ସମୀକ୍ଷା ବ୍ୟୁରୋ
ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟିର ପ୍ରଭାବଶାଳୀ ନେତା ସୁଷମା ସ୍ବରାଜଙ୍କର ପରଲୋକ ଘଟିଛି।ବିଜେପିରେ ଅଟଳ-ଆଡଭାନୀ ଯୁଗର ଉତ୍ତର ଦାୟାଦ ଭାବରେ ସେ ଦୀର୍ଘ ବର୍ଷ ଧରି ଦେଶର ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଆସୁଥିଲେ। ଅତି ଅଳ୍ପ ବୟସରୁ ନିର୍ବାଚନ ରାଜନୀତିରେ ପାଦ ଥାପିଥିବା ସୁଷମା ସ୍ଵରାଜ ମାତ୍ର ୨୫ ବର୍ଷ ବୟସରେ ହରିଆନା ବିଧାନସଭାକୁ ନିର୍ବାଚିତ ହେବା ସହିତ ୨୭ ବର୍ଷ ବୟସରେ ହରିଆନା ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିଲେ। ଲୋକଦଳ ନେତା ଚୌଧୁରୀ ଦେବିଲାଲଙ୍କ ମନ୍ତ୍ରୀମଣ୍ଡଳରେ ସେ ଥିଲେ କନିଷ୍ଠତମ କ୍ୟାବିନେଟ ମନ୍ତ୍ରୀ। ୧୯୯୦ ପରଠୁ ଜାତୀୟ ରାଜନୀତିରେ ତାଙ୍କର ପ୍ରଭାବ ଓ ପ୍ରତିଷ୍ଠା ବଢି ଚାଲିଥିଲା। ୧୯୯୨ ବାବ୍ରୀ ମସଜିଦ ଭାଙ୍ଗିବା ଘଟଣା ପରଠାରୁ ବିଜେପିର ଯେଉଁ ଉତ୍ଥାନ ପର୍ବ ଆରମ୍ଭ ହୋଇଥିଲା ସେଥିରେ ସୁଷମାଙ୍କର ବିଶେଷ ଯୋଗଦାନ ରହିଥିଲା। ଅଟଳ-ଆଡଭାନୀ ଓ ଯୋଷୀଙ୍କ ପରେ ଯେଉଁ ତରୁଣ ବିଜେପି ନେତାମାନେ ସବୁଠୁ ଆଗରେ ରହିଥିଲେ, ସେମାନଙ୍କ ମଧ୍ୟରେ ସୁଷମା ଥିଲେ ଅନ୍ୟତମ। ପ୍ରମୋଦ ମହାଜନ, ଅରୁଣ ଜେଟଲି, ରାଜନାଥ ସିଂ, ଭେଙ୍କୟା ନାଇଡୁଙ୍କ ସମସାମୟିକ ସୁଷମା ସେତେବେଳେ ନିଜର ଅଗ୍ନୀବର୍ଷୀ ଭାଷଣ ଲାଗି ବେଶ ପ୍ରସିଦ୍ଧ ଥିଲେ।
ବିଜେପିର ସେ ବୋଧହୁଏ ଏକମାତ୍ର ନେତା ଥିଲେ ଯିଏ ଉଭୟ ଉତ୍ତର ଓ ଦକ୍ଷିଣ ଭାରତରୁ ନିର୍ବାଚନ ଲଢିଥିଲେ। କର୍ଣ୍ଣାଟକ, ଦିଲ୍ଲୀ, ହରିଆନା ଓ ମଧ୍ୟ ପ୍ରଦେଶରୁ ସେ ନିର୍ବାଚନ ଲଢିଛନ୍ତି। ହରିଆନାରୁ ମନ୍ତ୍ରୀ ଭାବରେ ରାଜନୈତିକ ସଫଳତାର ସ୍ଵାଦ ଚାଖିଥିବା ସୁଷମା ୧୯୯୬ରେ ମାତ୍ର ୧୩ ଦିନ ପାଇଁ ଗଠିତ ଅଟଳ ବିହାରୀ ବାଜପାୟୀ ମନ୍ତ୍ରୀମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ୧୯୯୮ ରେ ପୁଣିଥରେ ବାଜପାୟୀ ମନ୍ତ୍ରୀମଣ୍ଡଳରେ ସେ ସୂଚନା ଓ ପ୍ରସାରଣ, ଟେଲି ଯୋଗାଯୋଗ ଓ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ରହିଥିଲେ। ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବରେ ସେ ଅକ୍ଟୋବର ୧୯୯୮ ରେ ଅଳ୍ପ ସମୟ ଲାଗି ଦାୟିତ୍ଵ ନିର୍ବାହ କରିଥିଲେ। ୨୦୦୯ ରୁ ୨୦୧୪, ବିଜେପି ଯେତେବେଳେ କ୍ଷମତାକୁ ଫେରିବା ଲାଗି ସଂଘର୍ଷ କରୁଥିଲା, ସେହି ସମୟରେ ସୁଷମା ବିରୋଧୀ ଦଳ ନେତା ଭାବରେ କାମ କରିଛନ୍ତି। ୟୁପିଏ ସରକାରକୁ ସଫଳତାର ସହିତ ଘେରିବାରେ ତାଙ୍କର ବିଚକ୍ଷଣ ରାଜନୈତିକ ଅନୁଭବ ପରବର୍ତ୍ତୀ ସମୟରେ ବିଜେପିକୁ କ୍ଷମତାସୀନ ହେବାରେ ସହାୟକ ରହିଥିଲା।
୨୦୧୪ରେ ନରେନ୍ଦ୍ର ମୋଦୀ ସରକାରେ ସେ ବୈଦେଶିକ ବ୍ୟାପାର ବିଭାଗର ମନ୍ତ୍ରୀ ଭାବରେ ପୂରା ପାଞ୍ଚ ବର୍ଷ କାମ କରିଥିଲେ। ଏହି ସମୟରେ ଜଣେ ଅତ୍ୟନ୍ତ ଉଦାରଚେତା, ସଂବେଦନଶୀଳ ଓ ସ୍ନେହୀ ମନ୍ତ୍ରୀ ଭାବରେ ତାଙ୍କର ଲୋକପ୍ରିୟତା ବଢି ଯାଇଥିଲା। ଟୁଇଟର ମାଧ୍ୟମରେ ବହୁ ଭାରତୀୟଙ୍କର ଜରୁରୀ ସମସ୍ୟାର ସମାଧାନ କରିବାରେ ସେ ଏକ ନୂଆ ରେକର୍ଡ ତିଆରି କରିଥିଲେ। ପାକିସ୍ତାନରେ ନିଖୋଜ ହୋଇଯାଇଥିବା ଭାରତୀୟ ଭିନ୍ନକ୍ଷମ ବାଳିକା ଗୀତାକୁ ଫେରାଇ ଆଣିବା ଓ ତାକୁ ନିଜ ଭଳି ଦାୟିତ୍ଵ ନେଇ ତା ପରିବାର ପାଖରେ ପହଞ୍ଚାଇବାର ବିରଳ ମାନବୀୟ ଗୁଣ ତାଙ୍କୁ ଅଧିକ ସ୍ମରଣୀୟ କରି ରଖିବ।
୧୪, ସେପ୍ଟେମ୍ବର, ୧୯୫୩ ରେ ହରିଆନାର ଅମ୍ବାଲାଠାରେ ଜନ୍ମଗ୍ରହଣ କରିଥିବା ସୁଷମା ସ୍ଵରାଜ ଓକିଲ ଭାବରେ ତାଙ୍କର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ତାଙ୍କର ସାଥି ସ୍ଵରାଜ କୌଶଲ, ପରବର୍ତ୍ତୀ ସମୟରେ ତାଙ୍କର ଜୀବନ ସାଥି ମଧ୍ୟ ହୋଇଥିଲେ। ମାନବୀୟ ସମ୍ବେଦନା ଓ ରାଜନୈତିକ ଶିଷ୍ଟାଚାରକୁ ସବୁଠୁ ଅଧିକ ଗୁରୁତ୍ଵ ଦେଉଥିବା ସୁଷମାଙ୍କ ବିୟୋଗରେ ଭାରତୀୟ ସାମାଜିକ ଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ନିଶ୍ଚୟ।