ନୂଆଦିଲ୍ଲୀ: ଦିନକୁ ଦିନ ଭାରତ ପ୍ରତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ କଡା ହେବାରେ ଲାଗିଛି। ପ୍ରଥମେ 25 ପ୍ରତିଶତ ଏହାପରେ ପୁଣି ଅତିରିକ୍ତ 25 ପ୍ରତିଶତ ଶୁଳ୍କ ଭାରତ ଉପରେ ଲଗାଇଛନ୍ତି। ଫଳରେ ଭାରତରୁ ରପ୍ତାନୀ ହେଉଥିବା ଜିନିଷ ଉପରେ ଏଣିକି ବ୍ୟବସାୟୀମାନେ 50 ପ୍ରତିଶତ ଶୁଳ୍କ ଦେବେ। ପୂର୍ବରୁ ସେମାନେ ଯେଉଁ ଜିନିଷ 100 ଟଙ୍କାରେ ବିକ୍ରି କରୁଥିଲେ ବର୍ତ୍ତମାନ ଅତିରିକ୍ତ ଶୁଳ୍କ ସହିତ 150 ଟଙ୍କା ଦେବାକୁ ପଡିବ।
ତେବେ ଏହି ଅତିରିକ୍ତ ଶୁଳ୍କ ଦ୍ବାରା ଆମେରିକାର ଭାରତୀୟ ଜିନିଷର ବିକ୍ରୀ ହ୍ରାସ ପାଇବ। କାରଣ ଆମେରିକୀୟମାନେ ଯେଉଁ ଜିନିଷ 100 ଟଙ୍କାରେ କିଣିଥିଲେ ତାହା ବର୍ତ୍ତମାନ 150 ଟଙ୍କା ହୋଇଯିବ। ଫଳରେ ଏତେ ପଇସା ଦେଇ ସେମାନେ ଭାରତୀୟ ଜିନିଷ କିଣିବାକୁ ଆଉ ଆଗ୍ରହ ପ୍ରକାଶ କରିବେ ନାହିଁ। ଯେଉଁ ଜିନିଷ ଆମେରିକୀୟଙ୍କ ନିହାତି ଆବଶ୍ୟକ ହୁଏତ ତାହାକୁ ସେମାନେ ବାଧ୍ୟ ହୋଇ କଣିପାରନ୍ତି।
ତେବେ ଭାରତରୁ ଆମେରିକାକୁ ରପ୍ତାନୀ ହେଉଥିବା ବିଭିନ୍ନ ଜିନିଷ ମଧ୍ୟରୁ ସାମୁଦ୍ରିକ ଖାଦ୍ୟ ହେଉଛି ମୁଖ୍ୟ। ଆଉ ଏଥିରେ ଚିଙ୍ଗୁଡି ରପ୍ତାନୀ ସବୁଠାରୁ ଅଧିକ ରହିଛି। ହେଲେ ଟ୍ରମ୍ପଙ୍କ ଏହି ଅତିରିକ୍ତ ଶୁଳ୍କ ପରେ ଭାରତର ଏହି ଚିଙ୍ଗୁଡି ରପ୍ତାନୀ ଅଧିକ ପ୍ରଭାବିତ ହେବ। ବିଶେଷ କରି ଓଡିଶାରୁ ପାରାଦ୍ବୀପ ଓ ଚିଲିକାରୁ ରପ୍ତାନୀ ହେଉଥିବା ଚିଙ୍ଗୁଡି ବିକ୍ରି ହ୍ରାସ ପାଇବ। କାରଣ ଆମେରିକାବାସୀ ହଠାତ ଏତେ ଟଙ୍କାରେ ଚିଙ୍ଗୁଡି କିଣିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ।
