ଆକାଂକ୍ଷା ଜିଲ୍ଲାଗୁଡିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଓଡିଶା ଆସୁଛନ୍ତି ୧୦ କେନ୍ଦ୍ରମନ୍ତ୍ରୀ

Published: Apr 12, 2022, 3:26 pm IST

ଭୁବନେଶ୍ୱର : ଓଡିଶାର  ୧୦ଟି ଆକାଂକ୍ଷା ଜିଲ୍ଲାଗୁଡିକର କେନ୍ଦ୍ରୀୟ ଯୋଜନାର ବାସ୍ତବ ରୂପ ପରଖିବା ପାଇଁ ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ। ଏହିଦଶଟି ଜିଲ୍ଲା ପାଇଁ କେନ୍ଦ୍ର ସରକାର ୧୦ ଜଣ ମନ୍ତ୍ରୀଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଡ.ସଞ୍ଜୀବ କୁମାର ବାଲ୍ୟାନ ଓଡିଶା ଆସି ଆଜି କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି ।

ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୩ ରୁ ୧୬ ପର୍ଯ୍ୟନ୍ତ ୪ ଦିନିଆ ଓଡିଶା ଗସ୍ତରେ ଆସି ଢେଙ୍କାନାଳ ଜିଲ୍ଲାରେ କେନ୍ଦ୍ରୀୟ ଜନକଲ୍ୟାଣ ଯୋଜନାର ସମୀକ୍ଷା କରିବେ । ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ – ମାଲକାନଗିରି; ଶ୍ରୀ ଅର୍ଜୁନ ମୁଣ୍ଡା – କଳାହାଣ୍ଡି; ଶ୍ରୀ ପ୍ରହ୍ଲାଦ ସିଂ ପଟେଲ – ଗଜପତି; ସାଧ୍ୱୀ ନିରଂଜନା ଜ୍ୟୋତି – ବଲାଙ୍ଗୀର; ପ୍ରଫେସର ଏସ.ବାଘେଲ – ନୂଆପଡା; ସୁଶ୍ରୀ ଶୋଭା କରନ୍ଦଲାଜେ – ନବରଙ୍ଗପୁର; ଶ୍ରୀ ସୋମ ପ୍ରକାଶ-ରାୟଗଡା ଏବଂ ଡ.ଶୁଭ ସରକାର – କନ୍ଧମାଳ ଜିଲ୍ଲା ଗସ୍ତ କରିବେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ସୁଚନା ଦେଇଛନ୍ତି ।

ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀମାନେ କେନ୍ଦ୍ରୀୟ ଜନକଲ୍ୟାଣ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନ; ବାସ୍ତବ ସ୍ଥିତି ନିରୀକ୍ଷଣ; ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ହିତାଧିକାରୀ, ସ୍ଥାନୀୟ ସାଂସଦ, ବିଧାୟକ, ଚେୟାରମ୍ୟାନ, ସରପଂଚ ଓ ଅନ୍ୟ ଜନପ୍ରତିନିଧି ଏବଂପାର୍ଟୀ କାର୍ଯ୍ୟକର୍ତାଙ୍କ ସହ ବିସ୍ତୃତ ଆଲୋଚନା କରିବେ । ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀମାନେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗସ୍ତ ସଂପର୍କରେ ଅବଗତ କରାଇବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Related posts