କେଦାର ମିଶ୍ର
ଏ ଭିତରେ ଭାରତର ରାଜରାସ୍ତାରେ କେଉଁଠି କେହି ମହମବତୀ ଜାଳୁଥିବାର ଦେଖିଛନ୍ତି କି? ଟୁଇଟର କିମ୍ବା ଫେସବୁକରେ ଗତ ତିନିଦିନ ହେଲା ହଜିଯାଇଥିବା ଭାରତୀୟ ବାୟୁସେନାର ୧୩ ଜଣ ସୈନିକ କୁଆଡେ ଗଲେ ଓ ସେମାନଙ୍କ ଅତାପତା ବିଷୟରେ ସରକାର କିଛି କହୁନଥିବାର କାରଣ ବିଷୟରେ କିଛି ପ୍ରଶ୍ନ ପଚରାଯାଉଛି କି? ବାୟୁସେନା ର ପରିବହନ ବିମାନ ଏନ-୩୨ ଗତ ତିନିଦିନ ହେଲା ନିଖୋଜ। ଆସାମରୁ ଅରୁଣାଚଳ ଭିତରେ ଆମ ରାଡାରରୁ ବିମାନ ଟି ଅଦୃଶ୍ୟ ହୋଇଯାଇଛି। ଏହା ପୂର୍ବରୁ ୨୦୧୬ ରେ ମଧ୍ୟ ଏମିତି ଏକ ବିମାନ ହଜି ଯାଇଥିଲା। ବଂଗୋପ ସାଗରରେ ହଜିଯାଇଥିବା ଏ ବିମାନରେ ବାୟୁସେନାର ୨୯ ଜଣ ସୈନିକ ରହିଥିଲେ। ସେମିତି ପୁଲବାମା ଘଟନା ପରେ ପରେ ୨୮ ଫେବୃୟାରୀରେ ବଡଗାମ ଅଞ୍ଚଳରେ ଭାରତୀୟ ବାୟୁସେନାର ମି-୧୭ ଦୁର୍ଘଟଣା ଗ୍ରସ୍ତ ହୋଇଛି ବୋଲି କୁହାଗଲା। ଏଥିରେ ୬ ଜଣ ସୈନିକ ଓ ଜଣେ ସାଧାରଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ନିର୍ବାଚନ ସମୟରେ ଏହାକୁ ଏକ ଦୁର୍ଘଟଣା ବୋଲି କହି ଚାପି ଦିଆ ଯାଇଥିଲା। ନିର୍ବାଚନ ପରେ ଜଣା ପଡିଲା ଯେ, ସେନାବାହିନୀର ନିଜ “ଫ୍ରେଣ୍ଡଲି ଫାଇଟ” ବା ନିଜ ଲୋକଙ୍କ ଦ୍ଵାରା ଇ ଏହି ଦୁର୍ଘଟଣା ଘଟା ଯାଇଛି। “ଫ୍ରେଣ୍ଡଲି ଫାଇଟ” ରେ ମରିଥିବା ଆମର ଯବାନମାନେ ସହୀଦର ମର୍ୟାଦା ପାଇଲେ ନାହିଁ।
ଶତ୍ରୁ ହାତରେ ସଂଘର୍ଷ କରି ପ୍ରାଣ ହରାଉଥିବା ସୈନିକ ପ୍ରତି ଆମର ଯେଉଁ ଶ୍ରଦ୍ଧା ତାହା ଏତେ ପରିମାଣରେ ରାଜନୈତିକ ଯେ ଆମେ ସେଇ ଶ୍ରଦ୍ଧାରେ ଜାଲିଥିବା ଦୀପ ଓ ମହମବତିରେ ମଧ୍ୟ ରାଜନୀତିର ଲୋଭ ବାରି ହୋଇ ପଡୁଥାଏ। ପୁଲବାମାରେ ଗତ ଫେବୃୟାରୀ ୧୪ ତାରିଖରେ ଯେଉଁ ଚାଳିଶ ଜଣ ଜବାନ ସହିଦ ହେଲେ ତାଙ୍କୁ ନେଇ କୋଟି କୋଟି ମହମବତୀ ସାରା ଦେଶରେ ଜାଳିଥିଲା। ନିର୍ବାଚନ ଆଗକୁ ଥିବାରୁ ସରକାରୀ ଲୁହ ଓ କ୍ରୋଧର ମାତ୍ରା ମଧ୍ୟ ବହୁ ଅଧିକ ଥିଲା। ଏକପ୍ରକାର ଏଇଆ ମଧ୍ୟ କୁହାଯାଇପାରେ ଯେ, ପୁଲବାମା ସହୀଦଙ୍କ ସମାଧି ଉପରେ ହିଁ ନରେନ୍ଦ୍ର ମୋଦୀଙ୍କର ଦ୍ଵିତୀୟ ସରକାର ଗଠିତ ହେଲା। ହେଲେ ସେଇ ସମୟ ଓ ତାର ପରବର୍ତ୍ତୀ ସମୟରେ ଯେଉଁ ଯବାନ ମାନେ ସହୀଦ ହେଲେ ସେମାନଙ୍କ ପ୍ରତି ଆମର ସମ୍ବେଦନା ହଠାତ ହଜିଗଲା କାହିଁକି? ସୈନିକଙ୍କ ଜୀବନ କଣ ପାଣି ଫୋଟକା? ଫ୍ରେଣ୍ଡଲି ଫାଇଟ ନାଁରେ ଯେଉଁ ଜବାନ ମାନେ ପ୍ରାଣ ହରାଇଲେ, ସେମାନେ କାହାର ସହିଦ?
ପ୍ରତିକୂଳ ପାଣିପାଗ ଓ ବ୍ୟବସ୍ଥାରେ ରହିଥିବା ତ୍ରୁଟି କାରଣରୁ ଆମର ଯେଉଁ ଯବାନମାନେ ପ୍ରାଣବଳି ଦେଉଛନ୍ତି, ସେଥିପାଇଁ ଦାୟୀ କିଏ? ୨୦୧୬ ରୁ ୨୦୧୯ ଭିତରେ ତିନୋଟି ବଡ ବିମାନ ଦୁର୍ଘଟଣା ଆମର ଘଟିଛି। ସେଥିରେ ମୃତକଙ୍କ ସଂଖ୍ୟା ପୁଲବାମା ସହିଦଙ୍କଠୁ ବେଶୀ। ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି, ଦୁଇଟି ବିମାନର ଅତାପତା ମିଳୁନି। ସରକାରଙ୍କ ତରଫରୁ କୁହାଯାଉଛି, ସର୍ଚ୍ଚ ଅପରେସନ ଚାଲିଛି। ୨୦୧୬ ବିମାନର କୌଣସି ଖୋଜ ଖବର ମିଳିନଥିଲା। ସେହିପରି ଗତ ତିନି ଦିନ ତଳେ ନିଖୋଜ ରହିଥିବା ବିମାନର କିଛି ସୁରାକ ମିଳୁନି। ଭାରତ ଓ ଚୀନ ସୀମାନ୍ତରେ ଏହି ବିମାନଟି ନିଖୋଜ ହୋଇଛି। ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି ନା ଶତ୍ରୁପକ୍ଷ ଏହାକୁ ମାରି ଖସାଇ ଦେଇଛନ୍ତି, ସେକଥା ଜାଣିବାର କୌଣସି ଉପାୟ ନାହିଁ।
