କେଦାର ମିଶ୍ର
ଲାଇଟ, ସାଉଣ୍ଡ, କ୍ୟାମେରା …ଆକ୍ସନ।
ଅଭିନେତା ଏବେ ପୁରା ତୟାର। ହିମାଳୟର ଗୁମ୍ଫାରେ ବେଦାଗ ଧଳା ବିଛଣା ପଡିଛି। ପୂରା ଗୁମ୍ଫା ଆଲୋକିତ। ଏଇଟା ପୁରାଣ ଯୁଗର ଅନ୍ଧାର ଗୁମ୍ଫା ନୁହଁ। ୟେ ଡିଜିଟାଲ ଇଣ୍ଡିଆର ସେଭେନ ଷ୍ଟାର ଗୁମ୍ଫା। କାନ୍ଥରେ ହ୍ୟାଙ୍ଗର ବି ଲାଗିଛି। ଋଷିମାନେ ତାଙ୍କ କୌପିନୀ ଟାଙ୍ଗିବାକୁ ହ୍ୟାଙ୍ଗର ତ ରଖିଥିବେ ନା! ଅଭିନେତା ବାହାରିଲେ ନିଜ ମେକ ଅପ୍ ନେଇ। ଦେହରେ ଗୈରିକ ବସନ। ଏବେ ପଦ୍ମାସନରେ ବସିବା ପରେ ଆରମ୍ଭ ହେଲା ନାଟକ। ସାରା ଦେଶର ସବୁ ଟେଲିଭିଜନ ଚାନେଲରେ ଅଭିନେତା ଜଣକ ତପସ୍ୟା କରୁଥିବାର ଛବି ଝଲସି ଉଠିଲା। “ଏଇ ଦେଖନ୍ତୁ, ହିମାଳୟରେ ତପସ୍ୟାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆହା, କି କଠୋର ତପସ୍ୟା। ତାଙ୍କ ଆଖପାଖରେକେହି ନାହିଁ। ସେ ଶିବ ନାମ ଜପୁଛନ୍ତି।“ ଯେମିତି ଭାରତର ସବୁ ସମସ୍ୟା ଓ ସଙ୍କଟ ସେହି ଗୁମ୍ଫାରେ ହିଁ ଆଜି ରାତିରେ ସମାଧାନ ହୋଇଯିବ।
ନିଜକୁ ଗଣମାଧ୍ୟମ ବୋଲି କହୁଥିବା ଟେଲିଭିଜନ ଚାନେଲମାନଙ୍କ ମୁହଁ ରେ ଲଜ୍ଜା ବା ସରମ ବୋଲି କିଛି ନାଇଁ। ଶେଷ ପର୍ଯାୟ ନିର୍ବାଚନର ପ୍ରଚାର ସରିଛି। ଶେଷ ମୂହୁର୍ତ୍ତ ଯାଏ ଟେଲିଭିଜନରେ ନିଜର ଚେହେରା କୁ ବ୍ରାଣ୍ଡ ଭାବରେ ବ୍ୟବହାର କରିବାକୁ ନେତା ଜଣକ ଅଭିନେତା ହୋଇ ନାଟକ କରୁଛି ଓ ସେ ନାଟକର ଅବୈଧ ପ୍ରସାରଣ କରିଚାଲିଛନ୍ତି, ଏ ଦେଶର ଗଣମାଧ୍ୟମ। ଭାରତୀୟ ଗଣତନ୍ତ୍ରରେ ଏତେ ବଡ ଅଭିନେତା ପ୍ରଧାନମନ୍ତ୍ରୀ କେହି କେବେ ଦେଖିନଥିଲେ। ଏ ମହାଶୟ, ନିର୍ବାଚନ ଜିତନ୍ତୁ ବା ହାରନ୍ତୁ, ଏହାଙ୍କୁ ଭାରତର କୌଣସି ସଂବେଦନଶୀଳ ନାଗରିକ କେବେହେଲେ ନିଜର ପ୍ରଧାନମନ୍ତ୍ରୀ ଭାବରେ ଗ୍ରହଣ କରିପାରିବ ନାହିଁ। ତେବେ ୟାକର କିଛି ଭକ୍ତ ଅଛନ୍ତି ଓ ରହିବେ। ଭାରତର ସବୁ ମହାନତା ଭିତରେ ଗୋଟେ କଳଙ୍କ ହେଉଛି ଏହା ଭଣ୍ଡ ବାବାଜୀ ଓ ମାତାଜୀ ମାନଙ୍କର ଏକ ଦେଶ। ଏଠି ଧର୍ଷଣକାରୀ ଆଶାରାମ ବାପୁ ଓ ରାମ ରହିମର ଭକ୍ତ ଅଛନ୍ତି। ତେଣୁ ଭଣ୍ଡ ନେତାଙ୍କର ଭକ୍ତ ରହିବାରେ କିଛି ଅସୁବିଧା ନାଇଁ। ୩୦% ଭୋଟ ପାଇ ଜଣେ ପ୍ରଧାନମନ୍ତ୍ରୀ ହୋଇଯାଇପାରେ। ନାଟକ ଦେଖି ଭୋଟ ଦେଉଥିବା ଲୋକଙ୍କ ସଂଖ୍ୟା ଆମ ଦେଶରେ କମ ନୁହଁ। ତେଣୁ ନରେନ୍ଦ୍ର ମୋଦୀ ଯେତେଥର ପ୍ରଧାନମନ୍ତ୍ରୀ ହେଲେ ମଧ୍ୟ ଭାରତ ର ଇତିହାସରେ ସେ ଜଣେ ଅଭିନେତା ଭାବରେ ହିଁ ବିଖ୍ୟାତ ହୋଇ ରହିବେ।
