Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତର ସର୍ବ ବୃହତ ବିଧାୟକ ବଜାର ଓ ଭାରତୀୟ ଜନତା ପାର୍ଟି ଏକମାତ୍ର ଖରିଦଦାର
ବିଶେଷ ଖବର

ଭାରତର ସର୍ବ ବୃହତ ବିଧାୟକ ବଜାର ଓ ଭାରତୀୟ ଜନତା ପାର୍ଟି ଏକମାତ୍ର ଖରିଦଦାର

July 17, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
jds - congress
jds - congress

କେଦାର ମିଶ୍ର 

ଆମ ପାଖରେ ତୃଣମୂଳ, ମାର୍କ୍ସବାଦି କମ୍ୟୁନିଷ୍ଟ ପାର୍ଟି ଓ କଂଗ୍ରେସର ୧୦୭ ଜଣ ବିଧାୟକ ଅଛନ୍ତି, ସେମାନେ ଯଥାଶୀଘ୍ର ବିଜେପିରେ ମିଶିଯିବେ- ଏମିତି ଏକ ଦମ୍ଭୋକ୍ତି କରିଛନ୍ତି, ପଶ୍ଚିମବଙ୍ଗର ବିଜେପି ନେତା ମୁକୁଲ ରାୟ। ଇଏ ହେଉଛନ୍ତି ସେଇ ମୁକୁଲ ରାୟ ଯିଏ ଏକଦା ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିଲେ ଓ ସାରଦା ଚିଟଫଣ୍ଡ ମାମଲାରେ ୟାଙ୍କର ସମ୍ପୃକ୍ତି ରହିଛି ବୋଲି ସିବିଆଇ କହିଥିଲା। ସେ ତୃଣମୂଳ ଛାଡି ଏବେ ବିଜେପିର ବିଶୁଦ୍ଧ ନେତା ହୋଇଯାଇଛନ୍ତି।ପଶ୍ଚିମବଙ୍ଗରେ ଅନୁଷ୍ଠିତ ଗତ ବିଧାନସଭାରେ ମାତ୍ର ତିନୋଟି ଆସନ ଜିତିଥିବା ବିଜେପି ୧୦୭ ବିଧାୟକ କିଣିପାରିବାର ସାମର୍ଥ୍ୟ ରଖିଛି ବୋଲି କହିଲା ବେଳେ, ଏମାନଙ୍କୁ ସାମାନ୍ୟ ଲଜ୍ଜା ମଧ୍ୟ ଲାଗୁନାହିଁ। ୧୦୪ ଜଣ ବିଧାୟକ ବିଭିନ୍ନ ଦଳରୁ ଆସି ବିଜେପିରେ ଯୋଗଦେବେ ବୋଲି ମୁକୁଲ ରାୟ କହିବା ପଛରେ ହୁଏତ ଏକ ଗୁଜବଭିତ୍ତିକ ରାଜନୀତି କାମ କରୁଥାଇପାରେ। ହେଲେ ଏହା ଅସମ୍ଭବ ନୁହେଁ। ଅରୁଣାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ମହାରାଷ୍ଟ୍ର, ଗୋଆ, ମଣିପୁର ଓ କର୍ଣ୍ଣାଟକରେ ବିଜେପି ସଂଖ୍ୟାଧିକ କଂଗ୍ରେସ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିସାରିଛି। ଗୋଆ ରେ ବିରୋଧୀ ଦଳ ନେତା ଥିବା ଚନ୍ଦ୍ରକାନ୍ତ କବଲେକର ଏବେ ବିଜେପି ସରକାରର ଉପ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ଗୋଆ ମନ୍ତ୍ରୀମଣ୍ଡଳରେ ନୂଆ ମନ୍ତ୍ରୀ ଭାବରେ ଶପଥ ନେଇସାରିଛନ୍ତି। ସେହିପରି ମହାରାଷ୍ଟ୍ର କଂଗ୍ରେସ ବିଧାୟକ ଦଳର ନେତା ରହିଥିବା ରାଧାକୃଷ୍ଣ ଭିକେ ପାଟିଲ ନିଜ ବିଧାୟକ ପଦରୁ ଇସ୍ତଫା ଦେଇ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ହୋଇଛନ୍ତି। କର୍ଣ୍ଣାଟକରେ ୧୫ ଜଣ ବିଧାୟକ ନିଜର ଇସ୍ତଫାପାତ୍ର ଧରି ବାଙ୍ଗାଲୋର ରୁ ମୁମ୍ବାଇ ଓ ଦିଲ୍ଲୀ ଯାଏ ଘୂରି ବୁଲୁଛନ୍ତି।

