Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଏତେ ସହାନୁଭୂତି କାହିଁକି?
ଜୀବନ ଶୈଳୀ

ଏତେ ସହାନୁଭୂତି କାହିଁକି?

November 19, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ସୁବାଷ କୁମାର ତାରଣିଆଁ

ହୋଲି ଛୁଟି ପରେ ମୁଁ ଗାଁରୁ ବସ୍ ଯୋଗେ ଭୁବନେଶ୍ୱର ଫେରୁଥାଏ। ବସ୍ ଯେତେ ଆଗକୁ ଆଗକୁ ଗତି କରୁଥାଏ, ଯାତ୍ରୀମାନଙ୍କର ଭିଡ଼ ସେତେ ଜମୁଥାଏ। ଯେହେତୁ ହୋଲିଛୁଟିରେ ଅଧିକାଂଶ ଲୋକ ଗାଁକୁ ଯାଇଥିଲେ, ଛୁଟି ପରେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ କର୍ମକ୍ଷେତ୍ରକୁ ଫେରୁଥିବାରୁ ବସ୍‌ରେ ଭିଡ଼ ହେବା ସ୍ୱାଭାବିକ। ବସ୍‌ଟି ତାର ଗନ୍ତବ୍ୟ ପଥରେ ଆଗେଇ ଚାଲିଥାଏ ଓ ଯାତ୍ରୀମାନେ ନିଜ ନିଜ ଭିତରେ କଥାବାର୍ତ୍ତରେ ମାତି ଯାଇଥାନ୍ତି। ଏହି ସମୟରେ ହଠାତ ଗୋଟିଏ ଗାଈ ରାସ୍ତାମଝିକୁ ଚାଲିଆସିଲା। ଡ୍ରାଇଭର ଗାଈକୁ ବଞ୍ଚାଇବାକୁ ଯାଇ ହଠାତ୍ ବ୍ରେକ୍ ମାରିବାରୁ ବସ୍‌ରେ ଛିଡ଼ାହୋଇ ଯାତ୍ରା କରୁଥିବା ଜଣେ ଯୁବକ ନିୟନ୍ତ୍ରଣ ହରାଇ ପାଖରେ ଛିିଡ଼ାହୋଇ ଯାତ୍ରା କରୁଥିବା ଜଣେ ଯୁବତୀଙ୍କ ସହ ପିଟି ହୋଇଯାଇଥିଲେ।

ଏଥିରେ ଯୁବତୀଜଣ ରାଗିଯାଇ ଯୁବକଜଣଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଥିଲେ। ବସ୍‌ଟି ହଠାତ୍ ଅଟକିଯିବାରୁ ମୁଁ ନିୟନ୍ତ୍ରଣ ହରାଇ ଆପଣଙ୍କ ସହ ପିଟି ହୋଇଗଲି ଯୁବକ ଜଣକ କହିବାରୁ, ଯୁବତୀ ଜଣକ ପୂର୍ବଭଳି ଯୁବକଜଣଙ୍କୁ ଚାପୁଡା ମାରି ଚାଲିଥିଲେ ଏବଂ ଜାଣିଶୁଣି ମୋ ଦେହରେ ବାଜିଲୁ, ଏଥିପାଇଁ ତତେ ଭୁଲ ମାଗିବାକୁ ପଡ଼ିବ ବୋଲି ଯୁବକଙ୍କୁ ଧମକ ଦେଲେ। ଯୁବକ ଜଣକ ବାରମ୍ବାର ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ଯୁବତୀଙ୍କ ରାଗ ଶାନ୍ତ ହୋଇନଥିଲା। ବରଂ ଯୁବତୀଙ୍କୁ ସହାନୁଭୂତି ଦେଖାଇ ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ଯୁବକଙ୍କୁ ଭୁଲ୍ ମାଗିବାକୁ ବାଧ୍ୟ କରିଥିଲେ। ଶେଷରେ ଯୁବକ ଜଣକ ଯୁବତୀଙ୍କୁ ଭୁଲ୍ ମାଗିଥିଲେ ଓ ଏହା ପରେ ପରସ୍ଥିତି ଶାନ୍ତ ପଡ଼ିଥିଲା।

