Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗୁରୁ ପୁର୍ଣିମାରେ ଜଣେ ପାକିସ୍ଥାନୀ ସାମ୍ବାଦିକଙ୍କର ଗୁରୁସ୍ମରଣ
ବିଶେଷ ଖବର

ଗୁରୁ ପୁର୍ଣିମାରେ ଜଣେ ପାକିସ୍ଥାନୀ ସାମ୍ବାଦିକଙ୍କର ଗୁରୁସ୍ମରଣ

July 31, 2019No Comments6 Mins Read
Share Facebook Twitter LinkedIn Email WhatsApp Copy Link

ମୂଳ ରଚନା – ହାରୁନ୍ ଖାଲିଦ୍

ଅନୁବାଦ – ରଙ୍ଗାଚରଣ ପ୍ରଧାନ 

ଏମିତି ହଠାତ୍ ଜବାହାରଲାଲ ନେହେରୁଙ୍କ ଦ୍ବାରା ଲିଖିତ ‘ଗ୍ଲିମ୍ପସେସ୍ ଅଫ୍ ଓ୍ବାର୍ଲଡ୍ ହିଷ୍ଟ୍ରି ମୋ ଦୄଷ୍ଟିକୁ ଆସିଥିଲା । ସେତେବେଳକୁ ତିନି ବର୍ଷ ଧରି ମୁଁ ନିୟମିତ କ୍ଲାସକୁ ଯାଉ ନଥିଲି କି ପଢାପଢି ଉପରେ ବିଲକୁଲ ଧ୍ୟାନ ଦେଉ ନଥିଲି । ଲଗାତର ତୄତୀୟ ଥର ପାଇଁ ମୁଁ ପ୍ରୋବେସନରେ ଥିଲି । ଏଥର ବି ଦେଶର ଭଲ ଭଲ ବିଶ୍ବବିଦ୍ୟାଳୟରୁ ପୁଣି ଥରେ ତଡା ଖାଇବାର ପୁରା ସମ୍ଭାବନା ଥାଏ ।

ଠିକ୍ ସେତିକି ବେଳକୁ ମୋ ଜୀବନରେ ଗୋଟିଏ ବହୁତ ବଡ ମୋଡ ଆସିଥିଲା । ପୁଣି ଥରେ ତଡା ଖାଇବି ବୋଲି ଭାବିନେଇ ସେଥିପାଇଁ ମୁଁ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରିସାରିବା ପରେ, ସବୁପ୍ରକାର ଭୟ ତ୍ୟାଗ କରିଦେଇଥିଲି ଓ ନୂଆ ଉତ୍ସାହର ସହ କଠିନ ପରିଶ୍ରମ ଆରମ୍ଭ କରିଦେଇଥିଲି । ଏଭଳି ପରିସ୍ଥିତିରେ ଯେଉଁ ମାନସିକ ଚାପ ରହିବା କଥା ତାହା ଆଉ ମୋ ପାଖରେ ନଥିଲା । ଏଥର ମୁଁ ନିଜେ ନିଜକୁ ଶିକ୍ଷିତ କରିବାକୁ ଚାହିଁଲି, ତେବେ କୌଣସି ସାର୍ଟିଫିକେଟ କିମ୍ବା ଗ୍ରେଡ୍ ଅର୍ଜନ କରିବା ଉଦ୍ଦେଶ୍ୟରେ ନୁହେଁ, ବରଂ କେବଳ ନିଚ୍ଛକ ଶିକ୍ଷା ଲାଭ ଉଦ୍ଦେଶ୍ୟରେ । ପ୍ରଥମ ଥର ପାଇଁ ବହି ପଢିବା ମୋ ପାଇଁ ଆଉ ପାଠ ଘୋଷିବା ସହ ସମାନ ହେଲା ନାହିଁ । ପ୍ରଥମ ଥର ପାଇଁ ମୁଁ ନିଜକୁ ଲାଇବ୍ରେରୀର ଥାକ ଥାକ ପୁସ୍ତକ ସ୍ତମ୍ବ ଭିତରେ ଆବିଷ୍କାର କଲି । ପାଠ୍ୟକ୍ରମ ବା ସିଲାବସ ବାହାରେ ଆଉ କ’ଣ ସବୁ ଭଲ ଭଲ ବହି ଅଛି ତାହା ମୁଁ ଖୋଜିବାରେ ଲାଗି ଯାଇଥିଲି । ସେତିକି ବେଳେ ନେହେରୁଙ୍କର ଏ ବହିଟି ମୋ ଆଖିରେ ପଡିଲା ।

