ଭୁବନେଶ୍ବର, ଆସନ୍ତାକାଲି ମଙ୍ଗଳବାରରେ ମହାପ୍ରଭୃ ତାଙ୍କ ଜନ୍ମବେଦୀର ଲୀଳା ସାରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ। ସେଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ବାହୁଡା ପୂର୍ବଦିନ ସଂଧ୍ୟା ଦର୍ଶନ ଥିବାରୁ ଭକ୍ତମାନଙ୍କ ଭିଡ ପରିଲକ୍ଷିତ ହେବା କଥା। ହେଲେ କରୋନା କଟକଣା ପାଇଁ ସଂଧ୍ୟା ଦର୍ଶନ ବନ୍ଦ କରିଦିଆଯାଇଛି।
ତେବେ ସାଧାରଣ ଭକ୍ତମନରେ ପ୍ରଶ୍ନ ଉଠେ ଆଡପ ମଣ୍ଡପରେ ଶ୍ରଜୀୟୁଙ୍କୁ ସବୁଦିନ ସଂଧ୍ୟାରେ ଭକ୍ତମାନେ ଦର୍ଶନ କରିଥାନ୍ତି। ହେଲେ ତାହାକୁ ସଂଧ୍ୟା ଦର୍ଶନ ନ କହି କେବଳ ବାହୁଡା ପୂର୍ବଦିନକୁ ସଂଧ୍ୟା ଦର୍ଶନ କାହିଁକି କୁହାଯାଏ। ଏହାର କାରାଣ ହେଲା ଯେ, ବାହୁଡା ପୂର୍ବଦିନ ଠାକୁରଙ୍କ ଆଡପ ମଣ୍ଡପରେ ଶେଷ ଦର୍ଶନ। ସାଧାରଣତଃ ସଂଧ୍ୟା ସମୟଟି ଦିନର ଶେଷ ସମୟ ହୋଇଥାଏ। ସେଥିପାଇଁ ଠାକୁରଙ୍କୁ ବାହୁଡା ପୂର୍ବଦିନ ସଂଧ୍ୟାରେ ଶେଷ ଦର୍ଶନ ହୋଇଥିବାରୁ ଏହାକୁ ସଂଧ୍ୟା ଦର୍ଶନ କୁହାଯାଇଥାଏ। ଏହିଦିନ ନବମୀ ତିଥି ଥିବାରୁ ଏହାକୁ ନବମୀ ସଂଧ୍ୟା ଦର୍ଶନ ମଧ୍ୟ କୁହାଯାଏ।
ନବମୀ ସଂଧ୍ୟା ଦର୍ଶନରେ କେତେକ ସ୍ବତନ୍ତ୍ର ନୀତି ପାଳତ ହୋଇଥାଏ। ସେଥିପାଇଁ ପ୍ରତିବର୍ଷ ସଂଧ୍ୟା ଦର୍ଶନ କେତେକ ନିର୍ଦ୍ଦିଷ୍ଠ ସମୟ ଭିତରେ କରିବାକୁ ପଡିଥାଏ। ଏହିଦିନ ଠାକୁରଙ୍କ ବଡସିଂହାର ବେଶ ସରିବା ପରେ ଶ୍ରୀମୁଖରେ ଖଣ୍ଡୁଆ ପକାଯାଇ ପୁଷ୍ପାଳକମାନେ ବାହାରକୁ ଆସିଥାନ୍ତି। ଏହାପରେ କୋଠ ସୁଆଁସିଆ ସିଂହାସନଠାରେ ଚାରମାଳ ବନ୍ଧାକାର୍ଯ୍ୟ କରିଥାନ୍ତି। ଦଇତାପତିମାନେ ଶ୍ରୀଜୀୟୁଙ୍କ ପହଣ୍ଡି ବିଜେ ପାଇଁ ଗୁପ୍ତନୀତି ପ୍ରସ୍ତୁତ କରିଥାନ୍ତି।
ବିଶ୍ବାସ ରହିଛି ଯେ ଶ୍ରୀମନ୍ଦିରର ରତ୍ନସିଂହାସନରେ ତିନିଠାକୁରଙ୍କୁ ଦର୍ଶନ କରିବାରେ ଯେତିକି ପୁଣ୍ୟ ଅର୍ଜନ ହୋଇଥାଏ ଆଡପ ମଣ୍ଡପ ଦର୍ଶନ ତାହାଠାରୁ ଢେରେଗୁଣ ଅଧିକ ହୋଇଥାଏ। ସେଥିପାଇଁ ଠାକୁର ରଥଯାତ୍ରାରେ ଆସି ଗୁଣ୍ଡିଚା ମନ୍ଦିରରେ ପ୍ରବେଶ ପରେ ଆଡପ ଦର୍ଶନ କରିବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଥାନ୍ତି।