Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ଭାରତ ଡ୍ରୋନ ମହୋତ୍ସବ ୨୦୨୨’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

‘ଭାରତ ଡ୍ରୋନ ମହୋତ୍ସବ ୨୦୨୨’କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

May 27, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର ସବୁଠୁ ବଡ଼ ଡ୍ରୋନ ଉତ୍ସବ- ଭାରତ ଡ୍ରୋନ ମହୋତ୍ସବ ୨୦୨୨କୁ ଉଦଘାଟନ କରିଛନ୍ତି। ସେ ମଧ୍ୟ କିଷାନ ଡ୍ରୋନ ପାଇଲଟଙ୍କ ସହ ଆଲୋଚନା କରିଥିଲେ, ମୁକ୍ତାକାଶ ଡ୍ରୋନ ପ୍ରଦର୍ଶନୀ ଦେଖିଥିଲେ ଏବଂ ଡ୍ରୋନ ପ୍ରଦର୍ଶନୀ କେନ୍ଦ୍ର ଠାରେ ଷ୍ଟାର୍ଟଅପ ଗୁଡ଼ିକର ପ୍ରତିନିଧିମାନଙ୍କ ସହିତ କଥା ହୋଇଥିଲେ। କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର, ଗିରିରାଜ ସିଂ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ବିନୀ ବୈଷ୍ଣବ, ମନସୁଖ ମାଣ୍ଡଭିୟ, ଭୂପେନ୍ଦ୍ର ଯାଦବଙ୍କ ସମେତ ବହୁ ରାଷ୍ଟ୍ରମନ୍ତ୍ରୀ ଏବଂ ଡ୍ରୋନ ଉଦ୍ୟୋଗ ଜଗତର ନେତୃବୃନ୍ଦ ତଥା ଉଦ୍ୟୋଗୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ୧୫୦ଟି ଡ୍ରୋନ ପାଇଲଟ୍‌ ପ୍ରମାଣପତ୍ର ପ୍ରଦାନ କରିଥିଲେ।

ସମବେତ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡ୍ରୋନ କ୍ଷେତ୍ର ପ୍ରତି ତାଙ୍କର ବିଶେଷ ଆଗ୍ରହ  ରହିଛି। ଏହି କ୍ଷେତ୍ର ତାଙ୍କୁ ରୋମାଞ୍ଚିତ କରିଥାଏ ବୋଲି ସେ କହିଥିଲେ। ଡ୍ରୋନ ପ୍ରଦର୍ଶନୀ ଆୟୋଜନ କରାଯିବା ଏବଂ ଏହି କ୍ଷେତ୍ରରେ ଉଦ୍ୟମୀ ଓ ଉଦ୍ଭାବକଙ୍କ ଉତ୍ସାହକୁ ଦେଖି ସେ ଗଭୀର ଭାବେ ପ୍ରଭାବିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ। ଚାଷୀ ଓ ଯୁବ ଇଞ୍ଜିନିୟରମାନଙ୍କ ସହିତ ନିଜର ଆଲୋଚନା ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଡ୍ରୋନ କ୍ଷେତ୍ରରେ ଉତ୍ସାହ ଓ ଆଗ୍ରହ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଏହି କ୍ଷେତ୍ରରେ ଭାରତର ସାମର୍ଥ୍ୟ ଦିନେ ଦେଶକୁ ଏକ ଅଗ୍ରଣୀ ସ୍ଥାନରେ ପହଞ୍ଚାଇବ। ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଏହି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆଜକୁ ଠିକ୍ ୮ ବର୍ଷ ତଳେ ଏକ ନୂଆ ଆରମ୍ଭ ହୋଇଥିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଠିକ୍‌ ୮ ବର୍ଷ ତଳେ, ସର୍ବନିମ୍ନ ସରକାର-ସର୍ବାଧିକ ପ୍ରଶାସନର ମାର୍ଗକୁ ଅନୁସରଣ କରି ଆମେ ଭାରତରେ ଉତ୍ତମ ପ୍ରଶାସନର ନୂତନ ମନ୍ତ୍ରକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଥିଲୁ। ଆମେ ସହଜ ଜୀବନ ଧାରଣ (ଇଜ୍‌ ଅଫ ଲିଭିଂ) ଏବଂ ବ୍ୟବସାୟିକ ସୁଗମତା (ଇଜ୍‌ ଅଫ ଡୁଇଂ ବିଜନେସ)କୁ ଆମର ପ୍ରାଥମିକତା ଭାବେ ଗ୍ରହଣ କରିଛୁ। ସବକା ସାଥ୍‌ ସବକା ବିକାଶ ମାର୍ଗରେ ଅଗ୍ରସର ହୋଇ ଆମେ ଦେଶର ପ୍ରତ୍ୟେକ ନାଗରିକଙ୍କ ନିକଟରେ ମୌଳିକ ସୁବିଧା ଏବଂ କଲ୍ୟାଣକାରୀ ଯୋଜନା ଗୁଡ଼ିକୁ ପହଞ୍ଚାଇବା ଲାଗି ନିରନ୍ତର କାର୍ଯ୍ୟ କରୁଛୁ।’’ ପ୍ରଧାନମନ୍ତ୍ରୀ ବିଶେଷ ଭାବେ ଉଲ୍ଲେଖ କରି କହିଥିଲେ ଯେ, ପୂର୍ବ ସରକାରଙ୍କ ସମୟରେ ପ୍ରଯୁକ୍ତିକୁ ସମସ୍ୟାର ଏକ ଅଂଶବିଶେଷ ଭାବେ ବିଚାର କରାଯାଉଥିଲା ଏବଂ ଏହାକୁ ଗରିବ ବିରୋଧୀ ବୋଲି ଦର୍ଶାଇବାକୁ ଉଦ୍ୟମ କରାଯାଉଥିଲା। ଏହି କାରଣରୁ, ୨୦୧୪ ପୂର୍ବରୁ ପ୍ରଶାସନରେ ପ୍ରଯୁକ୍ତିର ବ୍ୟବହାରକୁ ନେଇ ଉଦାସୀନତା ଦେଖିବାକୁ ମିଳୁଥିଲା। ତେଣୁ ପ୍ରଯୁକ୍ତିକୁ ପ୍ରଶାସନର ଅଂଶବିଶେଷ କରିବାକୁ ନେଇ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇପାରୁନଥିଲା।

ଏହି କାରଣରୁ ଗରିବ, ବଞ୍ଚିତ ଓ ମଧ୍ୟବିତ୍ତ ଜନସାଧାରଣଙ୍କୁ ଅଧିକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଥିଲା । ମୌଳିକ ସେବା ଉପଲବ୍ଧତା କ୍ଷେତ୍ରରେ ରହିଥିବା ଜଟିଳତା ଲୋକଙ୍କ ମନରେ ଅଭାବ ଓ ଭୟର ଭାବନା ସୃଷ୍ଟି କରୁଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ସମୟ ସହ ତାଳ ଦେଇ ଆମେ ବଦଳି ପାରିଲେ ପ୍ରଗତି ସମ୍ଭବ ହୋଇପାରିବ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ପରିପୂର୍ଣ୍ଣତା ସଂକଳ୍ପକୁ ଆଗେଇ ନେବା ଏବଂ ଅନ୍ତିମ ସୋପାନରେ ସେବା ପହଞ୍ଚାଇବାରେ ପ୍ରଯୁକ୍ତି ବ୍ୟାପକ ଭାବେ ସହାୟକ ହୋଇଛି। ଏହି ଗତିରେ ଅଗ୍ରସର ହେଲେ ଆମେ ଅନ୍ତ୍ୟୋଦୟ ଲକ୍ଷ୍ୟ ହାସଲ କରିପାରିବା। ଜନ ଧନ, ଆଧାର, ମୋବାଇଲ (ଜେଏଏମ) ତ୍ରୟକୁ ବ୍ୟବହାର କରି ଆମେ ସମାଜର ଗରିବ ବର୍ଗଙ୍କୁ ସେମାନଙ୍କର ହକ୍‌ ଦେବାରେ ସକ୍ଷମ ହୋଇପାରିବା। ବିଗତ ୮ ବର୍ଷର ଅଭିଜ୍ଞତା ମୋର ଏହି ବିଶ୍ବାସକୁ ଦୃଢ଼ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଶ୍ରୀ ମୋଦୀ ଜୋର ଦେଇ କହିଥିଲେ ଯେ, ଦେଶରେ ନୂଆ ସାମର୍ଥ୍ୟ, ଗତି ଓ ବ୍ୟାପକତା ହାସଲ କରିବା ଲାଗି ଆମେ ପ୍ରଯୁକ୍ତିକୁ ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ଭାବେ ବ୍ୟବହାର କରିଛୁ। ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ଦେଶରେ ବିକଶିତ ହୋଇଥିବା ସୁଦୃଢ଼ ୟୁପିଆଇ ବ୍ୟବସ୍ଥା ସହାୟତାରେ, ଲକ୍ଷାଧିକ କୋଟି ଟଙ୍କା ସିଧାସଳଖ ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଉଛି। ମହିଳା, ଚାଷୀ ଓ ଛାତ୍ରଛାତ୍ରୀମାନେ ଏବେ ସରକାରଙ୍କ ଠାରୁ ସିଧାସଳଖ ସହାୟତା ପାଇପାରୁଛନ୍ତି।