ଓଡିଶାରୁ ରପ୍ତାନୀ ହେଉଥିବା ଚିଙ୍ଗୁଡି ମଧ୍ୟରୁ କେବଳ ଆମେରିକାକୁ 70 ପ୍ରତିଶତ ପଠାଯାଇଥାଏ। ବର୍ଷକୁ ଭାରତରୁ ଚୁଙ୍ଗୁଡି ଓ ଅନ୍ୟ ସାମୁଦ୍ରିକ ଖାଦ୍ୟ ପ୍ରାୟ 2000 କୋଟି ଟଙ୍କାର ଆମେରିକାକୁ ରପ୍ତାନୀ କରାଯାଇଥାଏ। ବର୍ତ୍ତମାନ ଏହି ସଂଖ୍ୟା ଖୁବ ଶିଘ୍ର ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଓଡିଶାର 10000 ଚିଙ୍ଗୁଡି ଚାଷୀ ପ୍ରଭାବିତ ହେବେ।
ତେବେ ଏ ନେଇ ଓଡିଶାର ପ୍ରମୁଖ ଚିଙ୍ଗୁଡି ବ୍ୟବସାୟୀ ତଥା ଫାଲକନ କଂପାନୀର ମାଲିକ ତାରା ପଟ୍ଟନାୟକଙ୍କ କହିବା କଥା ଯେ, ଆମେରିକା ଅତିରିକ୍ତ 50 ପ୍ରତିଶତ ଶୁଳ୍କ ଲାଗୁ କରିଛି। ହେଲେ ଆମେ ପୂର୍ବରୁ 10 ପ୍ରତିଶତ ଶୁଳ୍କ ଦେଇ ଆସୁଛୁ। ଫଳରେ ବର୍ତ୍ତମାନ ମୋଟ 60 ପ୍ରତିଶତ ଶୁଳ୍କ ଆମକୁ ଦେବାକୁ ପଡିବ। ତେବେ ଅନ୍ୟ ଦେଶର ଚିଙ୍ଗୁଡି ଯେତେବେଳେ ସେଠାରେ ଶସ୍ତା ହେବ ତେବେ ଆମ ଚିଙ୍ଗୁଡି କିଣିବାକୁ କେହି ଆଗ୍ରହ ପ୍ରକାଶ କରିବେ ନାହିଁ। ଏମିତି ଲାଗି ରହିଲେ ଭବିଷ୍ୟତରେ ଆମକୁ ଚିଙ୍ଗୁଡି କଂପାନୀ ବନ୍ଦ କରିବାକୁ ପଡିବ ବୋଲି ତାରା ପଟ୍ଟନାୟକ କହିଛନ୍ତି।
ଅର୍ଥନୈତିକ ବିଶେଷଜ୍ଞଙ୍କ ଅନୁସାରେ ଭାରତ ପରି ଅନ୍ୟ ଦେଶ ମଧ୍ୟ ଆମେରିକାକୁ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କରିଥାନ୍ତି। ହେଲେ ସେହି ଦେଶଗୁଡିକ ଉପରେ ଟ୍ରମ୍ପ ଯେଉଁ ଶୁଳ୍କ ଲଗାଇଛନ୍ତି ତାହା ଭାରତ ଅପେକ୍ଷା ଯଥେଷ୍ଠ କମ ରହିଛି। ଫଳରେ ଆମେରିକା ବଜାରରେ ଯେତେବେଳେ ଭାରତୀୟ ଚିଙ୍ଗୁଡି ବିକ୍ରି ହେବେ ସେତେବେଳେ ଏହାର ମୂଲ୍ୟ ଅନ୍ୟ ଦେଶ ଅପେକ୍ଷା ବେଶ ଅଧିକ ରହିବ। ତେଣୁ ଟ୍ରମ୍ପଙ୍କ ଏହି ଆର୍ଥିକ ରଣନୀତି ବିରୋଧରେ ଭାରତ କି ପ୍ରକାରର ପଦକ୍ଷେପ ଗ୍ରହଣ କରିବ ତାହାକୁ ଅପେକ୍ଷା।