Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଗ୍ନିବୀରଙ୍କ ବେତନ ବ୍ୟବସ୍ଥା ଓ ସ୍ପର୍ଶ ମୋବାଇଲ ଆପ୍ ସମେତ ବିଭିନ୍ନ ଡିଜିଟାଲ ଉପକ୍ରମର ଶୁଭାରମ୍ଭ
ବିଶେଷ ଖବର

ଅଗ୍ନିବୀରଙ୍କ ବେତନ ବ୍ୟବସ୍ଥା ଓ ସ୍ପର୍ଶ ମୋବାଇଲ ଆପ୍ ସମେତ ବିଭିନ୍ନ ଡିଜିଟାଲ ଉପକ୍ରମର ଶୁଭାରମ୍ଭ

October 2, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରତିରକ୍ଷା ଲେଖା ବିଭାଗ ବା ଡିଫେନ୍ସ ଆକାଉଣ୍ଟ ଡିପାର୍ଟମେଣ୍ଟ (ଡିଏଡି)ର ୨୭୫ତମ ବାର୍ଷିକ ଦିବସ ନୂଆଦିଲ୍ଳୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଏଡିର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିରେ ରହିଛି ପେନସନ୍‌ର ପ୍ରଶାସନ (ରକ୍ଷା) ମୋବାଇଲ ଆପ୍‌, ଅଗ୍ନିବୀରଙ୍କ ବେତନ ବ୍ୟବସ୍ଥା, ଡିଫେନ୍ସ ଟ୍ରାଭେଲ ସିଷ୍ଟମରେ ଆର୍ନ୍ତଜାତିକ ବିମାନ ଟିକେଟ ବୁକିଂ, ଡିଫେନ୍ସ ଆକାଉଣ୍ଟର ରିସିପ୍ଟ ଓ ପେମେଣ୍ଟ ବ୍ୟବସ୍ଥା (ଦର୍ପଣ), ପ୍ରତିରକ୍ଷା ବେସାମରିକ ବେତନ ବ୍ୟବସ୍ଥା ଏବଂ ଡିଫେନ୍ସ ଆକାଉଣ୍ଟସ ମାନବସମ୍ବଳ ପରିଚାଳନା ବ୍ୟବସ୍ଥା।

ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ ଡିଏଡିର ଏହି ଡିଜିଟାଲ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ ‘ଡିଜିଟାଲ ଇଣ୍ଡିଆ’ ଲକ୍ଷ୍ୟ ପୂରଣକୁ ଏହା ଆଗେଇ ନେଉଥିବା କହିଥିଲେ। ଏଭଳି ପ୍ରୟାସ ବିଭାଗର କାର୍ଯ୍ୟଦକ୍ଷତା ବଢାଇବା ସହିତ କାମରେ ସ୍ୱଚ୍ଛତା ଆଣିବ ବୋଲି ମତ ଦେଇଥିଲେ।

ଆଜିର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ୨୦୨୨ବର୍ଷର ରକ୍ଷାମନ୍ତ୍ରୀ ପୁରସ୍କାର ପ୍ରଦାନ କରିଥବଲେ। ଉଲ୍ଲେଖନୀୟ ସେବା ଓ କର୍ତ୍ତବ୍ୟ ପରାୟଣତା ପାଇଁ ଏହି ପୁରସ୍କାର ତିନିଟି ସାମରିକ ଦଳକୁ ପ୍ରଦାନ କାଯାଇଛି। ‘ସ୍ୱର୍ଶ’ ପ୍ରକଳ୍ପର ଗବେଷଣା, ବିକାଶ ଓ କାର୍ଯ୍ୟକାରିତା, ଡିଆରଡିଓ ରେ ଇ-କନ୍‌କରାନ୍ସର କାର୍ଯ୍ୟକାରିତା ଏବଂ  ପେ ଆଣ୍ଡ ଏକାଉଣ୍ଟସ୍ ଅଫିସ (ପି ଏ ଓ) ଭାରତୀ: ୟୋର ପିଏଠ, ଏ କଲ୍ ଆୱେ ୨୪ଢ୭ପ୍ରକଳ୍ପ ବିକଶିତ କରି ତାହାକୁ କାର୍ଯ୍ୟକାରିତା କରିଥିବା ଟିମ୍‌‌ଙ୍କୁ ଏହି ପୁରସ୍କାର ମିଳିଛି।

ସ୍ପର୍ଶ ମୋବାଇଲ ଆପ୍‌: ଏହି ଆପ୍ ମାଧ୍ୟମରେ ପ୍ରତିରକ୍ଷା ବାହିନୀର ପେନସନ୍‌ଭୋଗୀମାନେ ସମ୍ପୃକ୍ତ ପୋର୍ଟାଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ/କର୍ମକର୍ତ୍ତାଙ୍କ ସହିତ ନିଜର ମୋବାଇଲ ଫୋନ ମାଧ୍ୟମରେ ପହଞ୍ଚଚିପାରିବ। ଏହି ପୋର୍ଟାଲ ପ୍ରତିରକ୍ଷା ବାହିନୀର ସବୁ ସେବା ନିବୃତ୍ତ ସାମରିକ ଓ ବେସାମରିକ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ। ଏହାକୁ http://sparth.defence pension.gov.in/ ରେ ଆକ୍‌ସେସ୍ କରି ହେବ। ପ୍ରତିରକ୍ଷା ପେନ୍‌ସନ୍ ମଞ୍ଜୁର ଓ ପ୍ରଦାନ ପାଇଁ ଏହା ଏକ ସମନ୍ୱିତ ସ୍ୱଂୟକ୍ରିୟ ବ୍ୟବସ୍ଥା। ଏହା ମାଧ୍ୟମରେ ପେନ୍‌ସନ୍ ଜନିତ ସବୁ ଆପତ୍ତି ଅଭିଯୋଗର ତୁରନ୍ତ ସମାଧାନ ହୋଇପାରିବ। ପେନସନଭୋଗୀମାନେ ଏହି ପୋର୍ଟାଲକୁ ଲଗ୍‌ ଅନ୍ କରି ନିଜର ପେନସନ୍ ସମସ୍ୟାର ସମାଧାନ ଶୀଘ୍ର ଏବଂ ସହଜରେ କରିପାରିବେ।

‘ସ୍ପର୍ଶ’କୁ ପ୍ରତିରକ୍ଷା ମନ୍ତ୍ରୀ ଏକ ଐତିହାସିକ ପଦକ୍ଷେପଭାବେ ବର୍ଣ୍ଣନା କରି କହିଛନ୍ତି ଯେ ସେବା ନିବୃତ ପ୍ରତିରକ୍ଷା କର୍ମଚାରୀଙ୍କୁ ଶ୍ରେଷ୍ଠତମ ସେବା ଓ ସୁବିଧା ପ୍ରଦାନ କରିବାକୁ ସରକାର ସଦା ଚେଷ୍ଟିତ। ପୂର୍ବତନ ସେନା କର୍ମଚାରୀ ଓ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ସରକାର ସବୁ ମନ୍ତେ ଉଦ୍ୟମ କରୁଛନ୍ତି। ଉପଯୁକ୍ତ ସମୟରେ ଉପଯୁକ୍ତ ପେନସନ୍ ଯୋଗାଇ ଦେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ରକ୍ଷା ପେନ୍‌ସନ୍ ସମାଧାନ କାର୍ଯ୍ୟକ୍ରମରେ ଏହି ବିଭାଗ ନିୟମିତ ସମ୍ପର୍କ ସ୍ଥାପନ ମାଧ୍ୟମରେ ଉଦ୍ୟମ କରୁଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ତାହାକୁ ପ୍ରଶଂସା କରିଛନ୍ତି।

