Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ ବର୍ଷର ସମ୍ବିଧାନ ଓ ସମ୍ବିଧାନ ସଭା
ବିଶେଷ ଖବର

ଭାରତ ବର୍ଷର ସମ୍ବିଧାନ ଓ ସମ୍ବିଧାନ ସଭା

January 26, 2024No Comments6 Mins Read
Share Facebook Twitter LinkedIn Email WhatsApp Copy Link

ପ୍ରଦୀପ ସେନାପତି 

ଭାରତ ବର୍ଷରେ ସମ୍ବିଧାନ ସଭାର ଦାବିଥିଲା ଏକ ପ୍ରକାରର ରାଷ୍ଟ୍ରୀୟ ସ୍ୱାଧୀନତାର ଦାବି। ଏଇ ସମ୍ବିଧାନ ସଭାର ସିଦ୍ଧାନ୍ତ ସର୍ବପ୍ରଥମ ରୂପ ନେଇଥିଲା ୧୮୯୫ ମସିହାରେ “ସ୍ୱରାଜ୍ୟ ବିଧେୟକ” ଭାବରେ ସେଇ ସ୍ୱରୂପ ରୂପରେଖ ନେଇଥିଲା ତିଳକଙ୍କ ନିର୍ଦ୍ଦେଶନାରେ। ବିଂଶ ଶତାବ୍ଦୀରେ ଏଇ ସ୍ୱରୂପକୁ ପୁଙ୍ଖାନୁପୁଙ୍ଖ ଭାବରେ ବିଶ୍ଳେଷଣ କରିବା ପାଇଁ ମହାତ୍ମାଗାନ୍ଧୀ ଆହ୍ୱାନ ଦେବା ସହ ୧୯୨୨ରେ କହିଥିଲେ, ଭାରତୀୟ ସମ୍ବିଧାନ ଭାରତୀୟଙ୍କ ଇଚ୍ଛା ଅନୁସାରେ ହିଁ ହେବ। ଏଇ ଆହ୍ୱାନକୁ ଆଧାର କରି ମୋତିଲାଲ ନେହେରୁ ୧୯୨୪ ମସିହାରେ ସମ୍ବିଧାନ ସଭାର ନିର୍ମାଣ ନେଇ ବ୍ରିଟିଶ ସରକାରଙ୍କ ସମ୍ମୁଖରେ ଦାବି ଉପସ୍ଥାପନ କରିଥିଲେ ସତ, କିନ୍ତୁ ସେମାନେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ତହିଁ ପରେ ଏମ୍‌.ଏନ୍‌. ରାୟ ସମ୍ବିଧାନ ସଭାର ବିଚାର ପାଇଁ ପ୍ରତିପାଦନ କରିବାରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଏଇ ବିଚାରର ଲୋକପ୍ରିୟ କରିବା ନେଇ ଦାୟିତ୍ୱ ଦିଆ ଯାଇଥିଲା। ସେଇଥିପାଇଁ କଂଗ୍ରେସ ଔପଚାରିକତାର ସହ ଘୋଷଣା କରିଥିଲେ ଯଦି ଭାରତକୁ ଆତ୍ମ ନିର୍ଣ୍ଣୟର ଅବସର ମିଳେ, ତେବେ ଦେଶର ସବୁ ଶ୍ରେଣୀର ଲୋକଙ୍କ ପ୍ରତିନିଧି ସଭା ଡକାଯାଉ, ଯେଉଁମାନେକି ଏକ ସର୍ବସମ୍ମତ ସମ୍ବିଧାନର ନିର୍ମାଣ କରିପାରିବେ। ତାହାହିଁ ହେବ ସମ୍ବିଧାନ ସଭା।

