ଭୁବନେଶ୍ବର: ନୂଆ ବର୍ଷ ପାଇଁ କଟକ ଭୁବନେଶ୍ବର କମିଶନରେଟ ପୋଲିସ କଡା ସତର୍କ ସୂଚନା ଜାରି କରିଛି। ପୋଲିସ କମିଶନର ଏସ ଦେବଦତ୍ତ ସିଂ ଏ ନେଇ ସୂଚନା ପ୍ରଦାନ କରିଛନ୍ତି। ଜିରୋ ନାଇଟ ବେଳେ କଟକ ଭୁବନେଶ୍ବରରେ ମାଳ ମାଳ ପୋଲିସ ଜଗି ରହିବେ। ମଦ ପିଇଥିବା ଗାଡି ଚାଳକ ଉପରେ ତୀକ୍ଷ୍ମ ନଜର ରଖାଯିବ। ସେ କହିଛନ୍ତି ଯେ, ମଦ ପିଇ ଯେଉଁମାନେ ଗାଡି ଚଳାଇବେ ସେମାନଙ୍କୁ ଥାନାକୁ ଆଣି ରାତିସାରା ବସାଇ ଦିଆଯିବ। ଏଥିସହିତ ଯାହା ଫାଇନ ରହିଛି ତାହା ଆଦାୟ କରାଯିବ।
ସେହିପରି ସେହି ରାତିରେ ରାସ୍ତାଘାଟରେ କିଏ ଗଣ୍ଡଗୋଳ କରିଲେ ସେମାନଙ୍କୁ ଉଚିତ ଜବାବ ଦିଆଯିବ। ସେଥିପାଇଁ ପ୍ରତି ଛକରେ ଏବଂ ମୁଖ୍ୟ ରାସ୍ତାରେ ପୋଲିସ ଜଗି ରହିବେ। ୧୮ଟି ସ୍ଥାନରେ ନାକା ବନ୍ଦି କରାଯିବ, ୨୯ଟି ସ୍ଥାନ ଉପରେ ନଜର ରହିବ। ୫ଟି କ୍ୟୁଆର ଟିମ୍ ମଧ୍ୟ ସଜାଗ ରହିବେ ବୋଲି କମିଶନର କହିଛନ୍ତି। ପୁରା ସହରରେ ୧୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।


