ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ, ଛାଡିଲେ ବିଧାନ ପରିଷଦର ସଦସ୍ୟତା

Published: Jun 29, 2022, 10:08 pm IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଝଟକା ପରେ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହା ଘୋଷଣା କରିଛନ୍ତି। ଏଥି ସହିତ, ଠାକରେ ଏହା ସ୍ପଷ୍ଟ କରିଛନ୍ତି ଯେ, ମୋ ପାଖରେ ଥିବା ଶିବସେନାକୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ମୁଁ ବିଧାନ ପରିଷଦର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଉଛି।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଆମର ଭଲ କାର୍ଯ୍ୟଗୁଡ଼ିକ ପ୍ରତି ନଜର ଲାଗିଗଲା। ଆମେ ସହରଗୁଡ଼ିକର ନାମ ପରିବର୍ତ୍ତନ କରିବାକୁ ସ୍ଥିର କଲୁ। ଏହି ସମୟରେ ସୋନିଆ ଗାନ୍ଧୀ ଏବଂ ଶରଦ ପାୱାରଙ୍କୁ ଉଦ୍ଧବ ଠାକରେ ପ୍ରଶଂସା କରିଥିଲେ।

ଉଦ୍ଧବ ଠାକରେ କହିଛନ୍ତି ଯେ, ନ୍ୟାୟ ଦେବତା ଏହି ରାୟ ଦେଇଛନ୍ତି, ଫ୍ଲୋର ଟେଷ୍ଟ ପାଇଁ କହିଛନ୍ତି। ରାଜ୍ୟପାଳଙ୍କୁ ମଧ୍ୟ ଧନ୍ୟବାଦ। ଗଣତନ୍ତ୍ରକୁ ଅନୁସରଣ କରିବା ଉଚିତ୍। ଆମେ ଏହାକୁ ଅନୁସରଣ କରିବୁ। ବିଦ୍ରୋହୀଙ୍କୁ ଟାର୍ଗେଟ କରି ଶିବସେନା ମୁଖ୍ୟ କହିଛନ୍ତି ଯେ, ସୁରଟ ଏବଂ ଗୁଆହାଟୀରେ ନୁହେଁ ଆପଣମାନଙ୍କୁ ସାମ୍ନାକୁ ଆସି ଆଲୋଚନା କରିବାର ଥିଲା। ଯାହାକୁ ସବୁକିଛି ଦିଆଗଲା ସେମାନେ ନାରାଜ ହୋଇଛନ୍ତି।

ଆଜି ନିଜେ କ୍ୟାବିନେଟ ବୈଠକରେ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି ଉଦ୍ଧବ ଠାକରେ। ବୈଠକ ପରେ ସେ କହିଥିଲେ ଯେ, ଆପଣ ମୋତେ ଅଢେଇ ବର୍ଷ ପାଇଁ ସମର୍ଥନ କରିଛନ୍ତି। ଧନ୍ୟବାଦ ଏହି ଅଢେଇ ବର୍ଷରେ ଯଦି କିଛି ଭୁଲ ହୋଇଛି, ତେବେ ମୁଁ କ୍ଷମା ମାଗୁଛି।

Related posts