୧୯୨୭ ମସିହାରେ ଇଂରେଜ ସରକାରଙ୍କ ତତ୍କାଳୀନ ଭାରତ ମନ୍ତ୍ରୀ ବର୍କନହେଡ ଭାରତବାସୀ ନିଜେ ସେମାନଙ୍କ ସମ୍ବିଧାନ ତିଆରି ପାଇଁ ଅକ୍ଷମ ହୋଇଥିବା ହେତୁ ପ୍ରଶାସନରେ ଆବଶ୍ୟକୀୟ ଅଦଳବଦଳ କରିବା ପାଇଁ ସାଇମନ କମିଶନ ନିଯୁକ୍ତି କରିଥିଲେ। ତତ୍କାଳୀନ ଭାରତମନ୍ତ୍ରୀଙ୍କ ଏତାଦୃଶ ମନ୍ତବ୍ୟକୁ ଆହ୍ୱାନ କରି ୧୯୨୮ ମସିହାରେ ଦିଲ୍ଲୀଠାରେ ଏକ ସର୍ବଦଳୀୟ ସଭାର ଆୟୋଜନ କରିଥିଲେ କଂଗ୍ରେସ କର୍ମକର୍ତ୍ତା। ସେଇଠି ମଧ୍ୟ ଭାରତୀୟ ସମ୍ବିଧାନ ପାଇଁ ଆବଶ୍ୟକୀୟ ରିପୋର୍ଟ ପ୍ରସ୍ତୁତ କରିବାକୁ ଏକ ନଅଜଣିଆ ସଦସ୍ୟ ବିଶିଷ୍ଟ ସବ୍ କମିଟି ଗଠନ କରାଯାଇଥିଲା। ଯାହାର ଅଧ୍ୟକ୍ଷ ଥିଲେ ପଣ୍ଡିତ ମୋତିଲାଲ ନେହେରୁ ଏବଂ ସଚିବ ଥିଲେ ପଣ୍ଡିତ ଜବାହର ଲାଲ ନେହେରୁ। ବହୁତ ବିଚାର ବିମର୍ଷ କରି ନେହେରୁ ରିପୋର୍ଟ ନାମରେ ଏକ ରିପୋର୍ଟ ପ୍ରସ୍ତୁତ କରି ଇଂରେଜ ସରକାରଙ୍କ ସମ୍ମୁଖରେ ପେଶ୍ କରିଥିଲେ। ମାତ୍ର ସରକାର ତାହାକୁ ସ୍ୱୀକାର କରିନଥିଲେ।

ଭାରତୀୟ ଜନତାଙ୍କ ସମ୍ବିଧାନ ସଭାର ଦାବିକୁ ଇଂରେଜ ସରକାର ଗ୍ରହଣ କରୁ ନଥିବାବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧର ଆବଶ୍ୟକତା ତଥା ରାଷ୍ଟ୍ରୀୟ-ଅନ୍ତରାଷ୍ଟ୍ରୀୟ ଶକ୍ତିର ଚାପରେ ରାଜି ହୋଇ ୧୯୪୬ ମସିହାର ପ୍ରସ୍ତାବରେ ଇଂରେଜ ସରକାର କହିଥିଲେ – ଭାରତର ସମ୍ବିଧାନ ସ୍ୱଭାବତଃ ସ୍ୱୟଂ ଭାରତବାସୀ ପ୍ରସ୍ତୁତ କରିବେ। ଫଳସ୍ୱରୂପ ୧୯୪୦ ମସିହାରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ, ସାର୍ ଷ୍ଟେଫୋର୍ଡ କ୍ରିପ୍‌ସ ନେତୃତ୍ୱରେ ଗୋଟାଏ ମିଶନ ପଠାଇଥିଲେ। ମାତ୍ର କ୍ରିପ୍‌ସ ଯୋଜନାକୁ ଭାରତୀୟମାନେ ଅସ୍ୱୀକାର କରିବା ଫଳରେ ୧୯୪୬ ମସିହାରେ କ୍ୟାବିନେଟ୍ ମିଶନ୍ ଭାରତୀୟ ସମ୍ବିଧାନ ସଭାର ପ୍ରସ୍ତାବକୁ ସ୍ୱୀକାର କରି ଏହାକୁ ବ୍ୟବହାରିକ ରୂପରେ କାର୍ଯ୍ୟ କରିବା ପାଇଁ ମତ ପ୍ରଦାନ କରିବା ସହ ସେହି ବର୍ଷ ୨୪ ମାର୍ଚ୍ଚରେ ଦିଲ୍ଲୀ ଆସି ପହଞ୍ôଛଥିଲେ। ମଇ ୧୬ ତାରିଖରେ ମିଶନ ତାଙ୍କର ଯୋଜନାକୁ ପ୍ରକାଶ କରିଥିଲେ। ସେଇଥିରେ ସମ୍ବିଧାନ ନିର୍ମାଣ ପାଇଁ ପ୍ରସ୍ତାବିତ ସଙ୍ଗଠନ ସମ୍ପର୍କରେ ଲେଖାଥିଲା ବୟସ୍କ ମତଦାତାଙ୍କ ଆଧାରରେ ସମ୍ବିଧାନ ସଭାର ଗଠନ ବର୍ତ୍ତମାନ ପରିସ୍ଥିତିରେ ଅସମ୍ଭବ। ମାତ୍ର ଏହାର ବ୍ୟବହାରିକ ଉପାୟ ହେଉଛି ପ୍ରାନ୍ତୀୟ ବିଧାନସଭାର ନିର୍ବାଚନକାରୀ ସଂସ୍ଥା ରୂପରେ ଉପଯୋଗ କରାଯାଇପାରେ।

