ସରିଲା ପ୍ରଥମ ଚରଣ ନିର୍ବାଚନ: ହେଲା ୭୦ ପ୍ରତିଶତରୁ ଅଧିକ ମତଦାନ

Published: Feb 16, 2022, 6:31 pm IST

ଭୁବନେଶ୍ବର: ଆଜି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଚରଣ ପାଇଁ ମତଦାନ ଶେଷ ହୋଇଯାଇଛି। କିଛି ସ୍ଥାନକୁ ଛାଡିଦେଲେ ସବୁ ସ୍ଥାନରେ ଶାନ୍ତିଶୃଙ୍ଖଳା ସହ ମତଦାନ ହୋଇଛି। ଆଜି ଉତ୍ସାହର ସହ ଭୋଟରମାନେ ମତଦାନ କରୁଥିବା ଦେଖିବାକୁ ମିଳିଛି।

ଯେଉଁ କିଛି ସ୍ଥାନରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଥିଲା, ତାହାର ପୁନାରାବୃତ୍ତି ଯେପରି ନହେବ, ସେଥିପ୍ରତି ଗୁରୁତ୍ଵ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢି କହିଛନ୍ତି।

ଆଜି ମୋଟ ୭୧ଟି ବ୍ଲକର ୧୬୬୯ଟି ଗ୍ରାମ ପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୨,୩୭୯ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଛି। କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ଡୁଣ୍ଡାମେଲା ଗ୍ରାମ ପଞ୍ଚାୟତର ୱାର୍ଡ ନମ୍ବର ୧୧ରେ ବିଶେଷ କାରଣରୁ ନିର୍ବାଚନ ହୋଇନାହି। ଏହା ସହିତ ଢେଙ୍କାନାଳର ୩ଟି ବୁଥ୍, ଯାଜପୁରର ୭ଟି ବୁଥ୍ ଓ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇବା ପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ।

ତେବେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୦ ପ୍ରତିଶତ ମତଦାନ ହୋଇଛି। କିନ୍ତୁ ଏହି ସଂଖ୍ୟା ବଢିପାରେ। ଆଜି ମତଦାନ ସରିବା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ।

Related posts