ରଙ୍ଗାଚରଣ ପ୍ରଧାନ
ସେମାନଙ୍କୁ ଏମାନଙ୍କର ଭାଷା ଓ ଭାଷାଭିତ୍ତିକ ଜାତୀୟତାବାଦ ଭଲ ଲାଗି ନଥିଲା । ତେଣୁ ୨୫ ମାର୍ଚ୍ଚ, ୧୯୭୧ ମସିହାରେ ପଶ୍ଚିମ ପାକିସ୍ଥାନର ଶାସକଗୋଷ୍ଠି ସୈନ୍ୟ ପଠାଇ ପୂର୍ବ ପାକିସ୍ଥାନରେ ହତ୍ୟା ଓ ଦମନଲୀଳା ଚଳାଇଲେ । ମିଳିତ ପାକିସ୍ଥାନର ପାର୍ଲିଆମେଣ୍ଟରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ସୁଦ୍ଧା ଆଓ୍ବାମୀ ଲିଗର ନେତା ଶେଖ୍ ମୁଜିବୁର ରହମନଙ୍କୁ ପ୍ରଧାନମନ୍ତ୍ରୀ କରାଇ ଦିଆ ନଯାଇ ସମ୍ବିଧାନର ପ୍ରାଵଧାନଙ୍କୁ ଭଙ୍ଗ କରାଗଲା । ଶେଷରେ ସେହି ବର୍ଷ ଡିସେମ୍ବର ମାସ ବେଳକୁ ପୂର୍ବ ପାକିସ୍ଥାନ ବଙ୍ଗଳାଦେଶ ନାମରେ ଏକ ସ୍ବାଧୀନ ରାଷ୍ଟ୍ରରେ ପରିଣତ ହେଲା । ଏପରି ହେବାର କାରଣ ଥିଲା ଯେ ପଶ୍ଚିମ ପାକିସ୍ଥାନକୁ ପୂର୍ବ ପାକିସ୍ଥାନର ବଙ୍ଗଳାଭାଷା ସହ୍ୟ ହୋଇ ନଥିଲା ।
୧୯୮୪ ମସିହାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କର ହତ୍ୟା ପରେ ହୋଇଥିବା ଶିଖ୍ ବିରୋଧୀ ନିଆଁରେ ପ୍ରାୟ ଏକ ଦଶନ୍ଧି ଧରି ହଜାର ହଜାର ସଂଖ୍ୟକ ସାଧାରଣ ଶିଖ୍ ଓ ପୋଲିସବଳ ପ୍ରାଣ ହରାଇଥିଲେ । ସେତେବେଳେ ସମୁଦାୟ ଅବଶିଷ୍ଟ ଦେଶ ଶିଖମାନଙ୍କୁ ଖଳନାୟକ ନଜରରେ ଦେଖୁଥିଲେ ।
୧୯୪୮ ମସିହାରେ ବ୍ରିଟେନଠାରୁ ସ୍ବାଧୀନତା ପାଇବା ପରେ ସିଂହଳ (ବର୍ତ୍ତମାନର ଶ୍ରୀଲଙ୍କା) ସିଂହଳି ଭାଷାକୁ ଆଧିକାରିକ ଓ ଜାତୀୟ ଭାଷା ରୁପେ ଗ୍ରହଣ କଲା । ଏହା ବ୍ୟତୀତ ଆହୁରୀ ଅନେକ ଉପାୟରେ ସଂଖ୍ୟାଲଘୁ ତାମିଲବାସିଙ୍କ ପ୍ରତି ଅନ୍ୟାୟ ପ୍ରଦର୍ଶନ କରାଗଲା । ଏହାର ବି କାରଣ ଥିଲା ସେହି ଏକା – ସଂଖ୍ୟାଗରିଷ୍ଠ ଦ୍ବାରଖ ସଂଖ୍ୟାଲଘୁକୁ ବରଦାସ୍ତ କରି ସାଙ୍ଗରେ ନେବାକୁ ଅନିଚ୍ଛା । ଫଳରେ ୬୦ ବର୍ଷ କାଳ ତାମିଲ ବିଦ୍ରୋହୀମାନେ ସରକାର ଓ ସଂଖ୍ୟାଗରିଷ୍ଠଙ୍କ ବିରୁଦ୍ଧରେ ରକ୍ତାକ୍ତ ସଂଘର୍ଷ କଲେ । ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ଓ ସୈନ୍ୟଙ୍କ ସମେତ ଦୁଇଟି ଦେଶର ପ୍ରଧାନମନ୍ତ୍ରୀ ଏଥିରେ ଜୀବନ ହରାଇଥିଲେ । ଶେଷରେ ଆତଙ୍କବାଦୀ ନେତା ପ୍ରଭାକରନର ହତ୍ୟା ପରେ ସଂଖ୍ୟାଲଘୁ ତାମିଲଙ୍କୁ ଅଧିକାର ଓ ସମ୍ମାନ ଫେରାଇବା ପାଇଁ ଘୋଷଣା ହେଲା ।
ଶହ ଶହ ବର୍ଷ ଧରି ଆୟରଲ୍ୟାଣ୍ଡକୁ ପରାଧୀନ କରି ରଖିବା ପରେ ୧୯୨୦ ମସିହାରେ ବ୍ରିଟେନ୍ ଯେତେବେଳେ ସ୍ବାଧୀନତା ଦେଲା ସେତେବେଳେ ପ୍ରୋଟେଷ୍ଟାଣ୍ଟ୍ ଧର୍ମୀୟ ବହୁଳ ଉତ୍ତର ଆୟରଲ୍ୟାଣ୍ଡକୁ ନିଜ ଅଧୀନରେ ରଖିଲା । ଫଳରେ ବହୁବର୍ଷ ଧରି ସେଠାରେ ହିଂସା ଓ ବ୍ରିଟିଶ୍ ସୈନ୍ୟଙ୍କ ଦ୍ବାରା ଦମନଲୀଳା ଅବ୍ୟାହତ ରହିଲା । ଅନେକ ଧନଜୀବନ ହାନି ହେଲା । ଶାନ୍ତି ସ୍ଥାପନ ପାଇଁ ଅନେକ ଚୁକ୍ତି ସ୍ବାକ୍ଷର ହେବା ସତ୍ତ୍ବେ ଆଜି ପର୍ଯ୍ୟନ୍ତ ବିବାଦ ସରି ନାହିଁ । ଏହାର କାରଣ ମଧ୍ୟ ଭିନ୍ନ ନୂହେଁ । ଧର୍ମୀୟ ଓ ସାଂପ୍ରଦାୟିକ ବିଦ୍ବେଷ ଆଧାରରେ ସଂଖ୍ୟାଗରିଷ୍ଠଙ୍କର ସଂଖ୍ୟାଲଘୁ ସ୍ବାର୍ଥ ପ୍ରତି ଘୄଣା ଓ ଏହାର ଅନ୍ତ ପାଇଁ ସାମରିକ ପ୍ରୟାସକୁ ଏକମାତ୍ର ଉପାୟ ବୋଲି ଧରିନେବା ସେଠାରେ ବି ସଫଳ ହୋଇ ନାହିଁ ।
୨୦୧୪ ଠାରୁ ଆଜି ପର୍ଯ୍ୟନ୍ତ ଜାମ୍ମୂ କାଶ୍ମୀରରେ ଆତଙ୍କବାଦ ବହୁଗୁଣ ବଢିଛି । ଆତଙ୍କବାଦୀଙ୍କ ସହ ଅନେକ ସାମରିକ ଓ ବେସାମରିକ ଲୋକଙ୍କର ଜୀବନହାନି ମଧ୍ୟ ବହୁଗୁଣ ବଢିଛି । ୧୯୯୬ ଠାରୁ ନିୟମିତ ବିଧାନସଭା ନିର୍ବାଚନ ହୋଇ ଆସିଥିବାବେଳେ ଏଥର ପ୍ରଥମଥର ପାଇଁ ହିଂସାତ୍ମକ ପରିସ୍ଥିତି ଯୋଗୁଁ ସେଠାରେ ବିଧାନସଭା ନିର୍ବାଚନ ହୋଇ ପାରିଲା ନାହିଁ । ପଞ୍ଚାୟତ ନିର୍ବାଚନରୁ ୭୦% ହଲକା ବାଦ୍ ପଡିଲା ।
