ଭୁବନେଶ୍ବର: ଓଡିଶା ସରକାରରେ ବଡ ବିଚିତ୍ର ପରିସ୍ଥିତି ଉପୁଜିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରରେ ଦଳ ଥିଲେ ମଧ୍ୟ ନିଗମ ମୁଆଁ ବଣ୍ଟା ନେଇ ଶକ୍ତି ହୀନ ହୋଇପଡିଛି। ବର୍ତ୍ତମାନ ଦେଢ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର କେଉଁ ନିଗମରେ କାହାକୁ ରଖିବେ ତାହା ନିଷ୍ପତି କରି ପାରୁ ନାହାଁନ୍ତି। ବାରମ୍ବାର ବୈଠକ କରି ଏକ ତାଲିକା ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ସେଥିରେ କେଁ ପଶୁଛି। ଫଳରେ ସେହି ତାଲିକା ଆଉ ଘୋଷଣା ହୋଇପାରୁ ନାହିଁ।
ଏହିପରି ଅଡୁଆ ପରିସ୍ଥିତି ଲାଗି ରହିବା ପରେ କେନ୍ଦ୍ରୀୟ ନେତା କୁଆଡେ ଅସନ୍ତୁଷ୍ଠ ହେବାରେ ଲାଗିଛନ୍ତି। ଫଳରେ ରାଷ୍ଟ୍ରୀୟ ବିଜେପି ପ୍ରଥମେ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କୁ ଶିଘ୍ର ଭାଗବଣ୍ଟା କର ବୋଲି କହିଥିଲେ। ତୋମାର ମଧ୍ୟ ମନମୋହନ ଓ ମୋହନ ମାଝୀଙ୍କୁ ନେଇ ବୈଠକ କଲେ। ହେଲେ କୌଣସି ସମାଧାନ କରିପାରିଲେ ନାହିଁ। ଦିଲ୍ଲୀ ଦୈଡିଲେ ମଧ୍ୟ କୌଣସି ସମାଧାନ ହୋଇପାରିଲା ନାହିଁ। ଫଳରେ ସେହି ତାଲିକା ପୁଣି ଅଟକି ରହିଲା।
ଏହାପରେ କେନ୍ଦ୍ର ବିଜେପିର ଟାଣୁଆ ନେତା ସୁନୀଲ ବଂଶଲ ଓଡିଶା ଆସିଲେ। ଶିଘ୍ର ଓଡିଶାର ନିଗମ ଅଧ୍ୟକ୍ଷ ଭାଗବଣ୍ଟା ଛିଣ୍ଡାଇ ଦିଅ ବୋଲି ତାଙ୍କୁ ରାଷ୍ଟ୍ରୀୟ ବିଜେପି ନିର୍ଦ୍ଦେଶ ଦେଲେ। ସୁନୀଲ ବଂଶଲ ଓଡିଶା ଆସି ବହୁ ନେତାଙ୍କୁ ଧରି ବୈଠକ କଲେ। ସଭାପତି ସାମଲଙ୍କ ସହିତ ଗୁପ୍ତ ବୈଠକ କଲେ। ସମସ୍ତଙ୍କ ମତାମତକୁ ନେଇ ଏକ ତାଲିକା ଚୁଡାନ୍ତ କଲେ। ସମସ୍ତେ ଭାବିଲେ ଏହି ତାଲିକା ଚୁଡାନ୍ତ ହେଲା। ହେଲେ ହଠାତ ସେଥିରେ ମଧ୍ୟ କେଁ ପଶିଲା। ଆଉ ତାହା ମଧ୍ୟ ଘୋଷଣା ହୋଇପାରିଲା ନାହିଁ।
ଏବେ ବଂଶଲଙ୍କ ପରେ ପୁଣି ତିନିଜଣିଆ କେନ୍ଦ୍ରୀୟ ଟିମ କୁଆଡେ ଭୁବନେଶ୍ବର ଆସିବେ ବୋଲି ଜଣାପଡିଛି। ଏହି ତିନିଜଣଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି। ସେମାନେ ଯାହାକୁ ମନୋନିତ କରିବେ ତାଙ୍କୁ ଅଧ୍ୟକ୍ଷ ଦାୟିତ୍ବ ପ୍ରଦାନ କରାଯିବ। ସେଥିରେ କେହି ଅସନ୍ତୁଷ୍ଠ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଉଛି। ଫଳରେ ଏହି ଦଳ ଶେଷରେ ନିଗମ ଅଧ୍ୟକ୍ଷ ପଦରେ ମୋହର ମାରିବେ ବୋଲି ଆଶା କରାଯାଉଛି।