Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶିଳ୍ପର ପ୍ରଗତି ସହିତ ସି.ଏସ୍.ଆର୍ ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳର ବିକାଶକୁ ମଧ୍ୟ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ବିଶେଷ ଖବର

ଶିଳ୍ପର ପ୍ରଗତି ସହିତ ସି.ଏସ୍.ଆର୍ ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳର ବିକାଶକୁ ମଧ୍ୟ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

August 31, 2024No Comments4 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଓଡିଶା ହେଉଛି ଏକ ସମ୍ଭାବନାର ରାଜ୍ୟ। ଏଠି ସମ୍ଭାବନା ଅଛି, ସୁଯୋଗ ମଧ୍ୟ ଅଛି। ଆମ ପାଖରେ ଖଣିଜ ସମ୍ପଦ ଭରପୁର ଅଛି। ତେଣୁ ନିର୍ମାଣର ବିଭିନ୍ନ କ୍ଷେତ୍ର ଯଥା ଅଟୋମୋବାଇଲ୍ସ, ଅଟୋ କମ୍ପୋନେଣ୍ଟସ୍, ଡୋମେଷ୍ଟିକ ଆପ୍ଲିଆନସେସ୍, ଡିଫେନ୍ସ, ଏରୋ ସ୍ପେସ୍, ରିନ୍ୟୁଏବଲ ଏନର୍ଜି ଆଦି କ୍ଷେତ୍ରରେ ନିର୍ମାଣ ପାଇଁ ଆମ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଉତ୍କଳ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି’ ଦ୍ୱାରା ଆୟୋଜିତ ‘ରିସର୍ଜେଣ୍ଟ ଓଡିଶା-୨୦୨୪’ କାର୍ଯ୍ୟକ୍ରମରେ କହିଛନ୍ତି।

ଭୁବନେଶ୍ୱରସ୍ଥିତ ଜନତା ମୈଦାନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ସମସ୍ତ ଶିଳ୍ପପତି, ପୁଞ୍ଜିନିବେଶକାରୀ ଓ ବିଭିନ୍ନ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ୨୦୩୬ ମସିହା ଓ ୨୦୪୭ ମସିହା କୁ ନେଇ ଆମର ବିରାଟ ଲକ୍ଷ୍ୟ ରହିଛି। ସେଥିପାଇଁ ଆମ ଅର୍ଥନୀତିକୁ ବହୁତ ଆଗକୁ ନେବାକୁ ପଡିବ। ଆମ ପାଖରେ ସମସ୍ତ ପ୍ରକାର ଶକ୍ତି ଓ ସାମର୍ଥ୍ୟ ରହିଛି। ଏହି ଲକ୍ଷ୍ୟ ଆମେ ନିଶ୍ଚୟ ପୂରଣ କରିବୁ। ଏଥିପାଇଁ ଦୃଢ ଇଚ୍ଛା ଶକ୍ତି ଦରକାର। ଆମ ସରକାର ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ। ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି ପାଇଁ ସମସ୍ତଙ୍କ ସହଯୋଗ ଦରକାର ବୋଲି ସେ ଉପସ୍ଥିତ ଥିବା ଶିଳ୍ପପତି ଓ ଶିଳ୍ପାନୁଷ୍ଠାନର ପ୍ରତିନିଧିମାନଙ୍କୁ ଆହ୍ୱାନ କରିଥିଲେ। ଆଗାମୀ ଦିନରେ ଆମ ସରକାର Dedicated Industrial Clusterର ବିକାଶ କରିବେ। ଏହା ଦ୍ୱାରା ଦେଶ ବିଦେଶର ନାମିଦାମୀ କମ୍ପାନୀମାନେ ଏଠି ଶିଳ୍ପ ପ୍ରତିଷ୍ଠା କରି ପାରିବେ। ଆମକୁ ମୂଲ୍ୟଯୁକ୍ତ ଭିତ୍ତିକ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ। ଆମ ସରକାର ଆସିବା ପାରେ ରାଜ୍ୟରେ ସେମିକଣ୍ଡକ୍ଟର ୟୁନିଟ୍‌ ସ୍ଥାପନ ପାଇଁ ଅନେକ ଶିଳ୍ପାନୁଷ୍ଠାନ ଆଗ୍ରହ ପ୍ରକାଶ କରିଛନ୍ତି।

ଓଡିଶାରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ଦ୍ୱାରା ବ୍ୟାପକ ନିଯୁକ୍ତି ସୃଷ୍ଟି ହେଉଛି। ବୃହତ ସହିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକର ଆଜିର ଦିନରେ ମଧ୍ୟ ସମାନ ଗୁରୁତ୍ୱ ରହିଛି। ଏଥି ସହିତ ଆମକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ ନୀତିକୁ ଗ୍ରହଣ କରିବାକୁ ପଡିବ। ଏହା ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଡିବ। ନିଯୁକ୍ତି ସୁଯୋଗ ବୃଦ୍ଧି ହେଲେ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ସେ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଓଡିଶା ହେଉଛି ଏକ କୃଷିପ୍ରଧାନ ରାଜ୍ୟ। ଏଠାରେ ୪ ଭାଗରୁ ୩ ଭାଗ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ କୃଷିଭିତ୍ତିକ କ୍ଷୁଦ୍ର ଶିଳ୍ପ ଯେପରିକି ‘ରାଇସ୍‌ ମିଲ୍‌ ପ୍ରତିଷ୍ଠା’ ପ୍ରତି ସେ ଗୁରୁତ୍ୱ ଆରୋପ କରିଥିଲେ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ସଂସଦରେ କହିଛନ୍ତି ଯେ ବିକଶିତ ଭାରତ ରେଳଗାଡିରେ ଓଡିଶା ହେବ ପ୍ରଥମ ବଗି। ସେଥିପାଇଁ ଓଡିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ବଜେଟ୍‌ରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିତ୍ତିଭୂମି କ୍ଷେତ୍ରରେ ଆମେ ଆଜି ପଛୁଆ ନାହୁଁ, ଆଗକୁ ବଢିଛୁ। ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ରେଳ କରିଡରର ଯୋଜନା ରହିଛି। ବଡବିଲରୁ ପାରାଦ୍ୱୀପ ପର୍ଯ୍ୟନ୍ତ ଆଠ ଲେନ୍‌ ବିଶିଷ୍ଟ ରାସ୍ତା ନିର୍ମାଣ ହେବାକୁ ଯାଉଛି। ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି ଆଦି ଶିଳ୍ପାଞ୍ଚଳରୁ ବନ୍ଦର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଆମ ସରକାରଙ୍କ ପ୍ରସ୍ତାବ ରହିଛି।

ଉପସ୍ଥିତ ସମସ୍ତ ଶିଳ୍ପପତି, ଉଦ୍ୟୋଗୀ ଓ ପୁଞ୍ଜିନିବେଶକାରୀଙ୍କୁ ଓଡିଶାରେ ପୁଞ୍ଜିନିବେଶ କରିବା ପାଇଁ ଆହ୍ୱାନ ଦେଇ ସେ କହିଥିଲେ ଯେ ଆଜି ଏଠାରେ ଡବଲ୍‌ ଇଞ୍ଜିନ ସରକାର ଆସିଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍, ସବକା ବିକାଶ’କୁ ଆଧାର କରି ଆମକୁ ଆଗକୁ ବଢିବାକୁ ପଡିବ। ଶିଳ୍ପ ପ୍ରଗତି ସହିତ ଆମକୁ କର୍ପୋରେଟ୍‌ ସୋସିଆଲ ରେସ୍‌ପନସିବିଲିଟି ମାଧ୍ୟମରେ ସେ ଅଞ୍ଚଳର ବିକାଶକୁ ମଧ୍ୟ ଦୃଷ୍ଟି ଦେବାକୁ ପଡିବ। ଆମେ ଯଦି ଶିଳ୍ପ ସହିତ ସଂପୃକ୍ତ ଅଞ୍ଚଳର ବିକାଶ ପ୍ରତି ଧ୍ୟାନ ଦେବା ତେବେ ଶିଳ୍ପ ପ୍ରତିଷ୍ଠା ପାଇଁ ଉପୁଜୁଥିବା ସମସ୍ୟାଗୁଡିକ ଆପେ ଆପେ ଦୂରେଇ ଯିବ।

‘ରିସର୍ଜେଣ୍ଟ ଓଡିଶା-୨୦୨୪’ ଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଆହୁରି ଅନେକ ଥର ଅନୁଷ୍ଠିତ ହେବ । ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଋଦ୍ଧିମନ୍ତ କରିବା ପାଇଁ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ରାଜ୍ୟରେ ଶିଳ୍ପ ବିକାଶର ଲକ୍ଷ୍ୟକୁ ସାକାର କରିବା ପାଇଁ ଆମ ସରକାର ଭିତ୍ତିଭୂମିର ବ୍ୟାପକ ବିକାଶ କରିବାକୁ ପଦକ୍ଷେପ ଗ୍ରହଣ କରୁଛନ୍ତି।