କ୍ୟାବିନେଟ୍ ମିଶନର ଯୋଜନା ଅନୁସାରେ ସମ୍ବିଧାନ ସଭାର ମୋଟ ୩୮୯ ସ୍ଥାନରୁ ବ୍ରିଟିଶ ଭାରତକୁ (ରାଜ୍ୟ ଗଡ଼ଜାତ ଅଞ୍ଚଳକୁ ଛାଡ଼ି) ୨୯୬ଟି ସ୍ଥାନ ଏବଂ ଗଡ଼ଜାତ ଅଞ୍ଚଳକୁ ୯୩ଟି ସ୍ଥାନ ଦିଆଯାଇଥିଲା। ସେହି ୨୯୬ ସ୍ଥାନରୁ ୪ ଜଣ ଥିଲେ ମନୋନୀତ ସଭ୍ୟ। ୧୯୪୬ ଜୁଲାଇ ମାସରେ ୨୯୩ଟି ସ୍ଥାନରେ ନିର୍ବାଚନ ହୋଇଥିଲା। ସେଇ ନିର୍ବାଚନରେ କଂଗ୍ରେସ ୨୦୮, ମୁସଲିମ୍ ଲିଗ୍ ୭୩ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ଆଠଟି ସ୍ଥାନରେ ବିଜୟ ଲାଭ କରିଥିଲେ। ବାକି ସ୍ଥାନରେ ଭିନ୍ନ ଭିନ୍ନ ଦଳର ପ୍ରାର୍ଥୀ ବିଜୟଲାଭ କରିଥିଲେ ସୁଦ୍ଧା ମହାତ୍ମାଗାନ୍ଧୀ, ଜିନ୍ନାଙ୍କ ଭଳି ନେତା ନିର୍ବାଚନରେ ଅବତୀର୍ଣ୍ଣ ହୋଇନଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା – ସମ୍ବିଧାନ ସଭାକୁ ମୁସଲିମ୍ ଲିଗ୍‌ର ସ୍ଥିତି ଦୁର୍ବଳ ଥିବା ଜାଣି ସମ୍ବିଧାନ ସଭାର ପ୍ରଥମ ଅଧିବେଶନ (୯ ଡିସେମ୍ବର, ୧୯୪୭)ରେ କୌଣସି ପ୍ରତିନିଧି ଯୋଗ ଦେଇନଥିଲେ। ଏହି ପ୍ରଥମ ଅଧିବେଶନ ସଂସଦର କେନ୍ଦ୍ରୀୟ କକ୍ଷରେ ଆରମ୍ଭ ହୋଇଥିଲା। ନଅଜଣ ମହିଳା ସଭ୍ୟଙ୍କ ସମେତ ସମସ୍ତ ୨୦୭ ସଭ୍ୟ ରାଷ୍ଟ୍ରପତିଙ୍କ ଆସନ ଆଡ଼କୁ ମୁହଁ କରି ଅର୍ଦ୍ଧ ବୃତ୍ତାକାରରେ ବସିଥିଲେ। ସମ୍ମୁଖ ଧାଡ଼ିରେ ବସିଥିବା ସଭ୍ୟମାନେ ଥିଲେ – ପଣ୍ଡିତ ଜବାହରଲାଲ ନେହେରୁ, ମୌଲାନା ଅବୁଲ କଲାମ ଆଜାଦ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଆଚାର୍ଯ୍ୟ ଜେ.ବି. କୃପାଳିନୀ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ସରୋଜୀନୀ ନାଇଡୁ, ହରେକୃଷ୍ଣ ମହତାବ, ପଣ୍ଡିତ, ଜ.ବି. ପନ୍ଥ, ବି.ଆର ଆମ୍ବେଦକର, ଶରତ ଚନ୍ଦ୍ର ବୋଷ, ସି. ରାଜଗୋପାଳଚାରୀ, ଏମ୍ ଅସଫଅଲ୍ଲୀ। ଡ. ସଚ୍ଚିଦାନନ୍ଦ ସିହ୍ନା ପ୍ରଥମ ଅସ୍ଥାୟୀ ଅଧ୍ୟକ୍ଷ ଭାବେ ମନୋନୀତ ହେବା ପରେ ସଦସ୍ୟମାନେ ନିଜ ନିଜର ପରିଚୟ ପତ୍ର ଦେଖାଇ ଉଦ୍ଦିଷ୍ଟ ରେଜିଷ୍ଟରରେ ଦସ୍ତଖତ କରିଥିଲେ।

