
ଅହମଦାବାଦ: ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ଅହମଦାବାଦ ପୋଲିସ ଗିରଫ କରିଛି। ସୋସିଆଲ ମିଡିଆରେ ପାୟଲ ସୋସାଇଟି ଚେୟାରମ୍ୟାନଙ୍କୁ ଗାଳି କରିଥିବା ଅଭିଯୋଗ ହୋଇଥିଲା। ଏହାସହ ସୋସାଇଟିରେ ରହୁଥିବା କିଛି ଲୋକଙ୍କ ସହ ସେ ଝଗଡା କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା। ସୋସାଇଟି ଚେୟାରମ୍ୟାନଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି। ପରବର୍ତ୍ତୀ ଅବସ୍ଥାରେ ପାୟଲ ତାଙ୍କର ଏହି ପୋଷ୍ଟକୁ ଡିଲେଟ କରିଦେଇଥିଲେ।
ସୂଚନା ଅନୁଯାୟୀ, ଜୁନ ୨୦ ତାରିଖରେ ସୋସାଇଟିରେ ଏଜିଏମ ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ପାୟଲ ଏଜିଏମ ସଦସ୍ୟ ହୋଇନଥିବା ସତ୍ତ୍ୱେ ସେ ବୈଠକକୁ ଆସିଥିଲେ। ଯେତେବେଳେ ତାଙ୍କୁ ଏହି ବୈଠକରେ କିଛି କହିବା ପାଇଁ ମନା କରାଗଲା। ତେବେ ସେଠାରେ ସେ ଝଗଡା କରିବା ଆରମ୍ଭ କରିଦେଇଥିଲେ। ଏହାସହ ପୂର୍ବରୁ ପିଲାମାନଙ୍କ ଖେଳିବାକୁ ନେଇ ମଧ୍ୟ ପାୟଲ ଝଗଡା କରିଥିଲେ। ଏସବୁ ଅଭିଯୋଗ ପରେ ଅହମଦାବାଦ ପୋଲିସ ତାଙ୍କୁ ଗିରଫ କରିଛି।