ଯେତେବେଳେ ଜଣେ ସମସ୍ତ ଆଶା ଛାଡି ପୁଣି ଥରେ ନୂଆ କରି ଜିଇବାକୁ ଆରମ୍ଭ କରେ, ସେତେବେଳେ ବୋଧହୁଏ କେଉଁ ଜିନିଷ ତା’ ପାଇଁ ପ୍ରେରଣାର ଉତ୍ସ ହୋଇଯିବ ତାହା ଆଗରୁ କହି ହେବ ନାହିଁ । ଗୋଟିଏ ଗ୍ରାଜୁଏଟ ହେବା ପାଇଁ ଓ ତିଷ୍ଠି ରହିବା ପାଇଁ ସଂଗ୍ରାମ କରୁଥିବା ବେଳେ ମୁଁ ଯେଉଁ କେତୋଟି ବହି ପଢିଲି ତାହା ମୋ ଜୀବନକୁ ପୁରାପୁରି ବଦଳାଇ ଦେଇଥିଲା । ମୋ ଭିତରେ ଏପର୍ଯ୍ୟନ୍ତ ଯେଉଁ ଶକ୍ତିର ଭଣ୍ଡାର ଅଛି ବୋଲି ମୁଁ ନିଜେ ଜାଣି ନଥିଲି, ତାହା ଆବିଷ୍କାର କରିବାରେ ଏସବୁ କେତୋଟି ବହି ମୋତେ ସାହାଯ୍ୟ କରିଥିଲେ ଓ ତଦ୍ବାରା ମୋର ଏକ ବିରାଟ ରୁପାନ୍ତରଣ ହୋଇଥିଲା । ଆଜିର ଏହି ଗୁରୁପୂର୍ଣିମା ଦିବସରେ ମୁଁ ଏହିଭଳି କେତେଜଣ ପ୍ରେରଣାଦାୟୀ ଚରିତ୍ରଙ୍କ ବିଷୟରେ କହୁଛି, ଯେଉଁମାନେ ମୋ ଜୀବନଯାତ୍ରାକୁ ଏକ ନୂଆ ଦିଗ ଦେଇଥିଲେ ।

ନେହେରୁଙ୍କର ‘ଗ୍ଲିମ୍ପସେସ୍ ଅଫ୍ ଓ୍ବାର୍ଲଡ୍ ହିଷ୍ଟ୍ରି’ ଏକ ଉଲ୍ଲେଖନୀୟ ବହି । ସେ ଜେଲରେ ଥାଇ ଇନ୍ଦୀରା ଗାନ୍ଧୀଙ୍କ ପାଖକୁ ଯେଉଁ ଚିଠିଗୁଡିଏ ଲେଖିଥିଲେ ତାହାର ଏକ କ୍ରମକୁ ନେଇ ଏହି ବହିର ସୄଷ୍ଟି । ପ୍ରାଚୀନକାଳରୁ ଆରମ୍ଭ କରି ଅଧୁନାତମ ସମୟ ପର୍ଯ୍ୟନ୍ତ (ଏ କ୍ଷେତ୍ରରେ ୧୯୩୦ର ଦଶକ ପର୍ଯ୍ୟନ୍ତ ) ଇତିହାସ ଉପରେ ସେ ଚିଠି ମାଧ୍ୟମରେ ଲେଖିଥିବା ନିବନ୍ଧଗୁଡିକର ଏକ ସଙ୍କଳନ ଏହି ବହିରେ ଅଛି । ନେହେରୁଙ୍କର ବ୍ୟକ୍ତିଗତ ଘଟଣା ଓ ଦର୍ଶନରେ ଭରା ଏହି ବହିଟି ଇତିହାସର ଏକ ବାମପନ୍ଥୀ ଓ ଆଧୁନିକ ଅର୍ଥଭେଦ ଯୋଗାଇ ଦିଏ । ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି, ସାରା ବିଶ୍ବରେ ବିଭିନ୍ନ ସମୟରେ ଘଟିଥିବା ଘଟଣାଗୁଡିକୁ ଏକ ଆଧୁନିକ ପୄଥିବୀର ପରିପ୍ରେକ୍ଷୀରେ ଏଥିରେ ବୁଝାଯାଇଛି । ସେସବୁ ଘଟଣାଗୁଡିକର ବର୍ତ୍ତମାନ ସହ କ’ଣ ସମ୍ପର୍କ ରହିଛି ସେକଥା ସେଥିରେ ଲେଖା ଯାଇଛି । ଅବଶ୍ୟ ଏଥିରେ ସ୍ଥାନ ପାଇଥିବା ନେହେରୁଙ୍କର କେତୋଟି ବିଶ୍ଳେଷଣ ସହ ମୁଁ ଏକମତ ନଥିଲି, ତଥାପି ତାଙ୍କର ବୌଦ୍ଧିକ ବିଚକ୍ଷଣତାରେ ମୁଁ ଆଶ୍ଚର୍ଯ୍ୟ ନ ହୋଇ ରହି ପାରି ନଥିଲି । ହଜାରରୁ ଉର୍ଦ୍ଧ୍ବ ପୄଷ୍ଠାର ଏହି ବହିଟିରେ କେଉଁଠି ବି ଅନ୍ୟ କୌଣସି ବହିକୁ ଉତ୍ସ ରୁପେ ଉଦ୍ଧାର କରାଯାଇନାହିଁ, ସମ୍ପୁର୍ଣ ବହିଟି କେବଳ ତାଙ୍କର ମନେ ଥିବା କଥାକୁ ନେଇ ଲେଖା ଯାଇଛି ।

