ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ତାଙ୍କର ରେଡିଓ ଅଭିଭାଷଣ “ମନ୍ କି ବାତ୍” ରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଆଜିର “ମନ୍ କି ବାତ୍” ରେ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ଏହି ଅବସରରେ ସେ କହିଛନ୍ତି ଯେ, ଅହମଦାବାଦ ହେଉ ବା ପୁରୀ, ଭଗବାନ ଜଗନ୍ନାଥ ନିଜର ଏହି ଯାତ୍ରା ଜରିଆରେ ଆମକୁ ଅନେକ ଗଭୀର ମାନବୀୟ ସନ୍ଦେଶ ମଧ୍ୟ ଦିଅନ୍ତି। ଭଗବାନ ଜଗନ୍ନାଥ ଜଗତର ସ୍ୱାମୀ, କିନ୍ତୁ ତାଙ୍କର ଯାତ୍ରାରେ ଗରିବ, ବଂଚିତଙ୍କ ବିଶେଷ ଅଂଶଗ୍ରହଣ ହୋଇଥାଏ। ଭଗବାନ ମଧ୍ୟ ସମାଜର ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ସହ ଚାଲିଥାନ୍ତି। ଏପରି ଆମ ଦେଶରେ ଯେତେ ଯାତ୍ରା ହୁଏ, ସବୁଠି ଧନୀଗରିବ, ଉଚ୍ଚନୀଚ ଏପରି କୌଣସି ଭେଦଭାବ ଦୃଷ୍ଟିକୁ ଆସେ ନାହିଁ। ସମସ୍ତ ଭେଦଭାବରୁ ଊର୍ଦ୍ଧ୍ଵକୁ ଉଠି, ଯାତ୍ରା ହିଁ ସର୍ବୋପରି ହୋଇଥାଏ।
ଯେପରିକି ମହାରାଷ୍ଟ୍ରର ପଂଢରପୁର ଯାତ୍ରା ସମ୍ପର୍କରେ ଆପଣ ନିଶ୍ଚୟ ଶୁଣିଥିବେ। ପଂଢରପୁର ଯାତ୍ରାରେ, କେହି ମଧ୍ୟ ନା ବଡ଼ ହୋଇଥାଏ, ନା ଛୋଟ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ସେବକ ହୋଇଥାଏ, ଭଗବାନ ବିଠ୍ଠଲଙ୍କ ସେବକ ହୋଇଥାଏ। ଏବେ ଚାରିଦିନ ପରେ ହିଁ ୩୦ ଜୁନରୁ ଅମରନାଥ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି।
ସମଗ୍ର ଦେଶରୁ ଶ୍ରଦ୍ଧାଳୁମାନେ ଅମରନାଥ ଯାତ୍ରା ପାଇଁ ଜାମ୍ମୁକାଶ୍ମୀରରେ ପହଂଚିଥାନ୍ତି। ଜାମ୍ମୁକାଶ୍ମୀରର ସ୍ଥାନୀୟ ଲୋକେ ସେତିକି ଶ୍ରଦ୍ଧାର ସହିତ ଏହି ଯାତ୍ରାର ଦାୟିତ୍ୱ ତୁଲାଇଥାନ୍ତି ଏବଂ ତୀର୍ଥଯାତ୍ରୀମାନଙ୍କୁ ସହଯୋଗ କରିଥାନ୍ତି।