ଭୁବନେଶ୍ବର, ଶାନ୍ତି ଦେବୀ, ଏହି ନାମଟି ପ୍ରାୟ ଲୋକଙ୍କ ପାଇଁ ଅଜଣା। କାରଣ ସେ କେବେ ବି ପ୍ରଶଂସା ବା ଲୋକ ପ୍ରିୟତା ପଛରେ ଗୋଡାନ୍ତି ନାହିଁ। ହେଲେ ରାୟଗଡା ଏବଂ କୋରାପୁଟରେ ସେ ବେଶ୍ ପରିଚିତ। ସେ ରାୟଗଡାରେ କରିଛନ୍ତି ସେବା ସମାଜ ଅନୁଷ୍ଠାନ। ଯେଉଁଥିରେ ସେ ଆଦିବାସୀ ଝିଅମାନଙ୍କ ଉନ୍ନତିରେ ଦିନାରାତି ଲାଗି ପଡିଛନ୍ତି। ସେହିପରି ଗୁଣୁପୁରରେ ସେ କରିଛନ୍ତି ଏକ ଶିକ୍ଷା ଅନୁଷ୍ଠାନ। ଯେଉଁଥିରେ ସେ ଆଦିବାସୀ ପିଲାଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରୁଛନ୍ତି।
1934 ମସିହାରେ ଜନ୍ମିତ ଶାନ୍ତି ଦେବୀ ଆଦିବାସୀମାନଙ୍କ ସେବା ପାଇଁ ନିଜକୁ ନିୟୋଜିତ ରଖିବାକୁ ଚାହିଁଲେ। ସେଥିପାଇଁ ସେ ନିଜର କର୍ମ ଭୂମି ଭାବେ ବାଛିଥିଲେ କୋରାପୁଟ। ସେତେବେଳେ ସେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କଲେଜ ଶିକ୍ଷା ପରିତ୍ୟାଗ କରି ଏହି ଜନସେବାରେ ମନୋନିବେଶ କରିଥିଲେ। ଫଳସରୂପ ପ୍ରଥମେ କୋରାପୁଟରେ ମାତ୍ର 4 ଜଣ ଆଦିବାସୀ ପିଲାଙ୍କୁ ନେଇ ଆରମ୍ଭ କରିଥିଲେ ତାଙ୍କର ଏହି ସେବା ମୂଳକ କାମ।
ଏହାପରେ ଗୁଣପୁରରେ ସେ ଆରମ୍ଭ କଲେ ଏକ ଧନ୍ଦାମୂଳକ ଶିକ୍ଷା କେନ୍ଦ୍ର। ଯେଉଁଠାରେ ପ୍ରାୟ ଦୁଇଶହ ଆଦିବାସୀ ଛାତ୍ରୀ ସେମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ହାସଲ କରିବାରେ ଲାଗିଛନ୍ତି। ସିଲାଇ, ମସଲା ପ୍ରସ୍ତୁତି, ଖଲି ପ୍ରସ୍ତୁତି ପୋଷାକ ତିଆରି ଆଦି ଶିକ୍ଷାଲାଭ କରୁଛନ୍ତି। ଏହି ଅନୁଷ୍ଠାନ ଆଦିବାସୀ ପିଲାଙ୍କ ପାଇଁ ଏକ ମନ୍ଦିର ଭାବେ ପରିଗଣିତ ହୋଇଛି।
ଧିରେଧିରେ ଶାନ୍ତି ଦେବୀ ନିଜର ସେବା ମନବୃତିକୁ ବଢାଇବାରେ ଲାଗିଲେ। ସେ ପୁଣି ସେହି ଗୁଣପୁର ନିକଟସ୍ଥ ଲିମାମେଡା ଗ୍ରାମରେ 1993 ମସିହାରେ ପ୍ରତିଷ୍ଠା କଲେ ଏକ ଛାତ୍ରୀନିବାସ। ସେଠାରେ ପ୍ରଥମେ 50 ଛାତ୍ରୀଙ୍କୁ ନେଇ ଆରମ୍ଭ କଲେ ଏହି ଛାତ୍ରୀନିବାସ। ଏଥିରେ କେନ୍ଦ୍ର ସରକାର ମଧ୍ୟ ସହାୟତାର ହାତ ବଢାଇଛନ୍ତି।
ଜଣେ ପଛୁଆ ଜିଲ୍ଲାର ମହିଳା ଭାବେ ସେ ଏପରି ପଦକ୍ଷେପ ନେବେ କେହି ବି ବିଶ୍ବାସ କରିପାରନ୍ତି ନାହିଁ। ବର୍ତ୍ତମାନ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଶାନ୍ତି ଦେବା ଯେକି ଶାନ୍ତି ଅପା ଭାବେ ପରିଚିତ, ଭଗବାନ ପଲଟିଯାଇଛନ୍ତି। ଏହିପରି କାର୍ଯ୍ୟ ପାଇଁ ସେ 1991 ମସିହାରେ କେନ୍ଦ୍ର ସରକାରଙ୍କ ଶିଶୁ ବିଭାଗ ତରଫରୁ ଜାତୀୟ ପୁରସ୍କାର ହାସଲ କରିଛନ୍ତି। ସେହିପରି 1994 ମସିହାରେ ମହିଳା ଓ ଶିଶୁ ବିକାଶ ପାଇଁ ସେ ଜମୁନାଲାଲ ବଜାଜ ପୁରସ୍କାର ମଧ୍ୟ ପାଇଛନ୍ତି। ସେହି ତାଲିକାରେ ଏବେ ଯୋଡି ହେଲା ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀ।