Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଓଡ଼ିଶାର ଖବରକାଗଜକୁ ନେଇ  ଅପ୍ରିୟ ସତ କହିବାରେ କିଛି ଅସୁବିଧା ଅଛି କି??
ବିଶେଷ ଖବର

ଓଡ଼ିଶାର ଖବରକାଗଜକୁ ନେଇ  ଅପ୍ରିୟ ସତ କହିବାରେ କିଛି ଅସୁବିଧା ଅଛି କି??

July 1, 2019No Comments5 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ସମଗ୍ର ଗଣମାଧ୍ୟମ କ୍ଷମତା ଓ ପୁଞ୍ଜିର ଦାସତ୍ୱ ସ୍ୱୀକାର କରିନେଇଛନ୍ତି – ସୁତରାଂ ସେମାନଙ୍କଠୁ କୌଣସି ସାମାଜିକ ପ୍ରତିବଦ୍ଧତା ଆଶା କରିବା ବୃଥା ବୋଲି ଆମେ ମାନିନେବା କି? ସମାଜର ଶେଷଧାଡ଼ିରେ ଠିଆ ହୋଇଥିବା ଶୋଷିତମାନଙ୍କର ବ୍ୟଥା – ବେଦନା ଲେଖିବା ପାଇଁ ସାମ୍ବାଦିକଙ୍କର ସମୟ ନାହିଁ। ଏହା ହିଁ ଆଜିର ବିଡ଼ମ୍ବିତ ସତ୍ୟ କି? ବିଜ୍ଞାପନ ଦେଉଥିବା ଓ ହୱାଲା ମାଧ୍ୟମରେ କମ୍ପାନୀକୁ ମାଲାମାଲ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନର ମୁଖପତ୍ର ଭାବରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବିବେକକୁ ବନ୍ଧା ପକାଇବା କେତେଦୂର ଯଥାର୍ଥ? ଏହାର ବିକଳ୍ପ କିଛି ନାହିଁ କି? ଏସବୁ ପ୍ରଶ୍ନର ଉତ୍ତର ଖୋଜିବା ଆଜି ଅପରିହାର୍ଯ୍ୟ ହୋଇପଡ଼ିଛି। ଗଣତନ୍ତ୍ରର ସୁରକ୍ଷା ପାଇଁ ଚିନ୍ତିତ ପ୍ରତ୍ୟେକ ସଚେତନ ନାଗରିକ ପାଇଁ ଏଇ ପ୍ରଶ୍ନସବୁ ଆଜି ସବୁଠୁ ଗୁରୁତ୍ବପୂର୍ଣ୍ଣ । ବିଧାନପାଳିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର ବିଫଳତାକୁ ସାମ୍ନା କରିବା ପାଇଁ ଗଣମାଧ୍ୟମ ଏକମାତ୍ର ସଫଳ ବିକଳ୍ପ। ଏହି ଅନ୍ତିମ ଆଶାଟି ଯଦି ନିଜତ୍ୱ ହରାଇ ବସେ, ସେଠି ଗଣତନ୍ତ୍ରର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ଲାଗିବ ନିଶ୍ଚୟ। ଆଜିର ପରିପ୍ରେକ୍ଷୀରେ ଏହା ହିଁ ଘଟିଛି ଓଡ଼ିଶାରେ।

ବିଧାନପାଳିକା ଓ କାର୍ଯ୍ୟପାଳିକାର ମଙ୍ଗୁଆଳମାନଙ୍କ ହାତରେ ଗଣମାଧ୍ୟମ ନିଜକୁ ବନ୍ଧା ପକାଇଦେଇଛି। ଓଡ଼ିଶା ରାଜନୀତିର ପ୍ରମୁଖ ଗଦିମାନ ଆବୋରି ବସିଥିବା ନେତାଙ୍କ ମର୍ଜି ମୁତାବକ ଆମେ ସାମ୍ବାଦିକମାନେ କଲମ ଚାଳନା କରୁଛୁ। କୌଣସି ନା କୌଣସି ରାଜନୈତିକ ଗୋଷ୍ଠୀର ସ୍ୱାର୍ଥରକ୍ଷା ପାଇଁ ଗଣମାଧ୍ୟମ ନିଜର ସାଧନ ଓ ସମ୍ବଳର ବିନିଯୋଗ କରିଚାଲିଛି। ଉଦାହରଣ ଆଦୌ ବିରଳ ନୁହେଁ। କୌଣସି ନା କୌଣସି ରାଜନୈତିକ ମଂଚରେ ବା ଦଳରେ  ଆମେ ଆମ ରାଜ୍ୟର ଅଗ୍ରଣୀ ସମ୍ପାଦକମାନଙ୍କୁ ନିଶ୍ଚୟ ଦେଖୁଛୁ। ନିରପେକ୍ଷ ସମ୍ବାଦ ପରିବେଷଣ ପାଇଁ ଲୋକଙ୍କ ପାଖରୁ ପ୍ରତି ସକାଳେ ଟଙ୍କା ଆଦାୟ କରୁଥିବା ଆମ ସମ୍ବାଦପତ୍ର ଓ ଚ୍ୟାନେଲମାନେ ‘ନିରପେକ୍ଷତା’କୁ  ଏକ ଅନ୍ଧବିଶ୍ୱାସ ବୋଲି କହିବାକୁ ଲଜ୍ଜିତ ହେଉନାହାନ୍ତି। କିଛି ବର୍ଷ  ତଳେ ଓଡ଼ିଶାର ଜଣେ ପ୍ରଖ୍ୟାତ ସମ୍ପାଦକଙ୍କ ଶ୍ରୀମୁଖରୁ ଆମେ ଏଇ ବାର୍ତ୍ତା ପାଇଥିଲୁ ଯେ, ‘ଖବର କାଗଜ ବ୍ୟବସାୟରେ ଲାଭର ଗୁରୁତ୍ୱ ସବୁଠୁ ବେଶୀ। ନିରପେକ୍ଷ ସମ୍ବାଦ ଆଦର୍ଶବାଦର ମୁଖା ପିନ୍ଧିଥିବା ଛଳନା ମାତ୍ର।’ ତେବେ ଏହା ହିଁ ଆଜିର ବାସ୍ତବତା ଓ ସତ୍ୟ।

ଗଣମାନସ ଓ ଗଣମାଧ୍ୟମର ଆଦର୍ଶ

ନିଜର ବିଚାର  ଆଦର୍ଶ ପାଇଁ ସମ୍ବାଦପତ୍ରକୁ ଏକ ମିଶନ ଭାବରେ ଗ୍ରହଣ କରିଥିଲେ ମହାତ୍ମା ଗାନ୍ଧୀ ଏବଂ ତାଙ୍କରି ଅନୁସରଣରେ ଓଡ଼ିଶାର ଗୋପବନ୍ଧୁ ଦାସ। ‘ଇଣ୍ଡିଆନ୍ ଓପିନିଅନ୍’ ପ୍ରକାଶ କରିବାକୁ ଯାଇ ଗାନ୍ଧିଜୀ ବ୍ୟକ୍ତିଗତ ଭାବରେ ୨୬,୦୦୦ଟଙ୍କା କ୍ଷତିଭରଣ କରିଥିଲେ। ନିଜ ବିଚାର ଓ ଆଦର୍ଶର ପ୍ରଚାର ଲାଗି ବିଜ୍ଞାପନକୁ ପୁରାପୁରି ନିଷିଦ୍ଧ କରାଗଲା ଗୋଟେ ସମୟରେ। ଗାନ୍ଧୀ ଭଲଭାବରେ ଜାଣିଥିଲେ ବିଜ୍ଞାପନ ଛାପିବାର ଅର୍ଥ ସତ୍ୟ ଓ ସ୍ୱାଧୀନତାକୁ ବଳି ପକେଇବା। ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋପବନ୍ଧୁଙ୍କ ‘ସମାଜ’ ମଧ୍ୟ ଏହି ଆଦର୍ଶକୁ ପାଥେୟ କରି ପ୍ରତିଷ୍ଠା ଲାଭ କରିଥିଲା।

ଓଡ଼ିଆ ଅସ୍ମିତାର ପ୍ରତିଷ୍ଠା ଓ ସଂସ୍କୃତିର ନବଜାଗରଣ ପାଇଁ ଓଡ଼ିଶାର ପ୍ରଥମ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ଜନ୍ମଲାଭ କରିଥିଲା। ତେବେ ଏଇଠି ମଧ୍ୟ ଆରମ୍ଭ ହୋଇଥିଲା ବିଜ୍ଞାପନ ସଂସ୍କୃତିର ଦୁରାରମ୍ଭ ଏବଂ ଧନୀକ ଗୋଷ୍ଠୀର ପ୍ରଶଂସା ପାଇଁ କାର୍ଯ୍ୟ କରିବାର ଦୁରାଗ୍ରହ। ଲୋକ ଜୀବନର ସମସ୍ୟା ଅପେକ୍ଷା ସମାଜବାଦୀ ଶାସକଙ୍କ ସୁଦୃଷ୍ଟି ଲାଭର ଆଙ୍କାକ୍ଷା କେତେକାଂଶରେ ‘ଦୀପିକା’ ପୃଷ୍ଠାରେ ଦେଖିବାକୁ ମିଳିଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ‘ସମ୍ବାଦପତ୍ର’ ଥିଲା ସାମ୍ରାଜ୍ୟବାଦର ସୁଫଳ, ତେଣୁ ସାମ୍ରାଜ୍ୟବାଦ ପ୍ରତି ଏକ ପ୍ରକାର ସ୍ୱାଭାବିକ କୃତଜ୍ଞତା, ‘ଦୀପିକା’ ସମେତ ସମକାଳୀନ ଅନ୍ୟାନ୍ୟ ଭାରତୀୟ  ଖବର କାଗଜରେ ଦୃଷ୍ଟିଗୋଚର ହୋଇଥାଏ। ଅନ୍ୟଦିଗରେ ଓଡ଼ିଶା ଗଠନର ସଂକଳ୍ପ, ଭାଷା-ସଂସ୍କୃତିର ପୁନର୍ଜାଗରଣ ଏବଂ ଜାତୀୟ ଜୀବନକୁ ଉଦବୁଦ୍ଧ କରିବାର ଦାୟିତ୍ୱ ଏମାନେ ବହନ କରିଥିଲେ। ‘ଉତ୍କଳ ଦୀପିକା’ର ପ୍ରକାଶକ ଓ ସମ୍ପାଦକ ଥିଲେ ଉପନିବେଶବାଦୀ ସରକାରଙ୍କ ରାଜ କର୍ମଚାରୀ। ତଥାପି ବେଳେବେଳେ ସେମାନେ ଯେଉଁ ସାହସ ଓ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ ତାର କୌଣସି ତୁଳନା ନାହିଁ।୧୮୬୬ ର ଭୟଂକର  ଦୁର୍ଭିକ୍ଷର ଗର୍ଭରୁ ଦୀପିକାର ଜନ୍ମ, ତେଣୁ ସ୍ବାଭାବିକ ଭାବରେ ଏଥିରେ ଭୋକ ଓ ବିଶ୍ବାସର ଭାଷା ସବୁଠୁ ବେଶୀ ପ୍ରତିଫଳିତ। ଅନେକ ସମୟରେ ବ୍ରିଟିଶ୍ ରାଜ୍ ର କଟୁ ସମାଲୋଚନା କଲାବେଳେ ଦୀପିକାର ସମ୍ପାଦକ ଓ ସାମ୍ବାଦିକମାନେ ଟିକେ ବି ପଛଘୁଞ୍ଚା ଦେଇ ନାହାନ୍ତି। ଦୀପିକାର ପୃଷ୍ଠଭୂମିରୁ  ଆମର ଗଣମାଧ୍ୟମ କିଛି ବି ଶିକ୍ଷାଲାଭ କରିନାହିଁ, ଏକଥା ନିରାଟ ସତ୍ୟ।

