Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡିଶାକୁ ଜଳଶକ୍ତି ବିଭାଗ ମିଳିବା ପରେ ଆସିଲା ଜଳଜୀବନ ମିଶନରେ ୩,୩୨୩ କୋଟି ଟଙ୍କାର ଅନୁଦାନ
ଜାତୀୟ ଖବର

ଓଡିଶାକୁ ଜଳଶକ୍ତି ବିଭାଗ ମିଳିବା ପରେ ଆସିଲା ଜଳଜୀବନ ମିଶନରେ ୩,୩୨୩ କୋଟି ଟଙ୍କାର ଅନୁଦାନ

July 12, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାକୁ ଜଳଶକ୍ତି ବିଭାଗ ମିଳିବା ପରେ ଆସିଲା ଜଳଜୀବନ ମିଶନରେ ୩,୩୨୩ କୋଟି ଟଙ୍କାର ଅନୁଦାନ

ନୂଆଦିଲ୍ଲୀ,ନିକଟରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ଓଡିଶାର ସାଂସଦ ବିଶେଶ୍ବର ଟୁଡୁଙ୍କୁ ମିଳିଛି ଜଳ ମନ୍ତ୍ରଣାଳୟ। ମନ୍ତ୍ରୀ ହେବାର ସପ୍ତାହେ ଯାଇ ନାହିଁ ଓଡିଶାକୁ ଆସିଛି ଅନୁଦାନ। ତେବେ ଏହି ଅନୁଦାନ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ବିଶେଶ୍ବରଙ୍କୁ ଏହାର ଶ୍ରେୟ ଯାଉଛି।

ମିଳିଥିବା ସୂଚନା ଅନୁସାରେ  କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଅନ୍ତର୍ଗତ ଯୋଜନାରେ ଓଡ଼ିଶାକୁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୩୩୨୩.୪୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ପରିମାଣ ୮୧୨.୧୫ କୋଟି ଟଙ୍କା ଥିଲା। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଓଡ଼ିଶାକୁ ଏହି ଚାରିଗୁଣ ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦେବା ନିମନ୍ତେ ଘୋଷଣା କରିବା ସହିତ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ଓଡ଼ିଶାର ସ୍ଥିତିକୁ ଦେଖିଲେ, ଅଗଷ୍ଟ ୧୫, ୨୦୧୯ରେ ଜଳ ଜୀବନ ମିଶନ ଆରମ୍ଭ ହେବା ସମୟରେ, ରାଜ୍ୟର ମାତ୍ର ୩.୧୦ ଲକ୍ଷ (୩.୬୩%) ପରିବାର ନିକଟରେ ଟ୍ୟାପ ଜଳ ସଂଯୋଗ ରହିଥିଲା। ସେବେଠାରୁ ବର୍ତ୍ତମାନସୁଦ୍ଧା ୨୨.୮୪ ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି। ଫଳରେ ଓଡ଼ିଶାର ମୋଟ ୮୫.୬୬ ଲକ୍ଷ ପରିବାର ମଧ୍ୟରୁ ବର୍ତ୍ତମାନ ୨୫.୯୫ ଲକ୍ଷ ପରିବାର (୩୦.୩%) ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ରହିଛି।

୨୦୨୧-୨୨ରେ, ରାଜ୍ୟ ୨୧.୩୧ ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଦେବାକୁ ଲକ୍ଷ୍ୟ ରଖିଥିବା ସମୟରେ ୨୦୨୨-୨୩ରେ ୨୨.୫୩ ଲକ୍ଷ ଏବଂ ୨୦୨୩-୨୪ରେ ୧୮.୮୭ ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦେବା ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରଣ କରିଛି। ଯାହାଫଳରେ ରାଜ୍ୟରେ ସମ୍ପୂର୍ଣ୍ଣ ଜଳଯୋଗାଣ ଲକ୍ଷ୍ୟ ହାସଲ କରାଯାଇପାରିବ।

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ନିଜ ପତ୍ରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଦର୍ଶାଇଛନ୍ତି ଯେ ରାଜ୍ୟର ସବୁ ଜିଲ୍ଲାରେ ଟ୍ୟାପ ସଂଯୋଗ କାମ ତୁରନ୍ତ ଆରମ୍ଭ କରାଯିବା ଉଚିତ୍। ଯାହାଫଳରେ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ପହଞ୍ଚିପାରିବ। ୨୦୨୧-୨୨ ଆର୍ଥିକ ବର୍ଷରେ ବାର୍ଷିକ ଯୋଜନା କାର‌୍ୟ୍ୟକାରୀ କରିବା ଲାଗି ଓଡ଼ିଶାର ପଦକ୍ଷେପରେ ସହାୟତା କରିବା ଲାଗି କେନ୍ଦ୍ରୀୟ ଆବଣ୍ଟନକୁ ଚାରି ଗୁଣା ବୃଦ୍ଧି କରାଯାଇଛି।