ଅଗ୍ନିବୀର ବେତନ ବ୍ୟବସ୍ଥା: ଏହି ବ୍ୟବସ୍ଥାଟି ଅଗ୍ନିବୀରମାନଙ୍କ ବେତନ ପରିଚାଳନା କାର୍ଯ୍ୟକୁ ଦକ୍ଷ ଏବଂ ବେଗଗାମୀ କରିବାକୁ ଉଦ୍ଦିଷ୍ଟ। ସରକାର ଯେଉଁ ନୂଆ ଅଗ୍ନିବୀର ଯୋଜନା କାର୍ଯ୍ୟକାରୀ କରିଛନ୍ତି ସେଥିରେ ସାମିଲ ହେଉଥିବା ସଦସ୍ୟଙ୍କ ପାଇଁ ଏହା ଉଦ୍ଦିଷ୍ଟ। ଏହା ଏକ ସମ୍ପୂର୍ଣ୍ଣ ସ୍ୱଂୟକ୍ରିୟ ଆଇଟି ବ୍ୟବସ୍ଥା। ଏହାର ପୋର୍ଟାଲ ମାଧ୍ୟମରେ ଅଗ୍ନିବୀରମାନଙ୍କ ବେତନ ପ୍ରଦାନ ପ୍ରକ୍ରିୟା ସୁସଂହତ ହେବ। କାହାର କିଛି ଆପତ୍ତି ଅଭିଯୋଗ ଥିଲେ ଏହି ପୋର୍ଟାଲ ମାଧ୍ୟମରେ ତାହାର ସମାଧାନ ହୋଇପାରିବ। ପ୍ରଧାନମନ୍ତ୍ରୀ ମଧ୍ୟ ଆଜି ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଅଗ୍ନିବୀରଙ୍କ ପାଇଁ ଏକ କେନ୍ଦ୍ରୀକୃତ ପିଏଓ (ଆର୍ମି)କୁ ଉଦ୍‌ଘାଟନ କରିଛନ୍ତି।

 ଡିଫେନ୍ସ ଟ୍ରାଭେଲ ସିଷ୍ଟମ: ଏହି ବ୍ୟବସ୍ଥାରେ ପ୍ରତିରକ୍ଷା ବାହିନୀର କର୍ମଚାରୀ ଓ ଅଧିକାରୀଙ୍କ ରେଳ ଓ ବିମାନ ଟିକେଟ ବୁକିଂ ଓ ସେ ବାବଦରେ ବ୍ୟୟ କରିଥିବା ଅର୍ଥ ଫେରିପାରିବା ଆଦି ବିଭିନ୍ନ ସମସ୍ୟାର ତୁରନ୍ତ ଓ ସହଜ ସମାଧାନ ହୋଇପାରିବ। ଏଥିପାଇଁ କାଗଜପତ୍ରର ଆବଶ୍ୟକତା ପଡିବ ନାହିଁ।  ଡିଜିଟାଲ ବ୍ୟବସ୍ଥାରେ ସବୁ କାମ ସହଜରେ କରିହେବ । ଏହା ଏକ ପେପରଲେସ୍‌, କ୍ୟାସଲେସ୍ ବ୍ୟବସ୍ଥା। ଆଗରୁ ସାମରିକ ଅଧିକାରୀ/କର୍ମଚାରୀଙ୍କ ଆନ୍ତର୍ଜାତିକ ଯାତ୍ରା ପାଇଁ ବିମାନ ଟିକେଟ କିଣିବାକୁ ଏୟାର ଏକ୍ସଚେଞ୍ଜ ୱାରେଣ୍ଟସ୍‌ର ଆବଶ୍ୟକତା ପଡୁଥିଲା। ନୂଆ ବ୍ୟବସ୍ଥାରେ ତାହାର ଅବସାନ ଘଟିଛି। ଏହା ଦ୍ୱାରା ଜିଏସ୍‌ଏଲ ରିସିପ୍ଟ ଓ ଟିକେଟ ବୁକିଂ ମଧ୍ୟରେ ଯେଉଁ ସମୟ ବ୍ୟବଧାନ ରହୁଥିଲା ତାହା ଆଉ ରହିବ ନାହିଁ। ଅତଏବ ଶେଷ ମୁହୂର୍ତ୍ତରେ ହଠାତ ବିଦେଶକୁ ଯିବାକୁ ହେଲେ ଆଉ ଜଞ୍ଜାଳ ରହିବ ନାହିଁ ଏବଂ ସହଜରେ ଏୟାର ଟିକେଟ ବୁକ୍ କରାଯାଇପାରିବ।