ଡ୍ରୋନ ପ୍ରଯୁକ୍ତି କିଭଳି ଭାବେ ବୃହତ ବିପ୍ଳବ ଆଣିପାରିଛି ତାହା ଦର୍ଶାଇବାକୁ ଯାଇ ପ୍ରଧାନମନ୍ତ୍ରୀ ଏହି ଅବସରରେ ପିଏମ ସ୍ବନିଧି ଯୋଜନାର ଉଦାହରଣ ଦେଇଥିଲେ। ଏହି ଯୋଜନା ଅଧୀନରେ ପ୍ରଥମ ଥର ଲାଗି, ଦେଶର ଗାଁମାନଙ୍କରେ ଥିବା ସବୁ ସମ୍ପତ୍ତିର ଡିଜିଟାଲ ମ୍ୟାପିଂ କରାଯାଉଛି ଏବଂ ଲୋକମାନଙ୍କୁ ଡିଜିଟାଲ ସମ୍ପତ୍ତି କାର୍ଡ ବିତରଣ କରାଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉତ୍ତମ ପ୍ରଶାସନ ଓ ସହଜ ଜୀବନ ଧାରଣ ପାଇଁ ଆମ ପ୍ରତିବଦ୍ଧତା ଦିଗରେ ଅଗ୍ରସର ହେବାର ଆଉ ଏକ ମାଧ୍ୟମ ହେଉଛି ଡ୍ରୋନ ପ୍ରଯୁକ୍ତିର ପ୍ରୋତ୍ସାହନ। ଡ୍ରୋନ ମାଧ୍ୟମରେ ଆମେ ଏକ ସ୍ମାର୍ଟ ଉପକରଣ ପାଇପାରିଛୁ, ଯାହା ଜନସାଧାରଣଙ୍କ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ ହେବାକୁ ଯାଉଛି ବୋଲି ସେ କହିଥିଲେ।