ଆଜି ଯେତେବେଳେ ଓଡ଼ିଆ ସମ୍ବାଦପତ୍ରର ମାଲିକ/ସମ୍ପାଦକମାନେ ଛୋଟ ଛୋଟ ରାଜନୈତିକ ସ୍ୱାର୍ଥ ପାଇଁ ସାମ୍ବାଦିକତାର ପବିତ୍ର କର୍ତ୍ତବ୍ୟକୁ ବନ୍ଧା ପକାନ୍ତି, ସେଠି ପ୍ରତିବାଦ କରିବାପାଇଁ କୌଣସି ବିକଳ୍ପ ସ୍ୱର କ୍ଷୀଣ ଭାବରେ ନ ଶୁଭିବା, ଓଡ଼ିଆ ଜାତିର ସବୁଠୁ ବଡ଼ ଦୁର୍ଭାଗ୍ୟ। ଗତ କୋଡ଼ିଏବର୍ଷ ଭିତରେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜନ ଆନ୍ଦୋଳନ ଗଢ଼ିଉଠିଛି – ତା’ର ସବିଶେଷ ବିବରଣୀ କୌଣସି ସମ୍ବାଦପତ୍ରରେ ମିଳିବ ନାହିଁ। ବାଲିଆପାଳର କ୍ଷେପଣାସ୍ତ୍ର ଘାଟି ବିରୋଧୀ ଆନ୍ଦୋଳନ, ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ, ଗୋପାଳପୁର ଟାଟା ବିରୋଧୀ ଆନ୍ଦୋଳନ, ଲାଞ୍ଜିଗଡ଼, କାଶୀପୁର, କଳିଙ୍ଗନଗର ଏସବୁର ଇତିହାସ ଲେଖିବା ପାଇଁ ସମ୍ବାଦପତ୍ରର ପୃଷ୍ଠା ଖୋଜିଲେ ଆମେ ଖୁବ୍ ବେଶି ସଫଳତା ପାଇବା ନାହିଁ। କାଁ ଭାଁ ଛୋଟ ଛୋଟ ଖବରକୁ ବାଦ୍ ଦେଲେ ଜନତାର ଆନ୍ଦୋଳନ ଏବଂ ପ୍ରତିରୋଧକୁ ଗଣମାଧ୍ୟମ ବିଶେଷ ଗୁରୁତ୍ୱ ଦେଇନାହିଁ। ପ୍ରମାଣ ଦେବା ନିରର୍ଥକ । ଓଡ଼ିଶାର ସମ୍ବାଦପତ୍ର ମାଲିକ ବା ସମ୍ପାଦକ ଯେଉଁ ଦଳର ସମର୍ଥକ, ସେହି ଦଳର ମୁଖପତ୍ର ପରି ସମ୍ପୃକ୍ତ ସମ୍ବାଦପତ୍ର କାମ କରିଛି। ନିର୍ବାଚନ ଲଢ଼ୁଥିବା ସମ୍ପାଦକଙ୍କ ପ୍ରଚାର ପତ୍ର ହୋଇ ଅଥିବା ବ୍ୟବସାୟ କରୁଥିବା ମାଲିକଙ୍କ କଳାବଜାର ଲୁଚାଇର କମ୍ବଳ ହୋଇ,ଗଣମାଧ୍ୟମ ଆମ ରାଜ୍ୟରେ ବଞ୍ଚି ରହିଛି।

ସମ୍ବାଦିକର ଅଧର୍ମ

ଓଡ଼ିଶାରେ ପେଶାଦାର ସାମ୍ବାଦିକତାକୁ ମୂଳରୁ ଉଧେଇବାକୁ ଦିଆଗଲା ନାହିଁ। ରାଜନୀତିର ପ୍ରତିପତ୍ତି ଓ ପତିଆରା ଭୋଗ କରୁଥିବା କେତୋଟି ନିର୍ଦ୍ଦିଷ୍ଟ ପରିବାର ବଂଶାନୁକ୍ରମେ ସମ୍ପାଦକ ହେବାର ଯୋଗ୍ୟତା ପାଇଲେ। ଗଣମାଧ୍ୟମ ସଂସ୍ଥା ପାରିବାରିକ ଥଇଥାନ କେନ୍ଦ୍ର ପାଲଟିଲା। ଫଳରେ ପେଶାଦାର ମନୋଭାବ ନେଇ ଖୁବ୍ କମ୍ ସାମ୍ବାଦିକ ବୃତ୍ତିରେ ପ୍ରବେଶ କଲେ। ଓଡ଼ିଶାର ପ୍ରତ୍ୟେକ ସାମ୍ବାଦିକ ଆଜୀବନ ପାରିବାରିକ ଶାସନର ବୋଝ ମୁଣ୍ଡେଇ ଚାଲିଲେ। ସେମାନଙ୍କର ବୃତ୍ତିଗତ ଅଭିଳାଷ, ଚାକିରୀର ସ୍ଥାୟିତ୍ୱ, ଆର୍ଥିକ – ସାମାଜିକ ସୁରକ୍ଷା, ସଂସ୍ଥାର ଲାଭାଂଶରେ ଅଧିକାର ଇତ୍ୟାଦି ଆଦୌ ରହିଲା ନାହିଁ। ଗୋତି ଶ୍ରମିକ ପରି ସମ୍ପାଦକ/ସାମ୍ବାଦିକଙ୍କୁ ବ୍ୟବହାର ପ୍ରଦର୍ଶନ କଲେ। ଆମ୍ଭ ଜାଣିବାରେ ଓଡ଼ିଆ ସମ୍ବାଦପତ୍ରରେ କାର୍ଯ୍ୟ କରୁଥିବା ନବେ ଭାଗରୁ ଅଧିକ କର୍ମଚାରୀ ଆର୍ଥିକ ଓ ମାନସିକ ଶୋଷଣର ଶିକାର ହୋଇଥାନ୍ତି। ରାଜ୍ୟରେ ଅବଶ୍ୟ ସାମ୍ବାଦିକ ସଂଘର ଅଭାବ ନାହିଁ । ଆଜିପର୍ଯ୍ୟନ୍ତ ସାମ୍ବାଦିକତାକୁ ଏକ ସ୍ଥାୟୀ ବୃତ୍ତି ଭାବରେ ଗ୍ରହଣ କରିନେବାର ପରିବେଶ ସାମ୍ବାଦିକ ସଂଘମାନେ ତିଆରି କରିପାରିନାହାନ୍ତି -ଏହା ସେମାନଙ୍କର ଚରମ ବିଫଳତା। ରାଜ୍ୟର ସତର୍କ ପ୍ରହରୀ ଭାବରେ ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକମାନଙ୍କ ପେଟ ଶୁଖିଲା, ଜିଭ ସ୍ଥାଣୁ, କଲମ ଅଚଳ ଓ ମନୋବଳ ଦୁର୍ବଳ। ଏମିତି ଏକ ପରିସ୍ଥିତିରେ ସମ୍ବାଦପତ୍ରଠାରୁ ଆମେ କ’ଣ ବା ଆଶା କରିବା।

