ଉତ୍ତେଜନା ଭିତରେ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଅପରାହ୍ନ ୨ ଟା ଯାଏଁ ଗୃହ ମୁଲତବି

Published: Jul 19, 2021, 1:28 pm IST

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଉତ୍ତେଜନା ସହିତ ଆରମ୍ଭ ହୋଇଥିଲା। ସୋମବାର ଲୋକସଭାରେ କଂଗ୍ରେସ, ଟିଏମସି, ବିଏସପି ଏବଂ ଅକାଳି ଦଳର ସାଂସଦମାନେ ମୁଦ୍ରାସ୍ଫୀତି, କୃଷକଙ୍କ ଆନ୍ଦୋଳନ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ସ୍ଲୋଗାନ ଦେଇ ଗୃହ ମଧ୍ୟରେ ପହଞ୍ଚିଥିଲେ। ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ଗୃହରେ ସରକାରଙ୍କ ନୂତନ ମନ୍ତ୍ରୀମାନଙ୍କୁ ପରିଚିତ କରାଇ ପାରି ନ ଥିଲେ। ଉତ୍ତେଜନା ଯୋଗୁଁ ବାଚସ୍ପତି ଲୋକସଭାକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଲୋକସଭାରେ ମନ୍ତ୍ରୀଙ୍କ ପରିଚୟ ସମୟରେ ହୋହାଲ୍ଲାକୁ ଦେଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଯେଉଁ ମହିଳାମାନେ ଏହି ଗୃହରେ ମନ୍ତ୍ରୀ ହୋଇଛନ୍ତି ସେମାନଙ୍କୁ ପରିଚିତ କରାଉଛି। କିନ୍ତୁ କିଛି ଲୋକ ଏନେଇ ବହୁ କଷ୍ଟ ଅନୁଭବ କରୁଛନ୍ତି। ଏହା କ’ଣ ମହିଳା ବିରୋଧୀ ମାନସିକତା? ଦୀର୍ଘ ସମୟ ପରେ ସଂସଦର ଏହି ଅଧିବେଶନରେ ବିରୋଧୀ ମୁଦ୍ରାସ୍ଫୀତି, କରୋନା ମହାମାରୀ, କୃଷକ ଆନ୍ଦୋଳନ ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରି ରହିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥି ସହିତ ସଂସଦ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ପେଗାସସ୍ ସ୍ପାଏୱେୟାର ମାଧ୍ୟମରେ ଫୋନ୍ ହ୍ୟାକ୍ ମାମଲା ମଧ୍ୟ ସରକାରଙ୍କ ସମସ୍ୟାକୁ ବଢାଇ ଦେଇଛି।

ସଂସଦ ଅଧିବେଶନରେ ସରକାର ପ୍ରାୟ ୩୦ ଟି ବିଲ୍ ପାରିତ କରିବାକୁ ଚେଷ୍ଟା କରିବେ, ସେଥିମଧ୍ୟରୁ ବିଦ୍ୟୁତ୍ ସଂଶୋଧନ ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ୍। ସଂସଦ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରତ୍ୟେକ ପ୍ରସଙ୍ଗରେ ସରକାର ଏକ ଅର୍ଥପୂର୍ଣ୍ଣ ତଥା ସୁସ୍ଥ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।

ସେହିପରି ରାଜ୍ୟସଭାରେ ଅଭିନେତା ଦିଲୀପ କୁମାର ଏବଂ କ୍ରୀଡ଼ାବିତ୍ ମିଲ୍କା ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ରାଜ୍ୟସଭାକୁ ମଧ୍ୟ ଏକ ଘଣ୍ଟା ପାଇଁ ମୁଲତବି କରାଯାଇଥିଲା।

Related posts