ଏପରି ଏକ ସମୟରେ, ଯେତେବେଳେ ଶିକ୍ଷା, ଜ୍ଞାନ ଓ ଇତିହାସ ପ୍ରତି ମୋର ଥିବା ଭଲପାଇବାକୁ ମୁଁ ଆବିଷ୍କାର କରୁଥିଲି, ସେତେବେଳେ ନେହେରୁଙ୍କର ପାଣ୍ଡିତ୍ୟ ମୋ ପାଇଁ ଜୀବନର ଏକ ଲକ୍ଷ ହୋଇଗଲା । ମୁଁ ମଧ୍ୟ ନେହେରୁଙ୍କ ସ୍ତରର ଜଣେ ପଢିଥିବା ଲୋକ ଓ ବିଶ୍ଳେଷଣକାରୀ ହେବାକୁ ଆକାଂକ୍ଷା ପୋଷଣ କଲି । ନେହେରୁଙ୍କ ଭଳି ମୁଁ ମଧ୍ୟ ଚାହିଁଲି ନାହିଁ ଯେ ମୋର ଅର୍ଜିତ ଜ୍ଞାନ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ଅବଧି କିମ୍ବା ଭୌଗଳିକ ସୀମା ମଧ୍ୟରେ ଆବଦ୍ଧ ହୋଇ ରହୁ । ମୁଁ ପୄଥିବୀର ଇତିହାସ ବିସ୍ତୄତଭାବେ ବୁଝିବାକୁ ଚାହିଁଲି । ମୁଁ ଚାହିଁଲି ନେହେରୁଙ୍କ ଭଳି ମୋର ଜ୍ଞାନର ପରିସୀମା ପ୍ରଶସ୍ତ ହେଉ ଯଦ୍ବାରା ମୁଁ ଭିନ୍ନ ଭିନ୍ନ ବିଶ୍ବସ୍ତରୀୟ ଘଟଣାଗୁଡିକ ମଧ୍ୟରେ ଥିବା ଅନ୍ତର୍କିୟାକୁ ବୁଝିପାରିବି । ସେ ବହିଟି ମୋ ମଧ୍ୟରେ ଆଉ ଯେଉଁ ସବୁ ଲକ୍ଷ ଓ ଆକାଂକ୍ଷା ତିଆରି କରିଥିଲା ଆଜି ମୁଁ ସେଗୁଡିକ ବର୍ଣନା କରୁନାହିଁ, କିନ୍ତୁ ଅତି କମରେ ମୁଁ ଏତିକି କହିବି ଯେ ସେହି ବହିଟି ପଢିବା ପରେ ଲେଖକ ଓ ବିଦ୍ବାନ ନେହେରୁ ମୋର ଗୁରୁ ବନିଗଲେ, ଯିଏ ମୋର ଜୀବନକୁ ଦିଗଦର୍ଶନ ଦେଇ ଚାଲିଲେ ।

