Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପରମାଣୁ ବୋମା ଇତିହାସର ଏକ ଆଶ୍ଚର୍ଯ୍ୟ ଏବଂ ଅନାଲୋଚିତ ଅଧ୍ୟାୟ
ବିଶେଷ ଖବର

ପରମାଣୁ ବୋମା ଇତିହାସର ଏକ ଆଶ୍ଚର୍ଯ୍ୟ ଏବଂ ଅନାଲୋଚିତ ଅଧ୍ୟାୟ

January 31, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link

ବିଜନ କୁମାର ମହାପାତ୍ର

୧୯୪୫ ଅଗଷ୍ଟରେ ସାମ୍ରାଜ୍ୟବାଦୀ ଜାପାନର ହିରୋସୀମା ଓ ନାଗାସାକି ସହର ଉପରେ ତିନିଦିନ ବ୍ୟବଧାନରେ ପରମାଣୁ ବୋମା ପକାଇଥିଲା ଆମେରିକା। ଏହି ଦୁଇ ପରମାଣୁ ବୋମା ଯାହାର ନାମ ଥିଲା ‘ଲିଟିଲ ବୟ’ ଓ ‘ଫ୍ୟାଟ ମ୍ୟାନ୍‌’ ହିରୋସୀମା ଓ ନାଗାସାକିରେ ରଚିଥିଲେ ମୃତ୍ୟୁର ତାଣ୍ଡବ ଲୀଳା। ଅଗଷ୍ଟ ୬, ୧୯୪୫ରେ ହିରୋସୀମାରେ ପଡିଥିବା ବିଶ୍ୱର ପ୍ରଥମ ପରମାଣୁ ବୋମାରେ ପ୍ରାଣ ହରାଇଥିଲେ ୧ ଲକ୍ଷ ୩୦ ହଜାରରୁ ଅଧିକ ଲୋକ। ତିନି ଦିନ ପରେ ଅଗଷ୍ଟ ୯ ତାରିଖରେ ନାଗାସାକି ସହରରେ ଆମେରିକା ନିକ୍ଷେପ କରିଥିବା ଦ୍ୱିତୀୟ ପରମାଣୁ ବୋମାରେ ୭୦ ହଜାର ଲୋକଙ୍କ ଜୀବନ ଯାଇଥିଲା।

ପରମାଣୁ ବୋମାର ଭୀଷଣ ଭୟାବହତା ଓ ଅନ୍ୟ ପ୍ରତିକୂଳ କାରଣ ଯୋଗୁଁ ଯୁଦ୍ଧ ବିରତି ଓ ଆତ୍ମ ସମର୍ପଣ ପାଇଁ ଘୋଷଣା କରିଥିଲା ଜାପାନ। ୧୯୪୫ ମେ ମାସରେ ନାଜି ଜର୍ମାନୀକୁ ସୋଭିଏତ ସଂଘ ଓ ମିତ୍ର ଶକ୍ତି ଅଧିକାର କଲା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏକ ପ୍ରକାର ଶେଷ ହୋଇଯାଇଥିଲେ ମଧ୍ୟ ଜାପାନ ଆତ୍ମସମର୍ପଣ ପାଇଁ ମନା କରିଥିଲା। ତେଣୁ ପରମାଣୁ ବୋମାରେ ନିଜର ଦୁଇ ସହର ଧ୍ୱଂସ ହେବା ପରେ ହିଁ ଆତ୍ମସମର୍ପଣ କରିଥିଲା ଜାପାନ। ଏଥିସହ ଆନୁଷ୍ଠାନିକ ଭାବେ ଶେଷ ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ।