ବର୍ତ୍ତମାନ ରାଜ୍ୟ ଉପରେ ୧୦.୯୩ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି ଏବଂ ରାଜ୍ୟର ଭାଗ ୩,୨୫୩ କୋଟି ଟଙ୍କାକୁ ମିଶାଇଲେ ୨୦୨୧-୨୨ରେ ରାଜ୍ୟ ନିକଟରେ ଜଳ ଯୋଗାଣ କାର‌୍ୟ୍ୟ ନିମନ୍ତେ ୬,୫୯୬ କୋଟି ଟଙ୍କାର ପାଣ୍ଠି ଉପଲବ୍ଧ ରହିଛି। ତେଣୁ ପାଣ୍ଠି ଉପଲବ୍ଧତାରେ କୌଣସି ଅଭାବ ନାହିଁ।

ଗ୍ରାମାଞ୍ଚଳରେ ଜଳ ଯୋଗାଣ ପରିଚାଳନା ଏବଂ ସ୍ବଚ୍ଛତାରେ ସୁଧାର ଆଣିବା ନିମନ୍ତେ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ସକ୍ଷମ କରିବା ସକାଶେ ଗ୍ରାମୀଣ ସ୍ଥାନୀୟ ସଂସ୍ଥା/ପଞ୍ଚାୟତିରାଜ ଅନୁଷ୍ଠାନକୁ ପାନୀୟ ଜଳ ଓ ସ୍ବଚ୍ଛତା ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ସଂଯୁକ୍ତ ଅନୁଦାନ ଆକାରରେ ଓଡ଼ିଶାକୁ ୧,୦୦୨ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ଏହି ଉତ୍ସରୁ ୨୦୨୫-୨୬ ପର‌୍ୟ୍ୟନ୍ତ ୫,୨୮୦ କୋଟି ଟଙ୍କାର ଏକ ସୁନିଶ୍ଚିତ ଅନୁଦାନ ରହିଛି।

ଓଡ଼ିଶାର ଗ୍ରାମାଞ୍ଚଳରେ ଏହି ବିପୁଳ ପରିମାଣର ନିବେଶ, ଆର୍ଥିକ କାର‌୍ୟ୍ୟକଳାପକୁ ତ୍ବରାନ୍ବିତ କରିବ ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହା ମଧ୍ୟ ଗ୍ରାମାଞ୍ଚଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ସ୍ବଚ୍ଛ ଟ୍ୟାପ ଜଳ ସଂଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ୧୦୦ ଦିନିଆ ଅଭିଯାନ ଘୋଷଣା କରିଥିଲେ। ଏହାକୁ ଅକ୍ଟୋବର ୨, ୨୦୨୦ରେ ଆରମ୍ଭ କରାଯାଇଥିଲା। ଓଡ଼ିଶାରେ ୨୫,୮୨୦ ବିଦ୍ୟାଳୟ (୪୭%) ଏବଂ ୧୧,୯୧୩ ଅଙ୍ଗନଓ୍ବାଡ଼ି କେନ୍ଦ୍ର (୨୨%)କୁ ଟ୍ୟାପ ଜଳ ଯୋଗାଣ କରାଯାଇଛି।

ଆସନ୍ତା କିଛି ମାସ ମଧ୍ୟରେ ଅବଶିଷ୍ଟ ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସମେତ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ କେନ୍ଦ୍ର, ଗ୍ରାମପଞ୍ଚାୟତ ଅଟ୍ଟାଳିକା, ଆରୋଗ୍ୟ କେନ୍ଦ୍ର ଆଦିରେ ଟ୍ୟାପ ଜଳ ଯୋଗାଣ ସହିତ ଉନ୍ନତ ସ୍ବାସ୍ଥ୍ୟ, ସ୍ବଚ୍ଛତା ଓ ପରିଚ୍ଛନ୍ନତାରେ ସୁଧାର ଆଣିବା ନିମନ୍ତେ ପଦକ୍ଷେପ ନେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ କୁହାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ପାନ ଦୋକାନ ଉପରେ ଚଢାଉ: ଗଞ୍ଜେଇ ଜବତ, ଦୋକାନୀ ଗିରଫ

September 5, 2025

ମହାସମାବେଶରେ ନିଜର ହକ୍ ମାଗିଲେ ଗୁରୁ

September 5, 2025

NIRF Ranking-2025: ଇଞ୍ଜିନିୟରିଂ ବର୍ଗରେ ୩୯ତମ ସ୍ଥାନରେ ଆଇଆଇଟି ଭୁବନେଶ୍ୱର  

September 5, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ଓଡ଼ିଶାର ଦୁଇ ଶିକ୍ଷକ

September 5, 2025
Latest News

ବାଣପୁରରେ ପାନ ଦୋକାନ ଉପରେ ଚଢାଉ: ଗଞ୍ଜେଇ ଜବତ, ଦୋକାନୀ ଗିରଫ

September 5, 2025

ମହାସମାବେଶରେ ନିଜର ହକ୍ ମାଗିଲେ ଗୁରୁ

September 5, 2025

NIRF Ranking-2025: ଇଞ୍ଜିନିୟରିଂ ବର୍ଗରେ ୩୯ତମ ସ୍ଥାନରେ ଆଇଆଇଟି ଭୁବନେଶ୍ୱର  

September 5, 2025

ଜାତୀୟ ଶିକ୍ଷକ ପୁରସ୍କାର ପାଇଲେ ଓଡ଼ିଶାର ଦୁଇ ଶିକ୍ଷକ

September 5, 2025

‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ ପ୍ରଦାନ କଲେ ରାଷ୍ଟ୍ରପତି

September 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.