ଏହାର କିଛିଦିନ ପରେ ଗାନ୍ଧୀଙ୍କର ଅହିଂସା ରାଜନୀତି ବୁଝିବା ମାର୍ଗରେ ମୁଁ ନିଜକୁ ଆବିଷ୍କାର କଲି । ଏହା ଏକ ସଂଯୋଗ ନଥିଲା, ଏହା ମୋ ଜୀବନଯାତ୍ରାର ଏକ ଅଂଶ ଥିଲା । ସେତେବେଳେ ମୁଁ ଏମିତିସବୁ ବହି ସକ୍ରୀୟଭାବେ ଖୋଜୁଥିଲି, ମୋ ବିଚାରରେ, ଯାହାକୁ ପଢିଲେ ଆନନ୍ଦ ମିଳିବ ଓ ଶିଖିବାକୁ ମିଳିବ, ଏଥିପାଇଁ ନୁହେଁ ଯେ ପରୀକ୍ଷାରେ ନମ୍ବର ମିଳିବ । ନେହେରୁଙ୍କର ପାଣ୍ଡିତ୍ୟ ମୋତେ ପ୍ରେରଣା ଦେଇଥିବା ବେଳେ, ଗାନ୍ଧୀଙ୍କର ଆତ୍ମସଂଯମ, ନ୍ୟାୟ ପାଇଁ ଲଢେଇ କରିବା , ଏପରିକି ଶତ୍ରୁକୁ ବି ଭଲ ପାଇବା ଆଦି ଉଦାହରଣ ମୋ ପାଇଁ ଜୀବନସାରା ଶିକ୍ଷଣୀୟ ହୋଇଗଲା ।

ଗାନ୍ଧୀଙ୍କର ‘ମାଇ ଏକ୍ସପେରିମେଣ୍ଟ୍ ଉଇଥ୍ ଟ୍ରୁଥ୍’ ପଢି ସାରିବା ପାଇଁ ମୋତେ ଗୋଟିଏ ଦିନ ଲାଗିଥିଲା । ସେବେଠାରୁ ସେ ହୋଇଗଲେ ମୋର ବିବେକ, ମୋର ଅନ୍ତଃସ୍ବର ଏବଂ ମୋର ଶକ୍ତି । ଦୄଢପ୍ରତିଜ୍ଞ ଓ ନୀତିନିଷ୍ଠ ସଂଗ୍ରାମୀ ଗାନ୍ଧୀ ମୋର ସାରା ଜୀବନର ସଙ୍ଗୀ ହୋଇଗଲେ । ଉଭୟ ପେଷାଦାର ଓ ବ୍ୟକ୍ତିଗତ ଜୀବନରେ ଯେତେବେଳେ ବି ମୋ ମନରେ କ୍ରୋଧ ଜାଗ୍ରତ ହେଉଥିଲା ଗାନ୍ଧୀଙ୍କର ବିଚାରଭାବନା ଦ୍ବାରା ମୁଁ ସେହି ଭାବନାକୁ ପ୍ରତିହତ କରିପାରିଥିଲି । ନିର୍ଯ୍ୟାତନାକୁ ଧୈର୍ଯ୍ୟ ଓ ଭଦ୍ରଭାବରେ ସହିବା ପାଇଁ ତାଙ୍କର ମନ୍ତ୍ର ମୋତେ ମୋ ଜୀବନର କଠିନ ପରିସ୍ଥିତିକୁ ମୁକାବିଲା କରିବାରେ ସାହାଯ୍ୟ କରିଛି । ଗାନ୍ଧୀଙ୍କଠାରୁ ମୁଁ ଶିଖିଲି ଯେ ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତି ମଣିଷକୁ ଆହୁରି ଶକ୍ତିଶାଳୀ କରିଥାଏ । ମୁଁ ଶିଖିଥିବା ଦୄଢମନତା ଓ ଧୈର୍ଯ୍ୟ ପାଇଁ ମୋର ଦ୍ବିତୀୟ ଗୁରୁ ହେଲେ ମୋହନଦାସ କରମଚାନ୍ଦ ଗାନ୍ଧୀ ।