ହିଂସାକୁ କାବୁ କରିବାରେ ଚରମ ବିଫଳ ହେବା ପରେ ଆଜି କେନ୍ଦ୍ର ସରକାର ସମୁଦାୟ ପ୍ରଦେଶକୁ ଦୁଇ ଭାଗ କରି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିଛି ଏବଂ ଏହା ଦ୍ବାରା ସିଧାସଳଖ ନିଜ ନିୟନ୍ତ୍ରଣରେ ରଖିଛି । ଏହା ଦ୍ବାରା କାଶ୍ମୀରରେ ଶାନ୍ତି ଫେରିଆସିବା କେତେଦୁର ସଫଳ ହେବ ତାହା ସମୟ କହିବ ।
ମାତ୍ର ଏକଥା ମାନିବାକୁ ପଡିବ ଯେ ଏକ ସଂଗଠିତ ଦୁଷ୍ପ୍ରଚାର ଅଭିଯାନ ଦ୍ବାରା କାଶ୍ମୀର ସମସ୍ୟାକୁ ଏକ ହିନ୍ଦୁ-ମୁସଲମାନ ସମସ୍ୟା ଓ ସମୁଦାୟ କାଶ୍ମୀରବାସୀଙ୍କୁ ଦେଶର ଶତ୍ରୁ ଭାବରେ ଦେଖାଇବାରେ ଭାରତୀୟ ଜନତା ପାର୍ଟି ସଫଳ ହୋଇଛି ।
ପ୍ରଚଳିତ ଧାରଣାର ବିପରୀତ, ଏବେ ବି ଧାରା ୩୭୦ ହଟିନାହିଁ । ଏହି ଧାରା ହଟାଯିବା ପାଇଁ ସଂବିଧାନ ସଂଶୋଧନ ହେବା ଆବଶ୍ୟକ, ଯାହା ଏପର୍ଯ୍ୟନ୍ତ ହୋଇ ନାହିଁ । ବରଂ ଧାରା ୩୭୦ରେ ଜାମ୍ମୁକାଶ୍ମୀରକୁ ଦିଆଯାଇଥିବା ଅବଶିଷ୍ଟ ସ୍ବାତନ୍ତ୍ର୍ୟତା କାଢି ନିଆ ଯାଇଛି । ମାତ୍ର ଦୁଷ୍ପ୍ରଚାରକୁ ସଫଳ କରିବା ପାଇଁ ଆଗରୁ ବଦନାମ ହୋଇଥିବା ଧାରା ୩୭୦ ଖତମ ହେଲା ବୋଲି ପ୍ରଚାର କରିବା ଜରୁରୀ ହୋଇ ପଡିଛି ।
ଧାରା ୩୭୦ ଯଦି ତାହାର ମୁଳ ସ୍ବରୁପରେ ଆଜି ପର୍ଯ୍ୟନ୍ତ ରହିଥାନ୍ତା ତେବେ ଅନ୍ୟ ରାଜ୍ୟଗୁଡିକ ଭଳି ସେଠାରେ ଆଜି ବି ଲୋକେ ସମ୍ବିଧାନ ପ୍ରଦତ୍ତ ସେମାନଙ୍କର ମୌଳିକ ଅଧିକାରରୁ ବଞ୍ଚିତ ରହିଥାନ୍ତେ । ସେମାନେ ପାର୍ଲିଆମେଣ୍ଟ ନିର୍ବାଚନରେ ଭାଗ ନିଅନ୍ତେ ନାହିଁ । ସୂପ୍ରୀମ୍ କୋର୍ଟ ଓ ନିର୍ବାଚନ କମିଶନଙ୍କର ଜାମ୍ମୂ କାଶ୍ମୀର ଉପରେ କୌଣସି କର୍ତ୍ତୁତ୍ବ ରହି ନଥାନ୍ତା । ୧୯୫୪ ମସିହାରୁ ହିଁ ସୟଦ ମୀର କାଶ୍ମୀରଙ୍କ ନେତୄତ୍ତ୍ବରେ ସେଠାର ସାମ୍ବିଧାନିକ ସଭା ରାଷ୍ଟ୍ରପତିଙ୍କ ଆଦେଶ ଗ୍ରହଣ କରି ଭାରତୀୟ ପାର୍ଲିଆମେଣ୍ଟର କର୍ତ୍ତୁତ୍ବକୁ ସ୍ବୀକାର କରିବାର ବାଟ ଫିଟାଇ ସାରିଛି, ଯେଉଁଥିପାଇଁ ଆଜି ପାର୍ଲିଆମେଣ୍ଟ କାଶ୍ମୀର ବିଷୟରେ ଆଇନ୍ ବଦଳାଇବାରେ ସମର୍ଥ ହେଉଛି ।
