ଭୁବନେଶ୍ବରରେ ସ୍ଥାପିତ ଘୋଡାକୁ ସ୍ଥାନାନ୍ତର ଯୋଜନା, ବିରୋଧ କଲେ କଂଗ୍ରେସ ବିଧାୟକ

Published: Jun 17, 2021, 5:26 pm IST

ଭୁବନେଶ୍ବର, ରାଜଧାନୀର ମାଷ୍ଟର କ୍ୟାଣ୍ଟିନରେ ଶୋଭାପାଉଥିବା ପଥର ଘୋଡା ସ୍ଥାନାନ୍ତରିତ ନେଇ ବିରୋଧ କରିଛି କଂଗ୍ରେସ। ଆଜି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ଘୋଡା ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୌଣସି ପରିସ୍ଥିତିରେ ଏହି ଘୋଡାକୁ ଏଠାରୁ ହଟାଯାଇପାରିବ ନାହିଁ ବୋଲି ସେ ଦାବୀ କରିଛନ୍ତି।

ବହୁ ବର୍ଷ ଧରି ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନରେ ଶୋଭାପାଉଥିବା ପଥର ଘୋଡା ରାଜଧାନୀର ପରିଚୟ ଦେଉଛି। ଓଡିଶା ସରକାରଙ୍କ ଚିହ୍ନକୁ ଏହି ସ୍ଥାନରେ ପଥରରେ ନିର୍ମାଣ କରି ସ୍ଥାନିତ କରାଯାଇଛି। ଏହାକୁ ଯେ ନିର୍ମାଣ କରିଛନ୍ତି ସେ ହେଉଛନ୍ତି ପ୍ରଖ୍ୟାତ ପଥରଶିଳ୍ପୀ ସ୍ବର୍ଗତ ରଘୁନାଥ ମହାପାତ୍ର।

ଭୁବନେଶ୍ବରର ଏହି ପଥର ଘୋଡା ହେଉଛି ପରିଚୟ। ହେଲେ ଭୁବନେଶ୍ବର ସ୍ମାର୍ଟ ସିଟି ଯୋଜନାରେ ବର୍ତ୍ତମାନ ମାଷ୍ଟର କ୍ୟାଣ୍ଟିନରୁ ଏହି ଘୋଡାକୁ ହଟାଇବା ପାଇଁ ଯୋଜନା ହୋଇଛି। ଏୟାର ପୋର୍ଟରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାରୁ ସଂପ୍ରସାରଣ ତଥା ସୌନ୍ଦର୍ଯ୍ୟକରଣ କରାଯିବ। ସେଥିପାଇଁ ରାସ୍ତା ମଝିରେ ଶୋଭା ପାଉଥିବା ଏହି ପଥର ଘୋଡାକୁ ସ୍ଥାନାନ୍ତରିତ କରିବା ପାଇଁ ନିଷ୍ପତି ହୋଇଛି।

ଏହାକୁ ମାଷ୍ଟର କ୍ୟାଣ୍ଟିନରୁ ହଟାଇ ରାଜଭବନ ଛକରେ ଥିବା ଗୋପବନ୍ଧୁ ପ୍ରତି ମୂର୍ତ୍ତି ନିକଟରେ ସ୍ଥାପନ କରାଯିବ। ଭୁବନେଶ୍ବର ସ୍ମାର୍ଟ ସିଟି କର୍ତ୍ତୁପକ୍ଷ ଏ ନେଇ ସଂସ୍କୃତି ବିଭାଗକୁ ଚିଠି ଲେଖିଛନ୍ତି। କେବଳ ସେହି ଗୋଟାଏ ନୁହେଁ ଭୁବନେଶ୍ବର ସୌନ୍ଦର୍ଯ୍ୟକରଣ ପାଇଁ ଆଉ କେତୋଟି ମହାପୁରଷଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାନାନ୍ତରିତ ହେବ ବୋଲି ଜଣାପଡିଛି।

Related posts