୨୨ ଜୁଲାଇ, ୨୦୨୦ ମସିହା ସମୟ ପାଖାପାଖି ସନ୍ଧ୍ୟା ୫ ଘଟିକା। ଜଣେ ବରିଷ୍ଠ ନାଗରିକ ଭୁବନେଶ୍ୱରର ରସୁଲଗଡ଼ ଛକରେ ତାଙ୍କର ଜଣେ ବନ୍ଧୁଙ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ଦୁଇଜଣ ଯୁବତୀ ଗୋଟେ ସ୍କୁଟିରେ କଟକ ରୋଡ଼ରୁ ରସୁଲଗଡ଼ ଅଭିମୁଖେ ଆସୁଥିଲେ। ସ୍କୁଟି ଚଳାଉଥିବା ଯୁବତୀ ମୋବାଇଲରେ କଥା ହେଉଥିଲେ ଏବଂ ଅନ୍ୟମନସ୍କ ହୋଇ ବରିଷ୍ଠ ନାଗରିକଙ୍କୁ ଧକ୍କା ଦେଇଥିଲେ। ଫଳରେ ସେ ତଳେ ପଡ଼ିଯାଇଥିଲେ, ତାଙ୍କର ମୁଣ୍ଡ ଓ ପିଠିରେ ଗଭୀର କ୍ଷତ ଲାଗିଥିଲା। ଅବଶ୍ୟ ଧକା ଦେଇଥିବା ଯୁବତୀ ଦ୍ୱୟଙ୍କ କୌଣସି କ୍ଷତି ହୋଇନଥିଲା, କିନ୍ତୁ ସ୍କୁଟିଟି ସାମାନ୍ୟ ଭାଙ୍ଗିରୁଜି ଯାଇଥିଲା। କିଛି ସମୟ ପରେ ସେଠାରେ ଲୋକମାନେ ରୁଣ୍ଢ ହୋଇଯାଇଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଲୋକ ଯନ୍ତ୍ରଣାରେ ଛଟପଟ ହେଉଥିବା ବରିଷ୍ଠ ନାଗରିକଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ନେବା ବଦଳରେ, ତାଙ୍କୁ ବହେ ଗାଳି ଗୁଲଜ କରିଥିଲେ ଓ ଯୁବତୀଙ୍କ ଭଙ୍ଗା ସ୍କୁଟିକୁ ପାଖରେ ଥିବା ଏକ ଗ୍ୟାରେଜକୁ ଯାଇ ମରାମତି କରିଥିଲେ।

ମହାମାରୀ କରୋନା କାଳରେ ଯେତେବେଳେ ସାରା ରାଜଧାନୀରେ ସଟଡ଼ାଉନ ଜାରି ହୋଇଥିଲା, ସେହି ସମୟରେ ଜଣେ ମହିଳା ଅନଲାଇନ ମାଧ୍ୟମରେ ଭୁବନେଶ୍ୱରର ଏକ ହୋଟେଲରୁ ଖାଦ୍ୟ ମଗାଇଥିଲେ। ଡ଼େଲିଭରି ଯୁବକ ହୋଟେଲରୁ ଖାଦ୍ୟ ନେଇ ମହିଳାଙ୍କ ଘରକୁ ଯାଉଥିବା ସମୟରେ ତାଙ୍କ ଗାଡ଼ିରୁ ପେଟ୍ରୋଲ ସରିଯାଇଥିଲା, ଯେଉଁଥିପାଇଁ ନିର୍ଦ୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ବରେ ମହିଳାଙ୍କ ନିକଟରେ ଖାଦ୍ୟ ପହଞ୍ଚାଇଥିଲେ। ଏଥିରେ ମହିଳା ଜଣଙ୍କ ରାଗିଯାଇ ଡ଼େଲିଭରି ଯୁବକଙ୍କୁ ଗାଳିଗୁଲଜ କରିଥିଲେ। ଡ଼େଲିଭରି ଯୁବକ ବିଳମ୍ବର କାରଣ ପାଇଁ କ୍ଷମା ମାଗିଥିଲେ ମଧ୍ୟ, ତାଙ୍କର ପାରିଶ୍ରମିକ ଦେବାକୁ ରୋକଠୋକ ମନା କରିଦେଇଥିଲେ। ଯେଉଁଥି ପାଇଁ ଉଭୟ ଡ଼େଲିଭରୀ ଯୁବକ ଓ ମହିଳାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହା ପରେ ମହିଳା ଜଣକ ଉତ୍‌କ୍ଷିପ୍ତ ହୋଇ ଡ଼େଲିଭରି ଯୁବକଙ୍କୁ ଚପଲରେ ପିଟିଥିଲେ। ଏହି ସମୟରେ ସ୍ଥାନୀୟ ଲୋକମାନେ ସେଠାରେ ଜମା ହୋଇଯାଇଥିଲେ ଏବଂ ଘଟଣା କଣ ବୁଝିବା ଆଗରୁ ଯୁବକଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ। ଏଥିରେ ଯୁବକ ଜଣକ ଗଭୀର ଆଘାତ ପାଇଥିଲେ ଏବଂ ନିଜର ପାରିଶ୍ରମିକ ନପାଇ ନିରାଶ ହୋଇ ଫେରିଥିଲେ।

୨୦୨୦ ମସିହା ମାର୍ଚ୍ଚ ମାସ ୧୫ ତାରିଖ ସନ୍ଧ୍ୟା ୭ଟା ସମୟରେ ଜଣେ ଯୁବତୀ ତାଙ୍କର ପୁରୁଷ ବନ୍ଧୁଙ୍କ ସହ ନିଜ କାର୍ ଯୋଗେ ଜୟଦେବ ବିହାରରୁ ଡମଣା ଛକ ଅଭିମୁଖେ ଯାଉଥିଲେ। ସନ୍ଧ୍ୟା ସମୟରେ ଗହଳି ଥିବାରୁ ରାସ୍ତାରେ ଗାଡ଼ିଗୁଡ଼ିକ ଅଟକି ରହିଥିଲା। ଯୁବତୀଙ୍କ କାର୍ ପଛେ ପଛେ ଆସୁଥିବା ଜଣେ ବାଇକ୍ ଚାଳକ ଆଗକୁ ଯିବା ପାଇଁ ବାରମ୍ବାର ହର୍ଣ୍ଣ ମାରିବାରୁ ଯୁବତୀଙ୍କ ମୁଣ୍ଡକୁ ପିତ୍ତ ଚଢି ଯାଇଥିଲା। ସେ କାର୍‌ରୁ ଓହ୍ଲାଇ ଆସି ବାଇକ ଚାଳକଙ୍କୁ ପିଟି ଚାଲିଥିଲେ। ଏଥିରେ ସହଯୋଗ କରିଥିଲେ ତାଙ୍କର ପୁରୁଷ ବନ୍ଧୁ। ଏହି ଦୃଶ୍ୟକୁ ସେଠାକାର ଲୋକମାନେ ଉପଭୋଗ କରୁଥିଲେ ଓ ନିଜ ମୋବାଇଲେ ଫଟୋ ଉତ୍ତୋଳନ କରିବାରେ ମାତି ଯାଇଥିଲେ, କିନ୍ତୁ ଯୁବତୀଙ୍କୁ ଅକ୍ରୋଶରୁ ବାଇକ ଚାଳକଙ୍କୁ ଉଦ୍ଧାର କରିବା ପାଇଁ କହି ପ୍ରୟାସ କରିନଥିଲେ। ବରଂ ଅପେକ୍ଷା କରିଥିଲେ ବାଇକ ଚାଳକ ଯଦି ଯୁବତୀଙ୍କୁ ପାଲଟା ଅକ୍ରମଣ କରନ୍ତି ତେବେ ସ୍ଥାନୀୟ ଲୋକମାନେ ତାଙ୍କୁ ବହେ ଉତ୍ତମ ମଧ୍ୟମ ଦେବା ସହ ପିସିଆରକୁ ଡ଼କାଇ ଥାନାକୁ ପଠାଇ ଦେଇଥାନ୍ତେ।

୨୦୨୨ ମସିହା ମଇ ମାସ ୧୧ ତାରିଖ ଦିନ ଜଣେ ଯୁବତୀଙ୍କ ହାଇଡ୍ରାମ ଦେଖିବାକୁ ମିଳିଥିଲା। ଯୁବତୀ ଜଣଙ୍କ ହାତରେ କିରୋସିନୀ ବୋତଲ ଧରି ଆତ୍ମହତ୍ୟା କରିବାକୁ ଧମକ ଦେବା ସହ ଜଣେ ଯୁବକଙ୍କୁ ଗାଳିଗୁଲଜ କରୁଥାନ୍ତି। ତାଙ୍କର ଏହି ଡ୍ରାମା ଦେଖିବାକୁ ସେଠାରେ ଲୋକଙ୍କ ଗହଳି ହୋଇଯାଇଥିଲା। ପରେ ଜଣାପଡ଼ିଥିଲା ଯୁବତୀ ଜଣକ ୯ ବର୍ଷ ପୂର୍ବରୁ କେନ୍ଦୁଝର ଜିଲ୍ଲାର ଜନୈକ ଯୁବକଙ୍କୁ ବିବାହ କରିଥିଲେ। ତାଙ୍କ ସ୍ୱାମୀ ଏକ ଗାଡ଼ି ଦୁର୍ଘଟଣାର ଶିକାର ହୋଇ ଡ଼ାକ୍ତର ଖାନାରେ ଚିକିତ୍ସିତ ହେଉଥିବା ବେଳେ, ଡ଼ାକ୍ତରଖାନାରେ ସ୍ୱାମୀଙ୍କୁ ଛାଡ଼ି ଜଣେ ଯୁବକ ସହିତ ଫେରାର ହୋଇଯାଇଥିଲେ। ଉଭୟେ କିଛିଦିନ ଏକାଠି ରହିବା ପରେ ଯେତେବେଳେ ଜାଣିଲେ ଯୁବତୀ ଜଣକ ବିବାହିତ ଏବଂ ତାଙ୍କର ୯ ବର୍ଷ ପୁତ୍ରଟିଏ ଅଛି, ସେତେବେଳେ ଯୁବକ ଜଣଙ୍କ ତାଙ୍କୁ ଘରୁ ବିଦା କରିଦେଇଥିଲେ। ଏହାପରେ ଯୁବତୀ ଜଣକ ନ୍ୟାୟ ପାଇଁ ଯୁବକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇ, ରାସ୍ତାରେ ଏଭଳି ନାଟକବାଜି କରୁଥିଲେ।

ପାରିବାରିକ ହେଉ ବା ସାମାଜିକ କ୍ଷେତ୍ରରେ, ଯଦି ପୁରୁଷଟିଏ ମହିଳାମାନଙ୍କ ଦ୍ୱାରା ନିଯ୍ୟାତନାର ଶିକାର ହୁଏ, ତେବେ ଆଇନ ବା ସମାଜ ସେସବୁ ଦେଖିପାରେନା। ଆଇନ୍‌ରେ କେବଳ ପୁରୁଷଙ୍କୁ ଦଣ୍ଡବିଧାନ କରିବାର ବ୍ୟବସ୍ଥା ରହିଛି, କିନ୍ତୁ ପୁରୁଷମାନଙ୍କୁ ସମର୍ଥନ କଲାଭଳି କୌଣସି ଅନୁଷ୍ଠାନ ଏପର୍ଯ୍ୟନ୍ତ ଗଠନ ହୋଇପାରି ନାହିଁ କିମ୍ବା କୌଣସି ବ୍ୟକ୍ତିବିଶେଷ ଆଗେଇ ଆସିନାହାଁନ୍ତି। ଏହିସବୁ ଘଟଣାର ପ୍ରତିବାଦ କରିବାର ସାମର୍ଥ୍ୟ ଥିଲେ ମଧ୍ୟ ଆତ୍ମସମ୍ମାନ ଭୟରେ ପୁରୁଷମାନେ ସାହସ କରିପାରନ୍ତି ନାହିଁ। କାରଣ ସେ ଭଲଭାବେ ଜାଣିଛି ଯେ, ଏଭଳି ଘଟଣାର ପ୍ରତିବାଦ କଲେ, କାଲି ତାକୁ ଜେଲ୍‌ର ଚାରିକାନ୍ଥ ଭିତରେ ବନ୍ଦୀ ଜୀବନ ବିତାଇବାକୁ ପଡ଼ିବ, ଘରୋଇ ହିଂସାରେ ଅଭିଯୁକ୍ତ ଭାବେ କାଠଗଡ଼ାରେ ଛିଡ଼ା ହେବାକୁ ପଡ଼ିବ। ହେଲେ ମହିଳାଟିଏ ଯଦି ପୁରୁଷ ଦ୍ୱାରା ନିର୍ଯ୍ୟାତନା ଶିକାର ହୁଏ, ତେବେ ସଙ୍ଗେ ସଙ୍ଗେ ମହିଳା କମିଶନରେ କେସ୍ କରି ପୁରୁଷଟିକୁ ଜେଲର ଚାରିକାନ୍ଥ ମଧ୍ୟରେ ଭର୍ତ୍ତିର୍ କରିବାକୁ ବେଶିଦିନ ଲାଗେନି।

ଏଥିପାଇଁ ବହୁ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ମହିଳାଙ୍କୁ ସହାନୁଭୂତି ଦେଖାଇ ପୁରୁଷଟିକୁ ବର୍ଷ ବର୍ଷ ଧରି ଜେଲ୍‌ରେ ରହିବା ପାଇଁ ରାସ୍ତା ତିଆରି କରିଥାନ୍ତି। ଏ ବିଷୟରେ ବୁଦ୍ଧିଜୀବୀ, ଚିନ୍ତନଶୀଳ ବ୍ୟକ୍ତି, ସାମାଜିକ ସଂଗଠନ ଏବଂ ସର୍ବୋପରି ରାଜ୍ୟ ସରକାର ଚିନ୍ତା କରିବା ସହିତ ଦୃଢ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ନଚେତ୍ ସମୟ ଆସିବ ମହିଳାମାନଙ୍କ ଭଳି ପୁରୁଷମାନେ ଦିନେ ନ୍ୟୟ ପାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ।

କଣ୍ଟି, ବାହାରଣା, ବାଲିକୁଦା, ଜଗତସିଂହପୁର, ମୋ : ୮୩୨୮୮୪୦୨୧୪

ସୁବାଷ କୁମାର ତାରଣିଆଁ ହୋଲିଛୁଟି
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ୟେକ ତହସିଲରେ ପାଞ୍ଚଟି ଆଦର୍ଶ ସମବାୟ ଗ୍ରାମ ବିକଶିତ କରିବା ପ୍ରମୁଖ ଉଦ୍ଦେଶ୍ୟ: କେନ୍ଦ୍ର ସମବାୟ ମନ୍ତ୍ରୀ

July 25, 2025

Invest Odisha: ରାଜ୍ୟକୁ ଆସିଲା ୪,୯୮୨ କୋଟି ଟଙ୍କାର ପୁଂଜି ନିବେଶ, ୧୧,୯୩୩ ନିଯୁକ୍ତି ସୁଯୋଗ

July 25, 2025

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

July 24, 2025

ରାଷ୍ଟ୍ର ନିର୍ମାଣରେ ଆୟକରର ଗୁରୁତ୍ବପୂର୍ଣ୍ଣ ଯୋଗଦାନ

July 24, 2025
Latest News

ଜରଡା ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ପତ୍ନୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ଅଦାଲତ

July 25, 2025

ନବବିବାହିତ ପତିଙ୍କୁ କୁଅକୁ ଠେଲି ହତ୍ୟା ଉଦ୍ୟମ, ପତ୍ନୀ ଗିରଫ

July 25, 2025

ଭିଜିଲାନ୍ସ ଜାଲରେ ଜୟପୁର ଡେପୁଟି ରେଞ୍ଜର: ୬ ଟି ସ୍ଥାନରେ ଚଢାଉ ବେଳେ ମିଳିଲା ବିଡ଼ା ବିଡ଼ା ଟଙ୍କା

July 25, 2025

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୩୦ ଦିନର ଅତିରିକ୍ତ ଛୁଟି ଦେବାକୁ ଘୋଷଣା କଲେ କେନ୍ଦ୍ର ସରକାର

July 25, 2025

ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ଟେକ୍ସ -୨୦୨୫ର ପ୍ରସ୍ତୁତି ସମୀକ୍ଷା କଲେ ଶିଳ୍ପମନ୍ତ୍ରୀ

July 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.