Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେନ୍ଦ୍ର ସରକାରଙ୍କ ୩ ଟି ବୀମା ଏବଂ ପେନସନ ଯୋଜନାକୁ ପୂରିଲା ୭ ବର୍ଷ, ଜାଣନ୍ତୁ ସବିଶେଷ ତଥ୍ୟ
ବିଶେଷ ଖବର

କେନ୍ଦ୍ର ସରକାରଙ୍କ ୩ ଟି ବୀମା ଏବଂ ପେନସନ ଯୋଜନାକୁ ପୂରିଲା ୭ ବର୍ଷ, ଜାଣନ୍ତୁ ସବିଶେଷ ତଥ୍ୟ

May 9, 2022No Comments7 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନୋଟି ସାମାଜିକ ସୁରକ୍ଷା (ଜନ ସୁରକ୍ଷା) ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ), ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା (ପିଏମଏସବିୱାଇ) ଏବଂ ଅଟଳ ପେନସନ ଯୋଜନା (ଏପିୱାଇ) କାର୍ଯ୍ୟକାରୀ ହେବାର ୭ ବର୍ଷ ପୂରଣ ହୋଇଛି। ସପ୍ତମ ବର୍ଷ ପୂର୍ତ୍ତି ସମାରୋହ ଅବସରରେ ଆସନ୍ତୁ ଜାଣିବା ଏସବୁ ଯୋଜନାର କେତେକ ବୈଶିଷ୍ଟ୍ୟ ସମ୍ପର୍କରେ ଯାହାକି ଦେଶର ସାଧାରଣ ନାଗରିକମାନଙ୍କୁ ସୁଲଭ ଦରରେ ବୀମା ଏବଂ ସୁରକ୍ଷା ପ୍ରଦାନ କରିଛି। ଏସବୁ ଯୋଜନାର ମୁଖ୍ୟ ଉପଲବ୍ଧି ଏବଂ ବୈଶିଷ୍ଟ୍ୟ:

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୯ ମେ, ୨୦୧୫ରେ ପଶ୍ଚିମବଙ୍ଗର କୋଲକାତା ଠାରେ ପିଏମଜେଜେବିୱାଇ, ପିଏମଏସବିୱାଇ ଏବଂ ଏପିୱାଇ ଯୋଜନାର ଶୁଭାରମ୍ଭ କରିଥିଲେ।

ଉପରୋକ୍ତ ତିନୋଟି ସାମାଜିକ ସୁରକ୍ଷା ଯୋଜନା ଅପ୍ରାତ୍ୟାଶିତ ବିପତ୍ତି/କ୍ଷତି ଏବଂ ଆର୍ଥିକ ଅନିଶ୍ଚିତତା ଠାରୁ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ରଖିବାର ଆବଶ୍ୟକତା ପୂରଣ କରିବା ସହିତ ନାଗରିକଙ୍କ କଲ୍ୟାଣ ପ୍ରତି ସମର୍ପିତ। ଦେଶର ଅସଂଗଠିତ କ୍ଷେତ୍ରର ଲୋକମାନଙ୍କର ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ଦୁଇଟି ବୀମା ଯୋଜନା ଆରମ୍ଭ କରିଥିଲେ-

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ) ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ)। ଏଥିସହିତ ବୃଦ୍ଧାବସ୍ଥାରେ ଆବଶ୍ୟକତାକୁ ପୂରଣ କରିବା ଲାଗି ଅଟଳ ପେନସନ ଯୋଜନା (ଏପିୱାଇ)ର ଶୁଭାରମ୍ଭ କରାଯାଇଥିଲା।

ପିଏମଜେଜେବିୱାଇ ଏବଂ ପିଏମଏସବିୱାଇ ଲୋକମାନଙ୍କୁ କମ୍‌ ଖର୍ଚ୍ଚରେ ଜୀବନ/ଦୁର୍ଘଟଣା ବୀମା କଭର ସୁରକ୍ଷା ଦେଇଥାଏ, ଅନ୍ୟପକ୍ଷରେ ଏପିୱାଇ ବୃଦ୍ଧାବସ୍ଥା ସମୟରେ ନିୟମିତ ପେନସନ ପାଇବା ଲାଗି ବର୍ତ୍ତମାନ ଠାରୁ ସଞ୍ଚୟ କରିବା ଲାଗି ସୁଯୋଗ ଦେଇଥାଏ।

