ନୂଆଦିଲ୍ଲୀ, ଶିଶୁଙ୍କ ଉପରେ କୋଭିଡ-୧୯ର ପ୍ରଭାବ, ସେମାନଙ୍କୁ ସୁରକ୍ଷିତ ରଖିବାର ଆବଶ୍ୟକତା ଏବଂ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ଟିକାକରଣ ଆଦି ସମେତ ବିଭିନ୍ନ ପ୍ରସଙ୍ଗରେ ନୂଆଦିଲ୍ଲୀସ୍ଥିତ ଲେଡି ହାର୍ଡିଙ୍ଗ ମେଡ଼ିକାଲ କଲେଜର ଶିଶୁ ରୋଗ ବିଭାଗ ନିର୍ଦ୍ଦେଶକ ଡା. ପ୍ରବୀଣ କୁମାରଙ୍କ ସହିତ ଏକ ସାକ୍ଷାତକାର..
ମହାମାରୀ କିଭଳି ଭାବେ ଶିଶୁମାନଙ୍କର ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଛି? ଏହାର ଦୀର୍ଘକାଳୀନ ପ୍ରଭାବକୁ ହ୍ରାସ କରିବା ଲାଗି କ’ଣ କରିବାର ଆବଶ୍ୟକତା ରହିଛି?
ମହାମାରୀ ଶିଶୁଙ୍କ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇପାରେ। ଗୋଟିଏ ବର୍ଷରୁ ଅଧିକ ସମୟ ଧରି ସେମାନେ ଘର ଭିତରେ ଏକପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି। ଅଧିକନ୍ତୁ, ପରିବାରରେ ଅସୁସ୍ଥତା, ଅଭିଭାବକଙ୍କର ରୋଜଗାର ହ୍ରାସ ଚାପ ବୃଦ୍ଧି କରିଛି। ପିଲାମାନଙ୍କ ଠାରେ ମାନସିକ ହତାଶା (ଦୁଃଖ) କାରଣରୁ ସେମାନେ ଭିନ୍ନ ବ୍ୟବହାର କରିପାରନ୍ତି। କିଛି ପିଲା ନିରବ ହୋଇପାରନ୍ତି ଏବଂ ଅନ୍ୟମାନେ କ୍ରୋଧ ଏବଂ ଅତ୍ୟଧିକ ପ୍ରତିକ୍ରିୟା ପ୍ରକାଶ କରିପାରନ୍ତି।
ସେମାନଙ୍କୁ ଯତ୍ନ ନେଉଥିବା ଲୋକମାନେ ଧର୍ଯ୍ୟ ଧରିବାର ଆବଶ୍ୟକତା ରହିଛି ଏବଂ ପିଲାମାନଙ୍କ ମନୋଭାବକୁ ସେମାନେ ବୁଝିବା ଉଚିତ୍। ଛୋଟ ପିଲାଙ୍କ ମଧ୍ୟରେ ଚାପର ସଙ୍କେତକୁ ଜାଣିବା ଉଚିତ୍। ଏହା ବ୍ୟସ୍ତତା କିମ୍ବା ଦୁଃଖ ହୋଇପାରେ, ଖାଦ୍ୟ ଓ ଶୋଇବା କ୍ଷେତ୍ରରେ ଅନିୟମିତତା, ଧ୍ୟାନ ଓ ଏକାଗ୍ରତାରେ ହ୍ରାସ ଭଳି ସମସ୍ୟା ହୋଇପାରେ। ପରିବାର ଲୋକମାନେ ପିଲାମାନଙ୍କର ଚାପ ଓ ଭୟ ଦୂର କରିବା ଲାଗି ସେମାନଙ୍କୁ ସହଯୋଗ କରିବା ଉଚିତ୍।
ଆପଣ ଭାବୁଛନ୍ତି କି ଭବିଷ୍ୟତର ଲହରୀ ପିଲାମାନଙ୍କୁ ଅଧିକ ଗୁରୁତର ଭାବେ ପ୍ରଭାବିତ କରିବ? ବିଶେଷ କରି ଶିଶୁ ରୋଗୀମାନଙ୍କୁ ଉପଯୁକ୍ତ ଗୁଣବତ୍ତାର ରୋଗୀ ସେବା ଯୋଗାଇ ଦେବା କ୍ଷେତ୍ରରେ କୋଭିଡ-୧୯ର ପରବର୍ତ୍ତୀ ଲହରୀ ପାଇଁ ଦେଶ କିଭଳି ଭାବେ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି?
