
ପାଟନା, ଦେଶରେ ତୈଳ ଦର ବୃଦ୍ଧି ଏବଂ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିହାରର ବିରୋଧୀଦଳ ନେତା ତଥା ପୂର୍ବତ୍ତନ ଉପମୁଖ୍ୟମନ୍ତ୍ରୀ ଅଭିନବ ପ୍ରତିବାଦ କରିଛନ୍ତି। ସେ ହେଉଛନ୍ତି ତେଜଶ୍ବୀ ଯାଦବ। ଆଜି ତେଜଶ୍ବୀ ତାଙ୍କର ଦୁଇଜଣ ବିଧାୟକଙ୍କ ସହିତ ବିଧାନସଭାକୁ ଏକ ଟ୍ରାକ୍ଟରରେ ଯାଇଛନ୍ତି।
ସେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କ ସୁରକ୍ଷା କର୍ମୀ ମଧ୍ୟ ତାଙ୍କ ଟ୍ରାକ୍ଟର ଚାରିପଟେ ସୁରକ୍ଷା ଦେଉଥିବାର ପରିଲକ୍ଷିତ ହୋଇଥିଲା। ତେଜସ୍ବୀ ଏପରି ଯିବାକୁ ନେଇ ବିଭିନ୍ନ ମହଲରେ ତାଙ୍କୁ ବେଶ ସ୍ବାଗତ କରାଯାଇଛି।
ସେ ବିଧାନସଭାରେ ପ୍ରବେଶ ପୂର୍ବରୁ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ଏହା ହେଉଛି ମୋର କେନ୍ଦ୍ର ବିଜେପି ସରକାର ତଥା ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତିବାଦ। ବର୍ତ୍ତମାନ ଦେଶରେ ଯେପରି ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି ତାହା ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଛିନ୍ତି।
ସେହିପରି ବିହାରରେ ଯେପରି ଅଶାନ୍ତି ସୃଷ୍ଟି ହେବାରେ ଲାଗିଛି ତାହାକୁ ମଧ୍ୟ ବିରୋଧ କରାଯାଉଛି। ଏଥିସହିତ ନୂଆଦିଲ୍ଲୀରେ ଦୀର୍ଘ ଦୁଇମାସ ଧରି ଚାଲିଥିବା ଚାଷୀ ଆନ୍ଦୋଳନକୁ ମଧ୍ୟ ମୁଁ ସମର୍ଥନ କରୁଛି। ସେସବୁକୁ ବିରୋଧ କରି ଆଜି ଟ୍ରାକ୍ଟରରେ ବିଧାନସଭାକୁ ଆସିଛି ବୋଲି ତେଜଶ୍ବୀ କହିଛନ୍ତି।