ଯୋଜନାର ୭ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ‘‘ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ୧୫ ଅଗଷ୍ଟ, ୨୦୧୪ରେ ଘୋଷଣା କରାଯାଇଥିବା ‘ଆର୍ଥିକ ଅନ୍ତର୍ଭୂକ୍ତିକରଣ ଆଧାରିତ ଜାତୀୟ ମିଶନ’ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି – ବୀମା ଏବଂ ପେନସନ ପରିସରକୁ ବିସ୍ତାରିତ କରିବା, ଯାହାଫଳରେ ସମାଜର ଗରିବ ଓ ଦୁର୍ବଳ ଲୋକମାନଙ୍କୁ ଶସ୍ତା ଉତ୍ପାଦ ମାଧ୍ୟମରେ ଅତ୍ୟଧିକ ଆବଶ୍ୟକ ଆର୍ଥିକ ସୁରକ୍ଷା ମିଳିପାରିବ।’’

ଅର୍ଥ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘‘ତିନୋଟି ଜନ ସୁରକ୍ଷା ଯୋଜନା ବୀମା ଏବଂ ପେନସନକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇ ପାରିଛି। ବିଗତ ୭ ବର୍ଷ ମଧ୍ୟରେ ଉପରୋକ୍ତ ଯୋଜନାରେ ପଞ୍ଜିକୃତ ଏବଂ ଏଥିରୁ ଲାଭାନ୍ବିତ ହେଉଥିବା ଲୋକମାନଙ୍କ ସଂଖ୍ୟା ଏସବୁ ଯୋଜନାର ସଫଳତାର ପ୍ରମାଣ ଦେଉଛି। କମ୍‌ ଖର୍ଚ୍ଚରେ ବୀମା ଯୋଜନା ଏବଂ ଗ୍ୟାରେଣ୍ଟିଯୁକ୍ତ ପେନସନ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରୁଛି, ପୂର୍ବରୁ ଏହି ସୁବିଧା ଅଳ୍ପକିଛି ହାତଗଣତି ଲୋକଙ୍କ ପାଖରେ ଉପଲବ୍ଧ ଥିଲା। ଏବେ ଏହା ସମାଜର ଅନ୍ତିମ ବ୍ୟକ୍ତି ନିକଟରେ ପହଞ୍ଚି ପାରିଛି।

ଗରିବ ଲୋକମାନଙ୍କୁ ସୁବିଧା ପ୍ରଦାନ କରିବା ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆଜି ଅତି ଦରିଦ୍ର ଲୋକ ମଧ୍ୟ ପିଏମଜେଜେବିୱାଇ ଅଧୀନରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ସୁରକ୍ଷା ଦୈନିକ ମାତ୍ର ୧ ଟଙ୍କା ଖର୍ଚ୍ଚ କରି ପାଇପାରୁଛନ୍ତି। ସେହିପରି ଦୈନିକ ମାତ୍ର ୧ ଟଙ୍କା ଖର୍ଚ୍ଚ କରି ପିଏମଏସବିୱାଇ ଅଧୀନରେ ଦୁଇ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ମିଳିପାରୁଛି। ଦେଶର ୧୮ରୁ ୪୦ ବର୍ଷ ବୟସର ସବୁ ନାଗରିକ ମାସିକ ସର୍ବନିମ୍ନ ୪୨ ଟଙ୍କା ଖର୍ଚ୍ଚ କରି ୬୦ ବର୍ଷ ବୟସ ପରେ ପେନସନ ପାଇପାରିବେ।

