
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ରାଜଧାନୀ ଦିଲ୍ଲୀର ବିଜେପି ସାଂସଦ ପ୍ରବେଶ ବର୍ମାଙ୍କ ବାସଭବନରେ ଦୁଇଶହ ପଚାଶରୁ ଅଧିକ ଜାଟ ନେତାଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନାନୁସାରେ, ଏହି ବୈଠକରେ ଗୋଟିଏ ପଟେ ଜାଟ ନେତାମାନେ ଅମିତ ଶାହାଙ୍କ ଆଗରେ ଦୁଇଟି ପ୍ରମୁଖ ଦାବି କରିଥିଲେ। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ସହ ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜୟନ୍ତ ଚୌଧୁରୀଙ୍କ ଆରଏଲଡିକୁ ବିଜେପି ମେଣ୍ଟରେ ଯୋଗଦେବାକୁ ଅମିତ ଶାହା ଅଫର ଦେଇଛନ୍ତି।
ବୈଠକରେ ଜାଟ ନେତାମାନେ ଅମିତ ଶାହାଙ୍କ ଆଗରେ ଦୁଇଟି ପ୍ରମୁଖ ଦାବି କରିଥିଲେ ଯେଉଁଥିରେ ପ୍ରଥମ ଦାବି ହେଲା ୧୪ ଦିନ ମଧ୍ୟରେ ଆଖୁ ଦେୟ ଦିଆଯିବା ଉଚିତ ଏବଂ ଦ୍ୱିତୀୟଟି ହେଲା ଜାଟମାନଙ୍କୁ ସଂରକ୍ଷଣ ଦିଆଯିବା ଉଚିତ। ଏହା ଉପରେ ଅମିତ ଶାହା କହିଛନ୍ତି ଯେ ଜାଟମାନଙ୍କ ସହ ତାଙ୍କର ଏକ ବିଶେଷ ସଂଯୋଗ ଅଛି ଏବଂ ସେମାନଙ୍କର ଦାବି ତାଙ୍କ ହୃଦୟରେ ଅଛି। ନିର୍ବାଚନ ପରେ ସେ ଏସବୁ ଉପରେ କାମ କରିବେ।
ଏହି ବୈଠକରେ ଅମିତ ଶାହା ଆରଏଲଡିର ଜୟନ୍ତ ଚୌଧୁରୀଙ୍କୁ ମେଣ୍ଟ ପାଇଁ ଅଫର ପ୍ରଦାନ କରିଥିଲେ। ଗୃହମନ୍ତ୍ରୀ ଅମିତ ଶାହା ଏହି ବୈଠକରେ କହିଛନ୍ତି ଯେ, ଆମେ ଚୌଧୁରୀ ଚରଣ ସିଂଙ୍କୁ ସମ୍ମାନ ଦେଉଛୁ। ତାଙ୍କ ଉତ୍ତରାଧିକାରୀଙ୍କ ପାଇଁ ଆମେ ପୂର୍ବରୁ ଦ୍ୱାର ଖୋଲା ରଖିଥିଲୁ ଏବଂ ଭବିଷ୍ୟତରେ ଯଦି ସେ ଇଚ୍ଛା କରନ୍ତି, ତେବେ ତାଙ୍କ ସହ କଥାବାର୍ତ୍ତା ପାଇଁ ଦ୍ୱାର ଖୋଲା ଅଛି।
ବିଜେପିର ଅଫର ଉପରେ ଜୟନ୍ତ ଚୌଧୁରୀଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ଅଫର ମୋତେ ନୁହେଁ, ସେହି ୭୦୦ କୃଷକ ପରିବାରକୁ ଦିଅ, ଯାହାର ଘର ତୁମେ ନଷ୍ଟ କରି ଦେଇଛ।
ବୈଠକ ପରେ ପ୍ରବେଶ ବର୍ମା କହିଛନ୍ତି ଯେ, “ଖୋଲା ମନ ସହ କଥା ହୋଇଛି। ସମାଜର ଲୋକମାନେ ବିଶ୍ବାସ କରନ୍ତି ଯେ, ଜୟନ୍ତ ଚୌଧୁରୀ ଭୁଲ ପଥରେ ଯାଇଛନ୍ତି। ଆମେ ତାଙ୍କ ସହ କଥା ହେବୁ। ନିର୍ବାଚନ ପରେ ସେ ଫେରିବେ କି ନାହିଁ ତାହା ସେ ସ୍ଥିର କରିବେ। “