କେଦାର ମିଶ୍ର
କହିବାରେ କୌଣସି ସନ୍ଦେହ ନାହିଁ ଯେ ସମ୍ବିଧାନର ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା ଓ ସେହି ଧାଡିକୁ ପଢି ଗୃହମନ୍ତ୍ରୀ ସାରା ଦେଶ ଆଗରେ ପ୍ରଶ୍ନ ରଖିଲେ ଯେ, ଅସ୍ଥାୟୀ କହିଲେ କଣ ସତୁରୀ ବର୍ଷ?(ମନେ ରଖିଥାନ୍ତୁ, ଏଇ ସମାନ କଥା ଆରକ୍ଷଣ ଉଚ୍ଛେଦ ବେଳେ ମଧ୍ୟ ଉଠିବ) ୱାଜିବ ପ୍ରଶ୍ନ, ହେଲେ ଏହା କଣ ସତରେ ଅସ୍ଥାୟୀ ଥିଲା କି? ଯେତେବେଳେ ଏହି ଧାରା ପ୍ରଣୟନ ହେଉଥିଲା ସେତେବେଳେ କାଶ୍ମୀରର ଆଇନଗତ ପରିସ୍ଥିତି ଓ ଭାରତ ସହ ଏହାର ମିଶ୍ରଣକୁ ନେଇ ବୈଧାନିକ ପ୍ରକ୍ରିୟା ଚାଲୁଥିଲା। ତେଣୁ ଏହି ଧାରାକୁ କାଶ୍ମୀର ଲୋକଙ୍କ ଦ୍ଵାରା ନିର୍ବାଚିତ ସମ୍ବିଧାନ ପ୍ରଣୟନ ସଭା ଗଠନ ଯାଏ ଅସ୍ଥାୟୀ ବୋଲି କୁହାଯାଇପାରେ।କାଶ୍ମୀର ସମ୍ବିଧାନ ସଭା ୧୯୫୪ ମସିହାରେ ନିଜର ସମ୍ବିଧାନ ପ୍ରଣୟନ କଲା, ତାର ଏକମାତ୍ର କାରଣ ହେଉଛି, ଭାରତର ସମ୍ବିଧାନ ସଭାରେ କାଶ୍ମୀରର ଅଂଶିଦାରିତା ନଥିଲା। ୨୭ ଅକ୍ଟୋବର ୧୯୪୭ ରେ ଭାରତ ସହ ମିଶ୍ରଣ ପ୍ରସ୍ତାବରେ ଯେତେବେଳେ ତତ୍କାଳୀନ ମହାରାଜା ହରି ସିଂ ଦସ୍ତଖତ କଲେ, ସେତେବେଳେ କାଶ୍ମୀରର ଅସ୍ତିତ୍ଵ ଓ ଲୋକଙ୍କ ଇଚ୍ଛା ଉପରେ ସର୍ବାଧିକ ଗୁରୁତ୍ଵ ଦିଆଯାଇଥିଲା। କାଶ୍ମୀର କୁ ସ୍ଵତନ୍ତ୍ର ସ୍ୱାୟତ୍ତତା ଦେବା ପ୍ରସଙ୍ଗରେ ଯେତେବେଳେ ସମ୍ବିଧାନ ପ୍ରଣୟନ ସଭାରେ ହସରତ ମୋହାନି ପ୍ରଶ୍ନ ଉଠାଇଥିଲେ, ଏହାର ଉତ୍ତର ରଖି ଗୋପାଳସ୍ଵାମୀ ଆୟଙ୍ଗାର କହିଥିଲେ ଯେ-
the Government of India have committed themselves to the people of Kashmir in certain respects. They have committed themselves to the position that an opportunity would be given to the people of the State to decide for themselves whether they will remain with the Republic or wish to go out of it. We are also committed to ascertaining this will of the people by means of a plebiscite provided that peaceful and normal conditions are restored and the impartiality of the plebiscite could be guaranteed. We have also agreed that the will of the people, through the instrument of constituent assembly, will determine the constitution of the state as well as the sphere of Union jurisdiction over the State…… Till a constituent assembly comes into being, only an interim arrangement is possible and not an arrangement that can at once be brought into line with the arrangement which at once be brought into line with the arrangement that exists in the case of other States….it is an inevitable conclusion that, at the present moment, we could establish only an interim system. Article 306A is an attempt to establish such a system.