ଏ ପ୍ରସଙ୍ଗରେ ସବୁଠୁ ବଡ ସଙ୍କଟ ହେଲା, ସେନାବାହିନୀ ବିଷୟରେ କୌଣସି ପ୍ରଶ୍ନ ଉଠାଇବା ଏ ଦେଶରେ ଦେଶଦ୍ରୋହ ପାଲଟିଯାଇଛି। ନିଖୋଜ ବିମାନର ସୈନିକ ଓ ତାଙ୍କ ପରିବାରବର୍ଗଙ୍କ ଲାଗି ଦେଶ ବିଶେଷ କିଛି ଚିନ୍ତା କରିବାର ନାହିଁ। ପାକିସ୍ତାନ, କାଶ୍ମୀର ଓ ଯୁଦ୍ଧ ଉନ୍ମାଦନାର କଥା କହି ସେନାବାହିନୀର ରାଜନୈତିକ ପ୍ରୟୋଗ ଆମ ଦେଶରେ ଏକ ଗ୍ରହଣୀୟ ବ୍ୟବସ୍ଥା ହୋଇଯାଇଛି। ବିମାନ ନିଖୋଜ ହେଉ, ସୈନିକ ମୃତ୍ୟୁବରଣ କରନ୍ତୁ(ଦୁର୍ଘଟଣାରେ ମରୁଥିବା ସୈନିକ ସହିଦ ମର୍ୟାଦା ପାଇବେ ନାଇଁ) କିମ୍ବା ଆମେ ନିଜେ ଆମ ହେଲିକପ୍ଟରକୁ ଗୁଳି କରି ଖସାଇଦେଉ, ସେଥିରେ କାହାର କିଛି କହିବାର ନାଇଁ। ସେନାବାହିନୀ, ଏବେ ଆମ ଗଣତନ୍ତ୍ରର ନୈତିକତା ବାହାରେ ଓ ସବୁ ପ୍ରଶ୍ନର ଉପରେ। ଏ ଦେଶର ରାଜନୈତିକ ନେତୃତ୍ଵ କ୍ଷମତା ଦଖଲ କରିବାକୁ ସେନାବାହିନୀର ଦୁରୁପଯୋଗ କରି ଚାଲିଛନ୍ତି। ଅନ୍ତତଃ ଏବେ ଆମ ଦେଶରେ ଫିଲ୍ଡ ମାର୍ଶାଲ ଶାମ ମାନେକଶାଙ୍କ ପରି ସେନାଧ୍ୟକ୍ଷ ଆଉ ନାହାନ୍ତି, ଯିଏ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୁହଁ ଉପରେ ନା’ ବୋଲି କହିପାରିବେ।
ତେବେ ଆମର ମୌଳିକ ପ୍ରଶ୍ନ ହେଉଛି, ଯେଉଁ ବିମାନ ଗୁଡିକ ହଜିଯାଉଛି, ସେଥିଲାଗି ଦାୟୀ କିଏ? ବର୍ଷ ବର୍ଷ ଧରି ଏ ସଙ୍କ୍ରାନ୍ତୀୟ ଫାଇଲ ବିଷୟରେ କେହି କିଛି ଜାଣି ପାରୁନାହାନ୍ତି କେମିତି? ଯେଉଁ ସୈନିକମାନେ ଏଥିରେ ନିଖୋଜ ହେଉଛନ୍ତି ସେନାବାହିନୀରେ ସେମାନଙ୍କ ଷ୍ଟାଟସ କଣ? ସେମାନଙ୍କୁ ମୃତ ବୋଲି କୁହା ଯାଉଛି, ନା ସେମାନେ ମଧ୍ୟ ସହିଦ ମର୍ୟାଦାର ଅଧିକାରୀ? ଆମେ ଜାଣୁ, ଏଥିରୁ କୌଣସି ପ୍ରଶ୍ନର ଉତ୍ତର ମିଳିବ ନାହିଁ। ନିର୍ବାଚନ ପୂର୍ବରୁ ହିଁ ଆମର ଦେଶପ୍ରେମ ଜାଗ୍ରତ ହେବ, ତା ପୂର୍ବରୁ ଆମେ ଆମର ଦେଶପ୍ରେମକୁ ବଲିଉଡ କୁ ଭଡାରେ ଦେଇ ଦେଇଛୁ!