ଜୟ ପରାଜୟ ଗଣତାନ୍ତ୍ରିକ ନିର୍ବାଚନୀ ବ୍ୟବସ୍ଥାର ଏକ ସ୍ଥାୟୀ ଅଂଶ। ଗଣତନ୍ତ୍ରରେ ଶାସକ ରହିବେ, ବିରୋଧୀ ମଧ୍ୟ ରହିବେ। ଆଶ୍ଚର୍ୟଜନକ ଭାବରେ ଏବେ କେବଳ ଶାସକ ରହୁ, ବିରୋଧୀ ବିଲୋପ ପାଇଯା’ନ୍ତୁ ବୋଲି ଏକ ବିଚିତ୍ର ଧାରଣା ସୃଷ୍ଟି କରା ଯାଇଛି। କେହି କେହି ଏହାକୁ କଂଗ୍ରେସ ସଂସ୍କୃତିର ନବୀକରଣ ବୋଲି ମଧ୍ୟ କହୁଛନ୍ତି। ଅଶି ଦଶକରେ କଂଗ୍ରେସ ସମ୍ବିଧାନର ଧାରା ୩୫୬ର ବ୍ୟାପକ ଅପପ୍ରୟୋଗ କରି ବହୁ ରାଜ୍ୟ ସରକାର ଭାଙ୍ଗିଥିଲା। ସ୍ଵାଧୀନ ଭାରତରେ ଦଳବଦଳ ରାଜନୀତିର ଗୋଟେ ଲମ୍ବା ଓ କଳଙ୍କିତ ଇତିହାସ ରହିଛି। ସ୍ଵାଧୀନତା ପୂର୍ବରୁ ଜନୈକ କଂଗ୍ରେସ ବିଧାୟକ ଶ୍ୟାମଲାଲ ନେହେରୁ କଂଗ୍ରେସ ଟିକଟରେ ଜିତି ବ୍ରିଟିଶ ସରକାରକୁ କେନ୍ଦ୍ରୀୟ ପ୍ରତିନିଧି ସଭାରେ ସମର୍ଥନ ଦେଇଥିଲେ। ଏହାକୁ ତତ୍କାଳୀନ କଂଗ୍ରେସ ସଭାପତି ମୋତିଲାଲ ନେହେରୁ ଭୟଙ୍କର ଭାବରେ ଅନୈତିକ ରାଜନୀତି ବୋଲି କହିଥିଲେ।

ତେବେ ସ୍ଵାଧୀନତା ପରେ ୧୯୫୭ ରୁ ୧୯୬୭ ଭିତରେ ଅନ୍ୟ ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ୪୧୯ ଜଣ ଲୋକପ୍ରତିନିଧି ଯୋଗ ଦେଇଥିବା ବେଳେ କଂଗ୍ରେସରୁ ୯୭ ଜଣ ବିଧାୟକ ଦଳ ବଦଳ କରିଥିଲେ। ଦଳ ବଦଳ କାରଣରୁ ଏକଦା ଶକ୍ତିଶାଳୀ ବିରୋଧୀ ଭୂମିକାରେ ରହିଥିବା ପ୍ରଜା ସୋସିଆଲିଷ୍ଟ ପାର୍ଟି ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା।