୧୯୪୬ ମସିହାର ଡିସେମ୍ବର ୧୧ ତାରିଖରେ କଂଗ୍ରେସର ବରିଷ୍ଟ ନେତା ଡ. ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ସଭାର ପ୍ରଥମ ସ୍ଥାୟୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ୧୩ ଡିସେମ୍ବରରେ ପଣ୍ଡିତ ନେହେରୁ ପ୍ରସ୍ତାବ ପେଶ କରିବାରେ ଜାନୁଆରୀ ୨୨, ୧୯୪୭ରେ ଏହା ପାରିତ ହୋଇଥିଲା। ସେଇ ପ୍ରସ୍ତାବରେ କୁହାଯାଇଥିଲା – ଭାରତ ଏକ ପୂର୍ଣ୍ଣ ସଂପ୍ରଭୁତା ସମ୍ପନ୍ନ ଗଣରାଜ୍ୟ ହେବ। ଯିଏ ସ୍ୱୟଂ ନିଜସ୍ୱ ସମ୍ବିଧାନ ତିଆରି କରିବ। ଭାରତ ସଂଘରେ ବ୍ରିଟିଶ ଭାରତର ଅଞ୍ଚଳ। ଗଡ଼ଜାତ ଅଞ୍ଚଳ ସମେତ ଯେଉଁ ଅଞ୍ଚଳ ଗୁଡ଼ିକ ଏଥିସହ ମିଶିବା ପାଇଁ ଆଗ୍ରହ ପ୍ରକାଶ କରିବେ, ଏକତ୍ର ରହିବେ। ଭାରତର ନାଗରିକଙ୍କୁ ସାମାଜିକ, ଆର୍ଥିକ, ରାଜନୈତିକ ନ୍ୟାୟ, ପଦ, ଅବସର ଏବଂ ଆଇନର ସମାନତା, ବିଚାାର ଭାଷଣ, ବିଶ୍ୱାସ, ବ୍ୟବସାୟ, ସଂଘ ନିର୍ମାଣ ଓ କାର୍ଯ୍ୟ କରିବାର ସ୍ୱତନ୍ତ୍ରତା, ଆଇନ ଓ ସାର୍ବଜନୀନ ନୈତିକତାର ଅଧୀନରେ ପ୍ରାପ୍ତ ହେବେ। ଅଳ୍ପ ସଂଖ୍ୟକ ଲୋକ, ପଛୁଆବର୍ଗ ଓ ଯାଯାବର ମାନଙ୍କର ରକ୍ଷା ନିମିତ୍ତ ସମୁଚିତ ବ୍ୟବସ୍ଥା କରାଯିବ।

ସମ୍ବିଧାନର ପ୍ରଥମ ରୂପରେଖ ସମ୍ବିଧାନ ସଭାର ପରାମର୍ଶଦାତା ବି.ଏନ୍‌. ରାଓଙ୍କ ନିର୍ଦ୍ଦେଶମତେ ପ୍ରସ୍ତାବ ହୋଇଥିଲା। ଏହା ପୂର୍ବରୁ ପୃଥିବୀର ପ୍ରାୟ ଷାଠିଏଟି ଦେଶର ସମ୍ବିଧାନର ମହତ୍ତ୍ୱପୂର୍ଣ୍ଣ ସନ୍ଦର୍ଭକୁ ନେଇ ତିନି ଭାଗରେ ସଙ୍କଳିତ କରାଯାଇଥିଲା ଏବଂ ଏହାର ବିଚାର ବିମର୍ଷ ନେଇ ପ୍ରତ୍ୟେକ ସଦସ୍ୟଙ୍କୁ ଗୋଟେ ଲେଖାଏଁ କପି ଯୋଗାଇ ଦିଆ ଯାଇଥିଲା।