ପିଏମଜେଜେବିୱାଇ ମାଧ୍ୟମରେ ନାଗରିକମାନଙ୍କୁ, ବିଶେଷ କରି କୋଭିଡ-୧୯ ମହାମାରୀ ସମୟରେ, ସୁବିଧା ସହିତ ସୁରକ୍ଷା ପ୍ରଦାନ କରିବା ସମୟରେ ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ‘‘ପିଏମଜେଜେବିୱାଇ ଅଧୀନରେ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୧୨.୭୬ କୋଟି ଲୋକ ଜୀବନ ବୀମା ପଞ୍ଜୀକରଣ କରାଇଛନ୍ତି। ୫,୭୬,୧୨୧ ଲୋକଙ୍କ ପରିବାରକୁ ଯୋଜନା ଅଧୀନରେ ୧୧,୫୨୨ କୋଟି ଟଙ୍କାର ଦାବି ପୂରଣ କରାଯାଇପାରିଛି। ଏହି ଯୋଜନା ମହାମାରୀ ସମୟରେ କମ ଆୟ କରୁଥିବା ପରିବାର ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଛି, କାରଣ ୨୦୨୧ ଆର୍ଥିକ ବର୍ଷରେ, ପରିଶୋଧ କରାଯାଇଥିବା ମୋଟ୍‌ ଦାବି ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ କୋଭିଡ-୧୯ ଜନିତ ମୃତ୍ୟୁ ସହ ଜଡ଼ିତ ଥିଲା। ମହାମାରୀ ଅବଧି ସମୟରେ ଦାବିଗୁଡ଼ିକ ତୁରନ୍ତ ପୂରଣ କରାଯିବା ଲାଗି ବୀମା ଦାବି ପୂରଣ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା। ଦାବିର ସହଜ ସମାଧାନ ପାଇଁ ଆରମ୍ଭ କରାଯାଇଥିବା ପରିବର୍ତ୍ତନ ଏବେ ସୁଦ୍ଧା ଜାରି ରହିଛି। ମହାମାରୀ ଆରମ୍ଭ ପରଠାରୁ, ଅର୍ଥାତ୍‌ ୧ ଏପ୍ରିଲ, ୨୦୨୦ ଠାରୁ ୨୩ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ, ମୋଟ୍‌ ୨.୧୦ ଲକ୍ଷ ଦାବି ବାବଦରେ ୪,୧୯୪.୨୮ କୋଟି ଟଙ୍କାର ଅର୍ଥରାଶି ପରିଶୋଧ କରାଯାଇଛି। ଦାବି ପୂରଣ ହାର ୯୯.୭୨ ପ୍ରତିଶତ ରହିଛି।

ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ‘‘ଅନୁରୂପ ଭାବେ ପିଏମଏସବିୱାଇର ଶୁଭାରମ୍ଭ ପରଠାରୁ ୨୮.୩୭ କୋଟି ଲୋକ ଦୁର୍ଘଟଣା ସୁରକ୍ଷା ନିମନ୍ତେ ପଞ୍ଜୀକରଣ କରାଇଛନ୍ତି। ୯୭ ହଜାର ୨୨୭ଟି ଦାବି ପାଇଁ ୧,୯୩୦କୋଟି ଟଙ୍କା ପରିଶୋଧ କରାଯାଇଛି। ୪ କୋଟିରୁ ଅଧିକ ଲୋକ ଏପିୱାଇ ଯୋଜନାର ସଦସ୍ୟ ହୋଇଛନ୍ତି।

ଏହି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଶନରାଓ କରାଡ଼ କହିଛନ୍ତି ଯେ, ‘‘ଏସବୁ ଯୋଜନାର ସପ୍ତମ ବର୍ଷ ପୂର୍ତ୍ତି ଅବସରରେ, ମୁଁ ସବୁ ବୀମା କମ୍ପାନୀମାନଙ୍କୁ ଯୋଜନା ଗୁଡ଼ିକର ସଫଳ କାର୍ଯ୍ୟକାରିତା ପାଇଁ ଅଭିନନ୍ଦନ ଜଣାଉଛି। ସେମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ସେମାନେ ସମାଜର ଗରିବ ଲୋକଙ୍କ ନିକଟରେ ଯୋଜନାର ଲାଭ ପହଞ୍ଚିବା ପର୍ଯ୍ୟନ୍ତ ଏହିପରି ଆଗ୍ରହ ଏବଂ ପ୍ରତିବଦ୍ଧତାର ସହିତ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଜାରି ରଖନ୍ତୁ। ସେ ଆହୁରି କହିଥିଲେ ଯେ, ‘‘ମାନନୀୟ ପ୍ରଧାନମନ୍ତ୍ରୀ ନିଜର ସ୍ବାଧୀନତା ଦିବସ ଅଭିଭାଷଣରେ କରିଥିବା ଘୋଷଣା ମୁତାବକ, ଆଗକୁ, ଦେଶର ସବୁ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ବୀମା ଓ  ପେନସନର ସାମାଜିକ ସୁରକ୍ଷା ଯୋଜନା ପହଞ୍ଚାଇବା ଲାଗି ଆମର ପ୍ରୟାସ ଜାରି ରହିବ।’’