ଭଗତ ସିଂଙ୍କ ଜୀବନଦର୍ଶନକୁ ସାଧାରଣତଃ ଗାନ୍ଧୀଙ୍କର ସମ୍ପୁର୍ଣ ବିପରୀତ ବୋଲି ମନେ କରାଯାଏ । ଗାନ୍ଧୀ ଯେତେବେଳେ ପ୍ରଗାଢ ଜିଦ୍ ର ସହ ଅହିଂସାକୁ ବ୍ରତ କରିଥିଲେ, ଭଗତ ସିଂ ସେତେବେଳେ ତାଙ୍କ ମାର୍କସବାଦ ବିଚାର ଅନୁସାରେ ରକ୍ତାକ୍ତ ବିପ୍ଳବକୁ ବିଶ୍ବାସ କରୁଥିଲେ । (ଅବଶ୍ୟ ତାଙ୍କର ଶେଷ ଲେଖାଗୁଡିକରେ ମନମୁଖି ହିଂସା ପ୍ରତି ଅନେକ ତିରସ୍କାର ପ୍ରକାଶିତ ହୋଇଛି । ) ମୁଁ ଭଗତ ସିଂଙ୍କୁ ଆବିଷ୍କାର କରିବା ସମୟରେ ମୋତେ ପାଖାପାଖି ୨୩ ବର୍ଷ ବଯସ ହୋଇଥିଲା, ଯେଉଁ ବୟସରେ ଭଗତ ସିଂଙ୍କୁ ଫାଶି ଦିଆଯାଇଥିଲା । ସେ ଜେଲ୍ ରେ ଥିବା ବେଳେ ଓ ତା’ ପୁର୍ବରୁ ଲେଖିଥିବା ଅସଂଖ୍ୟ ଚିଠି ଓ ନିବନ୍ଧସବୁକୁ ମୁଁ ଗ୍ରାସ କରି ଚାଲିଲି । ତାଙ୍କ ଭାବନାର ପ୍ରାଞ୍ଜଳତା ଓ ଅଦମନୀୟ ଦୄଢପ୍ରତିଜ୍ଞା ଥିଲା ସଂକ୍ରାମକ । ସେ ଥିଲେ ଏମିତି ଜଣେ ଯୁବକ ଯିଏ ନିଜ ଯୌବନର ଶିଖର ସ୍ତରରେ ଏବଂ ତାଙ୍କର ସୄଜନ ଓ ଶାରୀରିକ ଶକ୍ତିର ଚରମ ପର୍ଯ୍ୟାୟରେ ଏକ ବୄହତ୍ତର ଲକ୍ଷ ପାଇଁ ନିଜ ଜୀବନକୁ ଜଳାଞ୍ଜଳୀ ଦେଇଦେଲେ । ଲାଲା ଲଜପତ୍ ରାୟଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ସେ ଜଣେ ବ୍ରିଟିଶ୍ ଅଫିସରଙ୍କୁ ହତ୍ୟା କରିଥିବା ଯୋଗୁଁ ତାଙ୍କୁ ଫାଶି ଦଣ୍ଡାଦେଶ ହୋଇଥିଲା । ଏପରିକି ଆସନ୍ନ ଫାଶି ଦିନ ପର୍ଯ୍ୟନ୍ତ ସେ ନିଜର ସ୍ପଷ୍ଟଭାବନା ଲେଖି ଚାଲିଥିଲେ । ଫାଶି ପାଇଁ ତାଙ୍କୁ ଡାକରା ଆସିବା ବେଳେ ବି ସେ ବହି ପଢିବାରେ ମଗ୍ନ ଥିଲେ । ଜ୍ଞାନ ଆହରଣ ପାଇଁ ତାଙ୍କ ଭିତରେ ଥିବା ତୄଷ୍ଣା ଉଲ୍ଲେଖନୀୟ ଅଟେ ।