ସମ୍ବିଧାନ ସଭାର ଦ୍ୱିତୀୟ ବୈଠକ ୨୦.୧.୧୯୪୭, ତୃତୀୟ ବୈଠକ – ୨୨.୪.୧୯୪୭, ଚତୁର୍ଥ ବୈଠକ ୧୪.୭.୧୯୪୭ ତାରିଖରେ ଅନୁଷ୍ଠିତ ହୋଇ ପ୍ରତ୍ୟେକ ବିଭାଗଗୁଡ଼ିକ ପାଇଁ କମିଟି ଗଠନ କରାଯାଇଥିଲା। ୧୯୪୭ ମସିହାର ଅଗଷ୍ଟ ୨୯ ତାରିଖରେ ସମ୍ବିଧାନ ନିର୍ମାଣ ନେଇ ଡ. ବି.ଆର. ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଏକ ସାତ ଜଣିଆ କମିଟି ଗଠନ କରାଯାଇଥିଲା। ଅନ୍ୟମାନେ ହେଲେ – ସାର୍ ଆଲ୍ଲାଦି କୃଷ୍ଣସ୍ୱାମୀ ଆୟାଙ୍ଗର୍‌, କେ. ଏମ୍‌. ମୁନସି. ଟି.ଟି, କୃଷ୍ଣମାଚାରୀ, ଏନ୍ ଗୋପାଳସ୍ୱାମୀ, ମହମ୍ମଦ ଅବଦୁଲା ଏବଂ ବି.ଏନ୍‌. ମିତର।

ସାର୍ ଆଲ୍ଲାଦି କୃଷ୍ଣସ୍ୱାମୀ ଆୟାଙ୍ଗର ସମ୍ବିଧାନର ମୌଳିକ ଅଧିକାର ଉଚ୍ଚ ଓ ସର୍ବୋଚ୍ଚ ନ୍ୟାୟାଳୟ ସମ୍ବନ୍ଧୀୟ, ଟି.ଟି. କୃଷ୍ଣମାଚାରୀ ମୁଖ୍ୟତଃ ସଂଘୀୟ ସ୍ୱରୂପ, ଅର୍ଥ ଓ ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ସମ୍ବନ୍ଧୀୟ, ଏନ୍‌. ଗୋପାଳ ସ୍ୱାମୀଙ୍କ ଭାଷା ସମ୍ବନ୍ଧୀୟ ଥିବା ଅବଦାନ ଅତୁଳନୀୟ।
ଉପରୋକ୍ତ କମିଟି ବି.ଏନ୍‌. ରାଓଙ୍କ ସମ୍ବିଧାନର ପ୍ରଥମ ପ୍ରାରୂପକୁ ଅଧ୍ୟୟନ କରିବା ଅବସରରେ ଏଚ.ବି. କାମାଥ କିଛି ସଂଶୋଧନ କରିଥିଲେ। ନାଜିରୁଦ୍ଦିନ୍ ଅହମ୍ମଦ କମା, ପୂର୍ଣ୍ଣଚ୍ଛେଦ, ବିରାମ ଗୁଡ଼ିକର ଶୁଦ୍ଧି କରିଥିଲେ। ପ୍ରଫେସର କେ.ଟି. ସାହ ରାଷ୍ଟ୍ରପତି ପ୍ରଣାଳୀ ପାଇଁ ପ୍ରସ୍ତାବ ରଖିଥିଲେ। ଏଚ୍‌.ଏନ୍‌. କୁଞ୍ଜୁର, ଫ୍ରାଙ୍କ୍ ଆନ୍ଥୋନୀ, ମହାବୀର ତ୍ୟାଗି, ଦୁର୍ଗାବାହି ପ୍ରମୁଖ ଅନେକ ବିଦ୍ୱାନ ଅନେକାଂଶରେ ସାହାଯ୍ୟ ସହଯୋଗ କରିଥିଲେ।

