
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବତନ ଆଇପିଏସ୍ ଅଧିକାରୀ କିରଣ ବେଦୀ ପଞ୍ଜାବର ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜାନୁୟାରୀ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫିରୋଜପୁର ଗସ୍ତ ସମୟରେ ପଞ୍ଜାବରେ ସୁରକ୍ଷା ଅଭାବ ସମ୍ପର୍କରେ ପୂର୍ବତନ ଆଇପିଏସ ଅଧିକାରୀ କିରଣ ବେଦୀ କହିଛନ୍ତି ଯେ, ସେହି ସମୟରେ ରାଜ୍ୟର ଡିଜିପି, ମୁଖ୍ୟ ସଚିବ, ଗୃହ ସଚିବ ଏବଂ ଡିଏମ ଅନୁପସ୍ଥିତ ଥିଲେ। ରାଜ୍ୟ ଅଧିକାରୀଙ୍କ ଅନୁପସ୍ଥିତିକୁ ନେଇ କିରଣ ବେଦୀ ପ୍ରଶ୍ନ କରିଛନ୍ତି ଯେ, ସେଠାରେ କୌଣସି ଆକ୍ରମଣ ଯୋଜନା ଥିଲା କି? ସେ କହିଛନ୍ତି ଯେ, ବ୍ରିଜ ନିକଟରେ ଅଟକି ରହିବା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ବ୍ରିଜ୍ ତଳେ ଯେକେହି ବୋମା ଲଗାଇପାରିଥାନ୍ତେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବିଫଳତାକୁ ନେଇ ପୂର୍ବତନ ଆଇପିଏସ୍ କିରଣ ବେଦୀ କହିଛନ୍ତି ଯେ, ଏହି ବ୍ରିଜ ଉପରେ ପ୍ରଧାନମନ୍ତ୍ରୀ ଅଟକିବା ଅତ୍ୟନ୍ତ ବିପଜ୍ଜନକ ଥିଲା। କାରଣ ବ୍ରିଜଟି ସହଜରେ ବୋମା ଦ୍ୱାରା ଉଡିଯାଇପାରେ। ସେ କହିଛନ୍ତି ଯେ, ସୁରକ୍ଷା ବିଫଳତାର ସବୁଠାରୁ ବଡ କାରଣ ହେଉଛି ଡିଜିପିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ଅନୁପସ୍ଥିତି। ଏହା ଏକ ଯୋଜନାବଦ୍ଧ ଆକ୍ରମଣର ମାମଲା ହୋଇପାରେ।