ଭୁବନେଶ୍ଵର: କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିଉଓ) ଓ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (ଓଉଏଟି) ମଧ୍ୟରେ କୃଷି ଏବଂ ସହଯୋଗୀ କ୍ଷେତ୍ରରେ ଗବେଷଣା, ନବୋନ୍ମେଷ ଓ ବିସ୍ତାର କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ୨୭ ଜାନୁଆରୀ ୨୦୨୬ ତାରିଖରେ ଏକ ଐତିହାସିକ ସମ୍ମତି ପତ୍ର (ଏମଓୟୁ) ସ୍ବାକ୍ଷର ଓ ଆଦାନ–ପ୍ରଦାନ କରାଯାଇଛି। ଏହି ଏମଓୟୁ ଭୁବନେଶ୍ୱରସ୍ଥିତ ଓୟୁଏଟିର କୁଳପତି ସମ୍ମେଳନ କକ୍ଷରେ ସମ୍ପନ୍ନ ହୋଇଥିଲା।
ସିୟୁର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ଓ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଦୁଇ ବିଶ୍ୱବିଦ୍ୟାଳୟର ବରିଷ୍ଠ କର୍ତ୍ତୃପକ୍ଷ ଓ ଅଧ୍ୟାପକମାନଙ୍କ ଉପସ୍ଥିତିରେ ଏହି ସମ୍ମତି ପତ୍ରରେ ସ୍ବାକ୍ଷର କରିଥିଲେ। ସିୟୁଓ ପକ୍ଷରୁ କୃଷି ବିଭାଗ ମୁଖ୍ୟ ଡ଼. ମଞ୍ଜୁଶ୍ରୀ ସିଂହ, ଦୁଗ୍ଧ ବିଜ୍ଞାନ ବିଭାଗ ମୁଖ୍ୟ ଡ଼. ସଞ୍ଜୟ କୁମାର ପ୍ରଧାନ ଓ କୁଳପତିଙ୍କ ବିଶେଷ କାର୍ଯ୍ୟାଧିକାରୀ ଡ଼. ଅନୁପମ ଡାକୁଆ ଉପସ୍ଥିତ ଥିଲେ। ଓୟୁଏଟି ପକ୍ଷରୁ ଗବେଷଣା ନିର୍ଦ୍ଦେଶକ ଡ଼. ନିରଞ୍ଜନ ପାଣ୍ଡା ଓ ଯୋଜନା, ନିରୀକ୍ଷଣ ଓ ମୂଲ୍ୟାୟନ ନିର୍ଦ୍ଦେଶକ (ଡିପିଏମଇ) ଡ଼. ଶୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ମତ ପ୍ରକାଶ କରି ପ୍ରଫେସର ଏନ୍. ସି. ପଣ୍ଡା କହିଥିଲେ ଯେ ଏହି ଏମଓୟୁ ଦୁଇଟି ପ୍ରମୁଖ ବିଶ୍ବବିଦ୍ୟାଳୟ ମଧ୍ୟରେ ଗୁଣାତ୍ମକ ଶିକ୍ଷା ଓ ବୈଜ୍ଞାନିକ ସହଯୋଗର ନୂତନ ଦିଗ ଖୋଲିବ। ଏହା ମାଧ୍ୟମରେ ଛାତ୍ର-ଛାତ୍ରୀ, ବୈଜ୍ଞାନିକ ଓ ଅଧ୍ୟାପକମାନଙ୍କ ଆଦାନ–ପ୍ରଦାନ ସହିତ କାର୍ଯ୍ୟପଦ୍ଧତି, ପ୍ରଯୁକ୍ତି, ବୈଜ୍ଞାନିକ ଲେଖା ଓ ସୂଚନାର ସାମୂହିକ ବ୍ୟବହାର ସମ୍ଭବ ହେବ ବୋଲି ସେ କହିଥିଲେ। ଏପରି କାର୍ଯ୍ୟକ୍ରମଗୁଡ଼ିକ କୃଷି ଓ ସହଯୋଗୀ ବିଷୟରେ ବୈଜ୍ଞାନିକ ଜ୍ଞାନ ଓ ପ୍ରାୟୋଗିକ କୌଶଳକୁ ବଢ଼ାଇବା ସହ ଦୀର୍ଘକାଳୀନ ଭାବେ କୃଷକମାନଙ୍କ ଆର୍ଥିକ ଉନ୍ନତି ଓ ରାଜ୍ୟର ଅର୍ଥନୈତିକ ବିକାଶରେ ଅବଦାନ ରଖିବ।
ଏହି ଏମଓୟୁ ଅନୁଯାୟୀ ଉପଲବ୍ଧତା ଆଧାରରେ ପ୍ରୟୋଗଶାଳା ସୁବିଧାର ସାମୂହିକ ବ୍ୟବହାର, ସଂଯୁକ୍ତ ଗବେଷଣା, ବିସ୍ତାର ଓ ଆଉଟ୍ରିଚ୍ କାର୍ଯ୍ୟକଳାପ ଚାଲୁ କରାଯିବ। ଆଞ୍ଚଳିକ ଓ ଜାତୀୟ କୃଷି ସମସ୍ୟା ସମାଧାନ ପାଇଁ ସଂଯୁକ୍ତ ଗବେଷଣା ପ୍ରକଳ୍ପ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ବିସ୍ତାର ପଦକ୍ଷେପ ଏହି ସହଯୋଗର ମୁଖ୍ୟ ଅଂଶ ହେବ।
ସମ୍ମତି ଅନୁସାରେ ସଂଯୁକ୍ତ ଭାବେ ପ୍ରସ୍ତୁତ କାର୍ଯ୍ୟ ପରିକଳ୍ପନା ମାଧ୍ୟମରେ ଏହି ସହଯୋଗ କାର୍ଯ୍ୟାନ୍ବିତ ହେବ, ଯେଉଁଥିରେ ପ୍ରତ୍ୟେକ କାର୍ଯ୍ୟକଳାପ ଓ ଦୁଇ ବିଶ୍ୱବିଦ୍ୟାଳୟର ଅବଦାନ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବ।
ସିୟୁଓର ଲୋକସମ୍ପର୍କ ଅଧିକାରୀ ଡ଼. ଫଗୁନାଥ ଭୋଇ ସୂଚନା ଦେଇଛନ୍ତି ଯେ ଏହି ଏମଓୟୁ ତିନି ବର୍ଷ ପର୍ଯ୍ୟନ୍ତ ବୈଧ ରହିବ ଏବଂ ପାରସ୍ପରିକ ସହମତି ଓ କାର୍ଯ୍ୟଦକ୍ଷତା ଆଧାରରେ ଏହାକୁ ଆଗକୁ ବଢ଼ାଯାଇପାରିବ।