ଅନ୍ୟତମ ଅତିଥି ଭାବେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଲେ ଯେ ଆମ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ପାଇଁ ଚେଷ୍ଟାରତ ଅଛନ୍ତି। ଯେହେତୁ ଓଡିଶା ଏକ କୃଷିପ୍ରଧାନ ରାଜ୍ୟ, ଏଠାରେ ଅଧିକ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ସେ ଉପସ୍ଥିତ ଉଦ୍ୟୋଗୀ ଓ ପୁଞ୍ଜିନିବେଶକାରୀଙ୍କୁ ଆହ୍ୱାନ କରିଥିଲେ। ଏଥିପାଇଁ ରାଜ୍ୟ କୃଷି ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ। ରାଜ୍ୟରେ କୃଷି ଯନ୍ତ୍ରପାତି ଉତ୍ପାଦନ ଶିଳ୍ପ ପ୍ରତିଷ୍ଠା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ।

ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାକୁ ବାସ୍ତବ ରୂପ ଦେବା ପାଇଁ ଆମ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି। ଶିଳ୍ପ କ୍ଷେତ୍ରରେ ବିକାଶ ପାଇଁ ବଜେଟ୍‌ରେ ନୂଆ ନୂଆ ଯୋଜନା କରାଯାଇଛି। ଆମ ସରକାର ରାଜ୍ୟରେ ପୁଞ୍ଜିନିବେଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଗୁରୁତ୍ୱ ଦେଉଛନ୍ତି। ବିଭିନ୍ନ ସ୍ଥାନରେ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ କାମ ଆରମ୍ଭ ହୋଇଛି। ୨୦୩୬ ସୁଦ୍ଧା ଓଡିଶାକୁ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସେ ଆହ୍ୱାନ କରିଥିଲେ।

କାର୍ଯ୍ୟକ୍ରମରେ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ସଭାପତି ଶ୍ରୀ ବ୍ରହ୍ମାନନ୍ଦ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ। କୋଲକତାରେ ଅବସ୍ଥାପିତ ରିପ୍ଲବିକ୍ ଅଫ୍ ଚାଇନାର କନସୁଲ୍ ଜେନେରାଲ୍, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ, ନାଲ୍‌କୋର ପରିଚାଳନା ନିର୍ଦ୍ଦେଶକ, ଆର୍ସେଲର-ମିତ୍ତଲ୍ ଗ୍ରୁପ, ଆଦିତ୍ୟ ବିର୍ଲା ଗ୍ରୁପର ପ୍ରତିନିଧି ପ୍ରମୁଖ କାର୍ଯ୍ୟକ୍ରମରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ସ୍ମରଣିକା ଉନ୍ମୋଚନ କରିବା ସହିତ ରିସର୍ଜେଣ୍ଟ ଓଡିଶା ସମ୍ପର୍କିତ ଏକ ପ୍ରଦର୍ଶନୀ ଉଦ୍‌ଘାଟନ କରିଥିଲେ।

ଓଡିଶା ଜନତା ମୈଦାନ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ମୋହନ ଚରଣ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ବାବା ପିଲା ଗଣେଶ ପୂଜା ମହୋତ୍ସବରେ ଯୋଗଦେଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ

September 16, 2025

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ

September 16, 2025

ସୁଭଦ୍ରାର ଏକ ବର୍ଷ ପୂର୍ତ୍ତି ଅବସରରେ “ଧନ୍ୟବାଦ ମୋଦି” କାର୍ଯ୍ୟକ୍ରମ

September 16, 2025

ଘଡଘଡି ସହ ବର୍ଷାର ସମ୍ଭାବନା: ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

September 16, 2025
Latest News

ବାବା ପିଲା ଗଣେଶ ପୂଜା ମହୋତ୍ସବରେ ଯୋଗଦେଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ

September 16, 2025

ଏବେ ATM କୁ ଦୌଡ଼ିବାର ଆବଶ୍ୟକତା ନାହିଁ, ଗୋଟିଏ ସ୍କାନରେ ମିଳିବ ଟଙ୍କା, ଜାଣନ୍ତୁ କେମିତି?

September 16, 2025

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୨ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଲେ ରାଜ୍ୟପାଳ

September 16, 2025

ଆଜି ମଧ୍ୟ ହୋଇପାରିବ ଆୟକର ରିଟର୍ଣ୍ଣ, ବର୍ତ୍ତମାନ ୭ କୋଟିରୁ ଅଧିକ ହେଲାଣି ଆବେଦନ

September 16, 2025

ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବ ‘ସ୍ୱଚ୍ଛତା ହିଁ ସେବା ୨୦୨୫’

September 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.