ଏହି ପ୍ରାରୂପ ସମ୍ବିଧାନକୁ ୧୯୪୮ ମସିହାରେ ସମ୍ବିଧାନ ସଭାର ଅଧ୍ୟକ୍ଷଙ୍କୁ ସମର୍ପଣ କରିବା ପରେ ଲୋକଲୋଚନକୁ ଆସିବା ପାଇଁ ପ୍ରକାଶିତ ହୋଇଥିଲା। ଫଳତଃ ଅନେକ ସଂଶୋଧନ ହେବା ପାଇଁ ମତ ପ୍ରାପ୍ତ ହୋଇଥିଲା ସେ ସବୁର ବିଚାର ବିମର୍ଷ ଆରମ୍ଭ ହୋଇଥିଲା ସେହିବର୍ଷ ନଭେମ୍ବର ମାସ ପନ୍ଦର ତାରିଖରୁ। ନାନା ସଂଶୋଧନ କରିବା ପରେ ସମ୍ବିଧାନ ସଭାର ଅନ୍ତିମ ଦିବସ ୨୪ ଜାନୁଆରୀ ୧୯୫୦ରେ ପ୍ରାରୂପର ତିନୋଟି ନକଲ ଉପସ୍ଥାପନ କରି ସମ୍ବିଧାନ ସଭାର ଅଧ୍ୟକ୍ଷ ପ୍ରତ୍ୟେକ ସଦସ୍ୟଙ୍କୁ ଅନୁରୋଧ କରିଥିଲେ ପ୍ରତ୍ୟେକ କପିରେ ସନ୍ତକ କରିବାକୁ। ସମସ୍ତ ସଦସ୍ୟ ସନ୍ତକ କରିବା ପରେ ଜନ-ଗଣ-ମନ ଓ ବନ୍ଦେ ମାତରଂ ଗାନ କରି ସଭା ସାଙ୍ଗ କରିଥିଲେ। ସମ୍ବିଧାନ ସ୍ୱୀକୃତି ଲାଭ କରିବା ପରେ ୧୯୫୦ ଜାନୁଆରୀ ୨୬ ତାରିଖରେ ଏହି ସଭା ଭାରତୀୟ ଗଣରାଜ୍ୟର ସଂସଦ ନାମରେ ନାମିତ ହୋଇଥିଲା।

ସମ୍ପୂର୍ଣ୍ଣ ସମ୍ବିଧାନ ପ୍ରସ୍ତୁତ ହେବା ପାଇଁ ଦୁଇ ବର୍ଷ ଏଗାର ମାସ ଅଠେଇଶ ଦିନ ଲାଗିଥିଲା। ଏଥିପାଇଁ ପ୍ରାୟ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ସମ୍ବିଧାନର ପ୍ରାରୂପକୁ ନେଇ ୧୧୪ ଦିନ ଧରି ଆଲୋଚନା ହୋଇ ୩୯୫ ଅନୁଚ୍ଛେଦ ଓ ଆଠଟି ଅନୁସୂଚି ରଖା ଯାଇଥିଲା। ସମ୍ବିଧାନର କିଛି ଅନୁଚ୍ଛେଦକୁ ୨୬ ନଭେମ୍ବର ୧୯୪୯ରେ ଲାଗୁ କରାଯାଇ ଅବଶିଷ୍ଟକୁ ଐତିହାସିକ କାରଣ ଯୋଗୁ ଜାନୁଆରୀ ୨୬, ୧୯୫୦ ମସିହାରେ ଲାଗୁ କରାଗଲା। ଯାହାକି ଆଜିଯାଏ ବଳବତ୍ତର ରହିଛି।

ସେ ଯାହାହେଉ, ଆମ ଭାରତର ସମ୍ବିଧାନ ହେଉଛି ପୃଥିବୀର ସବୁଠାରୁ ବଡ଼ ସମ୍ବିଧାନ। ଯୁଗ ବଦଳିବା ସହ ପରିସ୍ଥିତିକୁ ଖାପ ଖାଇବା ଭଳି ମୂଳ ସମ୍ବିଧାନରେ ଆଜିଯାଏ ୮୪ଗୋଟି ସଂଶୋଧନ କରାଯାଇ ସାରିଲାଣି।

ସମ୍ବିଧାନ ସଭା କାଳରେ ଗଠିତ ହୋଇଥିବା କମିଟି ଓ ସେସବୁର ଅଧ୍ୟକ୍ଷମାନଙ୍କର ତାଲିକା ଏହିପରି ପ୍ରଦାନ କରୁଅଛି।

