ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ଭୋଟ ଗ୍ରହଣ ପାଇଁ ଆଉ ଅଳ୍ପ ଦିନ ରହିଲା। ଫଳରେ ତିନିଦଳର ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିବାରେ ଲାଗିଛନ୍ତି। ପ୍ରଚାର ମଇଦାନରେ ଉଭୟ ବିଜେଡି ବିଜେପି ପରସ୍ପର ଉପରେ କାଦୁଅ ଫିଙ୍ଗା ରାଜନୀତି କରିବାରେ ଲାଗିଛନ୍ତି। ଏହି ପ୍ରଚାର ବେଳେ ଅରୁଣ ସାହୁ କହିଲେ ନୂଆପଡାରେ ବିଜେପି ଜିତିବ। ଓଡିଶାରେ ବିଜେପି ଦେଢ ବର୍ଷ ମଧ୍ୟରେ ବେଶ ଭଲ କାମ କରିଛି। ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି। ତେଣୁ ନୂଆପଡାର ଲୋକେ ଜୟ ଢୋଲକିଆଙ୍କୁ ବିଜୟ କରିବାକୁ ନିଶ୍ଚିତ କରିଛନ୍ତି। ତେବେ ଏହି ଅରୁଣ ସାହୁ ହେଉଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ତଥା ଛତିଶଗଡର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ। ଗତକାଲି ସେ ନୂଆପଡାର ବିଭିନ୍ନ ସ୍ଥାନରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ।
ସେ କହିଛନ୍ତି ଯେ, ଓଡିଶାରେ ମାତ୍ର ୧୬ ମାସ ଭିତରେ ବିଜେପି ସରକାର ନିଜେ ଦେଇଥିବା ୨୧ ଟି ପ୍ରତିଶୃତି ମଧ୍ୟରୁ ୧୧ ଟି ପୂରଣ ହୋଇସାରିଛି । ସୁଭଦ୍ରା ଯୋଜନାରେ ମାଁ ଓ ଭଉଣୀଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ଏବଂ ଚାଷୀଙ୍କୁ ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା ପ୍ରଦାନ କରି ରାଜ୍ୟବାସୀଙ୍କ ଆସ୍ଥାଭାଜନ ହୋଇପାରିଛି ବିଜେପି ସରକାର ।

ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର ପ୍ରତି ନୂଆପଡାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛି । ଗତ ଦୁଇ ଦିନ ଧରି ନୂଆପଡାର ଜେଂଜରା, ଡୁମେରପାନି, ପରସଖୋଲ, ତନବତ୍ ଗାଁକୁ ପ୍ରଚାରରେ ଯାଇ ଅଂଚଳବାସୀଙ୍କ ବିଜେପି ପ୍ରତି ଅଦ୍ଭୁତପୂର୍ବ ସମର୍ଥନ ଏବଂ ସକରାତ୍ମକ ବାତାବରଣ ଦେଖିଛି ଏବଂ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ବିପୁଳ ସଂଖ୍ୟାରେ ଭୋଟ ପାଇ ଜୟଲାଭ କରିବେ ବୋଲି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅରୁଣ ସାହୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।


