ଭୁବନେଶ୍ୱର: ରାଜ୍ୟ ସଭା ନିର୍ବାଚନକୁ ନେଇ ରାଜ୍ୟରେ ରାଜନୀତି ଉଷ୍ମ ହୋଇଛି। ସରକାରୀ ଦଳ ବିଜେପି ଉପରେ ଉଭୟ ବିରୋଧୀ ଦଳ ବିଜେଡ଼ି ଏବଂ କଂଗ୍ରେସ ଗୁରୁତର ଅଭିଯୋଗ ଆଣୁଛନ୍ତି। ରାଜ୍ୟସଭା ନିର୍ବାଚନରେ ବିଜେପି ଘୋଡା ବେପାର କରିବାକୁ ଚେଷ୍ଟା କରୁଛି ବୋଲି ବିରୋଧୀ ଦଳ କହିଛନ୍ତି। ତେବେ ଏହା ଭିତରେ କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଏକ ବଡ ବିବୃତ୍ତି ଆସିଛି। ନିଜ ଦଳ ଉପରେ ସୋଫିଆ ଅସନ୍ତୁଷ୍ଟ ଦେଖାଦେଉଛନ୍ତି। ବିଜେଡ଼ି ସହ ବୁଝାମଣାକୁ ସେ ବିରୋଧ କରିଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ବରଂ ଭଲ ହୋଇଥାନ୍ତା। ନୂଆପଡ଼ା ଉପନିର୍ବାଚନ କଥା ଦର୍ଶାଇ ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସୋଫିଆ କହିଛନ୍ତି ଯେ, ନୂଆପଡ଼ା ଉପନିର୍ବାଚନକୁ ମୋତେ ଡକାଯାଇ ନ ଥିଲା। ସେ ଆହୁରି ମଧ୍ୟ କହିଛନ୍ତି, ମୋ ନିର୍ବାଚନ ମଣ୍ଡଳୀରେ କୌଣସି ନେତାଙ୍କୁ ସାମିଲ କରାଗଲେ, ମୋତେ ଜଣାଉ ନାହାନ୍ତି।
ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନକୁ ନେଇ ବି ପ୍ରଶ୍ନ କରିଛନ୍ତି। କଂଗ୍ରେସକୁ ନଷ୍ଟ କରିବା ପାଇଁ ବିଜେଡି ସର୍ବଦା ଚେଷ୍ଟା କରିଛି ବୋଲି ସୋଫିଆ କହିଛନ୍ତି। ବିଜେଡି ସବୁବେଳେ ବିଜେପି ସହ ମିଶିକି ରହି ଆସିଛି। ଦୁଇ ଦଳ ଏକାଠି ସ୍ବାଧୀନ ପ୍ରାର୍ଥୀ ଘୋଷଣା କରିଥିଲେ ଭଲ ହୋଇଥାନ୍ତା। କଂଗ୍ରେସକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି। ବ୍ୟକ୍ତିଗତ ହିସାବରେ ଯିଏ ଯାହାର ଭୋଟ୍ ଦେବେ। ମୁଁ ନିଶ୍ଚୟ ଭୋଟ୍ ଦେବି, ଏହା ମୋର ଅଧିକାର ବୋଲି ସୋଫିଆ କହିଛନ୍ତି।