ଦର୍ପଣ: ଡିଫେନ୍ସ ଆକାଉଣ୍ଟସ୍ ରିସିଫ୍ଟ ଆଣ୍ଡ ପେମେଣ୍ଟ ସିଷ୍ଟମ (ଦର୍ପଣ) ତୃତୀୟପକ୍ଷ ବିଲ୍ ପେମେଣ୍ଟ ଓ ଆକାଉଣ୍ଟିଂର ସମାଧାନ ପାଇଁ ଏକ ଏକୀକୃତ ବ୍ୟବସ୍ଥା। ଏହି ନୂଆ ବ୍ୟବସ୍ଥାରେ ତୃତୀୟପକ୍ଷଙ୍କ ଦାବି ଓ ଅର୍ଥ ଦେଣନେଣ କାମ ସହଜରେ ଶୀଘ୍ର ହୋଇପାରିବ। ଏହା ଫଳରେ ସମ୍ପୃକ୍ତ ବିଭାଗର ଦକ୍ଷତା ବଢିବ ଓ କାମ ସ୍ୱଚ୍ଛ ହେବ।

ଡିଫେନ୍ସ ପେ’ ସିଭିଲିଆନ୍ସ ସିଷ୍ଟମ- ପ୍ରତିରକ୍ଷା ବାହିନୀରେ ଯେଉଁସବୁ ବେସାମରିକ କର୍ମଚାରୀ କାର୍ଯ୍ୟରତ ସେମାନଙ୍କ ବେତନ ଓ ଦେୟ ପ୍ରଦାନକୁ ସୁଗମ କରିବା ଏହି ବ୍ୟବସ୍ଥାର ଲକ୍ଷ୍ୟ। ଏହା ଏକ ସମ୍ପୂର୍ଣ୍ଣ ସ୍ୱଂୟକ୍ରିୟ ବ୍ୟବସ୍ଥା। ଉଭୟ ୟୁନିଟ୍ ଓ ପିସିଡିଏ/ସିଡିଏ ଅଫିସ ସବୁ ଏହି ସିଷ୍ଟମ ଆକ୍‌ସେସ ସୁବିଧା ପାଇଛନ୍ତି। ସମ୍ପୃକ୍ତ ପୋର୍ଟାଲର ଦେୟ ପ୍ରଦାନକାରୀ ଅଫିସ ପେମେଣ୍ଟର ସ୍ଥିତିକୁ ସହଜରେ ଜାଣିପାରିବ।

ଡିଫେନ୍ସ ଆକାଉଣ୍ଟସ୍ ଏଚ୍‌. ଆର୍ ମ୍ୟାନେଜମେଣ୍ଟ ସିଷ୍ଟମ: ଏହା ପ୍ରତିରକ୍ଷା ବାହିନୀର ଆକାଉଣ୍ଟସ୍ (ଲେଖା) ବିଭାଗର ମାନବସମ୍ବଳ ପରିଚାଳନା ଦକ୍ଷତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ । ଏହି ପ୍ଲାଟଫର୍ମରେ ବିଭିନ୍ନ ପ୍ରକାର ସେଲ୍‌ଫ ସର୍ଭିସ ମଡ୍ୟୁଲ୍ସ ଯଥା-ଇ ସର୍ଭିସ, ବୁକ୍‌, ଛୁଟି ପରିଚାଳନା, ପେ ରୋଲ ଜେନେରସନ ଓ ପ୍ରମୋସନ ଆଦିର ସବିଶେଷ ବ୍ୟବସ୍ଥା ଉପଲବ୍ଧ। ମୋବାଇଲ ଆପ୍ ମାଧ୍ୟମରେ କର୍ମଚାରୀମାନେ  ଯେ କୌଣସି ସମୟରେ ଯେ କୌଣସି ସ୍ଥାନରୁ ଏହାକୁ ଆକ୍‌ସେସ୍ କରିପାରିବେ।