ପିଏମଜେଜେବିୱାଇ, ପିଏମଏସବିୱାଇ ଏବଂ ଏପିୱାଇ ଯୋଜନାର ସପ୍ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏସବୁ ଯୋଜନାର ବୈଶିଷ୍ଟ୍ୟ ଏବଂ ଉପଲବ୍ଧିଗୁଡ଼ିକ ଉପରେ ଦୃଷ୍ଟି ପକାଇବା।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ)

ଯୋଜନା : ପିଏମଜେଜେବିୱାଇ ଏକ ବର୍ଷ ଅବଧିର ଜୀବନ ବୀମା ସୁରକ୍ଷା ଯୋଜନା, ପ୍ରତିବର୍ଷ ଯୋଜନାର ନବୀକରଣ ହୋଇଥାଏ ଏବଂ କୌଣସି ପରିସ୍ଥିତିରେ ମୃତ୍ୟୁ ଘଟିଲେ ଏହା ବୀମାଭୁକ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ପ୍ରଦାନ କରିଥାଏ।

ଯୋଗ୍ୟତା : ୧୮-୫୦ ବର୍ଷ ବୟସ୍କ ବ୍ୟକ୍ତି ଏହି ଯୋଜନାରେ ପଞ୍ଜୀକରଣ କରିବା ଲାଗି ଯୋଗ୍ୟ ଅଟନ୍ତି ଏବଂ ସେମାନେ ଡାକ ଘର କିମ୍ବା ବ୍ୟାଙ୍କ ଆକାଉଣ୍ଟରେ ଏହାର ପଞ୍ଜୀକରଣ କରାଇପାରିବେ। ୫୦ ବର୍ଷ ବୟସ ପୂର୍ବରୁ ଯୋଜନାରେ ସାମିଲ ହୋଇଥିବା ଲୋକମାନେ ପ୍ରିମିୟମ ପରିଶୋଧ କରିବା କ୍ଷେତ୍ରରେ ଜୀବନ ସୁରକ୍ଷା କଭରେଜ୍‌ ୫୫ ବର୍ଷ ବୟସ ପର୍ଯ୍ୟନ୍ତ ପାଇପାରିବେ।

ଲାଭ: ୩୩୦ ଟଙ୍କାର ବାର୍ଷିକ ପ୍ରିମିୟମରେ ଏକ ବର୍ଷ ଅବଧିର ଜୀବନ ବୀମା ସୁରକ୍ଷା, ଯେକୌଣସି କାରଣରୁ ମୃତ୍ୟୁ ହୋଇଥିଲେ ମଧ୍ୟ ସୁରକ୍ଷା ମିଳିବ।

ପଞ୍ଜୀକରଣ: ଆକାଉଣ୍ଟଧାରୀମାନେ ବ୍ୟାଙ୍କ ଶାଖା କିମ୍ବା ବିସି ପଏଣ୍ଟ ଅଥବା ୱେବସାଇଟକୁ ଯାଇ ଯୋଜନା ଅଧୀନରେ ପଞ୍ଜୀକରଣ କରିପାରିବେ। ଯୋଜନା ଅଧୀନରେ, ପ୍ରିମିୟମ ପରିଶୋଧ ହିତାଧିକାରୀଙ୍କ ଦ୍ବାରା କେବଳ ଗୋଟିଏ ଥର ଦିଆଯାଇଥିବା ସହମତି ଅନୁଯାୟୀ ଆପେ ଆପେ ବ୍ୟାଙ୍କ ଆକାଉଣ୍ଟରୁ କଟି ଯାଇପାରିବ। ଯୋଜନା ଏବଂ ଫର୍ମ ବିଷୟରେ ଅଧିକ ସୂଚନା ପାଇଁ (ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ) https://jansuraksha.gov.in ରେ ଉପଲବ୍ଧ ରହିଛି।

ଉପଲବ୍ଧି : ୨୭.୦୪.୨୦୨୨ ସୁଦ୍ଧା ଯୋଜନା ଅଧୀନରେ ୧୨.୭୬ଟି ପଞ୍ଜୀକରଣ ହୋଇଛି ଏବଂ ମୋଟ୍‌ ୫,୭୬,୧୨୧ଟି ଦାବି ପାଇଁ ୧୧,୫୨୨ କୋଟି ଟଙ୍କାର ଅର୍ଥରାଶି ପରିଶୋଧ କରାଯାଇଛି।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ)

