ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରିଛନ୍ତି। ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିଛି। ୨ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀଙ୍କୁ ମଧ୍ୟ ସୁଭଦ୍ରା ଯୋଜନାର ଲାଭା ମିଳିଛି। ପ୍ରତ୍ୟେକ ହିତାଧିକାରୀଙ୍କ ଖାତାରେ ୫ ହଜାର ଟଙ୍କା ଲେଖାଏଁ ସୁଭଦ୍ରା ଟଙ୍କା ଜମା ହୋଇଛି। ୫୧୦୬ କୋଟି ୩୩ ଲକ୍ଷ ୨୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନାରୀ ଶକ୍ତିଙ୍କୁ ସଶକ୍ତ କରିବା ପାଇଁ ଲୋକଙ୍କ ସରକାର ସଂକଳ୍ପବଦ୍ଧ। ସୁଭଦ୍ରା ଯୋଜନା ହେଉଛି ଏହି ସଂକଳ୍ପର ଏକ ଜ୍ଵଳନ୍ତ ଉଦାହରଣ। ଏହା ସାମାଜିକ ଓ ଆର୍ଥିକସ୍ତରରେ ସଶକ୍ତ କରିବା ସହ ମହିଳାମାନଙ୍କୁ ସ୍ବାବଲମ୍ବୀ କରିଛି। ମହିଳା ଶକ୍ତି ହିଁ ସମୃଦ୍ଧ ଓ ବିକଶିତ ଓଡିଶା ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ।


