ଭୁବନେଶ୍ବର: ଚଳିତ ବର୍ଷ ପ୍ରଭୃ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କର ପ୍ରସିଦ୍ଧ ମହାଶିବରାତ୍ରୀ ପର୍ବ ଆସନ୍ତା ୧୫ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବର ଲୋକସେବା ଭବନ ସ୍ଥିତ ଆଇନ ବିଭାଗର ସମ୍ମିଳନୀ କକ୍ଷରେ ସମ୍ବନୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏଥିରେ ସେବାୟତ, ମନ୍ଦିର ପ୍ରଶାସନ ଓ ବିଭିନ୍ନ ସରକାରୀ ବିଭାଗ ଉପରେ ନ୍ୟସ୍ତ କରାଯାଇଥିବା ଦାୟିତ୍ବ ଓ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚ଼ନା କରାଯାଇଛି।
ଉକ୍ତ ବୈଠକରେ ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ସମ୍ପନ୍ନ ହେବା, ସଠିକ୍ ସମୟରେ ମହାଦୀପ ଉଠିବା, ଶୃଙ୍ଖଳିତ ଦର୍ଶନ, ଶୂନ୍ୟ ଅଘଟଣକୁ ଗୁରୁତ୍ବ ଦେବା ସହ ଟ୍ରାଫିକ ସୁପରିଚାଳନା, ପାରିପାର୍ଶ୍ବକ ରାସ୍ତାଗୁଡିକୁ ପରିଷ୍କାର ପରିଚ୍ଛନ୍ନତା, ପାଣି ଓ ବିଦ୍ୟୁତ୍ ବ୍ୟବସ୍ଥା ଆଦି ବିଷୟ ଉପରେ ବ୍ୟାପକ ଆଲୋଚନା କରିବା ସହ ଶୃଙ୍ଖଳିତ ଭାବେ ମହାଶିବରାତ୍ରୀ ପାଳନ ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଉକ୍ତ ବୈଠକରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଡଃ ପବିତ୍ର ମୋହନ ସାମଲ , ଦେବୋତ୍ତର ଆୟୁକ୍ତ ଶ୍ରୀ ଲଲାଟେନ୍ଦୁ ଜେନା, ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଅମ୍ରିତ ଋତୁରାଜ, ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର ପୋଲିସ କମିଶନର ଡଃ ସୁରେଶ ଦେବଦତ୍ତ ସିଂହ, ଅତିରିକ୍ତ ପୋଲିସ କମିଶନର ଶ୍ରୀ ନରସିଂହ ଭୋଳ, ଭୁବନେଶ୍ଵର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ର ନାରାୟଣ ମହାନ୍ତି , କର୍ପୋରେଟର ଗଣ, ଅନ୍ୟ ପୋଲିସ ଅଧିକାରୀ ଗଣ, ମନ୍ଦିର କାର୍ୟ୍ୟ ନିର୍ବାହୀ ଅଧିକାରୀ, ପ୍ରମୁଖ ସେବା ନିଯୋଗର ପ୍ରତିନିଧି ବୃନ୍ଦ , ବିଦ୍ୟୁତ ବିଭାଗ ଅଧିକାରୀ ଓ କର୍ମଚାରୀ,ଜଳ ନିଗମ ଅଧିକାରୀ , ସ୍ଵାସ୍ଥ୍ୟ ବିଭାଗୀୟ ଅଧିକାରୀ , ସ୍ଵେଚ୍ଛାସେବୀ ସଂଗଠନ ସହ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।


