ହିମାଂଶୁ ସିଂ, ବରିଷ୍ଠ ସାମ୍ବାଦିକ
ଆରମ୍ଭ ହୋଇଛି ପିତୃପକ୍ଷ। ହେଲେ ଆମ ପିଲାଦିନର ପିତୃପକ୍ଷ ଓ ଆଜିର ପିତୃପକ୍ଷ ମଧ୍ୟରେ ଢେର ଫରକ। ଏବେ ପିତୃପକ୍ଷ କହିଲେ କେବଳ ଘରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ପିତୃପୁରୁଷଙ୍କୁ ପିଣ୍ଡଦାନରେ ଏହା ସୀମିତ।
ସେତେବେଳେ, ପ୍ରାୟ ୪୦ବର୍ଷ ତଳେ ଆମ ଘରେ ପିତୃପକ୍ଷର ବହୁ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହେଉଥିଲା। ବିଶେଷକରି ଯେଉଁଦିନ ଘରେ ପିଣ୍ଡ ପଡୁଥିଲା ସେ ଦିନ ଭୋଜିଭାତ ହେଉଥିଲା। ପିତୃପକ୍ଷ ଆରମ୍ଭ ଦିନ ଠାରୁ ଗାଁର ପ୍ରାୟ ସମସ୍ତଙ୍କରେ ‘ଫୁଲପାଣି’ ଦିଆଯାଉଥିଲା। ସକାଳୁ ମା’ ଗାଧୋଇ ପାଧୋଇ କାକୁଡି ପତ୍ରରେ ଘରର ପ୍ରତି ଦୁଆର ମୁହଁରେ ଭୋଗ କରୁଥିଲା। ଅବଶ୍ୟ ଘରେ ପିଣ୍ଡ ପଡିବାର ପରଦିନ ଏହା ଆଉ ହେଉ ନ ଥିଲା।
ପିତୃପକ୍ଷରେ ଘରେ ଆମିଷ ପ୍ରବେଶ ନିଷେଧ ଥିଲା। ବାବା ତ ପିତୃପକ୍ଷରେ ଖିଅର ହେଉନଥିଲେ। ପିତୃପକ୍ଷ ପରେ ଦାଢି କଟାଯାଉଥିଲା। ପ୍ରାୟ ସମସ୍ତଙ୍କ ଘରେ ସମାନ ଅବସ୍ଥା। ଅଧିକାଂଶଙ୍କ ମୁହଁରେ ଦାଢି ଦେଖିଲେ ପିତୃପକ୍ଷ ଚାଲିଥିବା ଜଣାପଡି ଯାଉଥିଲା।
ତେବେ ପିତୃପକ୍ଷର ସବୁଠାରୁ ଆକର୍ଷଣ ଥିଲା ଘରେ ଘରେ ଖାଇବା ପିଇବା। ଯାହା ଘରେ ଯେଉଁଦିନ ତିଥି ଅନୁଯାୟୀ ପିଣ୍ଡ ପଡୁଥିଲା ସେଦିନ ସାହିର ପ୍ରାୟ ସମସ୍ତ ଲୋକେ ତାଙ୍କ ଘରେ ଖାଉଥିଲେ। ତେବେ ପିଣ୍ଡ ପକାଇବାକୁ ଥିବା ମୁରବୀମାନେ ଅନ୍ୟମାନଙ୍କ ଘରେ ଖାଉନଥିଲେ। ପିଲାଙ୍କ ଭିଡ ଜମୁଥିଲା।
ପିତୃପକ୍ଷର ପ୍ରଥମ ଦିନ ଆମ ଘରେ ପିଣ୍ଡ ପଡୁଥିଲା। ତେଣୁ ପ୍ରଥମ ଦିନ ଆମ ଘରେ ସାହିର ସମସ୍ତେ ଖାଉଥିଲେ। ସେହିଦିନ ମୋର ସ୍କୁଲ ଯିବା ବନ୍ଦ। ଶିକ୍ଷକତା କରୁଥିବା ମୋର ଆଈ ମଧ୍ୟ ଛୁଟିରେ ରହୁଥିଲା। ବାବା କିନ୍ତୁ ପିଣ୍ଡ ପକାଇ ସାରି ଅଫିସ ଯାଉଥିଲେ। ସେଥିପାଇଁ ଆମ କୂଳ ପୁରୋହିତ ସଅଳ ସଅଳ ଆସି ପିଣ୍ଡକାର୍ୟ୍ୟ ସାରୁଥିଲେ।