ଗାନ୍ଧୀଙ୍କ ଭଳି ଭଗତ ସିଂ ମଧ୍ୟ ମୋର ଅନ୍ତଃସ୍ବର ହେଲେ । ସେ ମୋର ତୄତୀୟ ଗୁରୁ ହେଲେ, ଯିଏ ମୋତେ ଯୌବନର ସଜୀବତା ସଙ୍ଗେ ସଙ୍ଗେ କ୍ଷଣସ୍ଥାୟିତା ବିଷୟରେ ଶିକ୍ଷା ଦେଇଥିଲେ । ସେ ମୋତେ ବୁଝାଇଲେ ଯେ ଆମ ଘର ବାହାରେ ବି ଅନେକ ଘଟଣା ଘଟୁଛି – ସମାଜରୁ ବିଛିନ୍ନ ହୋଇ କଟୁଥିବା ଜୀବନ, ଆମ ଚାରିପଟରେ ଥିବା ଲୋକଙ୍କର ଦୁ୍ଃଖ ଦୁର୍ଦ୍ଦଶା ପ୍ରତି ଉଦାସୀନ ହୋଇ କଟୁଥିବା ଜୀବନକୁ ବଞ୍ଚିବାରେ କିଛି ଲାଭ ନାହିଁ ।

ଅବଶ୍ୟ, ଏହି ତିନି ଜଣ ଗୁରୁଙ୍କ ବ୍ୟତୀତ ଆହୁରି ଅନେକ ଗୁରୁ ଅଛନ୍ତି ଯେଉଁମାନେ ମୋ ଜୀବନକୁ ପ୍ରଭାବିତ କରିଛନ୍ତି । କିନ୍ତୁ ବୋଧହୁଏ ମୋର ସେ ସମୟର ମାନସିକ ସ୍ଥିତି ଯୋଗୁଁ ଏହି ତିନିଜଣଙ୍କୁ ମୁଁ ସେମାନଙ୍କ ଭିନ୍ନ ଭିନ୍ନ ଢଙ୍ଗ ପାଇଁ ଗୁରୁ ରୁପେ ପାଇଲି ।

(ସୌଜନ୍ୟ – ଦି ସ୍କ୍ରୋଲ୍.ଇନ)

Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

March 5, 2026

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

ଯଦି ନୀତିଶ କୁମାର ରାଜ୍ୟସଭାକୁ ଯାଆନ୍ତି, ତେବେ କିଏ ହେବେ ବିହାରର ମୁଖ୍ୟମନ୍ତ୍ରୀ?: ନିଶାନ୍ତଙ୍କୁ…..

March 4, 2026

ରାଜ୍ୟସଭାକୁ ଯିବେ କି ନୀତିଶ କୁମାର?: ବିହାରର ବିଭିନ୍ନ ରାଜନୈତିକ ଦଳରୁ ଆସିଲା ପ୍ରତିକ୍ରିୟା

March 4, 2026
Latest News

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ସନ୍ତୃପ୍ତ ମିଶ୍ର ଏବଂ ଦତ୍ତେଶ୍ବର ହୋତା

March 5, 2026

ଅସୁସ୍ଥ ହୋଇପଡିଲେ ମନ୍ତ୍ରୀ ସୁରେଶ ପୂଜାରୀ, ଭୁବନେଶ୍ବର ପରେ ଏବେ ଦିଲ୍ଲୀ ଏମସ୍ କୁ ସ୍ଥାନାନ୍ତରିତ

March 5, 2026

US-Israel vs Iran Conflict: ଦୁବାଇରେ ଫସିରହିଥିବା ଭାରତୀୟ ଯାତ୍ରୀ ସୁରକ୍ଷିତ ଭାବେ ପହଞ୍ଚିଲେ

March 5, 2026

ଆଜି ଶ୍ରୀମନ୍ଦିରରେ ବନକ ଲାଗି ନୀତି: ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ

March 5, 2026

ଆଜିଠାରୁ ଟୋରଣ୍ଟୋ, ଫ୍ରାଙ୍କଫର୍ଟ ଏବଂ ପ୍ୟାରିସକୁ ଅତିରିକ୍ତ କ୍ଷମତା ବିଶିଷ୍ଟ ବିମାନ ଚଳାଚଳ: ଏୟାର ଇଣ୍ଡିଆ

March 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.