ପିଏଓ-ଭାରତୀ: ଏହା ପ୍ରତିରକ୍ଷାମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଉତ୍କର୍ଷ ପୁରସ୍କାରର ଏକ ଅଂଶ ବିଶେଷଭାବେ ଏଥର ଆରମ୍ଭ ହୋଇଛି। ପ୍ରତିରକ୍ଷା ବାହିନୀର କର୍ମଚାରୀମାନେ ସେମାନଙ୍କ ବେତନ, ଭତ୍ତା, ଦାବି ଓ ଅନ୍ୟାନ୍ୟ ଆର୍ଥିକ ଲାଭ ବିଷୟରେ ସର୍ବଶେଷ ଓ ସବିିଶେଷ ତଥ୍ୟ ପାଇପାରିବେ। କର୍ମଚାରୀମାନେ ଏକ ଇଣ୍ଟର ଆକ୍ଟିଭ ଭଏସ ରେସ୍‌ପନ୍ସ ସିଷ୍ଟମରେ ନିଜ ନିଜର ଅଭିଯୋଗ ଫୋନ ମାଧ୍ୟମରେ ପଞ୍ଜୀକୃତ କରିିବାର ସୁବିଧା ପାଇବେ। ସେମାନଙ୍କୁ ଅଭିଯୋଗ ଉପସ୍ଥାପନ କରିବାର ୪୮ ଘଣ୍ଟା ମଧ୍ୟରେ ଉତ୍ତର ମିଳିବ। ସାତଟି ପିଏଓରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଅବଶିଷ୍ଟ ପିଏଓରେ ଏହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ ସଂକ୍ରାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ  ବାର୍ତ୍ତାକୁ ଡିଏଡି କାର୍ଯ୍ୟକାରୀ କରୁଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ସମ୍ପୃକ୍ତ ବିଭାଗ ଡିଜିଟାଲ ପଥ ଅନୁସରଣ କରି ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ଆଗକୁ ବଢୁଥିବାବେଳେ ପାରମ୍ପରିକ ମୂଲ୍ୟବୋଧକୁ ବଜାୟ ରଖିଛି। ଆର୍ଥିକ ବିଜ୍ଞତା ଓ ସୁପରିଚାଳନା ପାଇଁ ସେ ମଧ୍ୟ ଡିଏଡିକୁ ସାଧୁବାଦ ଜଣାଇଚନ୍ତି। ୨୦୪୭ ସୁଦ୍ଧା ଭାରତକୁ ବିଶ୍ୱର ଏକ ଅନ୍ୟତମ ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ ଏବେ “ଅମୃତକାଳ” ମଧ୍ୟ ଦେଇ ଗତି କରୁଥିବାବେଳେ ସେହି ଲକ୍ଷ୍ୟ ପୂରଣରେ ଏକ ସଶକ୍ତ ଓ ସମୃଦ୍ଧ ପ୍ରତିରକ୍ଷା ବାହିନୀର ବିଶେଷ ଗୁରୁତ୍ୱ ରହିଛି।

ଏଥିପାଇଁ ଆତ୍ମନିର୍ଭର ପ୍ରତିରକ୍ଷା ବ୍ୟବସ୍ଥାରେ ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣରେ ସାବଲମ୍ବୀ କରିବାର ଉଦ୍ୟମ ଚାଲିଛି। ସେ ଆହୁରି କହିଛନ୍ତି ଯେ ଆରମ୍ଭରୁ ବର୍ତ୍ତମାନର ସରକାର ଦେଶର ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ଅଗ୍ରାଧିକାର ଦେଇ କାମ କରୁଛି। ୨୦୨୨-୨୩ କେନ୍ଦ୍ରୀୟ ବଜେଟ୍‌ରେ ପ୍ରତିରକ୍ଷା ପାଇଁ ୫. ୨୫ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ  ସରକାରଙ୍କ ଏହି ଉଦ୍ୟମର ପ୍ରମାଣ। ଏ କ୍ଷେତ୍ରରେ ଡିଏଡିର ଦାୟିତ୍ୱ ବିଶେଷ ଗୁରୁତ୍ୱପୂର୍ଣ୍ଣ।

ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଭାରତ ଚଳାଇଥିବା ଉଦ୍ୟମ ସମ୍ପର୍କରେ ଉଲ୍ଲେଖ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଦେଶ ଯେତେ ଅସ୍ତ୍ରଶସ୍ତ୍ର କିଣୁଛି  ତାହାର ୬୮ ଶତାଂଶ ଚଳିତ ଆର୍ଥିକ ବର୍ଷରେ ଦେଶୀ ଘରୋଇ ଉଦ୍ୟୋଗରୁ କିଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଅତଏବ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରି ଡିଏଡି ସରକାରଙ୍କ ଉଦ୍ଦେଶ୍ୟକୁ ସଫଳ କରିବା ପାଇଁ ସହଯୋଗ ଯୋଗାଇ ଦେବା ଆବଶ୍ୟକ। ବିଳମ୍ବ କଲେ କେବଳ ସମୟ ବରବାଦ ହୁଏ ନାହିଁ, ପ୍ରତିରକ୍ଷା ବାହିନୀର ଲଢେଇ ସାମର୍ଥ୍ୟ ମଧ୍ୟ ପ୍ରଭାବିତ ହୁଏ। ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ରପା କରି ଅର୍ଥ ଅପଚୟ ରୋକିବାକୁ ସେ ଡିଏଡିକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ର ନିର୍ମାଣରେ ପ୍ରତିରକ୍ଷା ବାହିନୀର ଗୁରୁ ଦାୟିତ୍ୱ ଥିବାରୁ ଅର୍ଥର ଉପଯୁକ୍ତ ଅଡିଟ, ଅର୍ଥ ଦେଣନେଣରେ ସ୍ୱଚ୍ଛତା ରକ୍ଷା, ଫେସଲେସ୍ ବ୍ୟବସ୍ଥାର ପ୍ରବର୍ତ୍ତନ ଉପରେ ସେ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। ଡିଏଡିର ଅଧିକାରୀ ଓ କର୍ମଚାରୀ ଦେଶର ଅର୍ଥ ପରିଚାଳନାରେ ନିଷ୍ଠାପର ଓ ସମର୍ପିତ ଭାବେ କାମ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର, ସ୍ଥଳ ବାହିନୀର ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ, ପ୍ରତିରକ୍ଷା ସେବା ଅର୍ଥ ପରାମର୍ଶଦାତା ରସିକା ଚୌବେ, ଡିଫେନ୍ସ ଆକାଉଣ୍ଟସ୍‌ର ଅତିରିକ୍ତି ମହାନିୟନ୍ତ୍ରକ ଅବିନାଶ ଦୀକ୍ଷିତ, ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ସାମରିକ ଓ ବେସାମରିକ ଅଧିକାରୀ ଉପସ୍ଥିତ ଥିଲେ।

'ଅଗ୍ନିବୀର ଡିଜିଟାଲ ଉପକ୍ରମ ବେତନ ବ୍ୟବସ୍ଥା ରାଜନାଥ ସିଂ ସ୍ପର୍ଶ ମୋବାଇଲ ଆପ୍
Share. Facebook Twitter LinkedIn Email WhatsApp Copy Link

Related Posts

ଅପରାଧିକ ମାମଲାରେ ପଦରୁ ହଟିବେ ପିଏମ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ!: ସଂସଦରେ ଆଗତ ହେବ ୩ ଗୁରୁତ୍ୱପୂର୍ଣ୍ଣ ବିଲ୍

August 20, 2025

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ, ପୋଲିସ ହେପାଜତରେ ଅଭିଯୁକ୍ତ

August 20, 2025

ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ହେଲେ କାହିଁକି?

August 19, 2025

ଉପରାଷ୍ଟ୍ରପତି ନିର୍ବାଚନ: ସି.ପି. ରାଧାକୃଷ୍ଣନ୍ ବନାମ ସୁଦର୍ଶନ ରେଡ୍ଡୀ, ଜାଣନ୍ତୁ କାହାର ପଲ୍ଲା ଭାରି?

August 19, 2025
Latest News

ପ୍ରାଣୀ ରୋଗ ନିୟନ୍ତ୍ରଣ ପାଇଁ ୫ ବର୍ଷରେ ଓଡ଼ିଶାକୁ ମିଳିଛି ୯୧୪୭.୪୨ କୋଟି

August 20, 2025

ନବସୃଜନକୁ ପ୍ରୋତ୍ସାହିତ କରିବ ଏବଂ ସମାଜକୁ ସୁରକ୍ଷା ଦେବ ଅନଲାଇନ୍‌ ଗେମିଂ ବିଲ୍‌, ୨୦୨୫

August 20, 2025

କୋଦଳା ଉପକାରାଗାରରେ ବିଚାରଧୀନ ବୃଦ୍ଧଙ୍କ ମୃତ୍ୟୁ

August 20, 2025

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.