ଭାରତୀୟ ସମ୍ବିଧାନରେ ଥିବା ସମୁଦାୟ ୩୯୫ଟି ଧାରା ମଧ୍ୟରୁ ୨୬୦ଟି ଧାରା ଜାମ୍ମୁ କାଶ୍ମୀର ପାଇଁ ଆଗରୁ ଲାଗୁ ରହିଥିଲା । ଅବଶିଷ୍ଟ ୧୩୫ଟି ପାଇଁ ଜାମ୍ମୁ କାଶ୍ମୀର ସମ୍ବିଧାନରେ ସମାନ ଆଇନ ଥିଲା । କେବଳ କେନ୍ଦ୍ରୀୟ ସୁଚୀରେ ଥିବା ୯୭ଟି ଅଧିକାର କ୍ଷେତ୍ରମଧ୍ୟରୁ ମାତ୍ର ୩ଟି ସେହି ପ୍ରଦେଶରେ ଲାଗୁ ହୋଇ ନଥିଲା । ଅନ୍ୟ ପକ୍ଷରେ, ବରଂ ଦେଖିବାକୁ ଗଲେ , ଅନ୍ୟ ପ୍ରଦେଶ ଅପେକ୍ଷା ଜାମ୍ମୁ କାଶ୍ମୀର ଉପରେ ଅଧିକାର ଉପଯୋଗ କରିବା କେନ୍ଦ୍ର ସରକାରଙ୍କ ପାଇଁ ସହଜ ଥିଲା । ୧୯୮୭ରୁ ୧୯୯୨ ମଧ୍ୟରେ ହିଂସାଗ୍ରସ୍ତ ପଞ୍ଜାବରେ ରାଷ୍ଟ୍ରପତି ଶାସନର ମିଆଦ ବଢାଇବା ପାଇଁ ୪ ଥର ସମ୍ବିଧାନ ଶଂଶୋଧନ କରିବାକୁ ପଡିଥିଲା । ମାତ୍ର ଜାମ୍ମୁ କାଶ୍ମୀରରେ ସେଥିପାଇଁ କେବଳ ଧାରା ୩୭୦ ଅନ୍ତର୍ଗତ ପ୍ରଶାସନିକ ଆଦେଶ ଯଥେଷ୍ଟ ଥିଲା ।
୧୯୫୭ରୁ ୧୯୬୭ ମଧ୍ୟରେ ଚୀନ୍ ସରକାର ମୁସଲମାନ ଜନବହୁଳ ଜିଙ୍ଗୟାଙ୍ଗ୍ ଅଞ୍ଚଳରେ ଲକ୍ଷ ଲକ୍ଷ ହାନ୍ ସଂପ୍ରଦାୟର ଲୋକଙ୍କୁ ବସତି ସ୍ଥାପନ କରିବାକୁ ଦେଲା । ୧୯୪୫ରେ ସେଠାରେ ୬% ହାନ୍ ରହିଥିବା ବେଳେ ୧୯୮୨ ସୁଦ୍ଧା ତାହା ୪୧%ରେ ପହଞ୍ଚିଥିଲା । ୨୦୦୦ରୁ ୨୦୦୯ ମଧ୍ୟରେ ସେଠାରେ ୨୦୦ ବିଲିଅନ୍ ଡଲାରର ପୁଞ୍ଜି ନିବେଶ ହୋଇଥିଲା, ଯାହାର ୮୦% ଥିଲା ଚୀନ୍ କେନ୍ଦ୍ର ସରକାରଙ୍କ ଦ୍ବାରା । ତଥାପି ଜିଙ୍ଗୟାଙ୍ଗର ବେକାରୀ ହାର ଚୀନର ଅନ୍ୟ ଅଞ୍ଚଳଠାରୁ ଅନେକ ଅଧିକ । ପୁଣି ଚୀନ୍ ର ବିପରୀତ, ଭାରତ ସରକାରଙ୍କ ପାଖରେ କାଶ୍ମୀରରେ ପୁଞ୍ଜି ନିବେଶ କରିବା ପାଇଁ ଏତେ ଟଙ୍କା ନାହିଁ । ସାରା ଦେଶରେ ବେରୋଜଗାର ହାର ୪୫ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ଜାମ୍ମୂ କାଶ୍ମୀରରେ ରୋଜଗାର ସୄଷ୍ଟି କରିବାର ବାହାନା ହାସ୍ୟାସ୍ପଦ ।