କମିଟିର ନାମ- ଅଧ୍ୟକ୍ଷଙ୍କ ନାମ

୧.କାର୍ଯ୍ୟବିଧି ଆଇନ କମିଟି- ଡ. ରାଜେନ୍ଦ୍ର ପ୍ରସାଦ
୨.ଷ୍ଟିଅରିଂ କମିଟି- ଡ. ରାଜେନ୍ଦ୍ର ପ୍ରସାଦ
୩.ଅର୍ଥ ଓ ଷ୍ଟାଫ୍ କମିଟି- ଡ. ରାଜେନ୍ଦ୍ର ପ୍ରସାଦ
୪.ଅସ୍ତାସ୍ଥାପକ କମିଟି- ଆଲାଦି କ୍ରିଷ୍ଣସ୍ୱାମୀ ଆୟାର
୫.ଗୃହ କମିଟି- ବି. ପଟାଭିସିତା ରାମାୟା
୬.ଅର୍ଡର ଅଫ୍ ବିଜିନେସ୍ କମିଟି – କେ. ଏମ୍‌. ମୁନସି
୭.ଜାତୀୟ ପତାକାର ଆଡହକ୍ କମିଟି- ରାଜେନ୍ଦ୍ର ପ୍ରସାଦ
୮.ସମ୍ବିଧାନର କାର୍ଯ୍ୟଧାରା କମିଟି- ଜି.ଭି. ମାଉଲକର
୯.ଷ୍ଟେଟସ୍ କମିଟି- ଜବାହରଲାଲ ନେହେରୁ
୧୦.ସଂଖ୍ୟାଲଘୁ କମିଟି- ଏଚ୍‌.ସି. ମୁଖାର୍ଜୀ
୧୧.ମୌଳିକ ଅଧିକାର କମିଟି- ଜେ.ବି, କ୍ରିପାଳିନୀ
୧୨.କେନ୍ଦ୍ରୀୟ କ୍ଷମତା କମିଟି- ଜବାହର ଲାଲ ନେହେରୁ
୧୩.କେନ୍ଦ୍ର ସମ୍ବିଧାନ କମିଟି- ଜବାହର ଲାଲ ନେହେରୁ
୧୪.ଡ୍ରାଫ୍ଟିଂ କମିଟି- ବି.ଆର୍ ଆମ୍ବେଦକର
୧୫.ମୌଳିକ ଅଧିକାର ସଂଖ୍ୟାଲଘୁ- ବଲ୍ଲଭଭାଇ ପଟେଲ ଜନଜାତି ଏବଂ ବହିଃଷ୍କରଣ ଅଞ୍ଚଳର ଉପଦେଷ୍ଟା କମିଟି
୧୬.ଉତ୍ତର ପୂର୍ବ ସୀମାନ୍ତ ଜନଜାତି- ଗୋପୀନାଥ ବରଦୋଳାଇ ଅଞ୍ଚଳ ଏବଂ ଆସାମ ବହିଃ ଅଞ୍ଚଳ ଓ ଆଂଶିକ ବହିଃ ଅଞ୍ଚଳ ସବ୍ କମିଟି
୧୭.ବହିଃଷ୍କରଣ ଓ ଆଂଶିକ ବହିଃ ଅଞ୍ଚଳ- ଏ.ଭି. ଥାକର ସବ୍ କମିଟି

ଆନ୍ତର୍ଜାତୀୟ ସ୍ତମ୍ଭକାର, ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର – ୨, ଜିଲ୍ଲା – ଖୋର୍ଦ୍ଧା, ମୋ – ୭୮୪୮୮୯୮୪୫୬

british Congress india mahatma gandhi republic day
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025

ଦୁବାଇରେ ଐତିହାସିକ UPI-UPU ଏକୀକରଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 9, 2025
Latest News

ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଦିନିକିଆ କର୍ମଶାଳା

September 9, 2025

ବାଣପୁର: ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର

September 9, 2025

ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ଏବଂ ଆର୍ଦ୍ରଭୂମି ସହର ମାନ୍ୟତା ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

September 9, 2025

ବିଜେଡିକୁ ପୁଣି ତେରଚ୍ଛା ବାଣ ମାରିଲେ ପୂର୍ବତନ ସାଂସଦ ତଥାଗତ ଶତପଥୀ, କହିଲେ…

September 9, 2025

ସିପି ରାଧାକୃଷ୍ଣନ୍ ହେଲେ ଦେଶର ନୂତନ ଉପରାଷ୍ଟ୍ରପତି, ଜାଣନ୍ତୁ କେତେ ମିଳିଲା ଭୋଟ?

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.