ଭୁବନେଶ୍ବର: ଆଜି ସଂଧ୍ୟାରେ ଶେଷ ହେବ ନୂଆପଡା ନିର୍ବାଚନ ପ୍ରଚାର। ବେଶ କିଛିଦିନ ଧରି ଘୋଘାରେ କମ୍ପି ଉଠିଥିଲା ନୂଆପଡା। ଆଜି ଅପରାହ୍ନରୁ ସେ ସବୁ ବନ୍ଦ ହେବ। ଏହାପରେ ଦଶ ତାରିଖ ଦିନ କାହାକୁ ଭୋଟ ଦିଆଯିବ ସେ ନେଇ ଭୋଟରଙ୍କୁ ଚିନ୍ତା କରିବା ପାଇଁ ସମୟ ଦିଆଯାଇଛି। ଏହାପରେ ୧୧ ତାରିଖ ଦିନ ଭୋଟ ଗ୍ରହଣ ହେବ। ଶାନ୍ତି ଶୃଙ୍ଖଳାରେ ଭୋଟ ଗ୍ରହଣ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ବ୍ୟାପକ ବନ୍ଦୋବସ୍ତ କରିଛନ୍ତି।
ଆଜି ଅପରାହ୍ନ ୪ଟା ସୁଦ୍ଧା ବାହାର ନେତାମାନେ ନୂଆପଡା ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ କଡା ନିର୍ଦ୍ଦେଶ ଜାରୀ କରିଛନ୍ତି। ଏପରିକି କୌଣସି ନେତା ଦେହ ଖରାପ କହି ରହିବାକୁ ଚେଷ୍ଠା କଲେ ତାଙ୍କର ମେଡିକାଲ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ ବୋଲି କୁହାଯାଇଛି। ତେଣୁ ନିୟମ ଅନୁସାରେ ଭୋଟ ଗ୍ରହଣର ୪୮ ଘଣ୍ଟା ପୂର୍ବରୁ ବାହାର ନେତାମାନେ ସେଠାରେ ରହିପାରିବେ ନାହିଁ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ବର୍ତ୍ତମାନ ସୁଦ୍ଧା ନୂଆପଡାରୁ ବର୍ତ୍ତମାନ ୧ କୋଟି ୨୨ ଲକ୍ଷ ଟଙ୍କା ଜବତ କରାଯାଇଛି। ସେହିପରି ୧ କୋଟି ୩୨ ଲକ୍ଷ ଟଙ୍କାର ମଦ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଅବାଧ ଓ ନିରପେକ୍ଷ ମତଦାନ ପାଇଁ ସମସ୍ତ ବୁଥରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯେଉଁସ୍ଥାନରେ ଉତ୍ତେଜନ ପ୍ରବଣ ରହିଛି ସେଠାରେ ଅଧିକ ସୁରକ୍ଷା ବଳ ଯୋଗାଇ ଦିଆଯାଇଛି।
ସେହିପରି ଗଣମାଧ୍ୟମ ଉପରେ ମଧ୍ୟ କଟକଣା ଜାରୀ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତି ଯେ, ଭୋଟ ଗ୍ରହଣ ଶେଷ ନ ହେବା ପର୍ଯ୍ୟନ୍ତ କୌଣସି ଦଳୀୟ ଖବର ପ୍ରଚାର କରିପାରିବେ ନାହିଁ। ଭୋଟରଙ୍କୁ ପ୍ରଭାବିତ କରିବା ପରି କୌଣସି ଖବର ପ୍ରସାରଣ ବା ପ୍ରଚାର କରିପାରିବେ ନାହିଁ। ଆସନ୍ତା ୧୧ ତାରିଖ ସକାଳ ସାତଟାରୁ ଭୋଟ ଗ୍ରହଣ ଆରମ୍ଭ ହେବ।