ଜାମ୍ମୂ କାଶ୍ମୀର ଜନସଂଖ୍ୟାର ୧.୩% ହେଉଛନ୍ତି ଅନ୍ୟ ପ୍ରଦେଶର ଲୋକ । ଏହା ଏକ ଆଶ୍ଚର୍ଯ୍ୟ ଜନକ ତଥ୍ୟ ନୁହେଁ । ଅନ୍ୟ ଅଧିକାଂଶ ରାଜ୍ୟ ସହ ଏହା ତୁଳନୀୟ । ଏବେ ବି ଲିଜ୍ ଆଇନର ଦୁରୁପଯୋଗ କରି ଅନେକ ଅନ୍ୟ ପ୍ରଦେଶର ଲୋକ ସେଠାରେ ଗ୍ରୀଷ୍ମକାଳୀନ ଘର କରିଛନ୍ତି । ଯଦି ସେଠାରେ ଅନ୍ୟ ପ୍ରଦେଶର ଲୋକ ଯାଇ ରହୁ ନାହାନ୍ତି ତାହାର ମୁଳ କାରଣ ଆଇନ୍ ନୂହେଁ , ବରଂ ରୋଜଗାର ସମ୍ଭାବନାର ଅଭାବ । ବନ୍ଧୁକ ମୁନରେ ବଳବତର ଶାନ୍ତି କେତେଦୁର ସେଠାକୁ ଅନ୍ୟ ପ୍ରଦେଶର ଲୋକ, ପୁଞ୍ଜି ନିବେଶ ଓ ଏପରିକି ସାଧାରଣ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାରେ ସାହାଯ୍ୟ କରିବ ତାହା ସମୟ କହିବ ।
ଆଜି ବି ଚୀନ୍ ର ଜିଙ୍ଗୟାଙ୍ଗରେ ଜାତିଗତ ହିଂସା ଏକ ସାଧାରଣ ଘଟଣା । ଦଶ ହଜାରରୁ ଅଧିକ ଲୋକଙ୍କୁ ସେଠାରେ ବନ୍ଦୀ ଶିବିରରେ ରଖା ଯାଇଛି । ଆଉ ହଜାର ହଜାର ଲୋକ ସିରିଆରେ ଶରଣାର୍ଥୀ ହୋଇ ରହିଛନ୍ତି ।
କାଶ୍ମୀର ବିଷୟରେ ଥିବା ନିଜର କାମଳଦୄଷ୍ଟିର ଅବଧାରଣାକୁ କାର୍ଯ୍ୟରେ ପରିଣତ କରିବାରେ ଗତ ଅଗଷ୍ଟ ୫ ତାରିଖରେ ଧାରା ୩୭୦ର ଶଂଶୋଧନ ଥିଲା ବିଜେପି ଦ୍ବାରା ସମଗ୍ର କାଶ୍ମୀରବାସୀଙ୍କୁ ଖଳନାୟକ ଭାବେ ଚିତ୍ରଣ କରିବା ପ୍ରକ୍ରୀୟାର ଏହା ଚୁଡାନ୍ତ ପର୍ଯ୍ୟାୟ । ଏହା କେବଳ ଶାସକ ଦଳର ପାର୍ଲିଆମେଣ୍ଟରେ ଥିବା ସଂଖ୍ୟା ବଳରେ ନୁହେଁ, ବରଂ ଗଣମାଧ୍ୟମ ଦ୍ବାରା ଜନମତକୁ କୁପ୍ରଭାବିତ କରିବାରେ ନିଜର ଏକଚାଟିଆ ସାମର୍ଥ୍ୟ ଦ୍ବାରା ସମ୍ଭବ ହୋଇଛି । କାଶ୍ମୀରରେ ସ୍ଥାୟୀ ଶାନ୍ତି କେବେ ଆସିବ ତାହା ସମୟ କହିବ । ମାତ୍ର ଏକଥା ସ୍ବୀକାର କରିବାକୁ ହେବ ଯେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳର ଲୋକମାନଙ୍କୁ ଅପମାନ ଓ ଘୄଣାର ଶରବ୍ୟ କରିବାରେ ବିଜେପି ଚରମ ସଫଳତା ହାସଲ କରିଛି ।