Collectors & SPs Conference: ଆପଣମାନେ କୌଣସି ପ୍ରକାର ଚାପର ବଶବର୍ତ୍ତୀ ନ ହୋଇ ଅପରାଧ କ୍ଷେତ୍ରରେ ପ୍ରକୃତ ଦୋଷୀକୁ ଖୋଜି ବାହାର କରନ୍ତୁ ଓ ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ ଅବସରରେ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଲୋକସେବା ଭବନ କନ୍ଭେନସନ ସେଣ୍ଟର ଠାରେ ଗତକାଲି ଠାରୁ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ଆରମ୍ଭ ହୋଇଥିଲା । ଆଜି ଏହା ଉଦ୍ଯାପନ ହୋଇଛି ।
ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲାପାଳଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି କାମ କରିବା ଉଚିତ । ବିକାଶ ଓ ସୁରକ୍ଷା ଯେପରି ଏକାଠି ହୋଇପାରିବ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆରକ୍ଷୀ ଅଧୀକ୍ଷକମାନଙ୍କୁ ୮ଟି ବିଷୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେଗୁଡ଼ିକ ହେଲା-
- ଦଣ୍ଡବିଧାନ ହାରକୁ ବୃଦ୍ଧି କରିବା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ବା ରଣନୀତି ପ୍ରସ୍ତୁତ କରିବା ଏବଂ ଆବଶ୍ୟକ ସ୍ଥଳେ Investigation and Prosecution wing ସ୍ଥାପନ କରିବାକୁ ବିଚାର କରିବା
- ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକୁ ଗ୍ରହଣ କରି ପଞ୍ଜୀକୃତ କରିବା ନଚେତ୍ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା
- ଆରକ୍ଷୀ ଅଧୀକ୍ଷକମାନଙ୍କ ଦ୍ୱାରା ନିୟମିତ ଥାନା ଗସ୍ତ
- ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଗୋଟିଏ ଟିମ୍ ଭାବରେ କାମ କରିବା
- ଦୁର୍ନିତୀ ବିରୁଦ୍ଧରେ ଜିରୋ ଟଲେରେନ୍ସ ଏବଂ ନିଜେ ସଚ୍ଚୋଟ ରହିବା ସହିତ ଅନ୍ୟ ଅଧିକାରୀମାନଙ୍କୁ ପ୍ରେରଣା ଦେବା
- କୌଣସି ନିରୀହ ଜନସାଧାରଣଙ୍କୁ ଅଯଥାରେ ହଇରାଣ ନ କରିବା
- ଥାନସ୍ତରୀୟ ଅଧିକାରୀଙ୍କୁ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ନ୍ୟାୟ ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧୀନିୟମ ବିଷୟରେ ପ୍ରଶିକ୍ଷଣ ପ୍ରଦାନ
- ଅପରାଧୀଙ୍କ ଜ୍ଞାନ କୌଶଳ ଠାରୁ ଗୋଟିଏ ପାଦ ଆଗରେ ରହିବା ପାଇଁ ସବୁ ପୋଲିସ ଅଧିକାରୀମାନେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରିବା
ମୁଖ୍ୟମନ୍ତ୍ରୀ ଓଡ଼ିଶା ପୋଲିସର କାର୍ଯ୍ୟଶୈଳୀରେ ସନ୍ତୋଷବ୍ୟକ୍ତ କରି କହିଥିଲେ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଅପରାଧ ନିୟନ୍ତ୍ରଣକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ଆମ ସରକାର ଆସିବା ପରଠାରୁ ରାଜ୍ୟ ପୋଲିସର ଦକ୍ଷତାପୂର୍ଣ୍ଣ କାର୍ଯ୍ୟ ବଳରେ ସମସ୍ତ ସମ୍ୱେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଅପରାଧ ଗୁଡ଼ିକ ସ୍ୱଳ୍ପ ସମୟ ମଧ୍ୟରେ ସମାଧାନ କରି ଓଡ଼ିଶା ପୋଲିସ ରାଜ୍ୟ ପାଇଁ ସୁନାମ ଆଣିଛି । ପୋଲିସ ବ୍ୟବସ୍ଥାର ସୁଦୃଢୀକରଣ, ଆଧୁନିକୀକରଣ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଥାନାକୁ ଅଭିଯୋଗ ନେଇ ଆସୁଥିବା ସାଧାରଣ ଲୋକ ଯେଭଳି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପାଇବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ସେବା ସହିତ ସୁରକ୍ଷା ଓ ସାହାଯ୍ୟ ଓଡ଼ିଶା ପୋଲିସର ମୁଖ୍ୟକାର୍ଯ୍ୟ ହେବା ଆବଶ୍ୟକ।