ଜାପାନ ଉପରେ ଆମେରିକାର ପରମାଣୁ ବୋମା ପ୍ରୟୋଗ ଓ ଏହାର ଭୟାବହତା ସଂପର୍କରେ ଆଜି ବି ଆଲୋଚନା ହୁଏ। କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ପରମାଣୁ ବୋମା ସହ ଜଡିତ ଏକ ରୋଚକ ଅଧ୍ୟାୟ ସଂପର୍କରେ ଆଜି ବି ଖୁବ୍ କମ ହିଁ ଜାଣନ୍ତି। ସେହି ରୋଚକ ଅଧ୍ୟାୟ। ଆଫ୍ରିକା ମହାଦେଶର ଏକ ଛୋଟ ଗରିବ ରାଷ୍ଟ୍ର ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ- ଡିଆରସି ( ପୂର୍ବର ବେଲଜିଆନ କଙ୍ଗୋ ) ସହ ଜଡିତ। କଙ୍ଗୋର ନାଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ ହୀରୋସୀମା ଓ ନାଗାସାକିରେ ପଡିଥିବା ପରମାଣୁ ବୋମା ସହ ସବୁବେଳେ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇ ରହିଛି। କିନ୍ତୁ ଏ ପ୍ରସଙ୍ଗରେ କ୍ୱଚିତ ଆଲୋଚନା ହୁଏ।

ଜାପାନରେ ପରମାଣୁ ବୋମା ପଡିବାର ୭୫ତମ ବାର୍ଷିକୀ ଉପଲକ୍ଷେ ପାଠକମାନଙ୍କୁ ଇତିହାସର ସେହି କମ୍ ଅନାଲୋଚିତ ଅଧ୍ୟାୟ ଉପରେ ଅବଗତ କରିବା ଉଚିତ ହେବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତତ୍କାଳୀନ କଙ୍ଗୋ ଥିଲା ବେଲଜିୟମର ଉପନିବେଶ ରାଷ୍ଟ୍ର। ତେଣୁ ସେହି ଦେଶ ସେତେବଳେ ବେଲଜିଆନ କଙ୍ଗୋ ଭାବେ ପରିଚିତ ଥିଲା। କଙ୍ଗୋର କାଟାଙ୍ଗା ରାଜ୍ୟରେ ରହିଛି ସିଙ୍କୋଲବୱେ ଖଣି। ପ୍ରଚୁର ୟୁରାନିୟମରେ ଭରପୂର ଥିଲା ଏହି ଖଣି। ଆମେରିକା, ବ୍ରିଟେନ ଓ କାନାଡାର ‘ମାନହଟନ ପ୍ରୋଜେକ୍ଟ’ ପାଇଁ ଆବଶ୍ୟକ ୟୁରାନିୟମର ମୁଖ୍ୟ ଉତ୍ସ ଥିଲା କଙ୍ଗୋର ସିଙ୍କୋଲବୱେ ଖଣି। ପରମାଣୁ ବୋମା ଏହି ମାନହଟନ ପ୍ରୋଜେକ୍ଟରୁ ସୃଷ୍ଟି ହୋଇଥିଲା।

କଙ୍ଗୋର ଖଣିଜ ଅଂଚଳ ସିଙ୍କୋଲବୱେରେ ୧୯୧୫ ମସିହାରେ ଆବିଷ୍କୃତ ହୋଇଥିଲା ୟୁରାନିୟମ। କଙ୍ଗୋରେ ଥିଲା ବେଲଜିୟମର ଶାସନ। ସେତେବେଳେ ୟୁରାନିୟମର ଚାହିଦା ପ୍ରାୟ ନ ଥିଲା ବୋଲି କହିଲେ ଭୁଲ୍ ହେବ ନାହିଁ। ଭୂତତ୍ୱବିତମାନେ ୟୁରାନିୟମ ଶିଳାକୁ ଅଦରକାରୀ ପଥର ବୋଲି କହି ଏଡାଇ ଦେଉଥିଲେ। ତେଣୁ ସିଙ୍କୋଲବୱେରେ ୟୁରାନିୟମର ସନ୍ଧାନ ମିଳିବା ପରେ ମଧ୍ୟ ସେଠାରେ ବେଲଜିୟମର ଖଣିଜ କଂପାନି ‘ୟୁନିଅନ ମିନିଏରେ’ ଏଥିପ୍ରତି କୌଣସି ଆଗ୍ରହ ଦେଖାଇ ନ ଥିଲା। ବରଂ ରେଡିୟମର ବି ସନ୍ଧାନ ମିଳିଥିବାରୁ ବେଲଜିୟମ କଂପାନି ସେହି ଜାଗାର ମାଇନିଂ କରିଥିଲା।