ପିଣ୍ଡ ପଡିବା ଦିନ ଭୋଜିଭାତର ବ୍ୟବସ୍ଥା ଥିବା ଯୋଗୁଁ ଏଥିପାଇଁ ପ୍ରାୟ ସପ୍ତାହକ ପୂର୍ବରୁ ପ୍ରସ୍ତୁତି ଚାଲୁଥିଲା। ଧାନ କୁଟି ଅରୁଆ ଚାଉଳ ପ୍ରସ୍ତୁତ ସହିତ ହାଟରୁ ପନିପରିବା ଓ ଅନ୍ୟାନ୍ୟ ସଉଦା ଆସୁଥିଲା। ତେବେ ରୋଷେଇ କାର୍ଯ୍ୟ ଆମ କୁଟୁମ୍ବର ମହିଳାମାନେ କରୁଥିଲେ। ଏହା ଥିଲା କୁଟୁମ୍ବର ସମସ୍ତଙ୍କୁ ଗୋଟିରେ ରଜୁରେ ବାନ୍ଧି ରଖିବାର ଅନ୍ୟଏକ ଉତ୍ସବ।
ପିଣ୍ଡଦାନର ସକାଳୁ ସକାଳୁ ସମସ୍ତଙ୍କ ଘରେ ବୁଲି ଖାଇବା ପାଇଁ ଆସିବାକୁ ନିମନ୍ତ୍ରଣ କରିବାକୁ ପଡୁଥିଲା। ଯଦି କିଏ ଆସିବରେ ବିଳମ୍ବ କରୁଥିଲା ତେବେ ତାକୁ ଆଉଥରେ ଡାକିବାକୁ ପଡୁଥିଲା। ଆମ କୁଟୁମ୍ବକୁ ବାଦ ଦେଲେ ଅନ୍ୟ ଘରର ମହିଳମାନେ ପ୍ରାୟତଃ ଆସୁନଥିଲେ। ତେଣୁ ତାଙ୍କ ପାଇଁ ଖାଦ୍ୟ ଯାଉଥିଲା।
ପିତୃପକ୍ଷର ପ୍ରତିଦିନ ଗାଁରେ କାହାର ନା କାହା ଘରେ ପିଣ୍ଡ ପଡୁଥିଲା। ତେଣୁ ପ୍ରାୟ ଦୁଇ ସପ୍ତାହ ଧରି ଭୋଜିଭାତ ଜମୁଥିଲା। ଆମେ ସ୍କୁଲରୁ ଫେରି ଖାଇବାକୁ ଯାଉଥିଲୁ। ସେଥିପାଇଁ ସମସ୍ତେ ଅପେକ୍ଷା କରୁଥିଲେ। ପିଲାମାନଙ୍କ ପାଇଁ ଅଲଗା ଭାବେ ଖାଦ୍ୟ ସାଇତା ହୋଇ ରହୁଥିଲା।
ମୁଁ ଯେଉଁ ସମୟର କଥା କହୁଛି ସେତେବେଳେ ଗାଁରେ ଅଧିକାଂଶ ସ୍ୱଚ୍ଛଳ ତାଲିକାରେ ନଥିଲେ। କିନ୍ତୁ ପିତୃପକ୍ଷରେ ପିଣ୍ଡଦାନ ସହିତ ଭୋଜିଭାତର ଆୟୋଜନ କରୁଥିଲେ। ଏଥିପାଇଁ ଥିଲା ସ୍ୱତନ୍ତ୍ର ଉତ୍ସାହ। ପିତୃପୁରୁଷଙ୍କ ପ୍ରତି ସମର୍ପଣର ଭାବ। ସମସ୍ତଙ୍କ ଘରେ ପ୍ରାୟ ସମାନ ଖାଦ୍ୟ। ଭାତ-ଡାଲମା-ଖଟା-ଖିରି।
ଇତି ମଧ୍ୟରେ ଚାରି ଦଶନ୍ଧି ବିତି ଯାଇଛି। ବଦଳିଛି ଗାଁର ଚେହରା। ସମସ୍ତେ ପ୍ରାୟ ସ୍ୱଚ୍ଛଳ। ସେତେବେଳେ ଚାଳଘର ଥିବା ଅନେକ ଲୋକଙ୍କର ଏବେ ଦୁଇ ମହଲା କୋଠା। ଘରେ ଘରେ ଦୁଇ ଚକିଆ ଠାରୁ ଚାରି ଚକିଆ ପର୍ୟ୍ୟନ୍ତ ଗାଡି।
ହେଲେ ପିତୃପକ୍ଷରେ ଆଉ ପୂର୍ବଭଳି ଉତ୍ସାହ ନାହିଁ। ଏବେ କାହାର କେଉଁଦିନ ପିଣ୍ଡ ଦିଆ ହେଉଛି ତାହା ପଡିଶା ଘରର ପିଲାଏ ଜାଣିପାରୁ ନାହାନ୍ତି। ମାନସିକତାରେ ବଡ ପରିବର୍ତ୍ତନ ଆସିଛି। ବଦଳୁଥିବା ପରିସ୍ଥିତିରେ ପିତୃପକ୍ଷ ସତେ ଯେମିତି ହଜି ହଜି ଯାଉଛି । ପିଣ୍ଡଦାନ ହେଉଛି… ହେଲେ ଅନ୍ନଦାନ ଆଉ ଆଗଭଳି ନାହିଁ।
( ଏହି ଲେଖାଟିକୁ ହିମାଂଶୁ ସିଂଙ୍କ ଫେସବୁକ ପେଜରୁ ସଂଗୃହିତ କରାଯାଇଛି )