ସେ ପୁଣି କହିଥିଲେ ଯେ, ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଏବଂ ପୁଞ୍ଜୀନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଶାନ୍ତି ଓ ସୁଶାସନର ପରିବେଶ ଅତ୍ୟନ୍ତ ଆବଶ୍ୟକ । ଛୋଟ ଛୋଟ ସମସ୍ୟା ଯୋଗୁଁ ଯେପରି ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ନ ହେବ, ସେଥିପ୍ରତି ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।
ଏଥି ସହିତ ମୁଖ୍ୟମନ୍ତ୍ରୀ ୨୦୨୬ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ କରିବା, ବେଆଇନ ନିଶା କାରବାର, ଜମି ମାଫିଆ ଏବଂ ଅର୍ଥନୈତିକ ଅପରାଧୀଙ୍କ କାରବାରକୁ ସମ୍ପୂର୍ଣ୍ଣ ରୂପେ ଦମନ କରିବା, ଦୁର୍ଘଟଣାପ୍ରବଣ ସ୍ଥାନମାନଙ୍କରେ ନଜର ରଖି ନିୟମିତ ଚେକିଙ୍ଗ୍ ଓ ପାଟ୍ରୋଲିଙ୍ଗ କରିବା, ଦ୍ରୁତ ଗତି ଗାଡି ଚାଳନା ଓ ମଦ୍ୟପାନ କରି ଗାଡ଼ିଚାଳନା ଉପରେ ଫୋକସ କରିବା ଏବଂ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ କୋଷ୍ଟାଲ ସିକ୍ୟୁରିଟି, କୋଷ୍ଟ ଗାର୍ଡ ଏବଂ ନୌବାହିନୀ ସହିତ ଉପଯୁକ୍ତ ସମନ୍ୱୟ ରଖି କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।
ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କହିଥିଲେ ଯେ, ନୂଆ ସରକାର ଦାୟିତ୍ୱ ନେବା ପରେ ରାଜ୍ୟ ପୋଲିସରେ ବ୍ୟାପକ ଆଧୁନିକୀକରଣ କରାଯାଇଛି । ପୋଲିସ ପ୍ରଶାସନରେ ମାନବସମ୍ୱଳ ବୃଦ୍ଧି, ଆବଶ୍ୟକ ଉପକରଣ ଓ ସଂସ୍ଥାଗତ ସୁଦୃଢୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି, ଯାହା ଫଳରେ ରାଜ୍ୟରେ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ପୋଲିସ ସଫଳତାର ସହ କାମ କରୁଛି ।
ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଥଲେ ଯେ, ଓଡ଼ିଶା ପୋଲିସକୁ ସୁଦୃଢ଼ କରିବା ପାଇଁ ଗୃହବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଯାହା ବି ପ୍ରସ୍ତାବ ଦିଆଯାଉଛି ମୁଖ୍ୟମନ୍ତ୍ରୀ ତାକୁ ତୁରନ୍ତ ମଞ୍ଜୁର କରୁଛନ୍ତି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଓ ସରକାରଙ୍କ ଆଖି ଓ କାନ । ତେଣୁ ଉଭୟଙ୍କ ମଧ୍ୟରେ ସମନ୍ୱୟ ସବୁବେଳେ ରହିବା ଦରକାର ।
ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୂର ଖୁରାନିଆ ନିଜ ସ୍ୱାଗତ ଭାଷଣରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ୀକରଣ, ଅପରାଧ ନିୟନ୍ତ୍ରଣ ଓ ତଥ୍ୟ-ପ୍ରଯୁକ୍ତି ଆଧାରିତ ନିରୀକ୍ଷଣ ପ୍ରଣାଳୀର ବିସ୍ତାର ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ ସମ୍ମିଳିତ ପ୍ରୟାସ, ତଥ୍ୟ ଆଦାନ-ପ୍ରଦାନ ଓ ଗ୍ରାଉଣ୍ଡ-ଲେଭେଲ ମନିଟରିଂ ଆଗାମୀ ଦିନରେ ଆଇନ-ଶୃଙ୍ଖଳାକୁ ଅଧିକ ସୁନିଶ୍ଚିତ କରିବ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଏବଂ ରାଜ୍ୟ ପୋଲିସ ଓ ପ୍ରଶାସନର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।