୧୯୬୭ ମସିହାର ଚତୁର୍ଥ ସାଧାରଣ ନିର୍ବାଚନ ପରେ ଦଳ ବଦଳ ଏକ ସଂକ୍ରାମକ ରୋଗ ଭଳି ବ୍ୟାପକ ହୋଇଥିଲା। ୧୬ ତି ରାଜ୍ୟ ବିଧାନସଭାରୁ ୮ ଟିରେ କଂଗ୍ରେସ ପରାଜିତ ହୋଇଥିବାରୁ ଏହାର ପରିଣତିରେ ଦଳ ବଦଳ ଓ ଘୋଡା ବେପାର ବ୍ୟାପକ ହୋଇଥିଲା। ୧୯୬୭ ରୁ ୧୯୭୨ ଭିତରେ ୨୦୦୦ ରୁ ଅଧିକ ସାଂସଦ ଓ ବିଧାୟକ ଦଳ ବଦଳ କରିଥିଲେ। ଜଣେ ବିଧାୟକ ପାଞ୍ଚ ଦିନର ମନ୍ତ୍ରୀ ହେବାକୁ ପାଞ୍ଚ ଦିନରେ ପାଞ୍ଚୋଟି ଦଳ ପରିବର୍ତ୍ତନ କରିଥିଲେ। ୧୯୭୨ ମସିହାରେ ପ୍ରତିଦିନ ଜଣେ ବିଧାୟକ ଦଳ ବଦଳ କରୁଥିବା ବେଳେ ପ୍ରତ୍ୟେକ ମାସରେ  ଗୋଟିଏ ରାଜ୍ୟ ସରକାର ଭାଙ୍ଗୁଥିଲା। ଦଳ ବଦଳ ରୋକିବାକୁ ଏବଂ ଭାରତୀୟ ରାଜନୀତିରେ ନୈତିକ ଅବକ୍ଷୟ ରୋକିବାକୁ ୧୯୭୨ ରେ ୩୨ ତମ ସମ୍ବିଧାନ ସଂଶୋଧନ ବିଲ, ୧୯୭୮ ରେ ୪୮ ତମ ସମ୍ବିଧାନ ସଂଶୋଧନ ବିଲ ଓ ୧୯୮୫ ରେ ୫୨ ତମ ସମ୍ବିଧାନ ସଂଶୋଧନ ବିଲ ଜରିଆରେ ଦଳ ବଦଳ ରୋକିବାକୁ ଉଦ୍ୟମ ହୋଇଛି। ଦଳ ବଦଳରୁ ସର୍ବାଧିକ ଲାଭ ପାଇଥିବା କଂଗ୍ରେସ ଦଳ ଏହାକୁ ରୋକିବାର ପ୍ରୟାସ ମଧ୍ୟ କରିଛି। ୧୯୮୫ରେ ରାଜୀବ ଗାନ୍ଧୀ ସରକାର ୫୨ ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଦଳ ବଦଳକୁ ବେଆଇନ ଘୋଷଣା କରିଥିଲେ। ଏହାକୁ ଆହୁରି ଶକ୍ତିଶାଳୀ କରିବାକୁ ୨୦୦୩ ମସିହାରେ ୯୧ ତମ ସମ୍ବିଧାନ ସଂଶୋଧନ ବିଲ ଜରିଆରେ ମନ୍ତ୍ରୀ ସଂଖ୍ୟା ସୀମିତ ରଖିବାର ବ୍ୟବସ୍ଥା କରାଗଲା। ମନ ଇଚ୍ଛା ମନ୍ତ୍ରୀମଣ୍ଡଳ ଗଢିବା ଓ ସବୁ ବିଧାୟକଙ୍କୁ ମନ୍ତ୍ରୀ କରିବାର ଅସୁସ୍ଥ ପରମ୍ପରା ଏହା ଦ୍ଵାରା ବନ୍ଦ ହେଲା। କଂଗ୍ରେସ ସରକାର ଦଳ ବଦଳରୁ ଲାଭ ପାଇଥିଲେ ମଧ୍ୟ ଦଳବଦଳକୁ ରୋକିବା ଲାଗି ଆଇନ କରିବାର ସାହସ ପ୍ରଦର୍ଶନ କରିଥିଲା।

