କ୍ଷମତାର ଶୀର୍ଷରେ ରହିଥିବା ବାବୁମାନଙ୍କୁ ରାଜ୍ୟବାସୀଙ୍କ ପାଖରେ ଉତ୍ତରଦାୟୀ କରିବାରେ ମୁଖ୍ୟମନ୍ତ୍ରୀ ସଫଳ ହେବେ କେମିତି? 

Published: Jun 24, 2019, 9:25 am IST
naveen patnaik

କେଦାର ମିଶ୍ର

ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ଓଡିଶାର ସବୁ ବରିଷ୍ଠ ବାବୁମାନଙ୍କୁ ଡାକି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ସଚିବାଳୟର ସବୁ ସଚିବଙ୍କୁ ଡାକି ମୁଖ୍ୟମନ୍ତ୍ରୀ କହିଥିଲେ ଯେ- “ମୁଁ ଆପଣମାନଙ୍କ ଦକ୍ଷତା ଓ କର୍ମନିଷ୍ଠତାକୁ ଆକଳନ କରି ପିଏଆର(ପର୍ଫାର୍ମାଂସ ଅପ୍ରାଇଜାଲ ରିପୋର୍ଟ) ଲେଖେ, ହେଲେ ମୋ ପିଏଆର ସାଧାରଣ ଜନତା ଲେଖନ୍ତି। ଏଣିକି ମୋ ସହିତ ଆପଣମାନକୁ ମଧ୍ୟ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବାକୁ ପଡିବ।“ ପ୍ରଶାସନିକ ବିଚାରରେ ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ କଥା। ସରକାରୀ ଅଧିକାରୀମାନେ ଲୋକ ପ୍ରତିନିଧିଙ୍କ ଜରିଆରେ ଲୋକଙ୍କ ପାଖରେ ଉତ୍ତରଦାୟୀ ରୁହନ୍ତି। ମୁଖ୍ୟମନ୍ତ୍ରୀ ସେ ବିଷୟରେ ତାଙ୍କର ସଚିବମାନଙ୍କୁ ଏକ ପ୍ରକାର ସତର୍କ କରାଇଦେଇଛନ୍ତି। ସରକାରୀ ସ୍ତରରେ ଯାହା ସବୁ ସୁବିଧା ଅସୁବିଧା ହୁଏ, ସେଥିଲାଗି ସାଧାରଣ ଜନତା ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଦାୟୀ କରନ୍ତି। ଅମଲାତନ୍ତ୍ର ଲୋକଙ୍କଠାରୁ ସୁରକ୍ଷିତ ଦୂରତାରେ ସବୁବେଳେ ରହିଥାଏ। ମୁଖ୍ୟମନ୍ତ୍ରୀ ଏହି ପରମ୍ପରାକୁ ଭାଙ୍ଗିବା ଲାଗି ବାବୁମାନଙ୍କର ଉତ୍ତର ଦାୟିତ୍ଵ କଥା ଉଠାଇଛନ୍ତି। ଲୋକଙ୍କ ପାଇଁ କାମ ନହେଲେ, କେବଳ ମନ୍ତ୍ରୀମାନଙ୍କୁ ନୁହେଁ, ବାବୁମାନଙ୍କୁ ମଧ୍ୟ ଜବାବ ଦେବାକୁ ପଡିବ।

ହେଲେ ଏକଥା କହିବା ଯେତିକି ସହଜ, ଏହାକୁ କାମରେ କରି ଦେଖାଇବା ସେତିକି କଠିନ। ଅମଲାତନ୍ତ୍ରକୁ ନିୟନ୍ତ୍ରିତ ଓ ଉତ୍ତରଦାୟୀ କରିବାରେ ଆମର ରାଜନୈତିକ ନେତୃତ୍ଵ ଅନେକାଂଶରେ ବିଫଳ ହୋଇଛନ୍ତି। ନବୀନ ପଟ୍ଟନାୟକ ନିରନ୍ତର ପାଞ୍ଚଥର ନିର୍ବାଚନ ଜିତିବା ପରେ ମଧ୍ୟ ଅମଲାତନ୍ତ୍ରକୁ ସେ ଯଦି ଉତ୍ତରଦାୟୀ ଓ ପାରଦର୍ଶୀ କରିପାରିବେ ନାହିଁ, ତାହେଲ ସେଇଟା ତାଙ୍କର ସର୍ବଶ୍ରେଷ୍ଠ ବିଫଳତା ବୋଲି ବିବେଚନା କରାଯିବ। ଅନେକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମାକୁ ସଚିବମାନେ ଏ କାନରେ ଶୁଣି ଆର କାନରେ ଗଳେଇ ଦେଇଥାନ୍ତି। ସେ ପ୍ରକାର ମନୋଭାବ ବିରୋଧରେ ମୁଖ୍ୟମନ୍ତ୍ରୀ କଠୋର ଆଭିମୁଖ୍ୟ ରଖିବେ କି? ପୂର୍ବରୁ ସଚିବମାନଙ୍କୁ ପ୍ରତିମାସରେ ଜିଲା ଗସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଖୁବ ଅଳ୍ପ ସଂଖ୍ୟକ ସଚିବ ସେହି ସରକାରୀ ନିଷ୍ପତ୍ତିକୁ ଅନୁପାଳନ କରୁଛନ୍ତି। ଏବେ ପ୍ରତିମାସ ସଚିବମାନଙ୍କ ଜିଲା ଗସ୍ତର ରିପୋର୍ଟ ସରକାର ନିଜ ୱେବ ସାଇଟରେ ପ୍ରକାଶ କରିବେ କି?