ଏକଥା ସତ ଯେ, ଜାତୀୟ ସ୍ତରରେ ସମ୍ବାଦପତ୍ରର ଅବକ୍ଷୟ ଘଟିଛି। କର୍ପୋରେଟ ନିୟନ୍ତ୍ରଣରେ ଗଣମାଧ୍ୟମ ପରିଚାଳିତ ହେଉଛି। ତେବେ ଆଦର୍ଶ ଓ ବିକଳ୍ପ ବିଚାରର କିଛି କିଛି ବାଟ ଏବେ ମଧ୍ୟ ଖୋଲାରହିଛି। ପେଶାଦାର ପ୍ରତିଯୋଗିତାର ପରିଣାମସ୍ୱରୂପ ପ୍ରକୃତ ସତ୍ୟ ଓ ତଥ୍ୟ ଲୋକଲୋଚନକୁ ଆସିପାରୁଛି। ଓଡ଼ିଶାରେ ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଏଠି ସମ୍ବାଦପତ୍ରରେ ପେଶାଦାର ପ୍ରତିଯୋଗିତା ଅପେକ୍ଷା ବ୍ୟକ୍ତିଗତ ଅସହିଷ୍ଣୁଭାବର ପ୍ରତିଫଳନ ଯଥେଷ୍ଟ ଅଧିକ। ଆକ୍ଷେପ, ପ୍ରତିଆକ୍ଷେପ, ଉଦ୍ଦେଶ୍ୟମୂଳକ ସମ୍ବାଦ ପରିବେଷଣ, ପରସ୍ପରକୁ ନୀଚ କରି ଦେଖାଇବାର ବାଲ୍ୟ ଚପଳତା, ନିଜକୁ ମହାପୁରୁଷ ଭାବରେ ପ୍ରଚାରିତ କରିବାର ନିର୍ଲଜ ଅଭିପ୍ରାୟ ଏବଂ ସର୍ବୋପରି କାଗଜର ପ୍ରତ୍ୟେକ ଇଞ୍ଚକୁ ଚଢ଼ାଦାମରେ ବିକିବାର ବଜାରୀ ମାନସିକତା – ଆମ ସମ୍ବାଦପତ୍ରମାନଙ୍କର କେତୋଟି ବିଶେଷ ଗୁଣ। ଏକନମ୍ବର ହେବାର ପ୍ରୟାସରେ ଆମେ ସାମ୍ବାଦିକତାର ଗୌରବ ଓ ସ୍ୱାଭିମାନକୁ ବଳି ପକେଇଛୁ। ସମ୍ବାଦପତ୍ରର ଧର୍ମକୁ ଆମରି ହାତରେ ହାଣ ଖୁଆଇବାକୁ ଆମର ମହାମାନ୍ୟ ମାଲିକ/ ସମ୍ବାଦକମାନେ ପ୍ରତିଜ୍ଞାବଦ୍ଧ।

ସମ୍ବାଦପତ୍ର ରାଜନୈତିକ ଆଦର୍ଶକୁ ବରଣ କରିବା ଅସମୀଚୀନ ନୁହେଁ। ହେଲେ ରାଜନୈତିକ ଫାଇଦା ହାସଲ ପାଇଁ ସମ୍ବାଦପତ୍ରର ବ୍ୟବହାର ଗଣତନ୍ତ୍ରର ସବୁଠୁ ବଡ଼ ଅପରାଧ। ସେ ଦୃଷ୍ଟିରୁ ଆମର ସାମ୍ବାଦିକମାନେ ନିଜର ମୂଲ୍ୟାୟନ କରନ୍ତୁ।

 

freedom kedarmishra press the samikhsya
Share. Facebook Twitter LinkedIn Email WhatsApp Copy Link

Related Posts

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

Budget 2026 ଉପସ୍ଥାପନା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ, ଖାଇଲେ ଦହିଚିନି

February 1, 2026

ଆଜି ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ: ସେମିଫାଇନାଲ ପାଇଁ ହେବ ବଡ଼ ଲଢେଇ

February 1, 2026
Latest News

ସନ୍ତୁଷ୍ଟ ନା ଅସନ୍ତୁଷ୍ଟ?: ବଜେଟ୍ ଉପରେ ଜାଣନ୍ତୁ କ’ଣ କହିଲେ ଜୟନ୍ତ ଚୌଧୁରୀ?

February 1, 2026

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.