ଆସିଲା ନୂଆବର୍ଷ, ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର, ଏ ନେଇ ଚାଲିଲା ଘନଘନ ବୈଠକ

Published: Dec 12, 2020, 4:11 am IST

ପୁରୀ, ଖୁବ ଶିଘ୍ର ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ଯେତେଦୂର ସମ୍ଭବ ଚଳିତ ମାସ ତୃତୀୟ ସପ୍ତାହରେ ମନ୍ଦିର ଖୋଲିବ ବୋଲି ଆଶା କରାଯାଉଛି। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଘନଘନ ବୈଠକ ଆରମ୍ଭ ହୋଇଛି। ସେହିପରି ପୁରୀ ପ୍ରଶାସନ ମଧ୍ୟ ଏ ନେଇ ବୈଠକ ଜାରୀ ରଖିଛି। ଶ୍ରୀମନ୍ଦିର ପ୍ରଶାସନ ତିନୋଟି ବୈଠକ କରି ସେବାୟତଙ୍କ ମତାମତ ଲୋଡିଛି। ମନ୍ଦିର ଖୋଲାଗଲେ କିପରି ଭକ୍ତମାନେ ଦର୍ଶନ କରିବେ ସେ ନେଇ ବହୁ ଆଲୋଚନା ଚାଲିଛି।

ଗତ ଶୁକ୍ରବାର ଦିନ ପୁରୀ ଜିଲ୍ଲାପାଳ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ବୈଠକ କରିଥିଲେ। ସେଥିରେ ବାହାର ରାଜ୍ୟରେ କିପରି ମନ୍ଦିର ପରିଚାଳନା କରାଯାଉଛି ତା ଉପରେ ଆଲୋଚନା କରିଥିଲେ। ବିଭିନ୍ନ ରାଜ୍ୟରେ କଣ ନୀତିନିୟମ ଭିତରେ ଭକ୍ତମାନେ ଯାଉଛନ୍ତି ସେ ତଥ୍ୟ ସଂଗ୍ରହ ପାଇଁ ମଧ୍ୟ କେତେକ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

ଉଭୟ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ସେହି ଅନୁସାରେ ରାଜ୍ୟ ସରକାର ମନ୍ଦିର ଖୋଲିବା ନେଇ ଘୋଷଣା କରିବେ। ତେବେ ଦୀର୍ଘ ମାସ ଧରି ମନ୍ଦିର ବନ୍ଦ ରହିବା ଏବଂ ନୂଆ ବର୍ଷ ଆସୁଥିବାରୁ  ଭିଡ ପ୍ରବଳ ହେବ ବୋଲି ଆଶଙ୍କା କରାଯାଇଛି।

ସେପରି ଭିଡକୁ କିପରି ପରିଚାଳନା କରାଯିବ ସେ ନେଇ ମଧ୍ୟ ପ୍ରଶାସନ ଘନଘନ ବୈଠକ କରି ପଦକ୍ଷେପ ଉପରେ ଆଲୋଚନା କରିବାରେ ଲାଗିଛନ୍ତି। ତେବେ ଚଳିତ ମାସ ତୃତୀୟ ସପ୍ତାହରେ ମନ୍ଦିର ଖୋଲିବା ସମ୍ଭାବନା ଅଛି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି।

Related posts