ଏବେ ଦଳ ବଦଳ ନିରୋଧ ଆଇନକୁ ବିଜେପି ଓ ଏହାର ସରକାର ନୂଆ ଢଙ୍ଗରେ ଭାଙ୍ଗି ଚାଲିଛନ୍ତି। ୧୯୬୭ ରେ ଦେଶରେ ଯେଉଁ ଅରାଜକ ଓ ଅଗଣତାନ୍ତ୍ରିକ ପ୍ରକ୍ରିୟା ଚାଲିଥିଲା ଏବେ ଠିକ ସେୟା ଚାଲିଛି। ବିରୋଧୀ ବିଧାୟକଙ୍କୁ ଖରିଦ କରି ରାତାରାତି ଲୋକମତକୁ ବଦଳାଇଦେବାର ଏହି ଅଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧରେ ଆଜି ଜନମତ ପ୍ରକାଶ ନ ପାଇବା ଆଶ୍ଚର୍ୟଜନକ। ବିରୋଧୀ ଶୂନ୍ୟ ରାଜନୀତି ଫାସିବାଦକୁ ଜନ୍ମ ଦିଏ ବୋଲି ଯଦି ଦେଶର ଜଣ ସାଧାରଣ ନ ବୁଝନ୍ତି, ତାହେଲେ ଏହା ଆଗାମୀ ଦିନରେ ଆମ ଗଣତନ୍ତ୍ର ପାଇଁ ସର୍ବନାଶର କାରଣ ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

ଦୀପାବଳି, ହିନ୍ଦୁ ଧର୍ମର ଏହି ଲୋକପ୍ରିୟ ପର୍ବର କିଛି ଜଣା ଅଜଣା କଥା

October 12, 2025

ପୁରୀ ଶ୍ରୀମନ୍ଦିରକୁ ରେଡ ଜୋନ୍ ରୂପେ ଘୋଷଣା କଲେ ଭାରତ ସରକାର

October 12, 2025

ନବୀନ ନିବାସକୁ କାହିଁକି ଯାଇଥିଲେ ସାଂସଦ ଅପରାଜିତା ଷଡଙ୍ଗୀ, ଚାଲିଛି ଜୋରଦାର ଚର୍ଚ୍ଚା

October 12, 2025

ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଭାରତର ପ୍ରଗତି: 10 ବର୍ଷରେ 25 ଲକ୍ଷ ନିଯୁକ୍ତି ସୃଷ୍ଟି

October 11, 2025
Latest News

କେବଳ ସିଗାରେଟ୍ ଧୂଆଁ ନୁହେଁ, ଧୂପକାଠିର ଧୂଆଁ ମଧ୍ୟ ବିପଦଜନକ; ଫୁସଫୁସକୁ ପହଞ୍ଚାଏ ଯଥେଷ୍ଟ କ୍ଷତି 

October 12, 2025

ଦୀପାବଳି, ହିନ୍ଦୁ ଧର୍ମର ଏହି ଲୋକପ୍ରିୟ ପର୍ବର କିଛି ଜଣା ଅଜଣା କଥା

October 12, 2025

ପୁରୀ ଶ୍ରୀମନ୍ଦିରକୁ ରେଡ ଜୋନ୍ ରୂପେ ଘୋଷଣା କଲେ ଭାରତ ସରକାର

October 12, 2025

ପଶ୍ଚିମବଙ୍ଗରେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଝିଅର ବାପାଙ୍କ ସହିତ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

October 12, 2025

ସେନାର ଅଗ୍ନିପଥ ଯୋଜନା ପାଇଁ ଆସନ୍ତା ୨୨ ରୁ ୨୬ ଯାଏଁ ଭୁବନେଶ୍ୱରରେ ନିଯୁକ୍ତି ଶିବିର

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.