ ତାହା ମଧ୍ୟ ଚାହାଁନ୍ତି ନାହିଁ।
ଜମ୍ମୁକାଶ୍ମୀରେ ଯେଉଁ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଛି, ସେଥିରେ ଲୋକମାନେ ଯେପରି ଆଗ୍ରହରେ ସାମିଲ ହେଲେ ତାହା ଅଦଭୁତ। ସେଥିପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ସେ କହିଥିଲେ ଯେ, ମୁଁ ଜମ୍ମୁକାଶ୍ମୀରେ ଯେଉଁଆଡେ ଯାଇଛି ସେଠାରେ ବିଜେପି ପ୍ରତି ଲୋକଙ୍କର ଆଗ୍ରହକୁ ଦେଖିଛି। ସେଥିରୁ ମୁଁ ନିଶ୍ଚିତ ହୋଇଛି ଯେ, ଏହି ରାଜ୍ୟର ଲୋକେ ବିଜେପି ସରକାର ଚାହୁଁଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଆସନ୍ତା ଏକ ତାରିଖରେ ଜମ୍ମୁକାଶ୍ମୀରର ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ।