କେଦାର ମିଶ୍ର
ଆଧୁନିକ ଶିଳ୍ପ ନଗରୀ ଅନୁଗୁଳର ଏକ ଅପରିଚିତ ଠିକଣା- ବାଜି ରାଉତ ଛାତ୍ରାବାସ। ସେଇ ପୁରୁଣାକାଳିଆ ଛାତ୍ରାବାସଟି ଆଜି ବି ଲାଗେ କେଉଁ ପ୍ରାଚୀନ ସମୟର ଗୁରୁକୁଳ ପରି। ସେହି ଛାତ୍ରାବାସର ଗୋଟେ ଚାଳ ଛପର ଥିବା ଏକ ବଖୁରିଆ ଘର। ଅନେକ ସମୟରେ ସେ ଘର ଛାଉଣୀ ହୋଇ ପାରୁନଥିଲା। ବର୍ଷା ଦିନେ ପାଣି ଗଳୁଥିବା ସେ କୁଡ଼ିଆ ଘରେ ଏ ରାଜ୍ୟର ସବୁଠୁ ସମ୍ମାନନୀୟ ଓ ପ୍ରେରଣାଦାୟକ ବୁଢ଼ା ବୁଢ଼ୀ ଦି ଜଣ ରହୁଥିଲେ। ଆଦିବାସୀ ପିଲାଙ୍କ ସହ ସରଳ ଜୀବନ ବଞ୍ଚୁଥିବା ଏଇ ଅସାଧାରଣ ଦମ୍ପତ୍ତି ଓଡ଼ିଶାର ସ୍ୱାଧିନତା ଆନ୍ଦୋଳନର ଅଗ୍ରଣୀ ନାୟକ ଓ ନାୟିକା। ଜଣେ ଥିଲେ ବାପି ଓ ଆଉ ଜଣେ ନୁମା। ଏ ନାଁ ସହ ଓଡ଼ିଶାର ନୁଆ ପ୍ରଜନ୍ମ ହୁଏତ ପରିଚିତ ନୁହନ୍ତି।
ତେବେ ଇତିହାସରେ ଏ ଦୁହେଁ ଆମ ଲାଗି ଏକ ବିସ୍ମୟକର ଉଦାହରଣ। କ୍ଷମତାର ସବୁଠୁ ବଡ଼ ଆସନରେ ବସି ମଧ୍ୟ ତ୍ୟାଗକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବା ବାପି ଥିଲେ – ସ୍ୱାଧିନ ଓଡ଼ିଶାର ପ୍ରଥମ ରାଜସ୍ୱ ମନ୍ତ୍ରୀ ଓ ୧୯୫୦ ରୁ ୧୯୫୬ ଯାଏଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ। ପଦବୀ ଓ କ୍ଷମତାର ଅହଂକାର ନବ ଚୌଧୁରିଙ୍କୁ କେବେବି ଛୁଇଁ ପାରିନଥିଲା। ସେ ଜମିଦାର ପରିବାରରେ ଜନ୍ମ ନେଇ ଜୀବନ ତମାମ ଜମିଦାରୀ ବିରୋଧରେ ଲଢ଼ିଥିଲେ।
ପ୍ରାଚୁର୍ଯ୍ୟ ଭିତରେ ବିତିଥିବା ପିଲାଦିନକୁ ଭୁଲି ଜଣେ ସାଧାରଣ କୃଷକର ଜୀବନ ବରଣ କରିଥିଲେ। ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଜମିରେ ହଳ କରି, ଅନୁଗୁଳ ସହରରେ କ୍ଷୀର ବିକି ସେ ତାଙ୍କର ଜୀବିକା ନିର୍ବାହ କରିଛନ୍ତି। ରାଜନୀତି କ୍ଷମତା ହାସଲର ଷଡ଼ଯନ୍ତ୍ର ନୁହଁ, ଏହା ତ୍ୟାଗ ଓ ମାନବ ସେବାର ତପସ୍ୟା, ଏକଥା ନବ ବାବୁଙ୍କ ଜୀବନ ପ୍ରମାଣିତ କରିଛି। ଲୋକଙ୍କ ସହ ଓ ଲୋକଙ୍କ ପାଇଁ ରାଜନୀତି କରିଥିବା ନବକୃଷ୍ଣ ଚୌଧୁରୀ, ଭାରତର ରାଜନୀତିରେ ଅନ୍ୟତମ ନିଷ୍କଳଙ୍କ ଋଷି।
-ନବକୃଷ୍ଣଙ୍କ ବାପା- ଗୋକୁଳାନନ୍ଦ ରାୟ ଚୌଧୁରୀ, ଓଡ଼ିଶାର ନାମଜାଦା ଓକିଲ ଓ ଜମିଦାର। ଅଥଚ ତାଙ୍କର ପୂରା ପରିବାର ସାମନ୍ତବାଦ ବିରୋଧରେ ସଂଘର୍ଷ କରିଛନ୍ତି। ଜଗତସିଂହପୁର ଜିଲ୍ଲାର ଖେରସ ଗାଁ ରେ ନବକୃଷ୍ନଙ୍କ ଜନ୍ମ ୨୩, ନଭେମ୍ବର , ୧୯୦୧ ମସିହାରେ। ବଡ଼ ଭାଇ ଗୋପବନ୍ଧୁ ଚୌଧୁରୀ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଥମ ସଭାପତି। ଭାଉଜ ରମା ଦେବୀ, ସାରା ଓଡ଼ିଶାବାସୀଙ୍କ ଅତି ଆଦରର ମାଁ। ପିଲାବେଳେ ନବକୃଷ୍ଣ ଥିଲେ ବେଶ୍ ସୁକୁମାର। ତାଙ୍କ ଝିଆରୀ ତଥା ଓଡିଶାର ଅନ୍ୟତମ ମହାନ ସ୍ବାଧିନତା ସଂଗ୍ରାମୀ ଅନ୍ନପୂର୍ଣ୍ଣା ମହାରଣା ତାଂକ ଆତ୍ମଜୀବନୀ ରେ ଲେଖିଛନ୍ତି- ବାପି ପିଲାବେଳେ ବେଶ୍ ରାଗି ଥିଲେ। ସରୁ ଚକୁଳି ଟିକେ ମୋଟା ହେଲେ ଫୋଫାଡି ଦେଉଥିଲେ। ସେ ବାପି ଗାନ୍ଧୀ ଆଶ୍ରମରେ ବଗଡା ଖାଇ, ସପ ବିଛେଇ ଜୀବନ ତମାମ୍ ଶୋଇଲେ ।
–ରେଭେନଶା କଲେଜ ରେ ପଢୁଥିବା ସମୟରେ ଗାଂଧିଜିଂକ ଡାକରାରେ ପାଠ ପଢ଼ା ଛାଡ଼ି ସେ ବାପୁଂକ ସାବରମତୀ ଆଶ୍ରମରେ ଯୋଗଦାନ କରନ୍ତି । ଗାଂଧିଂକ ରଚନାତ୍ମକ କାର୍ୟକ୍ରମ କୁ ଓଡିଶାର ଗାଁ ଗାଁ ରେ ପ୍ରସାରିତ କରିବାରେ ସେ ପ୍ରମୁଖ ଭୂମିକା ନିଅନ୍ତି। ୧୯୨୨ ରୁ ଜୀବନର ଶେଷ ନିଶ୍ବାସ ଯାଏ ଗାନ୍ଧି ଆଦର୍ଶର ସେ ଥିଲେ ଅଗ୍ରଣୀ ନାୟକ ।
– ଦେଶର ସ୍ବାଧିନତା ଆନ୍ଦୋଳନରେ ଯୋଗଦାନ କରି ୧୯୩୦, ୧୯୩୨, ୧୯୪୦ ଓ ୧୯୪୨ ଭାରତ ଛାଡ ଆନ୍ଦୋଳନ ବେଳେ ସେ କାରା ବରଣ କରିଛନ୍ତି । ଏପରିକି ସ୍ବାଧୀନ ଭାରତରେ ବି ତାଂକୁ ଜେଲ୍ ଯିବାକୁ ପଡିଛି । ଜରୁରୀ କାଳୀନ ପରିସ୍ଥିତି କୁ ବିରୋଧ କରିବାରୁ ସେତେବେଳେ ତାଂକୁ ଜେଲ୍ ଭିତରେ ସାଧାରଣ କଏଦୀ ଭାବରେ ରଖାଯାଇଥିଲା।
– ୧୯୨୫ ରେ ସେ କବି ଗୁରୁ ରବିନ୍ଦ୍ରନାଥ ପ୍ରତିଷ୍ଠିତ ଶାନ୍ତି ନିକେତନ ରେ ସ୍ନାତକ ପରୀକ୍ଷା ଦେଲେ । ସେଇଠି ମାଳତି ଦେବୀଂକ ସହ ତାଂକର ପ୍ରେମ ଓ ପରିଣୟ।ସଂଘର୍ଷ ଓ ତ୍ୟାଗର ଜୀବନ ପଥରେ ଉଭୟେ ଥିଲେ ପରଷ୍ପର ର ପରିପୂରକ ।
– ୧୯୩୭ ମସିହାର ସାଧାରଣ ନିର୍ବାଚନରେ କଂଗ୍ରେସ୍ ପ୍ରାର୍ଥୀ ଭାବେ ସେ ତିର୍ତୋଲ୍-ଏରସମା ନିର୍ବାଚନ ମଣ୍ଡଳୀ ରୁ ବିଧାୟକ ଭାବେ ନିର୍ବାଚିତ ହେଲେ । ସ୍ବାଧୀନ ଭାରତର ପ୍ରଥମ ନିର୍ବାଚନରେ ସେ କେନ୍ଦ୍ରାପଡା ରୁ ବିଧାନ ସଭାକୁ ଆସିଲେ ଓ କଂଗ୍ରେସ ସରକାରରେ ଓଡିଶାର ପ୍ରଥମ ରାଜସ୍ବ, ଯୋଗାଣ ଓ ଜଂଗଲ ବିଭାଗର ମନ୍ତ୍ରୀ ଦାୟିତ୍ବ ନେଲେ । କ୍ଷମତା ରାଜନୀତି ଓ ନବ ବାବୁଂକ ସମ୍ପର୍କ ସବୁବେଳେ ଜଟିଳ । କ୍ଷମତା ତାଂକ ପଛରେ ଗୋଡେଇ ଥିବା ବେଳେ ସେ କ୍ଷମତା କୁ ଫାଂକିଦେଇ ଦୌଡି ପଳାନ୍ତି। ଅଳ୍ପ ସମୟ ମନ୍ତ୍ରୀ ରହିବା ପରେ ସେ ଇସ୍ତଫା ଦିଅନ୍ତି।
– ୧୯୫୦ ରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ପୁଣି ଥରେ ନବକୃଷ୍ନଂକ ଉପରେ ଚାପ ପକାନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାକୁ । ଅନେକ ଦ୍ବିଧା ପରେ ସେ ଓଡିଶା ର ମୁଖ୍ୟମନ୍ତ୍ରୀ ଭାବେ ୧୨ , ମଇ , ୧୯୫୦ ରେ ଦାୟିତ୍ବ ନିଅନ୍ତି । ୧୯, ଅକ୍ଟୋବର ୧୯୫୬ ପର୍ଯନ୍ତ ମୁଖ୍ୟମନ୍ତ୍ରୀ ଭାବେ ସେ କାମ କରିଥିଲେ ।
– ଓଡିଶାର ମୌଳିକ ସମସ୍ୟାକୁ ବୁଝିବା ଓ ତାର ରଚନାତ୍ମକ ସମାଧାନ ବାହାର କରିବାରେ ତାଂକ ପରି ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଆଉ ଓଡିଶା ଦେଖି ନାହିଁ । ଜମିଦାରୀ ଉଛେଦ, ଭାଗଚାଷୀ ର ଭୂମି ଅଧିକାର, ଆଦିବାସୀ ଅଧିକାର, ଓଡିଆ ଭାଷାର ପ୍ରଶାସନିକ ପ୍ରୟୋଗ, ଅଂଚଳ ଶାସନ ବା ପଂଚାୟତି ରାଜ୍ ଓ ନିଶା ନିବାରଣ ଭଳି ମୌଳିକ କ୍ଷେତ୍ରର ଆଇନଗତ ସମାଧାନ ଖୋଜିବାରେ ସେ ଥିଲେ ଅନନ୍ୟ ଜନ ନାୟକ। ପ୍ରଶାସନ ଲୋକଂକ ପାଖକୁ ଯାଉ ବୋଲି ସେ ନିଷ୍ଠା ର ସହ ଚାହିଥିଲେ ଓ ସେଥିଲାଗି ନିଜେ ମୁଖ୍ୟମନ୍ତ୍ରୀ ଭାବେ ଗାଁ କୁ ଗାଁ ବୁଲୁଥିଲେ।
– ମୁଖ୍ୟମନ୍ତ୍ରୀ ଭାବରେ ହିରାକୁଦ ନଦୀ ବନ୍ଧ , ରାଉରକେଲା ଇସ୍ପାତ କାରଖାନା, ଓଡିଶା କୃଷି ମହାବିଦ୍ୟାଳୟ , ବୈଷୟିକ ମହାବିଦ୍ୟାଳୟ ଇତ୍ୟାଦି ତାଂକର ଅବଦାନ । ନିଷ୍ଠା ର ସହିତ ନୁଆ ଓଡିଶା ଗଠନରେ ମନୋନିବେଶ କରିଥିବା ନବ ବାବୁ ସେତେବେଳର କଂଗ୍ରେସ ରାଜନୀତିରେ ଥିଲେ ବ୍ୟତିକ୍ରମ। କ୍ଷମତା ଲଢେଇ ଓ ରାଜନୈତିକ ପଶାଖେଳର ଖେଳାଳୀ ହେବାକୁ ସେ କେବେ ଚାହିଁ ନଥିଲେ। ସେ ଯେଉଁ ଆଦର୍ଶ ଓ ନୈତିକତା ର ରାଜନୀତି କରୁଥିଲେ କଂଗ୍ରେସ୍ ତା’ଠୁ ଆସ୍ତେ ଆସ୍ତେ ଦୂରେଇ ଯାଉଥିଲା। ଶେଷରେ ନବ ବାବୁ ୧୯ ଅକ୍ଟୋବର ୧୯୫୬ ରେ ଇସ୍ତଫା ଦେଇ ଚାଲିଗଲେ। କୁହାଯାଏ , ମୁଖ୍ୟମନ୍ତ୍ରୀ ପଦ ଛାଡିବାର ଅଳ୍ପ କେଇ ଘଣ୍ଟା ଭିତରେ ସେ ସରକାରୀ ଘର ଖାଲି କରି ନିଜ ଟିଣ ଟ୍ରଂକ ଟିକୁ ମୁଣ୍ଡେଇ ରେଳଗାଡିରେ ଅନୁଗୁଳ ଫେରି ଯାଇଥିଲେ।
– କ୍ଷମତା ଛାଡିଲା ପରେ ଆଉ ଥରେ ବି ପଛକୁ ଫେରି ଚାହିଁବାର ଆବଶ୍ୟକତା ସେ ଅନୁଭବ କରି ନାହାନ୍ତି।ବାକି ଜୀବନ ଲୋକଂକ ପାଇଁ ଲଢିଛନ୍ତି। ଧାଡିରେ ଠିଆ ହେଇ ରେଲ୍ ଟିକେଟ୍ କାଟିଛନ୍ତି । ନିଜକୁ ଅସାଧରଣ ବୋଲି କହିବା ତ ଦୂରର କଥା, ଆଚରଣରେ ଅତି ସାଧାରଣ ଚାଷୀ ପରି ସେ ବନ୍ଚିଛନ୍ତି । କ୍ଷମତା ଅହଂକାର ରେ ଗଣତନ୍ତ୍ର ବିରୋଧରେ ଯିଏ ବି କାମ କରିଛି ତାଂକ ବିରୋଧରେ ନିର୍ଭୟ ଭାବେ ଛିଡା ହୋଇଛନ୍ତି ।
– ଅନ୍ତିମ ଜୀବନରେ ସାମ୍ୟବାଦ ଓ ସମାଜବାଦ ସହ ଗାନ୍ଧୀ ବାଦ କୁ ଯୋଡ଼ିବାର ଏକ ସାହସିକ ପ୍ରୟାସ ସେ କରୁଥିଲେ । ଇନ୍ଦିରା ଗାଂଧିଂକ ଜରୁରୀ କାଳିନ ପରିସ୍ଥିତି ବିରୋଧରେ ତାଂକୁ ପରିଣତ ବୟସରେ ଜେଲ୍ ଯିବାକୁ ପଡିଲା । ଜେଲ୍ ରେ ଥିବା ବେଳେ ତାଂକ ଦେହ ଖରାପ ହେବା ଆରମ୍ଭ କଲା। ୨୪ ଜୁନ୍ ୧୯୮୪ ମସିହାରେ ଏହି ଅନନ୍ୟ ଜନନେତା ମୃତ୍ୟୁ ବରଣ କଲେ।
ଓଡିଶାରେ ବହୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓ ହେବେ। ହେଲେ ନବକୃଷ୍ଣ ଚୌଧୁରିଂକ ପରି ମୁଖ୍ୟମନ୍ତ୍ରୀ ଏକମାତ୍ର ଏବଂ ଅଦ୍ବୀତିୟ।
( ଆଜି ହେଉଛି ନବକୃଷ୍ଣ ଚୌଧୁରୀଙ୍କର ୧୨୧ ତମ ଜୟନ୍ତି)