୧୯୩୮ରେ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଏକ ନୂଆ ଆବିଷ୍କାର ହୋଇଥିଲା। ସେହି ନୂଆ ଆବିଷ୍କାର ଥିଲା ପରମାଣୁ ବିଘଟନ ବା ନ୍ୟୁକ୍ଲିୟର ଫିଜନ୍। ଏହି ଆବିଷ୍କାର ଫଳରେ ହିଁ ୟୁରାନିୟମର ବ୍ୟବହାର ଉପଯୋଗୀ ସମ୍ଭାବନା ବୃୃଦ୍ଧି ପାଇଲା। ପରମାଣୁ ବିଘଟନ ଆବିଷ୍କାର ସଂପର୍କରେ ଶୁଣିଲା ପରେ ପ୍ରଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି ରୁଜଭେଲଟଙ୍କୁ ଏକ ଚିଠି ଲେଖି ୟୁରାନିମର ଉପଯୋଗିତା ବିଷୟରେ ଜଣାଇଥିଲେ। ୟୁରାନିୟମରୁ ଅମାପ ଶକ୍ତି ସୃଷ୍ଟି କରାଯାଇପାରିବା ସହ ଶକ୍ତିଶାଳୀ ବୋମା ବି ନିର୍ମାଣ ହୋଇପାରିବ ବୋଲି ଆଇନଷ୍ଟାଇନ୍ ରୁଜଭେଲଟଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ।

୧୯୩୯ରେ ଆରମ୍ଭ ହୋଇଥିଲା ଆମେରିକାର ମହତ୍ୱାକାଂକ୍ଷୀ ‘ମାନହଟନ ପ୍ରୋଜେକ୍ଟ’। କାର‌୍ୟ୍ୟକାରୀ ପରମାଣୁ ଅସ୍ତ୍ର ବିକଶିତ କରିବା ଥିଲା ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ। ପ୍ରୋଜେକ୍ଟ ପାଇଁ ଆବଶ୍ୟକ ହେଉଥିଲା ବିପୁଳ ୟୁରାନିୟମ। ଆମେରିକାର କଲରାଡୋ ଓ କାନାଡାରେ ବି ୟୁରାନିୟମ ଉପଲବ୍ଧ ଥିଲା। କିନ୍ତୁ କଙ୍ଗୋର ସିଙ୍କୋଲବୱେରେ ହିଁ ଅଧିକ ପରିମାଣରେ ଉପଲବ୍ଧ ଥିଲା ୟୁରାନିୟମ। ଆମେରିକାର ସାମରିକ ରଣନୀତିଜ୍ଞମାନେ କିନ୍ତୁ କଙ୍ଗୋରୁ ହିଁ ଅଧିକରୁ ଅଧିକ ପରିମାଣର ୟୁରାନିୟମ ଆଣିବାକୁ ନିଷ୍ପତି ନେଇଥିଲେ। କାରଣ କଙ୍ଗୋର ସିଙ୍କୋଲବୱେ ଖଣିର ୟୁରାନିୟମ ଥିଲା ସବୁଠାରୁ ଶୁଦ୍ଧ ଓ ସମୃୃଦ୍ଧ।