ଆମେ ସମସ୍ତେ ଜାଣିଛୁ, କୋଭିଡ-୧୯ ହେଉଛି ଏକ ନୂଆ ଭୂତାଣୁ ଏବଂ ଏହା ରୂପ ବଦଳାଇ ପାରେ। ଭବିଷ୍ୟତର ଲହରୀ ପିଲାମାନଙ୍କୁ ଅଧିକ ପ୍ରଭାବିତ କରିବ କିମ୍ବା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଅଧିକ ମାତ୍ରାରେ ଦେଖାଦେବ, ଏସବୁ କେବଳ ଆକଳନ। ଆସନ୍ତା କିଛି ମାସ ମଧ୍ୟରେ ଅଧିକାଂଶ ବୟସ୍କ ଟିକା ନେଇ ସାରିଥିବେ ଏବଂ ବର୍ତ୍ତମାନ ସମୟରେ ପିଲାମାନଙ୍କ ପାଇଁ କୌଣସି ଅନୁମୋଦିତ ଟିକା ନାହିଁ, ଏହି କାରଣରୁ ଭବିଷ୍ୟତର ଲହରୀ ପିଲାମାନଙ୍କୁ ଅଧିକ ମାତ୍ରାରେ ପ୍ରଭାବିତ କରିବ ବୋଲି ଲୋକମାନେ ଭାବୁଛନ୍ତି।
ଆମେ ଜାଣିନାହୁଁ ଯେ ଭୂତାଣୁ ଆଗକୁ କିପରି ବ୍ୟବହାର କରିବ ଏବଂ ଭବିଷ୍ୟତରେ ପିଲାମାନଙ୍କୁ କିଭଳି ଭାବେ ପ୍ରଭାବିତ କରିବ, ତେବେ ଆମକୁ ପିଲାମାନଙ୍କୁ ସଂକ୍ରମଣ ଠାରୁ ଦୂରରେ ରଖାଯିବାର ଆବଶ୍ୟକତା ରହିଛି। ଘରେ ଥିବା ବୟସ୍କମାନେ କୋଭିଡ ଉପଯୁକ୍ତ ବ୍ୟବହାର କରିବା ଉଚିତ୍। ସଂକ୍ରମିତ ହେବା ଏବଂ ସଂକ୍ରମଣ ଖେଳାଇବାର ଆଶଙ୍କା ଥିବାରୁ ସେମାନେ ନିଜକୁ ଜନଗହଳି ଠାରୁ ଦୂରରେ ରଖିବା ଉଚିତ୍।
ଏହାଛଡ଼ା ସମସ୍ତ ବୟସ୍କ ଟିକା ନେବା ଉଚିତ୍, ଯାହା ମଧ୍ୟ ବ୍ୟାପକ ଭାବେ ଶିଶୁମାନଙ୍କୁ ସୁରକ୍ଷିତ ରଖିପାରିବ। ବର୍ତ୍ତମାନ ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ଙ୍କ ପାଇଁ ଟିକା ଉପଲବ୍ଧ ହୋଇସାରିଛି। ଏହା ନିଶ୍ଚିତ ଭାବେ ଗର୍ଭରେ ବଢ଼ୁଥିବା ଭ୍ରୂଣ ଏବଂ ନବଜାତ ଶିଶୁକୁ ଏହି ପ୍ରାଣଘାତୀ ସଂକ୍ରମଣରୁ ସୁରକ୍ଷିତ ରଖିପାରିବ।
କୋଭିଡ-୧୯ର ଦ୍ବିତୀୟ ଲହରୀ ପିଲାମାନଙ୍କୁ କିଭଳି ପ୍ରଭାବିତ କରିଛି?
ଦ୍ବିତୀୟ ଲହରୀ ପିଲାମାନଙ୍କୁ ସମାନ ଭାବେ ପ୍ରଭାବିତ କରିଛି। କୋଭିଡ-୧୯ ଏକ ନୂଆ ଭୂତାଣୁ ଏବଂ ଏହା ସମସ୍ତ ବୟସବର୍ଗକୁ ପ୍ରଭାବିତ କରିଥାଏ, କାରଣ ଏହି ଭୂତାଣୁ ବିରୋଧରେ ଆମର ପ୍ରାକୃତିକ ରୋଗ ପ୍ରତିଷେଧକ ଶକ୍ତି ନାହିଁ। ଏନସିଡି/ଆଇଡିଏସପି ଡ୍ୟାଶବୋର୍ଡ ଅନୁଯାୟୀ ପାଖାପାଖି ୧୨ କୋଭିଡ ସଂକ୍ରମିତଙ୍କ ବୟସ ୨୦ ବର୍ଷରୁ କମ୍।
ନିକଟରେ ହୋଇଥିବା ସର୍ବେକ୍ଷଣରୁ ପିଲା ଓ ପ୍ରାପ୍ତ ବୟସ୍କଙ୍କ ଠାରେ ସମାନ ପଜିଟିଭିଟି ହାର ଦେଖିବାକୁ ମିଳୁଛି।
ତେବେ, ଦ୍ବିତୀୟ ଲହରୀ ସମୟରେ ଅଧିକ ସଂଖ୍ୟାରେ ଲୋକ ସଂକ୍ରମିତ ହୋଇଥିବା କାରଣରୁ ପିଲାମାନଙ୍କର ସଂକ୍ରମଣ ହାର ପ୍ରଥମ ଲହରୀ ତୁଳନାରେ ମଧ୍ୟ ଅଧିକ ରହିଥିଲା। ବର୍ତ୍ତମାନ ସୁଦ୍ଧା, ବୟସ୍କଙ୍କ ତୁଳନାରେ ଶିଶୁଙ୍କ ମୃତ୍ୟୁହାର କମ ରହିଛି ଏବଂ ପୂର୍ବରୁ ଦୁରାରୋଗ୍ୟରେ ପୀଡ଼ିତ ଶିଶୁ ମୃତ୍ୟୁର ଶିକାର ହେଉଛନ୍ତି।
ଶିଶୁ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ଆପଣ କେଉଁ ସମସ୍ୟା ଭୋଗୁଛନ୍ତି, ବିଶେଷ କରି ଯେଉଁମାନେ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି?
