ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ ଯେପରି ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି ସେଥିରେ ଏ ସରକାର ବେଶୀ ଦିନ ରହିବା ଅନୁଚିତ। ଆସନ୍ତା ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ମୋହନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରୁ। ଏହାକୁ କଂଗ୍ରେସ ପୂର୍ଣ୍ଣ ଭାବେ ସମର୍ଥନ କରିବ ବୋଲି କହିଛନ୍ତି କଂଗ୍ରେସ ସଭାପତି ଭକ୍ତ ଦାସ।
ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଛନ୍ତ ଯେ, ବିଜେଡି ବର୍ତ୍ତମାନ ମୁଖ୍ୟ ବିରୋଧୀ ଦଳ। ତେଣୁ ସେ ପ୍ରଥମେ ଏହି ଅନାସ୍ଥା ଆଣିବା ଦରକାର। ଯଦି ବିଜେଡି ଏଥିରେ ରାଜି ନୁହେଁ ତେବେ କଂଗ୍ରେସ ନିଶ୍ଚିତ ଅନାସ୍ଥା ପ୍ରସ୍ତାବ ଆଣିବ। ଏଥିରେ ବିଜେଡି ସମର୍ଥନ କରୁ ବୋଲି କହିଛନ୍ତି ଭକ୍ତ ଦାସ। ଯଦି ବିଜେଡ଼ି କିଛି ବି କରେ ନାହିଁ ତେବେ ନାରୀଙ୍କ ନ୍ୟାୟ ପାଇଁ ରାଜ ରାସ୍ତାରେ କରୁଥିବା ମୂଲ୍ୟହୀନ ପ୍ରହସନ ବନ୍ଦ କରୁ ବୋଲି ସେ କହିଛନ୍ତି।
ଗଣମାଧ୍ୟମଙ୍କ ପ୍ରଶ୍ନର ଉତ୍ତରରେ ପିସିସି ସଭାପତି ଶ୍ରୀ ଦାସ ଡବଲ ଇଞ୍ଜିନ ସରକାରର ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ କେହି ମଧ୍ୟ ଲଜ୍ଜିତ ନୁହଁନ୍ତି, ଯଦି ଥା’ନ୍ତେ ତେବେ ଘଟୁଥିବା ନାରୀ ଅତ୍ୟାଚାର ବାବଦରେ ରାଜ୍ୟବାସୀଙ୍କୁ ପଦୁଟିଏ ନିଶ୍ଚିତ କହିଥାନ୍ତେ । ଦମ ଯଦି ଅଛି ତେବେ ଛାତିଫାଡ଼ି ନ୍ୟାୟଦିଅ । ନହେଲେ ହଟିଯାଅ ବୋଲି ସେ ସରକାରଙ୍କୁ ଆହ୍ୱାନ କରିଥିଲେ । ଗଣମାଧ୍ୟମର ଅନ୍ୟ ଏକ ପ୍ରସଙ୍ଗର ଉତ୍ତର ରଖି ସଭାପତି ଶ୍ରୀ ଦାସ କହିଲେ ଯେ ନବୀନ ସବୁବେଳେ ଅନ୍ଧକାର ଭିତରେ। ତାଙ୍କୁ ଭେଟିବାକୁ କେବଳ ଜଣଙ୍କୁ ଅନୁମତି ଅଛି। ଭଗବାନ କରନ୍ତୁ ଆମେ ଆହ୍ୱାନ କରିଥିବା ଅନାସ୍ଥା ପ୍ରସ୍ତାବ ବିଷୟ ତାଙ୍କ ପାଖରେ ପହଞ୍ଚୁ ।
ସେ ଆହୁରି କହିଥିଲେ ଯେ, ମୁଁ ପିସିସି ସଭାପତି ଦାୟିତ୍ୱ ନେବ ପରଠୁ ଦୀର୍ଘ ୫ ମାସ ହେଲା ପରିବାର ସହିତ ଶାନ୍ତିରେ ଦିନଟିଏ ମଧ୍ୟ ବିତାଇ ପାରିନି । ଅନବରତ ରାଜ୍ୟ ଜନତାଙ୍କ ପାଇଁ କାମ କରି ଚାଲିଛି । ଜଗନ୍ନାଥଙ୍କୁ ଦର୍ଶନ କରି ଫେରିବା ପରଦିନଠୁ ଯେଭଳି ରାଜ୍ୟରେ ନାରୀ ନିର୍ଯାତନା ଘଟି ଚାଲିଛି ମୋତେ ଘୋର ବ୍ୟଥିତ କରିବା ସହିତ ଲଜ୍ଜା ଅନୁଭୁତ ହେଉଛି । ତେଣୁ ନାରୀ ନ୍ୟାୟ ଆନ୍ଦୋଳନ ବର୍ତ୍ତମାନ ରାଜ୍ୟର ପ୍ରଥମ ଆବଶ୍ୟକତା ଚିନ୍ତାକରି କଂଗ୍ରେସ ଦଳ ନାରୀ ନ୍ୟାୟ ଆନ୍ଦୋଳନ ଆରମ୍ଭ କଲା । କେତେବେଳେ କେମିତି ମୋ ବକ୍ତବ୍ୟ କଡ଼ା ହୋଇଯାଏ କିନ୍ତୁ ଏହା ସରକାରଙ୍କୁ କ୍ରିୟାଶୀଳ କରିବା ହେଉଛି ମୋର ଉଦ୍ଦେଶ୍ୟ । କାହାକୁ ବ୍ୟକ୍ତିଗତ କୁହେନି ଯାହାବି କହେ ରାଜ୍ୟର ସ୍ୱାର୍ଥରେ କୁହେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକାନ୍ତ ଜେନା, ପିସିସି ଉପ ସଭାପତି ତାରା ପ୍ରସାଦ ବାହିନୀପତି,ଦେବାଶିଷ ପଟ୍ଟନାୟକ, ଲଲାଟେନ୍ଦୁ ମହାପାତ୍ର,ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି,ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଓ ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।