ଯୋଜନା : ପିଏମଏସବିୱାଇ ଏକ ବର୍ଷ ଅବଧିର ଦୁର୍ଘଟଣା ବୀମା ଯୋଜନା ଅଟେ, ପ୍ରତିବର୍ଷ ଯୋଜନାର ନବୀକରଣ ହୋଇଥାଏ ଏବଂ ଦୁର୍ଘଟଣା କାରଣରୁ ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ଏହା ବୀମାଭୁକ୍ତ ବ୍ୟକ୍ତିଙ୍କୁ ସୁରକ୍ଷା ପ୍ରଦାନ କରିଥାଏ।

ଯୋଗ୍ୟତା : ସଞ୍ଚୟ ବ୍ୟାଙ୍କ କିମ୍ବା ଡାକ ଘରେ ଖାତା ଥିବା ୧୮-୭୦ ବର୍ଷ ବୟସ୍କ ବ୍ୟକ୍ତି ଏହି ଯୋଜନାରେ ପଞ୍ଜୀକରଣ ଲାଗି ଯୋଗ୍ୟ ଅଟନ୍ତି ।

ଲାଭ : ଦୁର୍ଘଟଣା କାରଣରୁ ମୃତ୍ୟୁ କିମ୍ବା ଅକ୍ଷମତା ଲାଗି ୨ ଲକ୍ଷ ଟଙ୍କା (ଆଂଶିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ ଟଙ୍କା)ର ଦୁର୍ଘଟଣା ମୃତ୍ୟୁ ସହିତ ଅକ୍ଷମତା ସୁରକ୍ଷା ପ୍ରଦାନ କରିଥାଏ।

ପଞ୍ଜୀକରଣ : ଆକାଉଣ୍ଟଧାରୀମାନେ ବ୍ୟାଙ୍କ ଶାଖା କିମ୍ବା ବିସି ପଏଣ୍ଟ ଅଥବା ୱେବସାଇଟକୁ ଯାଇ ଯୋଜନା ଅଧୀନରେ ପଞ୍ଜୀକରଣ କରିପାରିବେ । ଯୋଜନା ଅଧୀନରେ, ପ୍ରିମିୟମ ପରିଶୋଧ ହିତାଧିକାରୀଙ୍କ ଦ୍ବାରା କେବଳ ଗୋଟିଏ ଥର ଦିଆଯାଇଥିବା ସହମତି ଅନୁଯାୟୀ ଆପେ ଆପେ ବ୍ୟାଙ୍କ ଆକାଉଣ୍ଟରୁ କଟି ଯାଇପାରିବ । ଯୋଜନା ଏବଂ ଫର୍ମ ବିଷୟରେ ଅଧିକ ସୂଚନା ପାଇଁ (ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ) https://jansuraksha.gov.inରେ ଉପଲବ୍ଧ ରହିଛି ।

ଉପଲବ୍ଧି: ୨୭.୦୪.୨୦୨୨ ସୁଦ୍ଧା, ଯୋଜନା ଅଧୀନରେ ମୋଟ୍‌ ୨୮.୩୭ କୋଟି ଟଙ୍କାରୁ ଅଧିକ ପଞ୍ଜୀକରଣ ହୋଇଛି ଏବଂ ମୋଟ୍‌ ୯୭,୨୨୭ ଦାବି ପାଇଁ ୧୯୩୦ କୋଟି ଟଙ୍କାର ଅର୍ଥରାଶି ପରିଶୋଧ କରାଯାଇଛି ।

ଅଟଳ ପେନସନ ଯୋଜନା (ଏପିୱାଇ)

ପୃଷ୍ଠଭୂମି : ଅଟଳ ପେନସନ ଯୋଜନା (ଏପିୱାଇ) ସବୁ ଭାରତୀୟ ନାଗରିକ, ବିଶେଷ କରି ଗରିବ, ବଞ୍ଚିତ ଓ ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ପାଇଁ ଏକ ସାର୍ବଜନୀନ ସାମାଜିକ ସୁରକ୍ଷା ପ୍ରଣାଳୀ ନିର୍ମାଣ କରିବା ଲାଗି ଆରମ୍ଭ କରାଯାଇଛି । ଏହା ଅସଂଗଠିତ କ୍ଷେତ୍ରର ଲୋକମାନଙ୍କ ପାଇଁ ଆର୍ଥିକ ସୁରକ୍ଷା ଯୋଗାଇ ଦେବା ଏବଂ ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ଲାଗି ସରକାରଙ୍କ ଏ ପ୍ରୟାସ ଅଟେ । ଏପିୱାଇକୁ ଜାତୀୟ ପେନସନ ପ୍ରଣାଳୀ (ଏନପିଏସ)ର ସାମଗ୍ରିକ ପ୍ରଶାସନିକ ଏବଂ ସଂସ୍ଥାଗତ ବ୍ୟବସ୍ଥା ଅଧୀନରେ ପେନସନ ପାଣ୍ଠି ନିୟାମକ ଓ ବିକାଶ ପ୍ରାଧିକରଣ ଦ୍ବାରା ପରିଚାଳନା କରାଯାଉଛି ।