ପରବର୍ତ୍ତୀ ସମୟରେ ଧାରା ୩୦୬ ଏ ଧାରା ୩୭୦ ଭାବରେ ପରିଗଣିତ ହେଲା। କାଶ୍ମୀର ସମ୍ବିଧାନ ସଭା ଗଠିତ ହେଲା ଓ ୧୫,ଫେବୃଆରି, ୧୯୫୪ ଦିନ ସମ୍ବିଧାନ ର ଧାରା ୩ ରେ ଏକଥା ଲେଖାଗଲା ଯେ- ଜାମୁ -କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ।ସେହିପରି ଧାରା ୩ ଅପରିବର୍ତ୍ତନୀୟ ଓ ଭବିଷ୍ୟତରେ କାଶ୍ମୀର ବିଧାନସଭା ଏହାକୁ କେବେହେଲେ ବଦଳାଇ ପାରିବ ନାହିଁ ବୋଲି ଧାରା ୧୪୭ ସଂଯୋଗ କରାଗଲା। ଧାରା ୩୭୦ ବଳରେ ହିଁ କାଶ୍ମୀରକୁ ଭାରତ ସହ ମିଶ୍ରଣ କରିବାର ବାଟ ତିଆରି ହୋଇଥିଲା, ଏହା ସ୍ଵୀକାର ନ କରି ଗୁଡାଏ ବିଭ୍ରାନ୍ତିକର ତଥ୍ୟ ଏବେ ପ୍ରଚାର କରାଯାଉଛି। ୧୯୫୪ ରୁ ବିଭିନ୍ନ ସମୟରେ ଧାରା ୩୭୦ କୁ ଦୁର୍ବଳ କରାଯାଇଛି ଓ କାଶ୍ମୀରରେ ଗଣତନ୍ତ୍ରକୁ ସ୍ଥିର ହେବାକୁ ଦିଆ ଯାଇନାହିଁ। ଯେଉଁମାନେ ୩୭୦ କାଶ୍ମୀର ପାଇଁ ଅଲଗା ସମ୍ବିଧାନ ଦେଇଛି ବୋଲି କହନ୍ତି, ସେମାନେ ବୋଧେ ୩୭୦ ଧାରାର ପ୍ରଥମ ଦୁଇ ଧାଡି ପଢି ନାହାନ୍ତି। ଏହା କହୁଛି- Temporary provisions with respect to the State of Jammu and Kashmir.—(1) Notwithstanding anything in this Constitution ଅର୍ଥାତ ଭାରତର ସମ୍ବିଧାନକୁ ଅଣଦେଖା କରି ହେବନାହିଁ।
କେଉଁ ଯୁକ୍ତିରେ ଏହା ଭାରତର ସମ୍ବିଧାନ ବିରୋଧୀ ବୋଲି କୁହାଯାଉଛି, ତାହା କେବଳ ଯେଉଁମାନେ କହୁଛନ୍ତି ସେମାନେ ଜାଣନ୍ତି। ଏବେ ଆଉ ଏକ କଥା କୁହାଯାଉଛି, ୩୭୦ ଧାରାର ତୃତୀୟ ଶାଖା ପଢିବାକୁ। କାରଣ ଦେଶର ଗୃହମନ୍ତ୍ରୀ ସେହି ଶାଖାର ଆଧାରରେ ତାଙ୍କର ବକ୍ତବ୍ୟ ରଖିଛନ୍ତି। ସେ ଧାରା କହୁଛି- Notwithstanding anything in the foregoing provisions of this article, the President may, by public notification, declare that this article shall cease to be operative or shall be operative only with such exceptions and modifications and from such date as he may specify:
Provided that the recommendation of the Constituent Assembly of the State referred to in clause (2) shall be necessary before the President issues such a notification.
ଏଠି ଆମେ ସମ୍ବିଧାନର ବିଶେଷଜ୍ଞ (ବିଶେଷ ଅଜ୍ଞ) ମାନଙ୍କୁ ଟିକେ ପଚାରିବାକୁ ଚାହୁଁ, ରାଷ୍ଟ୍ରପତି ଏ ପ୍ରକାର ଘୋଷଣାନାମା ଜାରି କରିବା ପୂର୍ବରୁ ରାଜ୍ୟ ସମ୍ବିଧାନ ସଭା ଯାହାକି ପରବର୍ତ୍ତୀ ସମୟରେ ବିଧାନସଭା ଭାବରେ ପରିଗଣିତ ତାର ମତାମତ ନେଇଥିଲେ କି? ବାସ୍ତବରେ କାଶ୍ମୀରରେ ବିଧାନସଭା ଥିଲା କି? ଧାରା ୩୭୦କୁ ଖାଲି ଜମି କିଣା ବ୍ୟାପାର ବୋଲି ଭାବୁଥିବା ଲୋକେ ଏକଥା ଭୁଲିଯିବା ଉଚିତ ନୁହଁ ଯେ ଧାରା ୩୭୦ ବାଟ ଦେଇ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ପାଲଟିଥିଲା।
ଧାରା ୩୭୦ ଥାଉ କି ନଥାଉ, କାଶ୍ମୀର ଭାରତର ଅବିଛିନ୍ନ ଅଙ୍ଗ, ଏକଥା କାଶ୍ମୀର ବିଧାନସଭା ୧୯୫୪ ରୁ ଗ୍ରହଣ କରିସାରିଛି ଓ ଦୁର୍ଭାଗ୍ୟର କଥା ଯେ ସେହି ବିଧାନସଭାକୁ ଆମେ ମାରି ଦେଇଛୁ । ତେଣୁ ଆଜି କାଶ୍ମୀର ର ମିଶ୍ରଣ ହେଲାବୋଲି କହୁଥିବା ଲୋକେ ଆମ ମତରେ ସବୁଠୁ ବଡ ଦେଶଦ୍ରୋହୀ। କାଶ୍ମୀର ଭାରତରେ ଥିଲା, ଅଛି ଓ ରହିବ।କାଶ୍ମୀରବାସୀଙ୍କ ସାମ୍ବିଧାନିକ ଅଧିକାର ଓ ମୌଳିକ ଅଧିକାର ହନନ ବିପକ୍ଷରେ କହିବା ଆଜି ସବୁଠୁ ବଡ ଦେଶପ୍ରେମ।