କଙ୍ଗୋରୁ ୟୁରାନିୟମ ଆଣିବା ପାଇଁ ମାନହଟନ ପ୍ରୋଜେକ୍ଟର ଅଂଶୀଦାର ବ୍ରିଟେନ ସହ ଯୋଗାଯୋଗ କରିଥିଲା ଆମେରିକା। ବେଲଜିୟମ ଖଣି କଂପାନି ୟୁନିଅନ ମିନିଏରେରେ ବ୍ରିଟେନ ସରକାରଙ୍କ ୩୦ ପ୍ରତିଶତ ମାଲିକାନା ଥିଲା। ବ୍ରିଟେନ ସହଯୋଗରେ ଆମେରିକା, କଙ୍ଗୋରୁ ପ୍ରଚୁର ପରିମାଣରେ ୟୁରାନିୟମ ଆଣିବାରେ ସଫଳ ହେଲା। ବେଲଜିୟମ ଅଧୀନରେ ଥିବା କଙ୍ଗୋର ଶ୍ରମିକମାନେ ଦିନରାତି ହାଡଭଙ୍ଗା ପରିଶ୍ରମ କରି ଆମେରିକାକୁ ୟୁରାନିୟମ ପଥର ପଠାଇବାରେ ସାହାଯ୍ୟ କରିଥିଲେ। କିଏ ଜାଣିଥିଲା ଯେ, ସେମାନଙ୍କ ଏହି ଝାଳବୁହା ପରିଶ୍ରମ ବ୍ୟର୍ଥ ହୋଇ ଦିନେ ମାନବସମାଜ ପ୍ରତି ବଡ ବିପଦର କାରଣ ହେବ?

ମାନହଟନ ପ୍ରୋଜେକ୍ଟକୁ ଅତି ଗୁପ୍ତ ରଖାଯାଇଥିଲା। ପ୍ରୋଜେକ୍ଟ ପାଇଁ ୟୁରାନିୟମ ଚାଲାଣ ବି ଅତି ଗୁପ୍ତରେ ଚାଲିଥିଲା। ବିଶ୍ୱଯୁଦ୍ଧରେ ‘କେନ୍ଦ୍ର ଶକ୍ତି’ ଯେପରି ଟେର୍ ନ ପାଇବ, ସେଥିପାଇଁ ସିଙ୍କୋଲବୱେ ଖଣି ସଂପର୍କରେ ଜାଣିଶୁଣି ମିଥ୍ୟା ଖବର ପ୍ରଚାର କରାଯାଇଥିଲା। ୟୁରାନିୟମକୁ ରତ୍ନପଥର ଓ ସାଧାରଣ କଂଚାମାଲ ବୋଲି ପ୍ରଚାର କରାଗଲା। ଆମେରିକା ଓ ଏହାର ସହଯୋଗୀ ସିଙ୍କଲବୱେର ନାଁ ଧରୁ ନ ଥିଲେ। ଜର୍ମାନୀ ଓ ତାହାର ସହଯୋଗୀଙ୍କ ନଜର ଯେମିତି ନ ପଡିବ, ସେଥିପାଇଁ ସିଙ୍କଲବୱେରେ ଗୁପ୍ତଚର ମୁତୟନ ବି କରାଯାଇଥିଲା।

କଙ୍ଗୋର ସିଙ୍କଲବୱେ ଖଣିର ୟୁରାନିୟମ ହିଁ ମାନହଟନ ପ୍ରୋଜେକ୍ଟକୁ ସମୃଦ୍ଧ କରିଥିଲା। ଏହି ପ୍ରୋଜେକ୍ଟ ଅନ୍ତର୍ଗତ ପରମାଣୁ ବୋମାର ନିର୍ମାଣ ସହ ପରୀକ୍ଷଣ କରିଥିଲା ଆମେରିକା। ୧୯୪୫ ମସିହା ଜୁଲାଇ ୧୬ ତାରିଖରେ ନ୍ୟୁ ମେକସିକୋର ମରୁଭୂମିରେ ପଦାର୍ଥ ବିଜ୍ଞାନୀ ଜେ. ରବର୍ଟ ଆଇଜନହାୟରଙ୍କ ନେତୃତ୍ୱରେ ବିଶ୍ୱର ପ୍ରଥମ ପରମାଣୁ ବୋମାର ପରୀକ୍ଷଣ କରିଥିଲା ଆମେରିକା। ଏହି ମିଶନର ନାମ ଥିଲା ‘ଟ୍ରିନିଟି’।