ଯୋଗ୍ୟତା : ସେଭିଙ୍ଗସ୍ ଆକାଉଣ୍ଟ ଥିବା ୧୮ରୁ ୪୦ ବର୍ଷ ବୟସ୍କ ଯେକୌଣସି ଯୋଗ୍ୟ ବ୍ୟକ୍ତିବିଶେଷ ଏହି ଯୋଜନାରେ ପଞ୍ଜୀକରଣ କରିପାରିବେ ଏବଂ ଚୟନ କରାଯାଇଥିବା ପେନସନ ପରିମାଣ ଏବଂ ବ୍ୟକ୍ତିବିଶେଷଙ୍କ ବୟସ ଅନୁଯାଇ ଯୋଗଦାନ ପରିମାଣ ନିର୍ଦ୍ଧାରଣ କରାଯିବ ।

ଲାଭ : ଯୋଜନାରେ ସାମିଲ ହେବା ପରେ ହିତାଧିକାରୀଙ୍କ ଦ୍ବାରା କରାଯାଇଥିବା ଯୋଗଦାନ ଆଧାରରେ ୬୦ ବର୍ଷ ଆୟୁ ପରେ ସେମାନଙ୍କୁ ଗ୍ୟାରେଣ୍ଟିଯୁକ୍ତ ସର୍ବନିମ୍ନ ମାସିକ ପେନସନ ଆକାରରେ ୧୦୦୦ କିମ୍ବା ୩୦୦୦ କିମ୍ବା ୪୦୦୦ କିମ୍ବା ୫୦୦୦ ଟଙ୍କା ମିଳିଥାଏ ।

ଯୋଜନା ଲାଭର ବିତରଣ : ମାସିକ ପେନସନ ହିତାଧିକାରୀଙ୍କ ପାଇଁ ଉପଲବ୍ଧ ଏବଂ ଏହାପରେ ସେମାନଙ୍କର ଜୀବନସାଥୀ ଏବଂ ଉଭୟଙ୍କ ମୃତ୍ୟୁ ପରେ ହିତାଧିକାରୀଙ୍କ ୬୦ ବର୍ଷ ଆୟୁ ପର୍ଯ୍ୟନ୍ତ ମୋଟ ପେନସନ ଅର୍ଥରାଶି, ହିତାଧିକାରୀଙ୍କ ନୋମିନିଙ୍କୁ ପ୍ରଦାନ କରାଯିବ ।

ହିତାଧିକାରୀଙ୍କର ସମୟ ପୂର୍ବରୁ ମୃତ୍ୟୁ (୬୦ ବର୍ଷ ବୟସ ପୂର୍ବରୁ ମୃତ୍ୟୁ) କ୍ଷେତ୍ରରେ, ହିତାଧିକାରୀଙ୍କ ଜୀବନସାଥୀ, ଅବଶିଷ୍ଟ ଅବଧି ପାଇଁ, ହିତାଧିକାରୀଙ୍କ ଏପିୱାଇ ଖାତାରେ ଯୋଗଦାନ ଜାରି ରଖିପାରିବେ (ଯେପର୍ଯ୍ୟନ୍ତ ମୂଳ ଗ୍ରାହକଙ୍କ ବୟସ ୬୦ ବର୍ଷ ପୂରଣ ନହୋଇଛି)।