ଜଣେ ପ୍ରଧାନମନ୍ତ୍ରୀ ଏ ଦେଶରେ ଧ୍ୟାନ ଓ ତପସ୍ୟା ଭଳି ମହାନ ଅନୁଭବର ବଜାର ଖୋଲି ବସିବା ଯେତିକି ହାସ୍ୟାସ୍ପଦ, ଭାରତୀୟ ସଂସ୍କୃତିର ଉପହାସ ତାହାଠୁ ଅଧିକ ନିନ୍ଦନୀୟ। ଗୋଟେ ସମୟରେ କ୍ଷମତା ଓ ସିଂହାସନକୁ ପଦାଘାତ କରି ଭାରତୀୟ ମନୀଷୀମାନେ ତପସ୍ୟା କରିବାକୁ ଅରଣ୍ୟ ଭିତରକୁ ଯାଉଥିଲେ। ଆଜି କ୍ଷମତା ଦାଖଲ କରିବା ଲାଗି ଗୋଟେ ଲୋକ ତପସ୍ୟାର ନାଟକ କରିବାକୁ କେଦାରନାଥ ଗୁମ୍ଫାକୁ ବ୍ୟବହାର କରୁଛି। ଭାରତୀୟ ଜୀବନବୋଧକୁ ଏହା ଏକ ଦାରୁଣ ଉପହାସ। ନିର୍ବାଚନ ଦିନ ନିଜର ଛବିକୁ ବଜାୟ ରଖିବା ଲାଗି ଏ ପ୍ରକାର ପ୍ରହସନକୁ ଧ୍ୟାନ ଓ ତପସ୍ୟା ବୋଲି ଯେଉଁମାନେ କହୁଛନ୍ତି, ସେମାନେ ବି କମ ନିର୍ଲଜ ନୁହନ୍ତି। ନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ନରେନ୍ଦ୍ର ମୋଦୀ ଯେତେ ସବୁ ବିଷ ଉଦ୍ଗାର କରିଛନ୍ତି ଓ ଯେତେ ପ୍ରକାର ମିଛ କହିଛନ୍ତି, ସବୁର ନିର୍ଲଜ ପ୍ରସାରଣ ପରେ, ଆଜି ତପସ୍ୟାର ନାଟକକୁ ମଧ୍ୟ ପ୍ରସାରିତ କରାଯାଉଛି।
ତେବେ ଭାରତୀୟ ଭାବରେ ଆମେ ଗୋଟେ କଥା ଜାଣୁ ଯେ, ଆଧ୍ୟାତ୍ମିକତାର ନାଟକବାଜିରୁ କୌଣସି ମୋକ୍ଷ ମିଳେନାହିଁ। ହୁଏତ, ଏ ନାଟକବାଜିରୁ କିଛି ଭୋଟ ମିଳିଯିବ। କିନ୍ତୁ କାଳ କାଳ ଧରି ପ୍ରଧାନମନ୍ତ୍ରୀ ପଦର ଗରିମା ଲିଭିଯିବ। ନରେନ୍ଦ୍ର ମୋଦୀ ଏ ଦେଶରେ ପ୍ରଧାନମନ୍ତ୍ରୀ ପଦରେ ଭଲ ଅଭିନୟ ହୁଏତ କରିପାରନ୍ତି, ତାଙ୍କୁ ବାସ୍ତବ ପ୍ରଧାନମନ୍ତ୍ରୀ ଭାବରେ ଏ ଦେଶର ଆତ୍ମା କଦାପି ସ୍ଵୀକାର କରିବ ନାହିଁ। ମା ର ମମତାକୁ ଟେଲିଭିଜନ କ୍ୟାମେରା ଆଗରେ ବିକିବା ବେଳେ ହୁଏତ ସେଥିରେ ପୁରା ଅଧିକାର ବୋଲି ଆମେ ଭାବି ନେଉଥିଲୁ। ହେଲେ ଭାରତର ଆତ୍ମା ଧ୍ୟାନ, ତପସ୍ୟା ଓ ଯୋଗର ରାଜନୈତିକ ସଉଦା କରୁଥିବା ନରେନ୍ଦ୍ର ମୋଦୀ, ଏ ଦେଶର ସବୁଠୁ ବଡ ଅଭିନେତା ରୂପେ ଇତିହାସରେ ଜାଗା ପାଇବେ। ତାଙ୍କୁ ନେତା ବୋଲି ତାଙ୍କର ଭକ୍ତଙ୍କ ଛଡା ଆଉ କେହି ଗ୍ରହଣ କରିପାରିବେ ନାହିଁ।