ମୁଖ୍ୟତଃ, କୋଭିଡ ସଂକ୍ରମିତ ଶିଶୁଙ୍କ ପାଇଁ ସମର୍ପିତ ଶଯ୍ୟା ସଂଖ୍ୟା ବୃଦ୍ଧି କରି ଆମେ ପିଲାମାନଙ୍କୁ ଚିକିତ୍ସା ଦେବାରେ ସକ୍ଷମ ହୋଇପାରିଛି। ତେବେ କୋଭିଡର ଦ୍ବିତୀୟ ଲହରୀ ସର୍ବୋଚ୍ଚ ସ୍ତରରେ ଥିବା ସମୟରେ ଆମେ କେତେକ ସମସ୍ୟାର ସମ୍ମୁଖିନ ହୋଇଥିଲୁ, କାରଣ ବହୁସଂଖ୍ୟକ ବରିଷ୍ଠ ଡାକ୍ତର, ରେସିଡେଣ୍ଟ ଡାକ୍ତର, ଷ୍ଟାଫ୍ ନର୍ସ ସଂକ୍ରମିତ ହୋଇଥିଲେ। ଅଧିକ ସଂକ୍ରମିତ ମାମଲା ଚିହ୍ନଟ ହେଉଥିବା ସମୟରେ ଆମେ ସବୁ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାରେ ସମସ୍ୟାର ସମ୍ମୁଖିନ ହେଉଥିଲୁ।
MIS-C କ’ଣ? ଦୟାକରି ଏହାର ସ୍ଥିତି ସମ୍ପର୍କରେ କୁହନ୍ତୁ, MIS-C ଚିକିତ୍ସାରେ କେଉଁ ସମସ୍ୟା ରହିଛି? ଅଭିଭାବକ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ଆଣ ଭାବୁଛନ୍ତି କି?
ଏହାର ଚିକିତ୍ସା ମଲ୍ଟିସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରମ (MIC) ହେଉଛି ଏକ ନୂଆ ସିଣ୍ଡ୍ରମ (ବିବିଧ ଲକ୍ଷଣ ବିଶିଷ୍ଟ ରୋଗ)। ଏହା ସାଧାରଣତଃ ୦-୧୯ ବର୍ଷ ବୟସ୍କ ଶିଶୁ ଏବଂ କିଶୋରଙ୍କ ଠାରେ ଦେଖାଦେଇଥାଏ। କୋଭିଡ ସଂକ୍ରମିତ ଜନସଂଖ୍ୟାରେ କୋଭିଡ-୧୯ ସଂକ୍ରମଣ ଶୀର୍ଷ ଛୁଇଁଥିବା ସମୟର ଦୁଇରୁ ଛଅ ସପ୍ତାହ ମଧ୍ୟରେ ଅଧିକାଂଶ ଏପରି ରୋଗୀ ଚିହ୍ନଟ ହୋଇଥିଲେ।
ଏହାର ତିନି ପ୍ରକାରର କ୍ଲିନିକାଲ କୋର୍ସ ସମ୍ପର୍କରେ ବର୍ଣ୍ଣନା କରାଯାଇଛି : ଲଗାତାର ଜ୍ବର ସହିତ ଶ୍ବାସକ୍ରିୟା ବୃଦ୍ଧି ପାଇବା ଭଳି ସମସ୍ୟା, ପ୍ରେଜେଣ୍ଟେସନ ଓ ଶକ୍ ଭଳି ବର୍ଗୀକୃତ କାଓ୍ବାସାକୀ ରୋଗ, ଇନୋଟ୍ରୋପିକ ଆବଶ୍ୟକତା ଥିବା ଏଲଭି ଅଚଳ ହେବା ସମସ୍ୟା ଏଥିରେ ଦେଖାଦେଇଥାଏ। ଗଓଝ-ଉର ନିଦାନ ପାଇଁ, ଅତ୍ୟାଧୁନିକ ଚିକିତ୍ସାର ଆବଶ୍ୟକତା ରହିଛି। ଏଚଡିୟୁ/ଆଇସିୟୁ ସୁବିଧା ଥିବା ତୃତୀୟକ ସ୍ବାସ୍ଥ୍ୟସେବା ଡାକ୍ତରଖାନାରେ ଏପରି ସମସ୍ତ ସନ୍ଦିଗ୍ଧ ରୋଗୀଙ୍କ ଚିକିତ୍ସା କରାଯିବା ଉଚିତ୍। ଆଗୁଆ ଚିହ୍ନଟ ହୋଇପାରିଲେ, ଏହାର ଚିକିତ୍ସା ସମ୍ଭବ ହୋଇପାରିବ।