ଭୁବନେଶ୍ବର: ବୃହତ୍ ଉଠା ଜଳସେଚନ(ମେଗା ଲିଫ୍ଟ) ପ୍ରକଳ୍ପମାନଙ୍କରେ ପାଣି ପଞ୍ଚାୟତ ଗଠନ ପାଇଁ ୨୦୨୩ ରେ ପାଣି ପଞ୍ଚାୟତ ଅଧିନିୟମର ସଂଶୋଧନ କରାଯାଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ଯନ୍ତ୍ରୀମାନଙ୍କ ପାଇଁ ପାଣି ପଞ୍ଚାୟତ ସମ୍ବନ୍ଧୀୟ କାର୍ଯ୍ୟାବଳୀ ସଂପର୍କରେ ଦକ୍ଷତା ବିକାଶ ନିମନ୍ତେ ଏକ ଦୁଇ ଦିନିଆ ରାଜ୍ୟସ୍ତରୀୟ କର୍ମଶାଳା ଓ୍ୱାଲମୀ,ଓଡିଶା ନିର୍ଦ୍ଦେଶକ ଇଂ ବିଜୟ କୁମାର ସାମଲଙ୍କ ତତ୍ତ୍ୱାବଧାନରେଓ୍ୱାଲମୀ, ପ୍ରତାପନଗରୀ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ମେଗା ଲିଫ୍ଟ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ସଞ୍ଜୀବ କୁମାର ନାୟକ, ଉତ୍ତରାଞ୍ଚଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ସନାତନ ସାହୁ, ଦକ୍ଷିଣାଞ୍ଚଳ ମଣ୍ଡଳର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଇଂ ଭିକାରୀ ଚରଣ ବେହେରାଙ୍କ ସମେତ ନିର୍ବାହୀ ଯନ୍ତ୍ରୀ, ସହାୟକ ତଥା କନିଷ୍ଠ ଯନ୍ତ୍ରୀମାନେ ଯୋଗଦାନ କରିଥିଲେ। ଓ୍ୱାଲମୀ ର ପ୍ରମୁଖ ପ୍ରଶିକ୍ଷଣ ସଂଯୋଜକ, ଡଃ ସୁଧନ୍ୱା ଚନ୍ଦ୍ର ପାତ୍ର, ଏହି କର୍ମଶାଳାକୁ ଉଦ୍ଘାଟନ କରିବା ସହିତ ପରିଚାଳନା କରିଥିଲେ। ୱାଲମୀର ପ୍ରଫେସର ଇଂ ଅରୁଣ ସାମନ୍ତରାୟ, ସହଯୋଗୀ ପ୍ରଧ୍ୟାପିକା ଇଂ ଇତିଶ୍ରୀ ମିଶ୍ରପ୍ରମୁଖ ଉଦ୍ବୋଧନ ଦେବା ସହିତ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।
ପ୍ରକାଶ ଥାଉକି, ଉକ୍ତ କର୍ମଶାଳା ମାଧ୍ୟମରେ ରାଜ୍ୟର ବିଭିନ୍ନ ଜିଲ୍ଲାର ମେଗା ଲିଫ୍ଟ ପ୍ରକଳ୍ପଗୁଡିକରେ ପାଣି ପଞ୍ଚାୟତ ଗଠନ ପାଇଁ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ପାଣି ପଞ୍ଚାୟତ ଗଠନ ପ୍ରକ୍ରିୟା ସୂଚାରୁରୂପେ ସମ୍ପାଦନ କରିବା ପାଇଁ ସଂଗୃହିତ ପ୍ରସ୍ତାବ ଗୁଡିକ ମେଗା ଲିଫ୍ଟ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଇଁ ଚିନ୍ମୟ କୁମାର ରାଉତଙ୍କ ଅବଗତି ନିମନ୍ତେ ପ୍ରଦାନ କରାଯିବା ନିମନ୍ତେ କର୍ମଶାଳାରେ ବିଶଦ୍ ଭାବେ ଆଲୋଚନା କରାଯାଇଥିଲା।