ଓଡିଶା ସରକାରଙ୍କର ବହୁତ କମ ବିଭାଗୀୟ ମୁଖ୍ୟ ଓ ସଚିବ ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ଅନେକ ବିଭାଗର କେବଳ ନାମକୁ ମାତ୍ର ଟୁଇଟର ବା ଫେସବୁକ ହେଣ୍ଡଲ ରହିଛି। କେବଳ ପ୍ରେସ ବିଜ୍ଞପ୍ତି ଅଧିକ କିଛି, ସେ ସବୁରେ ଦେଖିବାକୁ ମିଳେନାହିଁ। ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କ ସରକାରର ସୋସିଆଲ ମିଡିଆ ନୀତି ଘୋଷଣା କରିବା ଉଚିତ ହେବ। ଲୋକଙ୍କ ଅଭିଯୋଗକୁ ସୋସିଆଲ ମିଡିଆ ଓ ନିର୍ଦ୍ଦିଷ୍ଟ ଆପ ଜରିଆରେ ତୁରନ୍ତ ସମାଧାନ କରିବାର ଅନେକ ଉପାୟ ଏବେ ବାହାରିଲାଣି। ଓଡିଶା ସରକାର ଏହାର ସଦୁପଯୋଗ କରିବେ କି? ପ୍ରାୟ ୯୯% ସଚିବ ବା ବିଭାଗୀୟ ମୁଖ୍ୟଙ୍କୁ ଆମ ରାଜ୍ୟରେ ଇ ମେଲ କଲେ ତାର ଉତ୍ତର ସହଜରେ ମିଳେନାହିଁ। ଅଥଚ ପ୍ରଧାନମନ୍ତ୍ରୀ ବା ରାଷ୍ଟ୍ରପତିଙ୍କୁ ମେଲ ଲେଖିବାର ଘଣ୍ଟେ ଭିତରେ ଜଣେ ନାଗରିକ ତାର ଉତ୍ତର ପାଇଯାଏ। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ ଗମ୍ଭୀରତାର  ସହିତ ନେଇ ବାବୁମାନେ ଉତ୍ତର ଦେବାକୁ ବାଧ୍ୟ ବୋଲି ନିର୍ଦ୍ଦେଶନାମା ଜାରି କରିପାରିବେ କି?

ରାଜ୍ୟ ପ୍ରଶାସନର ଦ୍ଵିତୀୟ ଓ ତୃତୀୟ ସ୍ତରରେ କାମ କରୁଥିବା ବାବୁମାନଙ୍କ ବଦଳି ତଥା ପଦୋନ୍ନତି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଥାଏ। ରାଜନୈତିକ ଚାପ, ପ୍ରୀୟା ପ୍ରୀତି ତୋଷଣ ଓ ବ୍ୟାପକ ଲାଞ୍ଚ କାରବାର ଏହିଠାରେ ହିଁ ହୋଇଥାଏ। ବଦଳି ଓ ପଦୋନ୍ନତି ପାଇଁ ଏକ ସ୍ବଚ୍ଛ ତଥା ପାରଦର୍ଶୀ ନୀତିର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ଦୁର୍ନୀତି ରୋକିବା ଲାଗି ଭିଜିଲାନ୍ସ ର ଏକ ସ୍ଵତନ୍ତ୍ର ପ୍ରଭାଗ କାମ କରିବ କି? କେନ୍ଦ୍ର ସରକାରଙ୍କ ଅଦରକାରୀ ବାବୁଙ୍କୁ ବିଦା କରିବାର ନୀତି ଭଳି (Dead wood must go) ଓଡିଶାରେ ମଧ୍ୟ ଅପାରଗ ବାବୁମାନଙ୍କୁ ବିଦା କରିବାର ପ୍ରକ୍ରିୟା ଆରମ୍ଭ ହେଉନାହିଁ କାହିଁକି?

ମୁଖ୍ୟମନ୍ତ୍ରୀଙ୍କ ଯେଉଁ “ଟି” ଫର୍ମୁଲା ରହିଛି ସେଥିରେ ଟାଇମ (ସମୟ), ଟେକ୍ନୋଲଜି(ବୈଷୟିକ ଜ୍ଞାନ) ଓ ଟ୍ରାଂସପେରେନ୍ସି (ପାରଦର୍ଶିତା) ର ବିଶେଷ ଭୂମିକା ରହିଛି। ଆମେ ଆଶା କରିବୁ ଓଡିଶା ସରକାରଙ୍କ ସଚିବ ଓ ବିଭାଗୀୟ ମୁଖ୍ୟମାନେ ଏଣିକି ଏହି ସବୁର ସଦୁପଯୋଗ କରିବେ। ଆମ ଜାଣିବାରେ ଆଜି ମଧ୍ୟ ଓଡିଶାର ମୁଖ୍ୟ ଶାସନ ସଚିବଙ୍କର ଟୁଇଟର ବା ଫେସବୁକ ହାଣ୍ଡଲ ନାହିଁ। ସେଥିରେ ଏହାକୁ ସଚିବମାନେ ପାଳନ କରିବେ କେମିତି? ଅଧାରୁ ଅଧିକ ମନ୍ତ୍ରୀଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ନଥିବା ବେଳେ ପ୍ରାୟ କୌଣସି ସଚିବ ବା ବିଭାଗୀୟ ମୁଖ୍ୟ ସୋସିଆଲ ମିଡିଆରେ ସକ୍ରିୟ ନାହାନ୍ତି।

ପାରଦର୍ଶୀ ଓ ଟେକ୍ନୋ ସେଭି ପ୍ରଶାସନ ଲାଗି ଏହି ପ୍ରାଥମିକ ଆବଶ୍ୟକତା ପୂରଣ ଦିଗରେ ମୁଖ୍ୟମନ୍ତ୍ରୀ ଗୁରୁତ୍ଵ ଦେବେ କି?

Related posts