ପରୀକ୍ଷିତ ପରମାଣୁ ବୋମାର ନାମ ଥିଲା ‘ଦି ଗେଜେଟ୍‌’। ଆମେରିକାର ଏହି ପରମାଣୁ ବୋମା ୨୧ କିଲୋଟନ୍ ବିଶିଷ୍ଟ ଥିଲା । କିଛି ଦିନ ପରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପ୍ରୟୋଗ କରି ସାରା ଦୁନିଆକୁ ଚକିତ କରିଦେଇଥିଲା। ହିରୋସୀମା ଓ ନାଗାସାକିରେ ସଂଘଟିତ ଧ୍ୱଂସର ଲୀଳା ପରେ ପରମାଣୁ ବୋମାର ଭୟାବହତା ସଂପର୍କରେ ଅବଗତ ହେଲା ଦୁନିଆ। ଜାପାନରେ ପଡିଥିବା ଆମେରିକାର ବିନାଶକାରୀ ପରମାଣୁ ବୋମା ନିର୍ମାଣ ପଛରେ ଯେ, ଏକ ଦରିଦ୍ର, ଉପନିବେଶ ରାଷ୍ଟ୍ରର ୟୁରାନିୟନ ବ୍ୟବହାର ହୋଇଥିଲ.ତାହା ଜାଣିବାକୁ ବେଶ୍ କିଛି ବର୍ଷ ଲାଗିଯାଇଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେଲା ପରେ ମଧ୍ୟ କଙ୍ଗୋର ସିଙ୍କଲବୱେ ଖଣିର ୟୁରାନିୟମ ସଂପର୍କରେ ସୂଚନା ଗୁପ୍ତ ରଖାଯାଇଥିଲା। ଆମେରିକା ନିର୍ମାଣ କରିଥିବା ପରମାଣୁ ବୋମାରେ କାନାଡାର ୟୁରାନିୟମ ବ୍ୟବହାର ହୋଇଥିଲା ବୋଲି ପ୍ରଚାର କରାଯାଇଥିଲା। କଙ୍ଗୋର ସିଙ୍କଲବୱେ ୟୁରାନିୟମ ବାବଦରେ କେହି ନ ଜାଣିବା ଚାହୁଁଥିଲେ ଆମେରିକା ଓ ତାର ସହଯୋଗୀ। କିନ୍ତୁ ପରେ ଏହି ରହସ୍ୟ ପ୍ରଘଟ ହୋଇଯାଇଥିଲା।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କମ୍ୟୁନିଷ୍ଟ ସୋଭିଏତ ସଂଘ ମଧ୍ୟ ବିଶ୍ୱର ଏକ ପ୍ରମୁଖ ଶକ୍ତି ଭାବେ ମୁଣ୍ଡ ଟେକିଲା। ପରମାଣୁ ବୋମା ନିର୍ମାଣ ପାଇଁ ସୋଭିଏତ ସଂଘ ବି ଉଦ୍ୟମ ଆରମ୍ଭ କଲା। ୟୁରାନିୟମ ସମୃଦ୍ଧକରଣ ପାଇଁ ଉନ୍ନତ ଜ୍ଞାନକୌଶଳ ବି ବାହାରିଲା। ତେଣୁ ଉନ୍ନତ ୟୁରାନିୟନ ପାଇଁ କଙ୍ଗୋର ସିଙ୍କଲବୱେ ଖଣିରେ ପାଶ୍ଚାତ୍ୟ ଶକ୍ତିମାନଙ୍କ ନିର୍ଭରଶୀଳତା କମ୍ ହେବାରେ ଲାଗିଲା। କିନ୍ତୁ ଏହି ଖଣି ଶୀତଳ ଯୁଦ୍ଧର ପ୍ରକ୍ସି ଗ୍ରାଉଣ୍ଡ୍ ଭାବେ ଉଭା ହେଲା।