କେନ୍ଦ୍ର ସରକାରଙ୍କ ଯୋଗଦାନ : ସର୍ବନିମ୍ନ ପେନସନ ଗ୍ୟାରେଣ୍ଟି ସରକାରଙ୍କ ଦ୍ବାରା ଦିଆଯିବ, ଅର୍ଥାତ୍‌ ଯଦି ଯୋଗଦାନ ଆଧାରରେ ସଞ୍ଚିତ ପାଣ୍ଠି, ନିବେଶ ଉପରେ ଆନୁମାନିକ ଲାଭ (ରିଟର୍ଣ୍ଣ) ଠାରୁ କମ୍‌ ଅର୍ଥରାଶି ହିତାଧିକାରୀ ଆୟ କରୁଛନ୍ତି ଏବଂ ସର୍ବନିମ୍ନ ଗ୍ୟାରେଣ୍ଟି ପେନସନ ଦେବା ଲାଗି ଏହା ଯଥେଷ୍ଟ ନୁହେଁ, ତା’ହେଲେ ସରକାର ଏପରି କ୍ଷେତ୍ରରେ ଅବଶିଷ୍ଟ ପାଣ୍ଠି ପ୍ରଦାନ କରିବେ । ବିକଳ୍ପ ଆକାରରେ, ଯଦି ନିବେଶ ଉପରେ ଲାଭ (ରିଟର୍ଣ୍ଣ) ଅଧିକ ଅଟେ, ତା’ହେଲେ ହିତାଧିକାରୀଙ୍କୁ ବର୍ଦ୍ଧିତ ପେନସନର ଲାଭ ମିଳିବ ।

ପରିଶୋଧ ଆବୃତ୍ତି : ହିତାଧିକାରୀ ମାସିକ/ତ୍ରୈମାସିକ/ଅର୍ଦ୍ଧବାର୍ଷିକ ଆଧାରରେ ଏପିୱାଇରେ ଯୋଗଦାନ କରିପାରିବେ ।

ଯୋଜନାରୁ ବାହାରିବା : ହିତାଧିକାରୀ କେତେକ ସର୍ତ୍ତ ଆଧାରରେ ନିଜ ଇଚ୍ଛାରେ ଏପିୱାଇରୁ ବାହାରକୁ ବାହାରି ପାରିବେ; ଯଥା ସରକାରୀ ସହ-ଯୋଗଦାନ ଏବଂ ତା’ ଉପରେ ରିଟର୍ଣ୍ଣ/ସୁଧ କାଟ କରିବା ସହିତ ।

ଉପଲବ୍ଧି :  ୨୭.୦୪.୨୦୨୨ ସୁଦ୍ଧା, ୪ କୋଟିରୁ ଅଧିକ ଲୋକ ଏହି ଯୋଜନାରେ ସଦସ୍ୟ ହୋଇଛନ୍ତି ।

ଜନ ସୁରକ୍ଷା ପିଏମଜେଜେବିୱାଇ ପେନସନ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025

ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିବା ଆଇଏଏସ ଅମ୍ରିତ ଋତୁରାଜ କିଏ ? ସେ ଏବେ କେଉଁଠି ଅଛନ୍ତି

July 23, 2025

ଜିଲ୍ଲାପାଳ ସ୍ତରରେ ଅଦଳବଦଳ, ଚଞ୍ଚଳ ରଣା ହେଲେ ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ହେଲେ…..

July 23, 2025

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025
Latest News

ଆଜିଠାରୁ ଚତୁର୍ଥ ଟେଷ୍ଟ: ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଅଧିନାୟକଙ୍କ ଚେତାବନୀ, ଦେଲେ ଏହି ବଡ଼ ବୟାନ

July 23, 2025

ସୃଷ୍ଟି ହେଲା ୨୦୮୦ ନୂତନ ପଦବୀ, ଓଆଇଏସଏଫ ପାଇଁ ଆଉ ଦୁଇ ବାଟାଲିଅନକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

July 23, 2025

କାଶିନଗରଠାରେ ନବନିର୍ମିତ ଗ୍ରାମ ନ୍ୟାୟାଳୟର ନୂତନ ଅଟ୍ଟାଳିକାକୁ ଉଦଘାଟନକଲେ ହାଇକୋର୍ଟର ମୁଖ୍ୟ ବିଚାରପତି

July 23, 2025

ଏନସିଇଆରଟି ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦ ପଡ଼ିବା ପ୍ରସଙ୍ଗ: ସ୍ପଷ୍ଟ କଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

July 23, 2025

‘ଶୋଇବା ପୂର୍ବରୁ ଶ୍ରୀ ରାମଚରିତମାନସର ଶ୍ଳୋକ ପାଠ କରନ୍ତୁ’: ତାଲିମ ନେଉଥିବା ପୋଲିସଙ୍କୁ ନିର୍ଦ୍ଦେଶ

July 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.