ପ୍ରତିରକ୍ଷା, ବିପର୍ଯ୍ୟୟ ପ୍ରଶମନ, କୃଷି, ପର୍ଯ୍ୟଟନ, ଚଳଚ୍ଚିତ୍ର ଓ ମନୋରଞ୍ଜନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଡ୍ରୋନ ପ୍ରଯୁକ୍ତିର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଆଗାମୀ ଦିନରେ ନିଶ୍ଚିତ ଭାବେ ଡ୍ରୋନ ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି ପାଇବ । ପ୍ରଗତି ସମୀକ୍ଷା ଏବଂ କେଦାରନାଥ ପ୍ରକଳ୍ପର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଡ୍ରୋନ ପ୍ରଯୁକ୍ତିର ବ୍ୟବହାର ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସହଜ କରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଡ୍ରୋନ ପ୍ରଯୁକ୍ତି ଚାଷୀଙ୍କ ସଶକ୍ତିକରଣ ଏବଂ ସେମାନଙ୍କ ଜୀବନକୁ ଆଧୁନିକ କରିବା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ। ଏବେ ଗାଁ ମାନଙ୍କରେ ସଡ଼କ, ବିଦ୍ୟୁତ ସଂଯୋଗ, ଅପ୍ଟିକାଲ ଫାଇବର ଓ ଡିଜିଟାଲ ପ୍ରଯୁକ୍ତିର ସୁବିଧା ପହଞ୍ଚି ପାରିଛି। ତଥାପି, କେତେକ ସ୍ଥାନରେ ପୁରୁଣା ପଦ୍ଧତିରେ କୃଷି କାର୍ଯ୍ୟ ହେଉଛି। ଏସବୁ ଅନେକ ବାଧା ସୃଷ୍ଟି କରିବା ସହିତ ଫସଲ ଉତ୍ପାଦକତା କମାଉଛି ଏବଂ ଅଧିକ ନଷ୍ଟର କାରଣ ହେଉଛି। ଜମି ଜମା ରେକର୍ଡ ରଖିବା ଠାରୁ ଆରମ୍ଭ କରି ବନ୍ୟା ଓ ମରୁଡ଼ି ସହାୟତା ଭଳି ସଂଖ୍ୟାଧିକ କାର୍ଯ୍ୟ ପାଇଁ ରାଜସ୍ବ ବିଭାଗ ଉପରେ କ୍ରମାଗତ ନିର୍ଭରଶୀଳତା ସମ୍ପର୍କରେ ସେ ଆଲୋଚନା କରିଥିଲେ। ଏସବୁ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ଡ୍ରୋନ ଏକ ପ୍ରଭାବୀ ମାଧ୍ୟମ ଭାବେ ଉଭା ହୋଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଦେଶରେ କୃଷି କ୍ଷେତ୍ରରେ ସହାୟତା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାଦ୍ବାରା ପ୍ରଯୁକ୍ତି ଆଉ ଚାଷୀମାନଙ୍କୁ ଭୟଭୀତ କରୁନାହିଁ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ, ପ୍ରଯୁକ୍ତି ଏବଂ ଏହାର ଉଦ୍ଭାବନ କେବଳ ସମାଜର ଆଭିଜାତ୍ୟ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଆଜି ଆମେ ପ୍ରଥମେ ଜନସାଧାରଣଙ୍କ ନିକଟରେ ପ୍ରଯୁକ୍ତି ପହଞ୍ଚାଉଛୁ। କିଛି ମାସ ପୂର୍ବରୁ, ଡ୍ରୋନ ଉପରେ ଅନେକ ଗୁଡ଼ିଏ କଟକଣା ରହିଥିଲା। ଖୁବ୍‌ କମ ସମୟ ମଧ୍ୟରେ ଆମେ ଅଧିକାଂଶ କଟକଣାକୁ ଉଚ୍ଛେଦ କରିଛୁ। ପିଏଲଆଇ ଭଳି ଯୋଜନା ମାଧ୍ୟମରେ ଏକ ଦୃଢ଼ ଡ୍ରୋନ ଉତ୍ପାଦନ ଇକୋସିଷ୍ଟମ ବିକଶିତ କରିବା ଦିଗରେ ଆମେ ଅଗ୍ରସର ହେଉଛୁ ବୋଲି ସେ କହିଥିଲେ। ଜନସାଧାରଣଙ୍କ ନିକଟରେ ପ୍ରଯୁକ୍ତିର ସୁବିଧା ପହଞ୍ଚି ପାରିଲେ, ଏହାକୁ ଉପଯୋଗ କରିବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଥାଏ।

ଡ୍ରୋନ ଉତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ରାଷ୍ଟ୍ରୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଦିଲ୍ଲୀରେ କହିଲେ……

August 3, 2025

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେନ୍ଦୁଝର ଗସ୍ତ, ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର କଲେ ଶୁଭାରମ୍ଭ

August 3, 2025

‘ଭାରତୀୟ ସାମଗ୍ରୀ- ଆମର ଆତ୍ମସମ୍ମାନ’, ପ୍ରଧାନମନ୍ତ୍ରୀଙ୍କ ସ୍ୱଦେଶୀ ଆହ୍ବାନକୁ ସାରା ଦେଶର ବ୍ୟବସାୟୀମାନଙ୍କ ସମର୍ଥନ

August 3, 2025
Latest News

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025

BSNL ଉପଭୋକ୍ତାଙ୍କ ପାଇଁ ବଡ଼ ଝଟକା!: ଏହି ପ୍ଲାନର ହ୍ରାସ ପାଇଲା ବୈଧତା, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ

August 4, 2025

ଆଜି ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବ୍ୟ ପିଠରେ କାଉଡିଆଙ୍କ ପ୍ରବଳ ଭିଡ

August 4, 2025

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.