ଭୁବନେଶ୍ବର: ବିଜୁ ଜନତା ଦଳ ଆଜି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଦଳର ସଭାପତି ତଥା ବିରୋଧୀଦଳର ନେତା ନବୀନ ପଟ୍ଟନାୟକ ଦୁଇ ବିଧାୟକଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ବିଧାୟକ ସନାତନ ମହାକୁଡଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ଏଥିରେ ଖୋଦ ସଭାପତି ନବୀନ ପଟ୍ଟନାୟକ ଦସ୍ତଖତ କରିଛନ୍ତି। ଏହି ନିଲମ୍ବନ ସଂପର୍କରେ ବିଧାନସଭା ବାଚସ୍ପତିଙ୍କୁ ଅବଗତ କରାଯାଇଛି।
ତେବେ ସନାତନ ମହାକୂଡ ବିଜେପି ତଥା ମୁଖ୍ୟମନ୍ତ୍ରୀଙ୍କ ସହିତ ବେଶ ଘନିଷ୍ଠ ହୋଇଥିବା ବେଳେ ଅରବିନ୍ଦ ବିଭିନ୍ନ ସମୟରେ ଦଳ ବିରୋଧୀ ମନ୍ତବ୍ୟ ଦେଉଥିଲେ। ତେବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ହଟଚମଟ ସୃଷ୍ଟି ହୋଇଛି।