ଶୀତଳ ଯୁଦ୍ଧ ବେଳେ ଆମେରିକା କଙ୍ଗୋର ୟୁରାନିୟମ ଆଉ ଚାହୁଁ ନ ଥିଲା। ହେଲେ ପ୍ରତିଦ୍ୱନ୍ଦୀ ସୋଭିଏତ ସଂଘ ଓ ତାହାର ସହଯୋଗୀମାନେ ଯେଭଳି କଙ୍ଗୋର ୟୁରାନିୟମ ଉପରେ ଅଧିକାର ସାବ୍ୟସ୍ତ ନ କରିବେ, ସେଥିପାଇଁ ପଦକ୍ଷେପ ନେଇଥିଲା ଆମେରିକା । ଏପରିକି ସେଠାରେ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଏକ ସରକାରକୁ ଗାଦିଚ୍ୟୁତ କରି ନିଜର କାଠ କଣ୍ଢେଇ ସରକାର ବସାଇଥିଲା ଆମେରିକା।

୧୯୬୦ ମସିହାରେ ବେଲଜିୟମଠାରୁ କଙ୍ଗୋ ସ୍ୱାଧୀନତା ହାସଲ କଲା ପରେ ସିଙ୍କଲବୱେ ଖଣିକୁ ବନ୍ଦ କରିଦିଆଯାଇଥିଲା। କିନ୍ତୁ ପରମାଣୁ ବୋମା , ହୀରୋସୀମା ଓ ନାଗାସାକିର ଅଭୁଲା, ଅସରନ୍ତି ଯନ୍ତ୍ରଣା ସହ କଙ୍ଗୋର ନାଁ ସର୍ବଦା ଜଡିତ ହୋଇ ରହିବ।

                                                         ଚାଣକ୍ୟ ନଗର, ଲାଂଜିପଲ୍ଲୀ, ବ୍ରହ୍ମପୁର

ଅନାଲୋଚିତ ଅଧ୍ୟାୟ ଆମେରିକା ଇତିହାସ ନାଗାସାକି ପରମାଣୁ ବୋମା ହିରୋସୀମା
Share. Facebook Twitter LinkedIn Email WhatsApp Copy Link

Related Posts

ପରବର୍ତ୍ତୀ ଉପରାଷ୍ଟ୍ରପତି ବିଜେପିରୁ ହେବେ!, ସହଯୋଗୀ ଦେଲେ ସମର୍ଥନ: ଜାଣନ୍ତୁ ଅପଡେଟ୍

July 24, 2025

ମୋହନ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ ବୋଲି କଂଗ୍ରେସର ଆହ୍ବାନ ପରେ ଅଡୁଆରେ ବିଜେଡି

July 24, 2025

ବିହାରରୁ ହେବେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି?:ଏହି ନେତାଙ୍କୁ ଭେଟିଲେ ଜେପି ନଡ୍ଡା, ଜୋର ଧରିଲା ଚର୍ଚ୍ଚା

July 24, 2025

ମୋହନ ସରକାରଙ୍କ ବିରୋଧରେ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ କରିବ, ଭକ୍ତ ଦାସ

July 23, 2025
Latest News

୩୦୦୦ କୋଟିର ଋଣ ଠକେଇ ମାମଲା: ଅନିଲ ଅମ୍ବାନୀ ଗ୍ରୁପ୍ ଉପରେ ଇଡିର କାର୍ଯ୍ୟାନୁଷ୍ଠାନ, ୫୦ ଟି ସ୍ଥାନରେ ଚଢାଉ

July 24, 2025

ଖଲ୍ଲିକୋଟ ପୋଲିସ ପକ୍ଷରୁ କାର ସମେତ ବିପୁଳ ପରିମାଣର ମଦ ଜବତ: ଚାଳକ ଗିରଫ

July 24, 2025

ସମ୍ୱଲପୁର ନିକଟରେ ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଟ୍ରାକରୁ ଖସିଲା ଜେନେରାଲ କୋଚ୍‌ର ଗୋଟିଏ ବଗି

July 24, 2025

ସଚିନ ତେନ୍ଦୁଲକରଙ୍କର ଏହି ବଲିଉଡ୍ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିଲା?: ଅନେକ ବର୍ଷ ପରେ ସାମ୍ନାକୁ ଆସିଲା ସତ୍ୟ

July 24, 2025

ଚିତାଲାଗି ଅମାବାସ୍ୟା ଓ ଚିତଉ ଭୋଗ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.